Paramita Mishra

Romance Drama

3  

Paramita Mishra

Romance Drama

ଅଟୋଗ୍ରାଫ

ଅଟୋଗ୍ରାଫ

3 mins
523



ସାରସ୍ବତ ବ୍ରାହ୍ମଣ ପରିବାର। ଆଇଁଷ କହିଲେ ମାଛ, ଚିଙ୍ଗୁଡି।ଖାସି ମାଂସ ହୁଏ ଯେ ସେ ବି ଅକାଳେ ସକାଳେ।ସବୁବେଳ ଦେଖ କଣ ନା ମାଛ ବେସର ନହେଲେ ମାଛ ଝୋଳ, ଭଜା ବାସ୍। ଚିକେନ ତ ଘରେ ପଶେନି କେବେ କେମିତି ବାବା ଅଣ୍ଡା ଟିକେ ଆଣିବେ ଯେ ସେଥିରେ ନାନା ପଟୁଆର। ବାଡି ଚୁଲିରେ ରାନ୍ଧ, ଅଲଗା ଥାଳି କି ପତରରେ ଖାଅ। ପୁଣି ମୁଣ୍ଡ ଧୋଇ ଗାଧ ତେଣୁ ସେ ଜିନିଷ ଆଣୁଛି କିଏ ବା କରୁଛି କିଏ। ଥରେ ମୋର କଣ ଦେହ ଖରାପ ହୋଇଥିଲା। ଖାଇବା ପିଇବା କିଛି ନାହିଁ। ଦେହ ପୁରା ଦୁର୍ବଳ ହୋଇପଡିଲା। ଡାକ୍ତର କହିଲେ ତାକୁ କ୍ଷୀର ଅଣ୍ଡା ସବୁ ଖାଇବାକୁ କିଛି ଦିଅ। ତାପରେ ସବୁ ସପ୍ତାହରେ ଥରେ, ରବିବାର ଦିନ ସାଇକଲରେ ବସେଇ ବାବା ମାର୍କେଟ୍ କୁ ନେଇ ଯାଆନ୍ତି ଆଉ ଠେଲାରୁ ଦୁଇଟା ସିଝା ଅଣ୍ଡା ଖାଇବାକୁ ଦିଅନ୍ତି। ଘରେ ସବୁବେଳେ ମାଛ ଦେଖି ଦେଖି ମାଛ ପ୍ରତି କେମିତି ଏକ ଘୃଣା ଆସିଯାଇଥିଲା। ତେଣୁ ମୁଁ କେବେ ମାଛ ଖାଏନି। ଅଜା ଘରେ କିନ୍ତୁ ଏସବୁ ନିୟମ ଲାଗୁ ହେଉ ନଥିଲା। ସେଠି ଆମିଷରେ ସବୁ ହୁଏ ମାଛ, ମାଂସ, ଅଣ୍ଡା,ସବୁ। ସେ ଭିତରୁ ମତେ ମାଆ ହାତର ଚିକେନ କଷା ଟି ଭଲ ଲାଗେ। ଅଳ୍ପ ଖାଏ କିନ୍ତୁ ଆମିଷରେ ସେଇ ଗୋଟିଏ।


ବାହାହୋଇ ଆସିଲି ଶାଶୁଘର ଏଠି ବି ବାପ ଘର ପରି ନିୟମ ଯେ ଏଠି କିନ୍ତୁ ଟିକେ କୋହଳ। ଆମିଷ ସବୁ ହୁଏ କିନ୍ତୁ ରନ୍ଧା ଶାଳ ଦୁଇଟା କରି ଦେଇଥିଲେ।ଆମର ବାହାଘର ସଙ୍ଗଠିତ ହୋଇଥିଲା ତେଣୁ ବେଶି କଥାବାର୍ତ୍ତା ହୋଇନଥାଉ। ସେଇ ଅଳ୍ପ ଦେଖା, କିଛି କଥା, ପିଲା ଙ୍କ ବ୍ଯବହାର, ଚାକିରି ଆଉ ବାହାଘର ଠିକ୍। କେବେ ସମୟ ହିଁ ପାଇନଥିଲୁ କେହି କାହା ବିଷୟରେ ଜାଣିବାକୁ। ବାହାଘର କେତେ ଦିନ ପରେ ଜାଣିବାକୁ ପାଇଲି ସ୍ବାମୀଙ୍କୁ ଚିକେନ ର ବହୁତ୍ ସୌକ। ଘରେ ଚିକେନ ହେଲେ ସବୁଠୁ ବଡ ଭାଗ ଟି ତାଙ୍କରି। ମୁଁ ଆସି ଅଳ୍ପ ଦିନ ହେଲା। ବେଶି ବଡ ନହେଲେ ବି ଆମେ ସାତ ଜଣିଆ ପରିବାର। ଖାଇବା ସରିଲା ବେଳକୁ ସ୍ତ୍ରୀ ମାନଙ୍କ ପାଇଁ ବହୁତ କମ୍ ହିଁ ବଞ୍ଚେ। ମୋ ପସନ୍ଦ ବିଷୟରେ କେବେ କାହା ଆଗରେ କହିବା ଆବଶ୍ୟକ ନଥିଲା କେହି କେବେ ଜାଣିବାକୁ ବି ଚାହିଁନଥିଲେ ।


