STORYMIRROR

Paramita Mishra

Others

3  

Paramita Mishra

Others

ଭ୍ରମରୁ ଜାତ

ଭ୍ରମରୁ ଜାତ

5 mins
190


ରାଜ୍ୟ ବାହାରେ ନିଜ ମାଟି ନିଜ ଭାଷାର ମୋହ ଟିକିଏ ବେଶି ହୋଇଯାଏ ବୋଧହୁଏ । ମଧୁ ସହ ଥରୁଟିଏ ଦେଖାରେ ହିଁ ଘନିଷ୍ଠ ସମ୍ପର୍କରେ ବାନ୍ଧି ହୋଇଯାଇଥିଲି ମୁଁ । ଏକାବେଳକେ ଢେରେ ସମାନ୍ତରାଳର ଢେଉ ଉଠିଥିଲା ଯେ ଆମ ଭିତରେ । ଏକା ବୟସର ଆମେ, ପୁଅ ଝିଅ ବି ସମାନ ବୟସର ପୁଣି ଏକା କ୍ଲାସ ଆହୁରି ପୁଣି ଗୋଟିଏ ସ୍କୁଲ ହଁ ଖାଲି ଯାହା ସେକ୍ସନଟା ଅଲଗା । ସେଥିପାଇଁ ଏ ଯାଏଁ ଚିହ୍ନା ନଥିଲା । ଆଉ କଣ ଦରକାର ଥିଲା ଆମର ବନ୍ଧୁତା ପାଇଁ । ଆଉ କାହିଁକି ବା ବନ୍ଧୁ ନହେବି । ଅଜଣା ସହର, ଆମେ ତ ଏଇ ଅଳ୍ପ ଦିନ ହେବ ଏଠିକୁ ଆସିଲୁ କିନ୍ତୁ ମଧୁ ବହୁତ ବେଳୁ ଏଠି ରହି ଆସୁଛି । ସବୁ ଜାଗା, ଗଳି ଦୋକାନ ବଜାର ସବୁ ଜଣା ତାକୁ । ଲୋକ ବି ଚିହ୍ନନ୍ତି ତାକୁ । ତେଣୁ ଘନିଷ୍ଠ ହେବାତ ସ୍ୱାଭାବିକ । ତା ଘରକୁ ଜିବା ଆସିବା । ମୋ ଘରେ ଖିଆପିଆ । ଡକା ହକା, ମାର୍କେଟ ଯିବା, ସିନେମା ଦେଖା ପିଲାଙ୍କ ସ୍କୁଲ ଆଉ ୱିକ୍ ଏଣ୍ଡରେ ପିକନିକ୍, ପାର୍ଲର, କଫି ଏମିତି ବହୁତ କିଛି । ସବୁ ବଢିଆ ଚାଲିଲା । ପିଲାମାନେ ବି ନିଜ ନିଜ ସାଙ୍ଗମାନଙ୍କୁ ପାଇଁ ବହୁତ ଖୁସି । ତା ସ୍ୱାମୀ ଏଠି ରୁହନ୍ତି ନାହିଁ । ମୋ ସ୍ୱାମୀ ନୂଆ ଅଫିସର କାମରେ ବ୍ୟସ୍ତ ତେଣୁ ଆମେ ଦିହେଁ ମିଶି ସବୁ କାମ କରିବା ସହ ଭଲ ସମୟ ବି ଅତିବାହିତ କରୁଥିଲୁ । ଦିନଗୁଡିକ ବେଶ ଭଲରେ ବିତି ଯାଉଥିଲା । କହିବାକୁ ଗଲେ ଏକ ଭଲ ସମ୍ପର୍କରେ ବାନ୍ଧି ହୋଇଗଲୁ ଆମେ । କିନ୍ତୁ କୁହନ୍ତି ନା ଅତି ମିଠାରେ ପୋକକାଟେ ବୋଲି । 


