ସୃଷ୍ଟିର ବ୍ୟତିକ୍ରମରେ ମିଳନ
ସୃଷ୍ଟିର ବ୍ୟତିକ୍ରମରେ ମିଳନ
2004 ମସିହା ମେ 18 ତାରିଖ । ସେଦିନ ଥିଲା ସାବିତ୍ରୀ ଅମାବାସ୍ୟା । କୁନି ପିଲା ଆସିବା ସମ୍ବାଦରେ ଘର ଖୁସିରେ ପୁରି ଉଠୁଥିଲା । କୁନି ଅତିଥିକୁ ଅତି ଯତ୍ନର ସହିତ ଘରକୁ ସ୍ୱାଗତ କରାଗଲା । ସେହି କୁନି ଅତିଥିଟି ମୋ ଭାଇ ମିଲନ । ସନ୍ତାନକୁ ଦେଖିକି ପରିବାରର ସମସ୍ତେ ଖୁସି ଥିଲେ । ଖୁସିରେ ସମୟ ବିତିଚାଲିଥିଲା । କିନ୍ତୁ ସମୟ ତ ବଳବାନ । ଦିନପରେ ଦିନ ବିତିଚାଲିଥିଲା । ସବୁ ଠିକ ଠାକ ଥିଲା । ଚାହୁଁ ଚାହୁଁ ଛଅ ମାସର ହେଇଗଲା। ବାପା ମା ତା ସନ୍ତାନ ଠାରୁ କିଛି ଆଶା କରୁଥିଲେ ଯାହା ଏହି ଦୁନିଆର ପ୍ରତ୍ୟେକ ବାପା ମା ତା ସନ୍ତାନ ଠାରୁ ଆଶା କରନ୍ତି । ଯେପରି ସେମାନଙ୍କ ସାହାରାରେ ଆଗକୁ ଆଗକୁ ପାଦ ପକେଇବାକୁ ଚେଷ୍ଟା କରିବା, ଓଠରେ ଓଠ ମିଶାଇ କଥା କହିବା ଶିଖିବା, ପେଟେଇବା, ଗୁରୁଣ୍ଡିବା ଇତ୍ୟାଦି । ମା 'ର ଏଣୁତେଣୁ ଅବା ଜହ୍ନ ଗୀତ ଶୁଣି ମୁରୁକି ମୁରୁକି ହସିବା, ମା ଆଖିରେ ଦୂର ଆକାଶର ରଙ୍ଗମିଶା ଇନ୍ଦ୍ରଧନୁରୁ ରଙ୍ଗ ବାଛି ପରିଚିତ କରାଇବା ଏମିତି ଅନେକ କିଛି । କିନ୍ତୁ ସେ ସାଧାରଣ ପିଲାଙ୍କ ଭଳି କିଛି ବି କରୁନଥିଲା, ଯାହା ପାଇଁ ସମସ୍ତ ଚିନ୍ତାରେ ଥିଲେ ।
ବାପା ମାମା ଶେଷରେ ଡକ୍ଟରଙ୍କ ପରାମର୍ଶ ନେଲେ । ଡକ୍ଟର କହିଲେ ମିଲନ ଗୋଟେ CP Child ( cerebral Palsy Child) । ଏତେ ଖୁସିରେ ଗୋଟେ ଦୁଃଖ ଆସିଗଲା । ପରିବାର କୁଳ ରକ୍ଷାକରିବା ପାଇଁ ସନ୍ତାନ ମିଳିଗଲା । ମାଆକୁ ଦୁନିଆର ଅତି ପବିତ୍ର ସନ୍ତାନ ସୁଖ ବି ମିଳିଗଲା। ଦୀର୍ଘ ଦିନର ଯନ୍ତ୍ରଣା ତପସ୍ୟାର ଫଳ ବି ମିଳିଗଲା । କିନ୍ତୁ ସେ ପାଇଲା କଣ ! ଏ ସମାଜ ଆଖିରେ ଅନ୍ୟମାନଙ୍କ ଠାରୁ ସେ ଭିନ୍ନ ଏକ ମଣିଷ । ହେଲେ କିଏ ଜାଣିଥିଲା ଯେ ଏମିତି ହେବ ବୋଲି ।
