ୟେ ରାତି ନିଶ୍ଚୟ ପାଇବ
ୟେ ରାତି ନିଶ୍ଚୟ ପାଇବ
ୟେ ରାତି କାଇଁ ପାହୁନି, ଅନ୍ଧାର କାଇଁ ଆମ ବାଟ ଛାଡ଼ୁନି ?
ନା ଆକାଶରେ ଚାନ୍ଦ ଦିଶୁଛି, ନା ସୂର୍ଯ୍ୟ ତାର ସପ୍ତରଙ୍ଗୀ ଚାଦର ଘୋଡାଇ ହୋଇ ଆମ ଆଡେ ଆସୁଛି । ଆଜି ବି ଜନଗହଳି ପଥ ନିସ୍ତବ୍ଧ ଓ ଜନଶୂନ୍ୟ ଅଛି । ଭୟର ବିଭୀଷିକା ରଚାଇ ମହାମାରୀ କରୋନା ସବୁଠି ରାଜୁତି ଚଲେଇଛି । ସମଗ୍ର ବିଶ୍ୱକୁ ଥରେଇ ଦେଇ ମାନବଜାତିକୁ ଆଣି ଜୀବନର ଦୋଛକିରେ ଠିଆ କରେଇ ଦେଇଛି । ମଣିଷ ନିଜକୁ ପଣବନ୍ଦୀ କରୁଛି କାରଣ କରୋନା ମୃତ୍ୟୁ ଜଗିଛି ।
ଘଡିର କଣ୍ଟା ଚାଲିଛି, ହେଲେ ଜୀବନ ଜୀବିକା ସବୁ ଠପ୍ ହେଇଯାଇଛି ।କଳାପଟା ଟା ଚକ୍ ଖଡିକୁ ଛୁଇଁବ ବୋଲି ବିକଳ ହେଉଛି । ଖେଳପଡ଼ିଆ ପାଦ ଶବ୍ଦକୁ ଝୁରୁଛି । ନା ଅତୀତ ଆଡେ ଚାହିଁ ହେଉଛି ନା ଭବିଷ୍ୟତ କଥା ଭାବି ହେଉଛି । ପାଣିଫଟୋକା ଭଳି କେଉଁଠି କେଜାଣି ଶରୀରଗୁଡା ହଜିଯାଇଛି ।
ଏବେ ମୁହଁ ପୁରା ଦିଶୁନି ହେଲେ କୋହର ନିଆଁରେ ତିଳ ତିଳ ହୋଇ ମାନବିକତା ଜଳୁଛି । ଘରକୁ ଫେରିଲେ ଆଉ ମାଆ କୋଳେଇ ନେଉନି, ଏକାନ୍ତବାସରେ କିଛି ଦିନ ଛାଡି ଦେଉଛି । ଚାରିକାନ୍ଥ ଭିତରେ ବନ୍ଦୀ ହୋଇ ସମ୍ପର୍କ ସବୁ ଅଣନିଃଶ୍ୱାସୀ ହୋଇଗଲେଣି । ଓଠରୁ ହସ ମରିଗଲାଣି । ଚେହେରାକୁ ଅଧା ପରଦାରେ ରଖି, ଆଖି ଆଖିକୁ ଚିହ୍ନିଲାଣି । ପ୍ଲାଷ୍ଟିକରେ ଘୋଡେଇ ହୋଇ ମଣିଷ ନିଜ ନିଃଶ୍ୱାସକୁ ମାପିଲାଣି । ଅଜଣା ଲୋକଙ୍କ କଥା ଛାଡ ; ଆମେ ତ ଚିହ୍ନା ମୁହଁକୁ ପାଦରେ ଆଡେଇ ଯାଉଛେ । କାଳର କଳା ବାଦଲ ତଳେ ମୁହଁ ମାଡି ଆମେ ସମସ୍ତେ ପଡିଛେ । ମନରେ ସ୍ନେହ ଆଦରର ଗନ୍ତାଘର ଅଛି, କିନ୍ତୁ ଜିଭ ତାକୁ ଧୋଇ ଧୋଇ ଚାଲିଛି । ଲାଲି ଆଖି ଆଉ ରୁକ୍ଷ ସ୍ୱଭାବର ମଞ୍ଜି କେଜାଣି କିଏ ଆମ ଭିତରେ ପୋତି ଦେଇଯାଇଛି । ସ୍ୱାର୍ଥପରତାର ଅନ୍ନ ଆମ ସମସ୍ତଙ୍କ ଥାଳିରେ ବଢାଗଲାଣି ।
ମୃତ୍ୟୁର ହାତ ଅଣାୟତ୍ତ ହୋଇ ଅଗଣିତ କପାଳରେ ତା ସ୍ପର୍ଶ ଦେଇଯାଉଛି । ମନର କଷ୍ଟ ଅସହ୍ୟ ହେଲାଣି ।ଶବ ଦେଖି ଦେଖି ଆଖି ଝାଳେଈ ଗଲାଣି । ନା ମଶାଣିରେ ନିଆଁ ଲିଭୁଛି, ନା କବର ଦେବା ପାଇଁ ଜାଗା ବଳିଛି । ଜୀବନ ଭିକ୍ଷା ମାଗିବୁ ତ କାହାକୁ ? ବଡ଼ଦେଉଳରେ ତ କାଳିଆଠାକୁର କବାଟକିଳି ଶୋଇଛି । ଏତେ ସବୁ ପରେ ବି ମନରେ କିଛି ଆଶାର ଆଲୋକ ଅଛି କି ; ସମୟ ନିରୋଳାରେ ନିଜ ମନ ନିଶ୍ଚୟ ବଦଳାଇବ । ଆଜି ବି ୟେ ଅଧାସରା କଲମଟି ଶୁଖିଲା କ୍ଷେତରେ ଆଶାର ପାଣି ଟିକେ ଛିଞ୍ଚି ଦେଇଯିବ ।