ମୋ ଘର ପାଖେ ରୁହନ୍ତି ମିସେସ୍ ଗୁପ୍ତା ଓ ମିସେସ୍ ମଲ୍ଲିକ । ବୟସରେ ମୋଠୁ ବହୁତ ବଡ । ଦୁହିଁଙ୍କର ଗୋଟିଏ କାମ ଅନ୍ୟ ଘର ମାନଙ୍କ ଉପରେ ନଜର ରଖିବା । ଆଉ ମୋ ଘର ସାମନାରେ ରହେ ବସୁଧା । ମୋଠୁ ବୟସରେ ସାନ । କନ୍ନଡ ଭାଷିୟ ସେ । ବେଶି କାହା ସହ ସେ ମିଶେନି । ମୋ ପାଖେ କିନ୍ତୁ ଆସି ବସେ । କହେ ଦିଦି ଏଠି ଲୋକ ଚିହ୍ନିବା ଭାରି କଷ୍ଟ । ମୁଁ ଏତେ ସମୟ ଧରି ଏଠି ରହିଛି କିନ୍ତୁ ପକ୍କା ବନ୍ଧୁଟିଏ ମିଳିବା ମିଳି ପାରେନି । ମୁଁ ଭାବେ ମୁଁ କିନ୍ତୁ ଏ କ୍ଷେତ୍ରରେ ଟିକେ ଲକି । ବସୁଧାର ଛୁଆପିଲା କିଛି ନଥିଲା । ସେ ଏତେ ଥର ଘରକୁ ଆସେ ପିଲାଙ୍କ ସହ ଖେଳେ । କିନ୍ତୁ ମୁଁ କେବେ ତାକୁ ଏତେ ଧ୍ୟାନ ଦେଇ ନଥିଲି । ଆଉ ଏଵେ ମଧୁ ଆସିଲା ପରେ ମୁଁ ତାରି ସହ ମଜ୍ଜି ରହୁଥିଲି । 


ଯୋଉ ସମ୍ପର୍କରେ ଟଙ୍କା ପଇସା ଆସିଲା ସେଟା ଭାଂଗିଲା ଜାଣ । ମଧୁ ଏଥର ମୋ ଉପରେ ବିଶେଷ ଅଧିକାର ବ୍ୟକ୍ତ କରିସାରିଥିଲା । ମୋ ଘର ଉପରେ ମଧ୍ୟ । ଯେମିତି କିଛି ଛୋଟମୋଟ ଜିନିଷ ନେଲେ ନ ମାଗିଲା ଯାକେ ଆଉ ସେ ତାକୁ ଫେରାଏନି । ପିଲାଙ୍କୁ ଏଇଠି ଛାଡି ଦେଇ ଚାଲିଯାଏ । ବିଲକୁଲ ଚିନ୍ତା ଚବର ନାହିଁ । ନିଜ ଗାଡି ଛାଡି ମୋହରି ଗାଡିରେ ବୁଲାବୁଲି କରେ । ବହୁତ ଥର ଜିନିଷ କିଣାକିଣି ବେଳେ ମତେ କହେ ତୁ ଦେଇଦେ ମୁଁ ତତେ ଦେଉଛି । ପରେ ସେ ଭୁଲିଯାଏ । ଆଉ ମୁଁ ସମ୍ମାନ ଦୄଷ୍ଟିରୁ ତାକୁ ମାଗି ବି ପାରେନି । କାରଣ ପ୍ରଥମେ ପ୍ରଥମେ ସେ ହିଁ ବହୁତ ଜାଗାରେ ଟଙ୍କା ଦେଇଥିଲା କିନ୍ତୁ ମୁଁ ଜୋର କରି ଟଙ୍କା ଫେରେଇ ଦେଇଥାଏ । ସେ କିନ୍ତୁ କେବେ ଆଉ ଫେରାଏନି । ହଠାତ ଦିନେ ସେ ଖରାବେଳେ ଘରକୁ ଦୌଡି ଆସିଲା । ତରତର ହୋଇ କହିଲା ମତେ ପାଞ୍ଚ ହଜାର ଟଙ୍କା ଦରକାର । ଅତ୍ୟନ୍ତ ଆବଶ୍ୟକ । ମୋ ପାଖେ ତ ଏତେ ଟଙ୍କା ନଥିଲା ତ ମୁଁ ବସୁଧାଠୁ ଆଣି ତାକୁ ଦେଇଦେଲି । ତା ପରେ ସେ ଟଙ୍କା ଫେରେଇବା ପୁରା ଭୁଲିଯାଇଛି । ମୁଁ ତାକୁ କହିଥିଲି ଯେ ସେଟା ବସୁଧାର ବୋଲି କିନ୍ତୁ ସେ ଶୁଣି ନଶୁଣିଲା ପରି ରହିଯାଏ । ଦିନ ଗଡିଲା କିନ୍ତୁ ମଧୁ ଆଉ ଟଙ୍କା ଫେରାଇବାର ନାଆଁ ଧରିଲାନି । ମୁଁ ବସୁଧାକୁ ଟଙ୍କା ଦେଇସାରିଥିଲି । କିନ୍ତୁ ମଧୁକୁ ଏକଥା ଜଣେଇ ନଥିଲି । ଥରେ ସେ କୌଣସି ଭୋଜିରେ ଗଲା ଆଉ ମୋ ହାର ଟି ପିନ୍ଧ