ସନ୍ତାନର ଭବିଷ୍ୟତକୁ ନେଇ ଇଚ୍ଛା ଆଉ ଅନିଚ୍ଛାର ପ୍ରଶ୍ନର ଜାଲରେ ସନ୍ଦି ହୋଇଯାଇଥିଲେ ବାପା ମାଆ । ଅପ୍ରାପ୍ୟ ଦ୍ଵନ୍ଦ୍ୱକୁ କାନଭାସର ମାନସପଟ୍ଟରେ ଆଙ୍କୁଥିଲେ । ମା ତା ସନ୍ତାନ ପାଇଁ ଶୁଭମନାସି ଠିକ୍ ହୋଇଯିବା ଆଶାରେ ଅନେକ ପୂଜା ବ୍ରତ ଉପବାସ କରୁଥିଲା ଏବଂ ବାପା ମିଲନର ଠିକ ଭାବେ ଚିକିତ୍ସା ପାଇଁ ଡକ୍ଟର ଦେଖୁଥିଲେ । ବହୁତ କ୍ଷେତ୍ରରେ ନିରାଶ ପରେ ବି ବାପା ମାଙ୍କ ମନୋବଳ ଭାଙ୍ଗି ନଥିଲା । ସେମାନେ ତାଙ୍କ ଚେଷ୍ଟା ଜାରି ରଖିଥିଲେ । ଡକ୍ଟର ପରେ ଡକ୍ଟର ଦେଖେଇବା ପରେ ବି କେତେ କେତେ ସାଧୁ ସନ୍ଥଙ୍କଠୁ ପରାମର୍ଶ ନବା ସହ ଜାତକ ଦେଖେଇ ଅନେକ ପୂଜା ବ୍ରତ କରାଯାଇଥିଲା ।
ସମୟ ବିତି ଚାଲିଥିଲା । ଓଲଟପୁରରେ ମିଲନର physiotherapy ଚାଲିଲା । ମିଲନ ବସିପାରୁନଥିଲା କି ଚାଲି ପାରୁନଥିଲା । ସେଠି ରହିକି ତାର ଚିକିତ୍ସା ଚାଲିଲା । ଚାହୁଁ ଚାହୁଁ ଛଅ ବର୍ଷ ହେଇଗଲା । ମିଲନର ଖାଇବା ପ୍ରତି ବହୁତ ଦୁର୍ବଳତା ଥିଲା । ସେଦିନ ସନ୍ଧ୍ୟାରେ ମାମା କିଛି ଗୋଟେ ବନେଇ ଥିଲେ ମୋର ଭଲସେ ମନେ ନାହିଁ । ସେ ଶୋଇଥିଲା କାରଣ ସେ ବସି ପାରେନି । ମାମା ମିଲନ ପାଖକୁ ଖାଇବା ନେଇକି ଯାଉଥିଲେ ମିଲନକୁ ଖୋଇଦେବା ପାଇଁ କାରଣ ମିଲନ ନିଜ କାମ କିଛି ବି ନିଜେ କରିପାରେନି ସବୁ ମାମା କରନ୍ତି । ହଠାତ୍ କଣ ହେଲା କେଜାଣି ମିଲନ ଛିଡା ହେଇକି ଯାଇକି ମାମାଙ୍କ ହାତରୁ ଖାଇବା ଆଣିକି ଖାଇଲା । ଏସବୁ ଦେଖି ସମସ୍ତେ ବିସ୍ମୟ ଆଉ ଖୁସି ହେଇଗଲେ । ଜେଜେ ଖୁସିରେ ମିଲନ ପାଇଁ ନୂଆ ଡ୍ରେସ ବି ଆଣିଲେ । ତାପରଠୁ ମିଲନର ଧୀରେଧୀରେ କିଛି ପରିବର୍ତ୍ତନ ହେଲା । ଦୁଃଖ ଭିତରେ ଟିକେ ଖୁସି ଆସିଗଲା ।
