ଅସରନ୍ତି ଗପ
ଅସରନ୍ତି ଗପ
ଗୋଟିଏ ଦେଶରେ ଜଣେ ରାଜା ଥିଲେ, ତାଙ୍କ ନାମ ମନ୍ଦାର ଧ୍ଵଜ ।
ଜଣେ ଏକଜିଦିଆ ମଣିଷ ରୂପେ ପରିଚିତ । ରାଜାଙ୍କର ଗଳ୍ପ ଶୁଣିବା
ଏକ ଝୁଙ୍କ ଥିଲା । ଅନେକ ସମୟରେ ବିଭିନ୍ନ ରାଜ୍ୟରୁ ଗପ କହୁଥିବା
ଗାଳ୍ପିକ ମାନେ ଆସି ରାଜାଙ୍କୁ ବହୁତ ମଜାଦାର ଗପ କହି ତାଙ୍କ ମନ
ଖୁସି କରି ଦେଉଥିଲେ ଓ ବିଭିନ୍ନ ଦାମି ଉପହାର ମାନ ଗ୍ରହଣ କରି
ଖୁସିରେ ଫେରୁଥିଲେ ଏବଂ ରଜାଙ୍କର ଗୁଣ ଗାନ କରୁଥିଲେ ।
ଏଇଭଳି ଅନେକ ଦିନ ବିତିଗଲା, ରାଜା ଅନେକ ଗପ ଶୁଣନ୍ତି,
ହଠାତ୍ ଦିନେ ରାଜାଙ୍କ ମୁଣ୍ଡକୁ ଆସିଲା, ଭାବିଲେ ଆରେ, ଏମିତି ଆଉ
କେତେ ଗପ ଶୁଣୁଥିବି କେହିଜଣେ ଗୋଟେ ଅସରନ୍ତି ଗପ କୁହନ୍ତା ଯେଉଁ ଗପ ଆଉ କେବେବି ସରନ୍ତା ନାହିଁ । ଏହା ଭାବି ସେ ରାଜ୍ୟ ରେ ଘୋଷଣା କରିଦେଲେ ଯିଏ ଅସରନ୍ତି ଗପ କହିବ ତାକୁ ମୁଁ ପୁରସ୍କାର ଦେବି । ଯଦି ଗପ ସରିଯାଏ ତେବେ ତା’ର ମୁଣ୍ଡ କଟାଯିବ ।
ତଥାପି ଏଇଭଳି ସର୍ତ୍ତରେ ଗପକହୁଥିବା କିଛି ଲୋକ ଚେଷ୍ଟା କରିଥିଲେ।ଗପ କହିବାକୁ ଆସିଥିବା ଲୋକଙ୍କ ଗପ ସରିଯାଉଥାଏ । କାହାର ଗପ ପନ୍ଦର ଦିନ ତ କାହାର ଏକମାସ ଯାଏଁ ଯାଇ ଶେଷ ହୋଇଯାଏ । ପରିଣାମ ସ୍ଵରୂପ ନିଜ ନିଜରଜୀବନ ଦେବାକୁ ପଡ଼ିଲା ।
ଦିନେ ଜଣେ ବୁଦ୍ଧିମାନ ଲୋକ ରାଜା ଙ୍କ ପାଖରେ ପହଞ୍ଚି ଅସରନ୍ତି ଗପ କହିବାକୁ ଜଣାକଲା । ରାଜା ତାକୁ କହିଲେ ଦେଖ ଯଦି ଗପ ସରିଯିବ ଅନ୍ୟମାନଙ୍କ ପରି ତୁମର ମୁଣ୍ଡ କଟା ହୋଇଯିବ, ସାବଧାନ । ତଥାପି ସେ କହିଲେ ହେ ରାଜା ମୁଁ ଏ ଅସରନ୍ତି ଗପ କହିବାକୁ ଆସିଛି ତେଣୁ ଯେ କୌଣସି ସର୍ତ୍ତ ରେ ମୁଁ ରାଜି ଅଛି ।
ତାପରଦିନ ଦରବାର ବସିଲା ପାତ୍ରମନ୍ତ୍ରୀ,ଅମାତ୍ୟଙ୍କସହ ପ୍ରଜାମାନେ ରୁଣ୍ଡ ହେଲେ ଓ ଗପକହିବା ଆରମ୍ଭ ହେଲା । ଗାଳ୍ପିକକହିଲେ ପୂର୍ବ କାଳରେ ଜଣେ ରାଜା ଥିଲେ । ସେ ଥରେ ରାଜ୍ୟ ର ସମସ୍ତ ଚାଷୀ ମାନଙ୍କ ଠାରୁ ତାଙ୍କ ଉତ୍ପାଦିତ ସମସ୍ତ ଶଶ୍ୟ ସଂଗ୍ରହ କରି ଏକ ବିରାଟ ଖଣି ଖୋଳି ତା ଭିତରେ ମହଜୁଦ ରଖିଲେ । ଭାଗ୍ୟକୁ ସେବର୍ଷ ରାଜ୍ୟରେ ବର୍ଷା ଅଭାବରୁ ଭଲ ଫସଲ ହେଲା ନାହିଁ । ଗଛ ପତ୍ର ବି ସୁଖିଗଲା ।