STORYMIRROR

Paramita Mishra

Children Stories Drama Tragedy

4  

Paramita Mishra

Children Stories Drama Tragedy

ବୋଉ

ବୋଉ

2 mins
172

ବୋଉ ଘରୁ ଯିବା ପାଇଁ ଉଦ୍ୟତ ହେଉଥିଲା, ମନ ମାନୁ ନଥିଲା ସେ ଯାଉ ବୋଲି । ପିଲାଟି ଦିନରୁ ମୋ ବୋଉକୁ କାହା ସହ ବାଣ୍ଟିବାକୁ ମତେ ଭଲ ଲାଗେନି । କିନ୍ତୁ ଏବେ ସେ ମାତ୍ର କେତେ ଦିନ ପାଇଁ ପାଳି ହୋଇ ଯାଇଛି ଆମ ଭାଇମାନଙ୍କ ଭିତରେ । କେତେ ଦିନ ହେଲାଣି ସେ ଯିବା କଥା କହୁଥିଲା ତୋ ଉପରେ ବୋଝ ହେଇଯିବ ପୁଅ ଯାଏ ମୁଁ ଛାଡ଼ି ଦେଇ ଆସେ ମତେ । ମୁଁ ଶୁଣି ଅଶୁଣା କରି ଦେଉଥିଲି, ପୁଣି ଭାବିଲି ଆରେ ମୋ ଆୟ କମ୍ କିନ୍ତୁ କ’ଣ ମୋ ମାଆକୁ ପୋଷି ପାରିବିନି ଠିକ୍ ଅଛି, ବୋଧେ ମୋ ବୋଉକୁ ମୋ ପଙ୍ଖା ପବନଠୁ ଏସି ପବନ ବେଶି ପ୍ରିୟ ତେଣୁ ତାକୁ ଛାଡ଼ିବାକୁ ବାହାରିଲି ।

ରାଗରେ ତା’ର ବ୍ୟାଗ୍ ଗୁଡ଼ିକୁ ଧରି ମୁଁ ଆଗରେ ବାହାରି ଗଲି ଆଉ ମୋର ଯିବା ଦେଖି ବୋଉ ତରତର ହୋଇ ମୋ ପଛରେ ବାହାରି ଆସିଲା । ଗେରୁଆ ରଙ୍ଗର ଲୁଗାରେ ଆଖିଯାକେ ତା’ର ଓଢ଼ଣା ଟାଣି ମୋ ପଛେ ସେ ଆସୁଥାଏ ରାସ୍ତା ସେପାଖେ ସାମାନ ରଖି ଦେଖେତ ରାସ୍ତା କଡ଼ରେ ହଠାତ୍ କଚାଡ଼ି ହୋଇ ପଡ଼ିଗଲା । ଦୌଡ଼ି ଯାଇ ଦେଖେତ ଜାଗା ଜାଗା ଖଣ୍ଡିଆ ହୋଇ ରକ୍ତ ବାହାରୁଛି ଦାନ୍ତ ଭାଙ୍ଗି ରକ୍ତ ଝରୁଛି । ସେ ଅବସ୍ଥା ତଥାପି ସେ କହୁଥାଏ “ମୁଁ ଆଉ ଉଠି ପାରୁନି । ହାତ ଗୋଡ଼ ଚଳିବନି ପୁଅ ଆଉ କେତେ ଦିନ ତୋ ପାଖରେ ରଖି ନେ ଆଉ କୁଆଡ଼େ ଯିବିନି ।”

ମୁଁ ବୁଝିପାରୁ ନ ଥିଲି ଯେ ମୁଁ ଠାକୁରଙ୍କୁ ଧନ୍ୟବାଦ ଦେବି ନା କୋଷିବି ! ରାତିରେ ବୋଉକୁ ଘୋଡ଼ାଘୋଡ଼ି କରି ଔଷଧ ଦେଇ ଶୁଆଇଲା ପରେ ତା’ ଗୋଡ଼ ତଳେ ବସି ତା’ କ୍ଷତ ଗୁଡ଼ିକ ଦେଖୁଥିଲି, ମୋ ଝିଅର କଥା କାନରେ ପଡ଼ିଲା, ତା’ ମା’କୁ କହୁଥିଲା, “ବାପା ଯୋଉ ଶାଢ଼ିଟା ଜେଜିମା’ ପାଇଁ ଆଣିଥିଲେ ସେଇଟା ଜେଜି ଏବେବି ବ୍ୟାଗ୍‌ରେ ଧରିକି ବୁଲୁଛି କାଲି ଲୁଗା ସଜାଡ଼ିଲା ବେଳକୁ ପଚାରିବାରୁ କହୁଥିଲେ, “ଏଇଟା ମୋ ବ୍ୟାଗ୍‌ରେ ପଡ଼ିଥାଉ ମୋର କେତେବେଳେ କ’ଣ ହେବ, ମୁଁ ମଲେ ଏ ଲୁଗା ପିନ୍ଧେଇ ମତେ ପୋଡ଼ିବ ।”

ମୁଁ ରାଗି କି ବୋଉକୁ ଆଉ ଲୁଗା ଦେଇନଥାଏ ଯେ ସେ ଖାଲି ଭାଇମାନଙ୍କ ଦେବା ଦାମିକା ଲୁଗା ହିଁ ପିନ୍ଧେ ବୋଲି । ବୋଉର ମୁହଁକୁ ଦେଖି ଆଖିରୁ ଦୁଇଧାର ଲୁହ ଝରିଗଲା । ଅନ୍ଧାର ଘରେ ଧିରେ ତାରି ପଣତକୁ ଟାଣି ମୁଁ ଲୁହକୁ ପୋଛି ପକେଇଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