ଶସ୍ୟ ଶ୍ୟାମଳାରେ ପରିପୂର୍ଣ୍ଣ ଏ ଧରଣୀ ପୃଷ୍ଠ । କିନ୍ତୁ ସେହି ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବାର ଭାଗ୍ୟ ହୁଏତ ସମସ୍ତଙ୍କ ପାଖରେ ନାହିଁ । ଏହି ମନଲୋଭା ସୃଷ୍ଟିର ସୌନ୍ଦର୍ଯ୍ୟକୁ ଦେଖିପାରିବା ଅବା ସୌନ୍ଦର୍ଯ୍ୟ ବିଷୟରେ ଶୁଣିପାରିବା ନା କହିପାରିବା । ସେଥିପାଇଁ ସେମାନେ ଆଖି ଥାଇ ବି ଅନ୍ଧ, କାନ ଥାଇ ବି ବଧିର, ପାଟି ଥାଇ ବି ମୂକ ଏବଂ ହାତ ଗୋଡ ଥାଇ ବି ପଙ୍ଗୁ । କାଳର କରାଳ ଗତି ଠେଲି ଦେଇଛି ସେମାନଙ୍କ ଜୀବନକୁ ଦୁଃଖରୂପକ ଅନ୍ଧକାର ଭିତରକୁ, ସେମାନଙ୍କୁ ଆଖ୍ୟା ଦେଇଛି ଦିବ୍ୟାଙ୍ଗ ବୋଲି । କିନ୍ତୁ ଖୁସିର କଥା ଯେ ସେମାନେ ସେହି ଅନ୍ଧାରରୁ କେମିତି ବାହାରିବେ ସେ କଥା ଚିନ୍ତା ନ କରି, ସେହି ଅନ୍ଧକାରମୟ ଜୀବନରେ କେମିତି ଆଶାରୂପକ ଆଲୋକର ବହ୍ନିକୁ ପ୍ରଜ୍ବଳିତ କରିବେ ସେଥିପାଇଁ ଅଗ୍ରସର ହୋଇ ଚାଲିଛନ୍ତି । ସେହି ପରି ମିଲନର ବାକ୍ ଶକ୍ତି ନାହିଁ କିନ୍ତୁ ବୁଝିବା, ଦେଖିବା, ଶୁଣିବା ଶକ୍ତି ପ୍ରଖର ।
ଯେତେବେଳେ ବାପା ଅଫିସରୁ ଫେରନ୍ତି ମିଲନ ଜାଣିଥାଏ ବାପା ତା ପାଇଁ ନିଶ୍ଚିତ ଚିକଲେଟ ନହେଲେ କେକ୍ ଆଣିଥିବେ, ବାପା ଆସିବା ମାତ୍ରେ ହିଁ ତାଙ୍କ ପାଖକୁ ଦୌଡ଼ିକି ପଳାଏ । ବେଳେବେଳେ ଅଫିସରେ ବାପା ଙ୍କର ରାତିରେ କାମ ପଡେ ତେଣୁ ଅଫିସରେ ରହିବାକୁ ପଡେ ମିଲନ ବାର ବାର ଝରକା ପାଖକୁ ଯାଇ ବାପାଙ୍କୁ ଅପେକ୍ଷା କରେ ଶୋଇବାକୁ ଆସେନି ମାମା ବାପାଙ୍କୁ ଫୋନ କରନ୍ତି ଆଉ ବାପା ମିଲନକୁ କୁହନ୍ତି "ମିଲନ ଶୋଇପଡ ଆଜି, ମୁଁ କାଲି ଯିବି ଆଜି ଟିକେ କାମ ରହିଗଲା ।