ବାପା ସବୁବେଳେ ଏମିତି
ବାପା ସବୁବେଳେ ଏମିତି
କାଲି ମୁଁ ଦୋକାନ ରେ ଥିଲି ବାପା ଫୋନ୍ କରି ତରତର କଲେ ।
ଆରେ ଜଳଦି ଆସିବୁ କୀର୍ତ୍ତନକୁ ଯିବା । ସଂଧ୍ୟା କୁ କିଛି କାମ ଥିଲା ଅବଶ୍ୟ କିନ୍ତୁ ମୁଁ ତାକୁ ପଛକୁ ରଖି ସାନ ଭାଇକୁ ଛାଡି ଗାଡ଼ି ଧରି ଆଗ ପଳେଇ ଆସିଲି । ଘରେ ପହଞ୍ଚିଲା ବେଳକୁ ବାପା ବାହାରିବା ବାହାରିବା ହେଉଛନ୍ତି । ମୋତେ କହିଲେ , ଶିଘ୍ର ବାହାରେ ଡେରି ହୋଇ ଗଲାଣି ।
ମୁଁ ଝାଡ଼ା ଯାଇ ସାବୁନ ଲଗାଇ ଗୋଡ଼ ହାତ ମୁହଁ ଭଲକି ଧୋଇ ଧାଇ ହୋଇ ସାରି ତାପରେ ବାହାରିଲା ବେଳକୁ । ବାପା କହିଲେ , ଲୁଗା ପିନ୍ଧିନୁ ଠିଆ କାଇଁ ହେଲୁ ?
ମୁଁ କହିଲି , ମୋତେ ପିନ୍ଧି ଆସିବନି ଭଲ କି ।
-" ଏତେ ଥର କୁରୁପା ଦାଦି ପିନ୍ଧଉଛି ତତେ ତୁ ବାଗ ଠଉରେଇ ପାରୁନୁ ?
ତାପରେ ବାପା ମୋତେ ଧଳା ଧୋତି ପିନ୍ଧାଇ ଦେଲେ ଭଲକି ସାଇଜ କରି । ପ୍ରଭୁ ରାମଚନ୍ଦ୍ରଙ୍କ ସାମ୍ନା ଲୁଗା ଧଡି ଯେମିତି ତରଙ୍ଗ ଭଳି ରହେ ମୋର ବି ସେମିତି ରହିଲା । ତାପରେ ଆଉ ଗୋଟେ ଧଳା ଗାମୁଛା କଣକୁ କଣ ଭାଙ୍ଗି ତା ଉପରେ ଅଣ୍ଟା ରେ ଭିଡା ହେଲା ।
ଆଉ କାନ୍ଧ ରେ ପଡିଲା ଆଉ ଛୋଟ ଧୋତି । ବାହାରିଲୁ ବରକନ୍ଧା , ପାଖ ଗାଁ ବୋଲି ଚାଲି ଚାଲି ଗଲୁ ସମସ୍ତେ । ନହେଲେ ଦୂର ବାଟ ହୋଇଥିଲେ ସେମାନେ ଗାଡ଼ି ପଠାଇ ଥାଆନ୍ତେ । ରାସ୍ତା ପଟେ ନ ଯାଇ ବିଲ ପଟେ ଗଲୁ ସହଜ ହେବ ବୋଲି । ବହୁତ ଦିନ ପରେ ଏମିତି ମୁଁ ଚାଲି ଚାଲି ଗଲି । ଆମ ସହିତ ତିନି ଜଣ ଛୋଟ ପିଲା ଯାଇଥିଲେ ମାନେ ସାତ / ଆଠ ବର୍ଷ ଲେଖା ହେବ ବୟସ । କୀର୍ତ୍ତନ ଭଲସେ ଶିଖି ନଥାନ୍ତି ଖାଲି ଯାହା ମନୋରଞ୍ଜନ ପାଇଁ ସେମାନେ ଯାଆନ୍ତି , ଛୋଟ ଛୋଟ ଲୁଗା ଗାମୁଛା ପିନ୍ଧି ଆମ ପଛରେ ଡିଆଁ ଡେଇଁ କରି ନାଚନ୍ତି । ଆଉ ଡାଲି ଭାତ ଖାଇବା ହିଁ ତାଙ୍କର ଅସଲ ଉଦ୍ଦେଶ୍ୟ ଥାଏ ।
