STORYMIRROR

SushreeBaisakhi Sahoo

Others

3  

SushreeBaisakhi Sahoo

Others

ଆଖିର ଲୁହ

ଆଖିର ଲୁହ

2 mins
293

‌ଅନେକ ସମୟରେ ହୃଦୟ ଭିତରେ ରହି ଆକାଶର ପରିସୀମା ମାପି ସ୍ୱାତୀଗୋଲାପର ଶିଳାପଦ୍ମ ପରି ଶିଶିର ବିନ୍ଦୁରୁ ମୁକ୍ତା ଗଢୁଥିବା ଅଦୃଶ୍ୟ କିନ୍ତୁ ପ୍ରସ୍ଫୁଟିତ ମୋତି ଲୁହ। ଲୁହ ସବୁବେଳେ ଦୁଃଖରେ ଝରେନି ଅତି ଖୁସିରେ ବି ଝରେ କାରଣ କେବଳ ଶ୍ରାବଣ ରେ ବର୍ଷା ହୁଏ ନାହିଁ ବୈଶାଖ ରେ ବି ଫେରେ । ସୁଖ ଦୁଃଖ ର ଫରକ ଏତିକି ଆକାଶର ଜହ୍ନ ଅମାବାସ୍ୟା ଦିନ କାଳିମା ଅନ୍ଧାର ଏବଂ ପୂର୍ଣ୍ଣିମାରେ ପୂର୍ଣ୍ଣ । ହୃଦୟରେ ଯେତେ ଯନ୍ତ୍ରଣା ଲୁଚେଇଲେବି ଆଖି ଆଇନା ରେ ସବୁ ଦିଶିଯାଏ । ସୁଖ ଦୁଃଖର ସାଥି ଟିଏ ହୋଇ ବୋହିଯାଏ। କିଛି ବାଟରୁ ଓଠ ପିଇଯାଏ , ଆଉ କିଛି ହାତରେ ।ତଥାପି ତାର ମୂଲ୍ୟ ବୁଝିବା ସହଜ ନୁହେଁ ।କିଛିଜଣ ଲୁହ ର ପରିଭାଷା ବୁଝନ୍ତି ତ କିଛିଜଣ ବାହାନା ଭାବନ୍ତି ,କିନ୍ତୁ କିଏ କଣ ମାପକାଠି ରେ ମାପିପାରିବେ ତାର ତୀବ୍ରତା ,ଉଷ୍ମତା । ମୁହଁସହ ଆଖିର ପରିଭାଷା କୁ ମିଶାଇ ତା'ର ରୂପରେଖା କୁ ବର୍ଣ୍ଣନା କରିପାରନ୍ତି , ହେଲେ ଏଇ କେଇ ଟୋପା ଲୁହର ପରିଭାଷା ବୁଝିବା ଜଟିଳ କାରଣ ସେ ନିରବ ରେ କେତେ କଥା ,ବ୍ୟଥା ,ବେଦନା ,ଅକୁହା ଭାଷା ,ଅସଜଡ଼ା ସ୍ବପ୍ନ କୁ ପରିପ୍ରକାଶ କରିଦିଏ ।ଏ ଅମାନିଆ ଲୁହ ବି ସାଗର ଠାରୁ ଗଭୀର।

‌ମନୁଷ୍ୟର ସମୟ ଓ ଜୀବନ ପରସ୍ପର ସହ ତାଳ ଦେଇ ଚାଲନ୍ତି । କେତେବେଳେ ଯଦି ଆଗ ପଛ ହୋଇଯାଏ ତେବେ ବହୁତ କିଛି ଓଲଟପାଲଟ ହୋଇଯାଏ । ମଣିଷ ମାତ୍ରକେ ଭାବନା ଅଛି ,ଇଚ୍ଛା ଅଛି ଓ ତାକୁ ପୂରଣ ନିମନ୍ତେ ଆଗ୍ରହ ମଧ୍ୟ ।ପରନ୍ତୁ ବେଳେବେଳେ ତାହା ନିଜ ଲକ୍ଷ୍ୟପଥରୁ ଓହରି ବାଟ ଓଗାଳି ଚାଲିଯାଏ । ସେଥିପାଇଁ ବେଳେବେଳେ ଦାୟୀ ଥାଏ ନିଜର ରାଗ ,କ୍ରୋଧ ,ଅଭିମାନ ପରି କିଛି ଅନିମନ୍ତ୍ରିତ ଅତିଥି ମାନେ । ଲୁହ ବି ସର୍ବଜ୍ଞ ମଧ୍ୟ , କାରଣ ମନର ଭାବାଭାସ କେହି ବୁଝୁ କି ନ ବୁଝୁ ମୁହୂର୍ତ୍ତକ ଭିତରେ ସେ ବୁଝି ନିଏ । ଲୁହକୁ ପଚାରିଲେ ତୁ ଝରୁ କାହିଁକି , ଲୁହ କହିଲା - ମୁଁ ଆଖିର ଶୋଭା । ଯଦି ମୁଁ ନଥାନ୍ତି ତାହାଲେ କେହି କଣ ମନର କଥା ପଢିପାରନ୍ତେ । ମୋର ବି ଭାଷା ଅଛି ,କିନ୍ତୁ ତାକୁ ଦେଖିବା ସହଜ ପଢିବା କଷ୍ଟ । ସତରେ ଏ ଲୁହ ବି କେତେ ରହସ୍ୟମୟ ।ତାକୁ ତ ବୁଝିବା ଯେତିକି ସୁକ୍ଷ୍ମ ସେତିକି ଜଟିଳ । ସେ ଝରିଲା ବେଳେ ସମୟ ଦେଖେନି କି କିଛି ଦେଖେନି ,କିନ୍ତୁ ହୃଦୟର ସବୁ ଯନ୍ତ୍ରଣା ,ମନର ଅବସାଦ କୁ ମଧ୍ୟ ତା ସହିତ ଝରେଇ ନିଏ । ଲୁହ ଛଳନାରେ ବି ଥାଏ, ବିଚ୍ଛେଦରେ ବି ଥାଏ, ସେ ମିଳନରେ ବି ଥାଏ, ଜନ୍ମରୁ ମୃତ୍ୟୁ ଯାଏ ଥାଏ । ସବୁବେଳେ ହସୁଥିବା ଚେହେରା ଭିତରେ ମଧ୍ୟ ଲୁହ ଲୁଚି ରହିଥାଏ । ରୂପହୀନ , ରଙ୍ଗହୀନ , ବାସ୍ନାହୀନ , ଶବ୍ଦହୀନ , ଲବଣଯୁକ୍ତ ଲୁହ ଅନବରତ ଚେତେଇ ଦିଏ ସ୍ନେହ ପ୍ରେମ ନିବିଡତାର ଅଦୃଶ୍ୟ ବନ୍ଧନୀକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