ମୁଁ କାଲି ଯିବା ବେଳେ ତୋ ପାଇଁ ଚକଲେଟ ନେଇକି ଯିବି, ଶୋଇପଡ଼ ମିଲୁ।" ଏତିକି ଶୁଣିବା ପରେ ସେ ଚୁପ ଚାପ ଶୋଇପଡେ ସତ କିନ୍ତୁ ପର ଦିନ ସକାଳ ହେବା ମାତ୍ରେ ହିଁ ସେ ଉଠିକି ବାପାଙ୍କୁ ଖୋଜେ । ମୁଁ ବି ହଷ୍ଟେଲରେ ରୁହେ ଛୁଟିରେ ଘରକୁ ଫେରିଲେ ସେ ମତେ ପ୍ରଥମେ ଟାଣିକି ଘରକୁ ନେଇଯାଏ ଏବଂ ମୋ ବ୍ୟାଗ ଭିତରକୁ ଆଣିକି ମତେ ଦିଏ । ସେ ଜାଣିଥାଏ ମୁ ତା ପାଇଁ ଚକଲେଟ ଆଣିଥିବି ଆଉ ସେ ଖାଇବ । ଆଉ ଛୁଟି ସରିଲେ ହଷ୍ଟେଲ ଯିବାକୁ ବାହାରିଲେ ସେ ମତେ ପଛରୁ ଟାଣିକି ଧରେ ସେ ଚାହେଁ କି ସମସ୍ତେ ସବୁବେଳେ ତା ପାଖରେ ରୁହନ୍ତୁ ବୋଲି, ସେତେବେଳେ ମୋ ଆଖିରେ ହଠାତ୍ ଲୁହ ଆସିଯାଏ । ଏସବୁରୁ ମିଲନର ସମସ୍ତଙ୍କ ଥିବା ଭଲ ପାଇବା, ତାର ନିରୀହପଣ ପ୍ରତିଫଳିତ ହୁଏ । ମିଲନ ଅତ୍ୟଧିକ କ୍ରିୟାଶୀଳ(hyperactive) ତେଣୁ ସବୁବେଳେ ଗେଟରେ ଚାବି ପଡେ । ଯେତେବେଳେ ଘରକୁ କେହି ଅତିଥି, ନିମନ୍ତ୍ରିତ ବ୍ୟକ୍ତି ଆସନ୍ତି ତାଙ୍କୁ ନେଇ ଘରେ ବସାଏ ଓ ମାମାଙ୍କୁ ରୋଷେଇ ଘରେ ଯାଇକି ଟାଣେ ଓ ଚାହା କରିବା ପାଇଁ କେଟିଲ ଆଣିକି ଦିଏ । ମିଲନ କଥା କହି ପାରେନି ସତ କିନ୍ତୁ ସବୁକିଛି ବୁଝି ପାରେ । ମିଲନ ଯାହାକୁ ବି ଥରେ ଚିହ୍ନିଥିବ ତାଙ୍କୁ ଦେଖିଲେ ଘରେ ଆଣି ବସେଇବ କିମ୍ବା ସେ ଗେଟ୍ ପାଖରେ ଡାକିଲେ ଘରେ ଯାଇ ଡାକିବ ଚାବି ଖୋଲିବା ପାଇଁ କିନ୍ତୁ ଯଦି ସେ ଚିହ୍ନି ନଥିବ ଗେଟ୍ ପାଖକୁ ଯିବନି। ମିଲନ କଥା ନ କହି ପାରିଲେ ବି ବହୁତ ଚାଲାକ୍ ଓ ଯତ୍ନଶୀଳ ।
ଚାହୁଁ ଚାହୁଁ ଆଜି ମିଲନକୁ ୧୯ ବର୍ଷ ହେଇଗଲା । ଭଗବାନଙ୍କ ପାଖରେ ପ୍ରାର୍ଥନା ସେ ଖୁବଶୀଘ୍ର ଭଲ ହେଇଯାଉ ଆଉ ମିଲନ ସବୁବେଳେ ଖୁସିରେ ରହୁ ।