ପିଲା ବେଳ କଥା ମନେ ପଡିଗଲା ମୋର , ଏମିତି ଚାଲି ଚାଲି ଯାଏ ମୁଁ ବାପା ଙ୍କ ସହ ଯୋଉଠି କି ସେ ବାହାରନ୍ତି ନନେଲେ କାନ୍ଦେ ଅଇନି କରେ । ଉତ୍ଫୁଲିତ ହୋଇ ବାହାରି ପଡେ ସିନା କିନ୍ତୁ ଅଳ୍ପ ବାଟ ଚାଲି ଗଲେ ମୋ ଗୋଡ଼ କଣ ହୋଇଯାଏ । ବାପା ଙ୍କୁ କହେ ବାପା ତାପରେ ମୋତେ କାନ୍ଧ ରେ ବସେଇ ନିଅନ୍ତି ଯାଗା ମୁଣ୍ଡ ଯାଏଁ । ପୁଣି ଫେରି ଆସିଲା ବେଳକୁ ସେଇ ଅବସ୍ଥା ଅଳ୍ପ ବାଟ ଚାଲିବା ପରେ ବାପାଙ୍କ କାନ୍ଧ ଉପର ହିଁ ମୋ ବିଶ୍ରାମ ସ୍ଥଳୀ ।
ତାପରେ ପହଞ୍ଚିଲୁ ଅଷ୍ଟମ ପ୍ରହରୀ ପାଖରେ । ନାମ ସଂକୀର୍ତ୍ତନ ଚାଲିଥାଏ ଲୋକ ଅଢେଇ ଶହ ତିନି ଶହ ଚାରି ପାଖରେ ରୁଣ୍ଡ ହୋଇ ଉପଭୋଗ କରୁ ଥାଆନ୍ତି । ଟିକେ କୋଳାହଳ ଅଶାନ୍ତ ହେଲେବି ନାମ ସଂକୀର୍ତ୍ତନ ଶୁଣିବାକୁ ସେଥିରେ ମଜ୍ଜିବାକୁ ସତରେ ବହୁତ ଭଲ ଲାଗେ ।
କିଛି ସମୟ ପରେ ଜଣେ ଭାଇ ଆସି ପଚାରିଲେ । ତମର କେତେଜଣ ପିଲା ? ମୁଁ କହିଲି - ଚଉଦ ଜଣ । ତାର ଦଶ ମିନିଟ ପରେ ଚଉଦଟା ଜଳଖିଆ ପୁଡିଆ ଆସିଗଲା ଆମ ପାଇଁ। ସମସ୍ତେ ଗୋଟେ ଗୋଟେ ପଲିଥିନ ଧରି ଖାଇବାକୁ ଆରମ୍ଭ କଲୁ । ସେଥିରେ ଥିଲା ଦୁଇଟି କଦଳୀ , ଗୋଟେ ପାଞ୍ଚ ଟଙ୍କିଆ ବିସ୍କୁଟ ଆଉ ଗୋଟେ ନିମିକି ସହ ପାଣି ପାଉଚ୍ ଗୋଟେ । ଖାଇବାର କିଛି ସମୟ ପରେ ଚାହା ପାନ ବିଡି ଯାଚିବେ ସେମାନେ ଯେ ପିଇବା ଖାଇବା କଥା ନେବେ ନହେଲେ ନାଇଁ ।
ସତରେ କୀର୍ତ୍ତନିଆ ଙ୍କ ପାଇଁ ଅନ୍ୟ ଗାଁ କୁ ଗଲେ ଯଥେଷ୍ଟ ସମ୍ମାନ ଆଉ ଆଦର ଥାଏ ସେଇଟା ବହୁତ ଭଲ ଲାଗେ । କିଛି ସମୟ ପରେ ବାପା ତାଙ୍କ ଜଳଖିଆ ପୁଡିଆ ଟି ମୋତେ ବଢେଇ ଦେଲେ । ମୁଁ କହିଲି କଣ ହେଲା ? ବାପା କହିଲେ ରଖ ଘରକୁ ଯିବ । ମୁଁ ଦେଖିଲି ସେଥିରୁ ଖାଲି ଗୋଟେ ନିମିକି ହିଁ ଖାଇଛନ୍ତି ବାପା । ବାକି ଜିନିଷ ସେମିତି ହିଁ ଅଛି । ବାପା ଙ୍କୁ ଭୋକ ନାହିଁ ସେକଥା ନୁହେଁ । ସେ ଯୋଉଠି କି ଗଲେ ପିଲାଙ୍କ ପାଇଁ କିଛି ନାଁ କିଛି ଆଣିକି ଆସନ୍ତି । ପିଲା ବେଳେ ମୁଁ ଯୋଉଠିକି ନ ଯାଇପାରେ ଲୋଭରେ ଚାହିଁ ବସିଥାଏ । ବାପା ନିଶ୍ଚୟ କିଛି ଆଣିକି ଆସିବେ ଖାଇବାକୁ ଆମ ପାଇଁ । ହଁ ବାପା ଆଣନ୍ତି ପ୍ରାୟ ସବୁଥର ତର୍କାରୀ ହେଉ କି ଖିରି ଟିକେ ହେଉ ବିସ୍କୁଟ ଯାହା କିଛି ମିଳିଥିବ ସେଥିରୁ ବି ।
