ଅଟକିବ ପୃଥିବୀ
ଅଟକିବ ପୃଥିବୀ
ଚମକି ପଡିଲେ ଗବେଷକ ଜଣକ I ହ୍ୱାଇଟ ବୋର୍ଡଟି ସମ୍ପୂର୍ଣ ରୂପରେ ଭରି ଯାଇଥିଲା ସଂଖ୍ୟା ଆଉ ସମୀକରଣରେ I ନିଜର ଲେଖାକୁ ଆଉ ଥରେ ନିରକ୍ଷଣ କରିଲେ ସିଏ I କେଉଁଠାରେ କିଛି ଭୁଲ ରହି ଯାଇନି ତ? ନଚେତ ପ୍ରଶଂସା ମିଳିବା ବଦଳରେ ମିଳିବ ତିରସ୍କାର ଆଉ ସିଏ ହୋଇବେ ଲୋକହସା I ଜୀବନରେ ସୁଖରେ ଦୁଃଖରେ ସମସ୍ତ ପ୍ରକାରର ଅସୁବିଧାରେ, ଖାସ କରି ସମ୍ଭାଳି ନ ହେଉଥିବା ପରିସ୍ଥିତରେ ଏବଂ ଦୁର୍ଦ୍ଦିନରେ ବନ୍ଧୁ ଜଣେ ହିଁ ସାହା ହୋଇ ଥାଏ I ନିଜର ବନ୍ଧୁଙ୍କୁ ଅଳ୍ପ ସମୟ ପୂର୍ବରୁ ଫୋନ କରି ଡାକିଛନ୍ତି ନିଜର ପରିସ୍ଥିତି ସହିତ ଆଵଗତ କରେଇବା ଲାଗି I ସିଏ ଜଣେ ହିତାକ୍ୟାଂକ୍ଷୀ ତେଣୁ ଯାହା ମଧ୍ୟ ପରାମର୍ଶ ଦେବେ ନିଶ୍ଚୟ ସଠିକ ଦେବେ I ପୁଣି ଥରେ ଫେରି ଚାହିଁଲେ ଟେବୁଲ ଉପରେ ଥୁଆ ହୋଇଥିବା ପଥରର ଲେଖା ଗୁଡିକର ଫୋଟୋ ସବୁକୁ I ଅପୂର୍ବ ସଂଯୋଗଟିଏ ନିଶ୍ଚୟ I ଆମେରିକାର ମାୟା ସଭ୍ୟତା, ମିଶରର ପିରାମିଡ଼ ଆଉ ହରପ୍ପାର ଭଗ୍ନାବଶେଷରେ ଗୋଟିଏ ପ୍ରକାରର ବାର୍ତ୍ତା ! ଆଜିଠାରୁ ଚାରି ହଜାର ବର୍ଷ ପୂର୍ବରୁ ପୃଥିବୀର ବିଭିନ୍ନ ସ୍ଥାନରେ ଗୋଟିଏ ପ୍ରକାରର ଅଭିଜ୍ଞାତା !
କିଛି ନିଶ୍ଚୟ ଘଟିଥିଲା ଆଜି ଠାରୁ ଚାରି ହଜାର ବର୍ଷ ତଳେ I ଆଜି ଯାଏଁ ଅନେକ କିଛି ଗୋପନୀୟ ରହିଛି ଏହି ପ୍ରାଚୀନ ସଭ୍ୟତାର ଲେଖା ଗୁଡିକରେI କିନ୍ତୁ ଗବେଷକ ଜଣଙ୍କର ଭାବିବା ଯଦି ଠିକ ହୁଏ, ତିନିଟି ଅଲଗା ସ୍ଥାନରୁ ଗୋଟିଏ ସମ୍ବାଦ ମିଳୁଛି I ଭୂତତ୍ଵ ବିଜ୍ଞାନ ସହ ଜଣେ ଭଲ ଭୌତିକ ବିଜ୍ଞାନୀ ହିସାବରେ ମଧ୍ୟ ସିଏ ଜଣା ଶୁଣା; ଉଭୟ ସାଧାରଣ ଲୋଚନରେ ଏବଂ ବିଶେଷଜ୍ଞକ ମଧ୍ୟରେ ତାଙ୍କର ଜ୍ଞାନକୁ ସମ୍ବର୍ଦ୍ଧନା ମିଳିଛି I ତାହା ସହିତ ମିଳିଛି ନିଜର ବିବେକ ଠାରୁ ଏକ ନିର୍ଦ୍ଧେଶ: କୌଣସି ଭୁଲକୁ ସିଏ ସୁଧାରିବାକୁ ସବୁ ବେଳେ ପ୍ରସ୍ତତ I ସଠିକ ବିବରଣୀ ଆଉ ତଥ୍ୟ ଦେବା ପାଇଁ ସିଏ ସବୁ ବେଳେ ଚେଷ୍ଠିତ ଏବଂ ଆଗ୍ରହୀ I ତେଣୁ ବାରମ୍ବାର ନିଜର ଗବେଷଣାକୁ ଆଉ ବୋର୍ଡ଼ରେ ଥିବା ସମୀକରଣକୁ ନିରୀକ୍ଷଣ କରୁଥିଲେ I
