Kanan Bala Nayak

Inspirational

4  

Kanan Bala Nayak

Inspirational

ଅସରାଏ ବର୍ଷା

ଅସରାଏ ବର୍ଷା

6 mins
255



  ଅସରାଏ ବର୍ଷା ବର୍ଷି ଚାଲିଗଲା । ଆଉ ବୋଧହୁଏ ବର୍ଷା ହେବନି । ଆକାଶରେ ଆଉ ବାଦଲ ନାହିଁ । ଚାରିଆଡ ଫର୍ଚ୍ଚା ଦେଖା ଗଲାଣି । ବାରଣ୍ଡା ଉପରେ ବସି ବାହାରର ବର୍ଷା କୁ ଅନୁଧ୍ୟାନ କରୁଥିବା ଦିବାକର ବାବୁ ଙ୍କ ମନ ମଧ୍ୟରେ ଉଠିଥିବା ଝଡ଼ ମଧ୍ୟ ଥମି ଗଲାଣି । ସତରେ ଯେମିତି ଏଇ ବର୍ଷାଟା ତାଙ୍କ ମନ ଭିତରେ ଉଠୁଥିବା ସମସ୍ତ ଚିନ୍ତା କୁ ଧୋଇ ଦେଇ ମନ ଭିତରଟା କୁ ପରିଷ୍କାର କରି ଦେଇଛି । ଏବେ ତାଙ୍କୁ ସମସ୍ତ ରାସ୍ତା ପରିଷ୍କାର ଭାବରେ ଦେଖା ଯାଉଛି । ଆଉ ତାଙ୍କୁ ଅନ୍ଧାର ଡରାଇ ପାରିବ ନାହିଁ କାରଣ ଆଲୋକ ର ସନ୍ଧାନ ତାଙ୍କୁ ମିଳି ଯାଇଛି । ଭୂମି ଭିତରୁ ବାହାରି ଆସୁଥିବା ଓଦା ମାଟିର ବାସ୍ନା ତାଙ୍କ ମନ ପ୍ରାଣ କୁ ବିଭୋର କରୁଛି । କାଳ ବିଳମ୍ବ ନ କରି ସେ ସ୍ତ୍ରୀ ବିମଳା ଦେବୀ ଙ୍କୁ ଡାକ ପକାଇଲେ । ବିମ କୁଆଡେ ଗଲ କି କପେ ଗରମ ଚା ଓ କିଛି ପକୁଡ଼ି ଯଦି ମିଳନ୍ତା ତେବେ ଏଇ ବର୍ଷା ପାଗଟା ଜମି ଯାଆନ୍ତା ।


ବିମଳା ଦେବୀ ଦୁଇ କପ୍ ଗରମ ଚା ଓ କିଛି ପକୁଡ଼ି ଧରି ଦାଣ୍ଡପିଣ୍ଡା କୁ ଆସିଲେ । ଦିବାକର ବାବୁ ଙ୍କ ପାଖରେ ପଡିଥିବା ଟେବୁଲ୍ ଉପରେ ଟ୍ରେ ଟିକୁ ଥୋଇ ଦେଇ ପାଖରେ ପଡିଥିବା ଚେୟାର ଉପରେ ବସି ପଡ଼ିଲେ । ଦିବାକର ବାବୁ ଙ୍କ ହାତ କୁ ତା କପ୍ ଟି ବଢାଇ ଦେଇ କହିଲେ ବହୁତ ଖୁସି ଜଣା ପଡୁଛ କଣ ହୋଇଛି?


  ଦିବାକର ବାବୁ ଗରମ ଚା ର ସ୍ବାଦ ନେଉ ନେଉ କହିଲେ ଦେଖ ଅସରାଏ ବର୍ଷା ହୋଇଗଲା ପରେ ଆକାଶଟା କେମିତି ନିର୍ମଳ ଦେଖା ଗଲାଣି । ମୋ ମନରୁ ମଧ୍ୟ ସମସ୍ତ କଳା ବାଦଲ ହଟି ଯାଇଛି । ସମ୍ପତ୍ତି ବାଡ଼ି କୁ ନେଇ ଆମ ପିଲା ମାନଙ୍କ ମଧ୍ୟରେ ଯେଉଁ ଗଣ୍ଡଗୋଳ ଚାଲିଛି ତାର ସମାଧାନ ର ବାଟ ମୁଁ ଖୋଜି ପାଇ ଯାଇଛି । ଭାବୁଛି ଆସନ୍ତା ରବିବାର ଦିନ ସବୁ ପିଲା ମାନଙ୍କୁ ଡାକି‌ ନିଜର ନିଷ୍ପତ୍ତି ଶୁଣାଇ ଦେବି ।  ବିମଳା ଦେବୀ କହିଲେ କି ନିଷ୍ପତ୍ତି ନେଇଛ ଶୁଣେ । ଦିବାକର ବାବୁ କହିଲେ ବ୍ୟସ୍ତ ହୁଅନି ସମୟ ଆସିଲେ ତୁମେ ସବୁ ଜାଣି ଯିବ ।