ିବା ପାଇଁ ମେସେଜ କରିଥିଲା ଏତେବେଳକୁ ମୁଁ ହେଜିଗଲିଣି । ନା ମୁଁ ତାର ଫୋନ ଉଠେଇଲି ନା ତାକୁ କିଛି ଉତ୍ତର ଦେଲି । କଟା ଘାରେ ଲୁଣ ଭଳି ଗୁପ୍ତା ଆଉ ମଲ୍ଲିକ ମାଡାମ ବି ଵହୁତ ଥର ପଛାରନ୍ତି ଆଉ ତୁମ ବେଷ୍ଟଫ୍ରେଣ୍ଡ ଦିଶୁ ନାହାନ୍ତି ଆଜିକାଲି । ମଧୁ କେତେଥର ମାର୍କେଟ ପାଇଁ ତ କେତେବେଳେ ସିନେମା ପାଇଁ ଫୋନ କରେ ମୁଁ କିନ୍ତୁ ବାହାନା କରି ମନା କରିଦିଏ । ଏ ପାଞ୍ଚ ହଜାର କଥା ମୁଁ ସ୍ୱାମୀଙ୍କୁ ବି ଜଣେଇନି । ସେ ପୁଣି ଦୁନିଆ କଥା ଶୁଣେଇବେ । ଭାବିଥିଲି କେମିତି କଣ କରି ମଧୁଠୁ ଆଗ ଆଣିସାରେ ତ ପରେ କହିବି । ବସୁଧା ଆସିଲେ କହେ ଏ ମଧୁ ଦିଦିର ଜୀବନ ବଢିଆ । ସ୍ୱାମୀ ରହିଲେ ବାହାରେ ସବୁଦିନ ମୁଁ ତାଙ୍କୁ ମାର୍କେଟରେ ଦେଖେ । ମୁଁ ତୁମକୁ କହିଥିଲି ନା ଦିଦି ଏଠି ମଣିଷ ଚିହ୍ନିବା ଭାରି କଷ୍ଟ । ମୁଁ ମନେ ମନେ ଭାବେ ହଁ ବୋଧହୁଏ ମୁଁ ଜଲ୍ଦିବାଜି କରିଦେଲି । ବସୁଧା ଥରେଅଧେ ସେ ଟଙ୍କା କଥା ପଚାରେ ମୁଁ କିଛି କହିନଥିଲି ତାପରେ ମିଛରେ କହିଦେଲି ହଁ ନହେଲେ ତୁମକୁ କେମିତି ଦେଲି । କିଏ ଜାଣେ ବସୁଧା ବି ମୋ ପଛରେ କଥା ହୋଇ ପୁଣି ମୋତେ ଥଟ୍ଟା କରିବ । ଆଉ ବିଶ୍ୱାସ ନଥିଲା । ମୋ ମନଟା କେମିତି ପିତା ପିତା ହୋଇଗଲା । ତାପରେ ପୁଣି ସବୁ ଚାଲିଲା । ଏବେବି ମଧୁ ସହ ସବୁବେଳେ ଦେଖା ସାକ୍ଷାତ ହୁଏ । ସ୍କୁଲରେ, କୌଣସି ସାମୁହିକ ପର୍ବପର୍ବାଣିରେ ସେ ବି ଥାଏ । ବାଧ୍ୟ ହୋଇ ତାକୁ ଦାନ୍ତ ଟିକେ ଦେଖେଇ ମୁଁ ଆଗକୁ ଚାଲିଯାଏ । କାରଣ ଭାବୁଥିଲି କାଳେ ସେ ଟଙ୍କା ଟା ଫେରେଇଦେବ । ତା ପରେ ପରେ ମୁଁ ଆଉ ତାକୁ ଦେଖି କୌଣସି ପ୍ରତିକ୍ରିୟା ଦେଲିନାହିଁ । ବସୁଧା ହିଁ ସବୁବେଳେ ମୋ ସହ ଯିବା ଆସିବା କରେ । ଏବେ ମଧୁର ନମ୍ବର ବି ମୋ ଫୋନରୁ ବ୍ଲକ କରିସାରିଥିଲି । ଧିରେ ଧିରେ ସେ ବି ଅଦୄଶ୍ୟ ହୋଇ ହୋଇ ଗଲା । କାହାଠୁ ଏମିତି ଶୁଣିଲି ଯେ ସେ ଓଡିଶା ଚାଲିଗଲା । ବେଶି ଜାଣିବାରେ ମୋର ଇଛା ନଥିଲା । ବସୁଧା କହେ ଦିଦି ତୁମକୁ ବୋକା ବନେଇବା ଭାରି ସହଜ । କେଜାଣି କଣ ଜାଣି ସେ କହେ, ଆଉ ମୁଁ ବି ନିଜର ବୋକାମିର ପ୍ରମାଣ ତ ପାଇସାରିଛି ତେଣୁ କିଛି କହେନି । । ବସୁଧାର ଛୁଆପିଲା ହେବାର ଥିଲା ସେ ବି କିଛି ଦିନପରେ ତା ଘରକୁ ଚାଲିଗଲା । ତାର ବି ଆଉ କିଛି ଫୋନ ଫାନ ନାହିଁ । ଏବେ ମୁଁ ରହିଗଲି ଏକା । ବହୁତ ଲୋକ ମିଶନ୍ତି ମୁଁ ବି ମିଶେ କିନ୍ତୁ ଏଥର ଟିକେ ଜଗିରଖି ମିଶେ । ଏବେ ମୁଁ ଅଭ୍ୟସ୍ତ ଥିଲି ସବୁ କାମରେ । ତେଣୁ ନିଜେ ସବୁ କରିନିଏ । 