ବାପା ସବୁଥର ପରି ଆସର ଭିତରେ ପ୍ରଥମ ନାମ ପଢିଲେ । ତାଙ୍କ ନାମ ଶେଷ ହେବା ବେଳକୁ ମୋତେ ଠାରିଲେ ମୁଁ ଆଉ ଗୋଟେ ପଢିଲି । ଗାଦି ଚାରିକଡ ବୁଲିଲୁ ହରିହାଟ ରେ ନାମ କରି ଏମୁଣ୍ଡରୁ ସେ ମୁଣ୍ଡ ଯାଏଁ ଦୁଇ ଚାରିଥର ନାଚି ନାଚି ଝୁଲି ଝୁଲି ଏପଟ ସେପଟ ହେଲୁ । ତାପରେ ଡାଲି ଭାତ ( ଅରୁଆ , ଡାଲମା , ଖଟା , ଖିରି , ମିଶାମିଶି ତର୍କାରୀ ) ଖାଇ ଫେରିଲୁ । ସମୟ ରାତି ଏଗାର ଟା ବାଜି ଚଉତିରିଶ ମିନିଟ୍ ।
ଗାଁ କୁ ଆସିଲା ବେଳକୁ ଗାଁ ରେ ଲାଇନ୍ ନାହିଁ । ଏ ବଦମାସ୍ ଲାଇନ୍ ଟା ଏବେ ସବୁବେଳେ ଗୋଟେ ଫାର୍ସ ଚଲେଇଛି । ଠିକ୍ ରାତି ଏଗାର ବାର ବେଳକୁ ଘଣ୍ଟେ ଦୁଇ ଘଣ୍ଟା କାଟୁଛି ଲାଇନ୍ ।
ଘର ଡିହ ଉପରକୁ ବାପା ଉଠି ଯାଉ ଯାଉ ମୋତେ ଡାକିଲେ ,
ମୁଁ କହିଲି -" ଏ ତିନିଟି ପିଲା ଙ୍କୁ ତାଙ୍କ ଘର ପାଖେ ଛାଡି ଦେଇ ଆସେ , ଅନ୍ଧାର ରେ ଭୟ କରିବେ "
-" ହଉ... ଯାଇକି .. ଶିଘ୍ର ଆସେ.. "
ଘରକୁ ଫେରି ଗୋଡ଼ ହାତ ଧୋଇ ଧୋତି ପାଲଟି ଖାଲି ଗାମୁଛା ଟେ ପିନ୍ଧିଲି । ପ୍ରବଳ ଗରମ ହେଉଥାଏ । ଆମେ ଶୋଇ ପଡ଼ିଲୁ ସିନା ନିଘୋଡ଼ ନିଦରେ କିନ୍ତୁ ଲାଇନ୍ ଆସିବା ଯାଏଁ ଯିଏ ଗୋଡରୁ ମୁଣ୍ଡ ଯାଏଁ ବିଞ୍ଚଣା ବିଞ୍ଚି ବିଞ୍ଚି ଅନିଦ୍ରା ଥିଲେ ସେ ହେଉଛନ୍ତି ଆମ ବାପା ।
ପିଲା ବେଳେ କିନ୍ତୁ ଲାଇନ୍ ନଥିଲା ଆମ ଘରେ ଡିବି ଆଲୁଅ ଆଉ ଏମିତି ରାତି ରାତି ବିଞ୍ଚଣା ବିଞ୍ଚି ବିଞ୍ଚି ବାପା ଙ୍କ ଅନିଦ୍ରା ଆମ ପାଇଁ ।
ବାପା ତାଙ୍କ ନିଜ ପାଇଁ କମ୍ ପିଲା ମାନଙ୍କ ପାଇଁ ଅଧିକ ଯତ୍ନବାନ ହୋଇଥାନ୍ତି , ଅଧିକ ଭାବନ୍ତି .. ବୋଧେ ସେଇଥି ପାଇଁ ସେ ବାପା ।
ଆମ ବାପା ସବୁ ବେଳେ ଏମିତି ... ।