  ଦିବାକର ବାବୁ ଜଣେ ଅବସରପ୍ରାପ୍ତ ହାଇସ୍କୁଲ ହେଡ୍ ମାଷ୍ଟର । ଜଣେ ସଚ୍ଚୋଟ,ମୃଦୁଭାଷି, ଛାତ୍ର ବତ୍ସଳ ଓ ଜ୍ଞାନୀ ଗୁଣୀ ବ୍ୟକ୍ତି ହିସାବରେ ଖଣ୍ଡ ମଣ୍ଡଳ ରେ ତାଙ୍କ ନାଁ ଡାକ । ଗାଁ ସାରା ଲୋକ ତାଙ୍କୁ ମୂରବୀ ହିସାବରେ ମାନନ୍ତି । ବିଭିନ୍ନ ସମସ୍ୟା ନେଇ ଦିବାକର ବାବୁ ଙ୍କ ପାଖକୁ ଆସନ୍ତି । ଦିବାକର ବାବୁ ମଧ୍ୟ ନିଜର ସାଧ୍ୟ ମୋତେ ସେମାନଙ୍କର ସମସ୍ୟା‌ ସବୁକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତି ।  


  ଦିବାକର ବାବୁ ଙ୍କର ଦୁଇ ଝିଅ ଓ ଦୁଇ ପୁଅ । ସମସ୍ତେ ଉଚ୍ଚ ଶିକ୍ଷିତ ଓ ଭଲ ଭଲ ଚାକିରୀ ମଧ୍ୟ ପାଇଛନ୍ତି । ଚାକିରୀ ଯାଗାରେ ଭଲ ଭଲ ଘର ମଧ୍ୟ କରି ସାରିଲେଣି । ତଥାପି ବାପାଙ୍କ ସମ୍ପତ୍ତି ଉପରେ ସମସ୍ତଙ୍କ ନଜର । ପୁଅ ଝିଅ ମାନେ ଏ ବିଷୟରେ ଅନେକ ଥର ବାପା ଦିବାକର ବାବୁ ଙ୍କୁ ଏ ବିଷୟରେ କହିଲେଣି । ବାପା ତୁମେ ଓ ବୋଉ ଆଉ କାମ ପାରୁନ । ଏଣେ ଏବେ ଚାକର ଚାକରାଣୀ ମିଳିବାରେ ଯେଉଁ ସମସ୍ୟା । ମାଧ ଖୁଡ଼ି ଆଉ କେତେ ଦିନ ଆଉ ତୁମ ମାନଙ୍କୁ ସାହାଯ୍ୟ କରୁଥିବେ । ଏଇ ସମ୍ପତ୍ତି ବାଡ଼ି ଆମ ଚାରିଜଣଙ୍କ ମଧ୍ୟରେ ବାଣ୍ଟି ଦିଅ‌ । ଆଉ ତୁମେ ମାନେ ପାଳି‌ କରି ତିନି ମାସ ଲେଖା ଆମ ଚାରିଜଣଙ୍କ ପାଖରେ ରହିଯିବ ।  


  ପିଲାଙ୍କ କଥା ଶୁଣି ଦିବାକର ବାବୁ ହସିହସି କହନ୍ତି ଏବେ ତ ଆମେ ନିଜ କାମ ନିଜେ କରି ପାରୁଛୁ ଯେତେବେଳେ ହାତ ଗୋଡ ଅଚଳ ହୋଇଯିବ ତୁମ ମାନଙ୍କ ପାଖକୁ ଯିବୁନି?ଆଉ ରହିଲା ସମ୍ପତ୍ତି ଭାଗ କରିବା କଥା? ତୁମେ ମାନେ ବ୍ୟସ୍ତ ହୁଅନି ଇହଧ୍ଯାମ ତ୍ୟାଗ କରିବା ପୂର୍ବରୁ ମୁଁ ମୋର ସମ୍ପତ୍ତି ବାଡ଼ି ର ଠିକ୍ ଭାଗ କରିଦେବି । ତା ଛଡା ଗାଁ ରେ ରହୁଛୁ ବୋଲି ଆମେ ସୁସ୍ଥ ସବଳ ଅଛୁ । ପ୍ରତ୍ୟେକ ଦିନ ସାହି ପଡିଶା ଲୋକଙ୍କ ସହ ଦେଖା ହେଉଛି । ବାଡି ପଟ ବଗିଚା ରେ କିଛି ପନିପରିବା ଚାଷ କରୁଛୁ । ସନ୍ଧ୍ୟା ସମୟରେ ଗାଁ ଭାଗବତ ଟୁଙ୍ଗୀ ରେ ଭାଗବତ ପାଠ ଶୁଣୁଛୁ । ଆମ ସମୟ ଭଲରେ କଟି ଯାଉଛି । ତେଣୁ ବର୍ତ୍ତମାନ ସମ୍ପତ୍ତି ବାଡ଼ି ଭାଗ କଥା କୁହ ନାହିଁ ।