ସେଦିନ ବି ରବିବାର ଥିଲା। ରନ୍ଧା ସରୁସରୁ ବହୁତ୍ ଡେରି ହେଲାଣି। ସବୁ ପୁରୁଷ ମାନେ ପ୍ରଥମେ ଖାଇବସିଲେ ଆଉ ସେମାନେ ଉଠିଲେ ତାଙ୍କରି ଥାଳି ରେ ତାଙ୍କ ସ୍ତ୍ରୀ ମାନେ।ସମସ୍ତେ ଯିଏ ଯା ଥାଳି ଖାଲି କରି ଉଠିଲେ ହେଲେ ଇଏ ତରକାରି ତକ ଛାଡି ଉଠିଗଲେ। ଶାଶୁ କହିଲେ ଆରେ ବାପା ଆଜି କଣ ଭଲ ହୋଇନି କିରେ? ଖାସ୍ ତୋ ପସନ୍ଦର ବନେଇଥିଲି। ସ୍ବାମୀ ପେଟ ପୁରିଗଲା କହି ଚାଲିଗଲେ। ଶାଶୁ ଆଉ ଯା ଦୁହେଁ ମୋ ଉପରେ ହସୁ ଥିଲେ। ଶାଶୁ କହୁଥିଲେ ଦେଖିଲୁ ଆଲୋ ମୋ ପୁଅଟା ତ ବଡ ସିଆଣିଆ ହେଇଗଲାଲୋ। ମାଇପ ଖାଇବ ବୋଲି ତା ପସନ୍ଦ ର ଚିକେନ୍ କଷା ନଖାଇ ଛାଡିଦେଲା ଲୋ ମୋ ପୁଅ ।କାଇଁ ଏ ବାପା ଭାଇ ଠେଁ ସେ ବୁଦ୍ଧି ଅଛି! ମୋ ମୁହଁ ଲାଜରେ ଲାଲ ପଡି ଆସୁଥିଲା । ଯାଆ ବି ହସୁଥିଲେ ମତେ ଦେଖି।


ମୁଁ ଆସି ସ୍ବାମୀଙ୍କୁ ପଚାରିଲି ତରକାରି କାହିଁକି ଖାଇଲନି, ତ କହିଲେ ତୁମର ପସନ୍ଦ ପରା ମୁଁ ରନ୍ଧା ଘର ଆଡ଼େ ବୁଲି ଆସିଥିଲି, ତରକାରୀ ଅଳ୍ପ ଦିଶୁଥିଲା, ତୁମେ ତ ଏମିତିରେ ଖାଇପାରୁନ ତେଣୁ ମୁଁ ଛାଡିଲେ ବାଧ୍ୟ ହୋଇ ଖାଇଦେବ।


ତୁମେ କେମିତି ଜାଣିଲ? ମୁଁ ତ କେବେ କହିନି ମୋର ପସନ୍ଦ ବୋଲି, କୌତୁହଳରେ ପଚାରିଲି, 


ସବୁ କଥା କଣ କୁହଯାଏ! ନିଜ ଲୋକଙ୍କ ବିଷୟରେ ସବୁ କଥା ଜାଣି ବାକୁ ହୁଏ।ତୁମ ଅଟୋଗ୍ରାଫ ବୁକ୍ ରେ ତୁମେ ମୋର ଆଉ ତୁମ ବିଷୟରେ ଲେଖିଛ ସେଠି ଦେଖିଥିଲି। କହିଲେ ସେ।


ସେତେବେଳେ କାହାକୁ ମନେ ରଖିବାକୁ ଫଟୋଗ୍ରାଫ ନଥିଲା ଏଇ ଅଟୋଗ୍ରାଫ ହିଁ ଥିଲା ନୂଆ ଲୋକଙ୍କ ବିଷୟରେ ସବୁ ଲେଖିଥିଲୁ ସେଥିରେ। ମୁଁ ନିର୍ବନ୍ଧ ପରେ ୟାଙ୍କ ଅଟୋଗ୍ରାଫ ରଖିଥିଲି ।।ଆଉ ସଙ୍ଗରେ ମୋ ବିଷୟରେ ବି ସେଥିରେ ଲେଖିଥିଲି। ହେଲେ ଇଏ ତାକୁ ପଢି ମୋ ପାଇଁ କିଛି କରିବେ ଏହା ମୋ ଅନୁମାନ ବାହାରେ ଥିଲା।


କିଏ ଜଣେ ମତେ ଏତେ ଭଲ ପାଏ ଜାଣି ଆଖି ଜକେଇ ଆସିଲା। ଲୁହସବୁ ଥପଥପ୍ ଗଳି ପଡିଲା।ପାଖରେ ଆସି ଲାଗିକି ବସିଗଲେ ସେ ନିଜ ହାତରେ ଲୁହ ପୋଛୁପୋଛୁ କହୁଥିଲେ ଆରେ ତୁମେ ସବୁ ଝିଅ ଗୁଡା ଏମିତି ନାକକାନ୍ଦୁରି ନା?


ସେତେବେଳେ ବାହାଘରରେ ସମ୍ପର୍କ ଆରମ୍ଭରେ ପ୍ରେମ ଯଦିଓ ନଥାଏ କିନ୍ତୁ ସମୟ ସହ ସମ୍ପର୍କ ପ୍ରେମ ନିବିଡ଼ ରୁ ଆହୁରି ନିବିଡ଼ତର ହୋଇଯାଏ। ସାମାନ୍ୟ ଖାଇବା ଦରବ ବି ସେହି ସମ୍ପର୍କ ବାନ୍ଧିବାର ଏକ ମାଧ୍ୟମ ବି ହୋଇପାରେ.।



Rate this content
Log in

Similar oriya story from Romance