ଜଙ୍ଗଲରେ ରହୁଥିବା ପଙ୍ଗପାଳ ମାନେ ଖାଦ୍ୟ ଖାଇବାକୁ ନପାଇ ଖାଦ୍ୟ ଅନ୍ୱେଷଣରେ ବାହାରିପଡିଲେ । ହଠାତ୍ ତାଙ୍କର ଏହି ଶଶ୍ୟ ମହଜୁଦ ଥିବା ଖଣି ଉପରେ ନଜର ପଡିଲା । କିନ୍ତୁ ଖଣି ଭିତରେ ଥିବା ଶଶ୍ୟ ସେମାନେ ଖାଇବେ କେମିତି ? ସେ ମାନେ ଉପାୟ ଖୋଜିବୁଲିଲେ । ସେଥିରୁ ଗୋଟିଏ ପଙ୍ଗପାଳ ଗୋଟିଏ ଛୋଟ ରନ୍ଧ୍ର ପାଇଗଲା ଯେଉଁ ରାସ୍ତା ଦେଇ ଗୋଟିଏ ପଙ୍ଗପାଳ ଯାଇ ଆସିପାରିବ । ଯାହା ହେଉ ସେଠାରୁ ପଙ୍ଗପାଳ ଖାଦ୍ୟ ପାଇଁ ଭିତରକୁ ଯିବା ଆସିବା ଆରମ୍ଭ କରିଦେଲେ । ସେ ରନ୍ଧ୍ର ଦେଇ ଗୋଟିଏ ପଙ୍ଗପାଳ ଭିତରକୁ ଗଲା ଗୋଟିଏ ଶଶ୍ୟ ଧରି ବାହାରି ଫୁରୁର୍ । ଶଶ୍ୟ ଥିବା ଜାଣି ଲକ୍ଷ ଲକ୍ଷ ପଙ୍ଗପାଳ ସେଠାରେ ପହଞ୍ଚି ଗଲେ । ପୁଣି ଗୋଟିଏ ପଙ୍ଗପାଳ ପସିଲା ଗୋଟେ ଶଶ୍ୟ ସୁଣ୍ଡରେ ଧରି ବାହାରି ଫୁରୁର୍ । ଆଉ ଗୋଟେ ପସିଲା ଆଉ ଗୋଟେ ଶଶ୍ୟ ଧରି ଫୁରୁର୍ ।ଆଉ ଗୋଟେ ପଙ୍ଗପାଳ ଶଶ୍ୟ ଧରି ଫୁରୁର୍ । ଆଉ ଗୋଟେ ପସିଲା ଗୋଟେ ଶଶ୍ୟ ଧରି ବାହାରି ଫୁରୁର୍ । ଏମିତି ପନ୍ଦର ଦିନ ଗଲା । ଗୋଟେ ପଙ୍ଗପାଳ ଗଲା ଗୋଟିଏ ଶଶ୍ୟ ଧରି ବାହାରି ଫୁରୁର୍ ଶୁଣି ଶୁଣି ରାଜା ପୁରା ବିରକ୍ତ ହୋଇଗଲେ ଓ ପଚାରିଲେ ତାପରେ କ’ଣ ହେଲା କୁହ । ଗପ କହୁଥିବା ଲୋକ କହିଲା ଆଜ୍ଞା ସାରା ରାଜ୍ୟର ଶଶ୍ୟ ଓ ସାରା ରାଜ୍ୟର ପଙ୍ଗପାଳ ଅଛନ୍ତି ଏପର୍ଯ୍ୟନ୍ତ ସେଖଣିରୁ କାଣିଚାଏ ଶଶ୍ୟ ସରିନି,ଲକ୍ଷ ଲକ୍ଷ ପଙ୍ଗପାଳ ବି ଅପେକ୍ଷା ରେ ଅଛନ୍ତି ସେମାନେ ଶେଷ ନହେବ ଯାଏଁ ଗପ ସରିବ କେମିତି ।
ଏହିଭଳି ପଙ୍ଗପାଳ ପସିଲା ଶଶ୍ୟକଣା ଧରି ବାହାରି ଫୁରୁର୍ ଶୁଣି ଶୁଣି ରାଜା ପୁରା ବିରକ୍ତ ହୋଇଗଲେ ଓ ଶେଷରେ ବାଧ୍ୟହୋଇ ଏହା ଏକ ଅସରନ୍ତି ଗପ ବୋଲି ମାନିଲେ ଓ ତାଙ୍କୁ ଅନେକ ପୁରସ୍କାର ଦେଇ ବିଦାୟ ଦେଲେ ।ସେବେଠାରୁ ରାଜାଙ୍କର ଅସରନ୍ତି ଗପ ଶୁଣିବା ଝୁଙ୍କ ଛାଡି ଯାଇଥିଲା ।
ମୁଁ ପିଲାବେଳେ ସ୍କୁଲରେ ପାଠ୍ୟ ପୁସ୍ତକ ରୁ ଏ ଗପଟି ପଢ଼ିଥିଲି ।ବହୁତ ମଜାଦାର ଗପ। କାହିଁ କେଉଁ ପିଲା ଦିନର କଥା ମୋର ସମ୍ୟକ ମନେ ପଡ଼ିଲା ଏଣୁ ଏହା ଅବତାରଣା କଲି ।