କବାଟରେ ଶବ୍ଦ ଶୁଣି ଚାଲିଗଲେ ଆଉ କ୍ଷଣକ ଲାଗି ଲାଗିଲା ଯେମିତି ସବୁ ସମସ୍ୟାର ସମାଧାନ ହୋଇ ଯାଇଛି ଯେତେବେଳେ ଦେଖିଲେ ସାମ୍ନାରେ ତାଙ୍କର ବନ୍ଧୁ ଠିଆ ହୋଇଛନ୍ତି I
"ଆଜି କଣ ଆବିଷ୍କାର କଲୁ କି?" ବନ୍ଧୁ ଜଣଙ୍କ ପଚାରିଲେ I
"ଭିତରକୁ ଆସିକି ଆରାମରେ ବସେ ପ୍ରଥମେ I ନିଜକୁ ମଧ୍ୟ ବିଶ୍ୱାସ ଲାଗୁନି, ଏମିତି ହେଇ ପାରେ!", ଗବେଷକ ଜଣକ କହିଲେ I
ପରବର୍ତ୍ତୀ ଦୁଇ ଘଣ୍ଟା କାଳରେ ଦଶ କପ ଚାହା ସହିତ ଚାରିଥର ସରିଥିଲା ବୋର୍ଡ଼ରେ ଥିବା ସମସ୍ତ ସମୀକରଣର ସମୀକ୍ଷା I ବନ୍ଧୁ ଜଣଙ୍କ ଦେଖାଯାଉଥିଲେ ଚିନ୍ତିତ I
"ଯଦି ଏହା ଠିକ ତାହା ହେଲେ ମାତ୍ର ସପ୍ତାହଟିଏ ସମୟ ଅଛି?" ବନ୍ଧୁ ଜଣକ ପଚାରିଲେ I
"ହଁ ସେଇଥି ଲାଗି ତ ମୁଁ ଚିନ୍ତିତ I ବୈଜ୍ଞାନିକମାନଙ୍କୁ ଏମିତି ମଧ୍ୟ ଲୋକେ ସବୁ ବେଳେ ଅନ୍ୟ ଦୃଷ୍ଟିରେ ଦେଖନ୍ତି I ରାଜନୀତିଜ୍ଞ ମାନଙ୍କର କଥା ଅଧିକ ଶୁଣନ୍ତି ଏବଂ ନିଜର ସୁବିଧା ଦେଖନ୍ତି I କାହା ପାଖରେ ସମୟ ଅଛି ପୃଥିବୀ ବିଷୟରେ ଚିନ୍ତା କରିବାକୁ? ଆପେ ବଞ୍ଚିଲେ ବାପାର ନାଆଁ ! ଆଉ ଏଥିରେ କେହି କିଛି କରି ମଧ୍ୟ ପାରିବନି I ହୁଏତ କେବଳ ପ୍ରାର୍ଥନା କରା ଯାଇ ପାରେ ? କିନ୍ତୁ ବୈଜ୍ଞାନିକ ଜଣେ ପ୍ରାର୍ଥନାରେ ବିଶ୍ୱାସ କରିବା ଲୋକ ମାନଙ୍କୁ ସୁହାଇବ ନାହିଁ I କଣ କରିବା ?" ଗବେଷକ ଜଣେ ପଚାରିଲେ I
" ମୁଁ ମଧ୍ୟ ସେହି କଥା ଭାବୁଛି I ଏହି ବିଶ୍ଵବ୍ୟାପୀ ମହାମାରୀରୁ ଗୋଟିଏ କଥା ତ ସ୍ପଷ୍ଟ ହୋଇଛି, ସମାଜରେ ଜଣେ ବୈଜ୍ଞାନିକର କଥାକୁ ବହୁତ କମ ଗୁରୁତ୍ଵ ମିଳେ I ନଚେତ କଣ ଏତେ ସଂଖ୍ୟାରେ ମୃତ୍ୟୁ ହୋଇଥାନ୍ତା? କଟୁ ସତ୍ୟ ଆଉ ମଧୁ ମିଥ୍ୟା