କିଛି ସମୟ ପରେ ଆମେ ଓଡିଶା ଆସିଥାଉ ତ ଗୋଟେ ଫ୍ୟାମିଲି ଟୁର କରିବୁ ଭାବିଲୁ । ବୁଲିଲା ବେଳେ ଆମେ ଦାରିଙ୍ଗବାଡି ଯାଇଥିଲୁ ତ ସ୍ୱାମୀଙ୍କର ହଠାତ କଣ ମନେ ପଡିଲା କହିଲେ ଆରେ ଏପଟେ ତୁମର ସେ ସାଙ୍ଗର ଘର ନା! ଭଲ ଲେଡିସ୍ ଜଣେ ଥିଲେ ନା କଣ! ମୁଁ କିଛି ଉତ୍ତର ନଦେଇ ଖାଲି ଶୁଣିଦେଲି ବାସ୍ । ସେ ପୁଣି କହିଲେ ଆରେ ଦେଖ ମୁଁ ତୁମକୁ ଗୋଟେ କଥା କହିବା ପୁରା ଭୁଲିଯାଇଛି, ବୁଝିଲ ସେ ମଧୁ ମାଡାମ ତାଙ୍କ ସ୍ୱାମୀ ସହ ଥରେ ମେଡିକାଲରେ ଦେଖାହୋଇଥିଲା । ଆରେ ପୁଅର ଟିକା ପାଇଁ ଯାଇଥିଲି ନା, ମୁଁ ଆଉ ସେ ଟଙ୍କା ଫେରେଇନି । ମୁଁ ଫଟ୍ କିନି ପଚାରିଲି କେତେ ଟଙ୍କା କହିଲେ ଆରେ ପାଖାପାଖି ପାଞ୍ଚହଜାର ଆଉ ଖୁଚୁରା କିଛି ବି । ଘରକୁ ଗଲେ ମନେ ପକେଇବ ତାଙ୍କ ଟଙ୍କା ପଠେଇବା । ମତେ ଟିକେ ଖରାପ ଲାଗିଲେ ବି ମୁଁ ଟିକେ ଆଶ୍ୱସ୍ତି ହୋଇ କହିବାକୁ ଜାଉଥିଲି ଯେ ହଉ କିଛି କଥା ନାହିଁ ଆମରି ଟଙ୍କାମ ସେଟା, କି ସେ ପୁଣି କହିଲେ ଆରେ ହଁ ସେ ମଧୁ ମାଡାମ କ'ଣ କହୁଥିଲେ ଯେ ସେ ମିସେସ୍ ନଟରାଜନଙ୍କୁ ଟଙ୍କା ଦେଇ ସାରିଛନ୍ତି ତୁମେ କାଳେ ଫୋନ ଉଠାଉନ ତ । ତୁମେ କଥା ହୋଇଥିଲ ନା ତାପରେ, ତମେ ତ ଜାଣିଥିବ । ଏଇଠି ଏବେ ହଠାତ୍ ମୋ ମୁଣ୍ଡ ଆଉ କିଛି କାମ କଲାନି ମୋ ଟଙ୍କା ଫେରିପାଇଥିବା ସମସ୍ତ ଆଶ୍ୱସ୍ତି ଉଡିଯାଇ ମୋ ମୁହଁ ଏକଦମ ଫିକା ପଡିଗଲା । 



Rate this content
Log in