ମଧ୍ୟରେ, ମଣିଷ ସବୁ ବେଳେ ସହଜ ଉପାୟ ଖୋଜିଥାଏ ଆଉ ମିଛକୁ ମନାଇବା ଲାଗି ଆଗ୍ରହୀ ହୁଏ , ନିଜର ସୁବିଧା ଯୋଗୁଁ I ହୁଏତ ଆଦିମ ସଭ୍ୟତା ସବୁ ସମାପ୍ତ ହେବାର ଏହା ମଧ୍ୟ କାରଣ ! ପୂର୍ବରୁ ମଧ୍ୟ ଜଳ ବାୟୁ ପରିବର୍ତ୍ତନ ହୋଇଥିବ ଆଉ ସେହି ଯୁଗର ବୈଜ୍ଞାନିକ ମାନେ ସଚେତନ କରିଥିବେ I ଲୋକେ ମାନି ନଥିବେ,ଏବଂ ନିଜର ସ୍ୱାର୍ଥ ପାଇଁ ପ୍ରକୃତି ସହିତ ଶତ୍ରୁତା କରିଥିବେ ଏବଂ ଶେଷରେ ତାହାର ଫଳାଫଳ ଭୋଗିଥିବେ-ମାନେ ସମାପ୍ତ ହୋଇ ଯାଇଥିବେ ," ବନ୍ଧୁ ଜଣଙ୍କ କହିଲେ I
"ସେ ସବୁ ଛାଡ଼, କଣ କରିବା କହ ? ଉଚ୍ଚାଧିକାରୀଙ୍କୁ ଜଣେଇବା ନା ନାହିଁ, ଏହି ଗବେଷଣା ବିଷୟରେ," ଗବେଷକ ଜଣକ ପଚାରିଲେ I
"ମୁଁ ମଧ୍ୟ ସେହି କଥା ଭାବୁଛି I କେହି ତ ସହଜରେ ମାନିବେ ନାହିଁ I ଆଉ ଏହା ତୋର ବ୍ୟକ୍ତିଗତ ଗବେଷଣା, ତୁ ନିଜର ଅତିରିକ୍ତ ସମୟରେ କରିଛୁ I ଯେଉଁ ମାନେ ମାନିବେ ସେମାନଙ୍କର ଶକ୍ତି କିମ୍ବା କ୍ଷମତା ନାହିଁ କୌଣସି ପଦକ୍ଷେପ ନେବାର I ତେଣୁ ଏସବୁ ଜଣେଇକି ଶେଷ ପରିଣାମ କଣ ହେବ? କାହାର ଫାୟଦା ହେବ?," ବନ୍ଧୁ ଜଣକ କହିଲେ I
"ମାନେ ତୁ କହୁଛୁ, ଚୁପ ଚାପ ବସିଯିବା ଏବଂ ପ୍ରତୀକ୍ଷା କରିବା ପୃଥିବୀଟା ସ୍ଥିର ହେଇଯାଉ, ଯେମିତି ଚାରି ହଜାର ବର୍ଷ ତଳେ ହୋଇଥିଲା, ଚାରିଦିନ ପାଇଁ ଆଉ ଲୋପ ପାଇଯାଇ ଥିଲା ଅନେକ ସଭ୍ୟତା, ସେହି ସ୍ଥାନ ଗୁଡିକରେ ଯେଉଁଠାରେ ପ୍ରକୃତି ସହ ସହଯୋଗ କରି ବଂଚିବାର ଶିଖି ନଥିଲା ମଣିଷ?" ଗବେଷକ ଜଣକ କହିଲେ I
"ହଁ ଆଉ କଣ କରି ପାରିବା ଆମେ ? ଯାହା ହେବ ଦେଖା ଯିବ I କିନ୍ତୁ ଯଦି ଚାହୁଁଛୁ ଏହି ବାର୍ତ୍ତାଟିକୁ ଦେଇ ପାରୁ I ଯେଉଁଠାରେ ସାବୁନରେ ହାତ ଧୋଇବା ଭଳି ଆଉ ମୁଖାଟିଏ ପିନ୍ଧିଲା ଭଳି ସରଳ କାମଟିକୁ କରିବାକୁ ଲୋକ ପ୍ରସ୍ତୁତ ନୁହନ୍ତି, ମହାମାରୀରୁ ବଞ୍ଚିବା ଲାଗି, ସେଠି ଏହି ଗୂଢ ଗବେଷଣାର ମର୍ଯ୍ୟାଦା କେତେ ରହିବ ?" ବନ୍ଧୁ ଜଣକ କହିଲେ I
ବନ୍ଧୁ ଜଣଙ୍କର ହାତଟି ବାଜି ଟେବୁଲ ଉପରେ ଥିବା ଗ୍ଲୋବ ଟି ତଳେ ପଡିଗଲା ଆଉ ଖୋଲା କବାଟ ଦେଇ ଗଡ଼ିଗଲା ସାମ୍ନାରେ ଥିବା ବାଲୁକା ରାଶିକୁ ଆଉ ଅଟକି ଗଲା ବାଲୁକା ଉପରେ I
"ତୁ କବାଟ ଖୋଲା ନ ରଖିଥିଲେ ବାହାରକୁ ଯାଇ ନ ଥାଆନ୍ତା ଗ୍ଲୋବ," ବନ୍ଧୁ ଜଣକ କହିଲେ I
"ହଁ କିନ୍ତୁ ସ୍ଥିର ହୋଇ ଥାନ୍ତା ନିଶ୍ଚୟ କିଛି ସମୟ ଗଡ଼ିଲା ପରେ ଯେ ପର୍ଯ୍ୟନ୍ତ ତାକୁ ଆଉ ଥରେ ଗଡେଇ ନ ଦିଆ ଯାଆନ୍ତା," ଗବେଷକ ଜଣକ କହିଲେ I
"ମୁଁ ଯାଉଛି, ତୁ ଯାହା କରିବୁ କରେ, କିନ୍ତୁ ଯଦି ଅଧିକ ଫାଙ୍କା ସମୟ ଅଛି ତୋ ପାଖରେ ଆଉ ଚିନ୍ତା କରିବାର କିଛି ଅନ୍ୟ ବିଷୟ ନାହିଁ, ତାହା ହେଲେ ଆଉ ଟିକେ ଗଣେଷଣ କରିକି ଦେଖ, ଅଟକିଲା ପରେ ପୃଥିବୀ ପୁଣି କେମିତି ଘୁରିବାକୁ ଆରମ୍ଭ କଲା ? ହୁଏତ ସେହି ପ୍ରାଚୀନ ଗ୍ରନ୍ଥ ଆଉ ପଥରର ସଂଳାପ ଭିତରେ ସେ ରହସ୍ୟ ମଧ୍ୟ ଅଛି I ସପ୍ତାହଟିରେ ଏମିତିରେ ମଧ୍ୟ ଅଟକି ଯିବ ପୃଥିବୀ ଯଦି ଏହି ଗବେଷଣା ଠିକ I ତାହା ପରେ ତୁ କହି ପାରିବୁ ଏହି ଆବିଷ୍କାର ଆଉ ଲୋକ ମାନେ ବିଶ୍ୱାସ କରିବେ ," ବନ୍ଧୁ ଜଣକ କହି ଚାଲିଗଲେ ଦୁଆର ଆଡ଼କୁ I
ତାଙ୍କୁ ବିଦାୟ ଦେଇ ଚାଲି ଆସିଲେ ଗବେଷକ ଜଣକ ଆଉ ଥୋଇ ଦେଲେ ଗ୍ଲୋବଟିକୁ ତାହାର ପୁରୁଣା ସ୍ଥାନରେ, ହାତରେ ଘୁରେଇ ଦେଲେ ତାହାକୁ ଏବଂ ହଜିଗଲେ ନିଜର ଭାବନାର ଦୁନିଆଁରେ I
"ସତରେ ତ, ପୃଥିବୀକୁ ପୁଣି ଥରେ ଘୁରେଇବାର ଲାଗି କେଉଁ ପ୍ରକ୍ରିୟାଟି କାର୍ଯ୍ୟକାରୀ ହୋଇଥିଲା ? କେମିତି ପୁଣି ଘ୍ରୁବାକୁ ଆରମ୍ଭ ହେଲା ପୃଥିବୀ ନିଜର ଅକ୍ଷର ଆଉ ସୂର୍ଯ୍ୟ ଚାରିପଟେ? ତାହା ବିଷୟରେ ମଧ୍ୟ ବୀବବରଣୀ ଥିବା ନିଶ୍ଚୟ !" ମାନେ ମାନେ ଭାବିଲେ ଗବେଷକ ଜଣକ ଏବଂ ପୁରୁଣା ଗ୍ରନ୍ଥ ମଧ୍ୟରେ ପୁଣି ହଜିଗଲେ I ନିଜ ଷ୍ଟାଣ୍ଡରେ ଘୁରୁଥିବା ଗ୍ଲୋବଟି ସ୍ଥିର ହୋଇ ସାରିଥିଲା !