  ଏମିତି ଭାବରେ ଦିବାକର ବାବୁ ନିଜ ପିଲାଙ୍କ କଥାକୁ ଏଡାଇ ଚାଲି ଥାଆନ୍ତି । କିନ୍ତୁ ଏଥର ଖରାଛୁଟିରେ ପିଲା ମାନେ ଯେବେ ଘରକୁ ଆସିଥିଲେ ସମ୍ପତ୍ତି ବାଡ଼ି ଭାଗ ପାଇଁ ଜିଦି ଧରିଥିଲେ । ଦିବାକର ବାବୁ କହିଲେ ହଉ ଠିକ୍ ଅଛି ମୋତେ କିଛି ସମୟ ଦିଅ, ମୁଁ ସମ୍ପତ୍ତି ର ଉପଯୁକ୍ତ ବ୍ୟବସ୍ଥା କରିଦେବି । ହେଲେ ସେ ପିଲାମାନଙ୍କ ହାଡ଼ ଭାବ ରୁ ଜାଣି ପାରିଥିଲେ ଯେ ତାଙ୍କ ପିଲାମାନେ ତାଙ୍କୁ ଭବିଷ୍ୟତ ରେ କିପରି ବ୍ୟବହାର କରିବେ । ତେଣୁ ସେ ମନେ ମନେ ସବୁ ବେଳେ ଚିନ୍ତା କରୁଥାଆନ୍ତି ଯେ ସମ୍ପତ୍ତି ବାଡ଼ି ର ଭାଗ କେମିତି କରିବେ? କାରଣ ସେ ଏକଥା ଭଲ ଭାବରେ ଜାଣିଥିଲେ ଯେ ସମ୍ପତ୍ତି ବାଡ଼ି ଭାଗ ହୋଇ ଗଲେ ତାଙ୍କୁ ତାଙ୍କ ପିଲାମାନେ ଗାଁ ର ସବୁ ସମ୍ପତ୍ତି ବାଡ଼ି ବିକ୍ରି କରିବା ପାଇଁ ବାଧ୍ୟ କରିବେ ଓ ତାଙ୍କ ପାଖରେ ରଖି ତାଙ୍କ ଈଶାରା ରେ ନଚାଇବେ ।  


 ଅନେକ କଷ୍ଟ କରି ଦିବାକର ବାବୁ ଏସବୁ ସମ୍ପତ୍ତି କରିଛନ୍ତି । ତାଙ୍କ ବାପା ପର ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ସେଥିରୁ ଯାହା ପାଉଥିଲେ ତାହା ଦିବାକର ବାବୁ ଙ୍କ ପାଠ ପଢ଼ାରେ ଖର୍ଚ୍ଚ କରୁଥିଲେ । କାରଣ ସେ ଚାହୁଁଥିଲେ ତାଙ୍କ ପୁଅ ତାଙ୍କ ପରି ପର‌ଘରେ ମୂଲ ନ ଲାଗୁ । ଦି ଅକ୍ଷର ପାଠପଢୁ । ଆଉ ପାଠ ପଢି ଗାଁ ର ଅନ୍ୟ ମାନଙ୍କୁ ଶିକ୍ଷିତ କରୁ । ତେଣୁ ସମ୍ପତ୍ତି ବୋଇଲେ ଦିବାକର ବାବୁ ଙ୍କ ବାପା ତାଙ୍କ ପାଇଁ କେବଳ ପୂର୍ବପୁରୁଷ ଙ୍କ ଅମଳରୁ ରହିଥିବା ଭଙ୍ଗା ଚାଳ ଘର ଟିଏ ଛାଡି ଯାଇଥିଲେ ।  


  ଦିବାକର ବାବୁ ଓ ବିମଳା ଦେବୀ ଅନେକ କଷ୍ଟ ରେ ପଇସା ପଇସା ଯୋଡ଼ି ଏଇ ଘର ଦ୍ବାର ଓ ଜମି ବାଡ଼ି କରିଛନ୍ତି । ତେଣୁ ଦିବାକର ବାବୁ ତାଙ୍କ ଆଖି ସାମ୍ନାରେ ତାଙ୍କ କଷ୍ଟର୍ଜିତ ସମ୍ପତ୍ତି ଆଉ କାହା ମାଲିକାନା କୁ ଚାଲିଯିବ ସେ କଥା ସହ୍ୟ କରିବାକୁ ପ୍ରସ୍ତୁତ ନଥିଲେ । ସେ ତାଙ୍କର ସହକର୍ମୀ ଓ ସାଙ୍ଗ ମାନଙ୍କ ସହିତ କଥା ହେଲେ । ଏଇ କଥା ଭାବି ଭାବି ସେ ଦିନ ଦାଣ୍ଡ ପିଣ୍ଡାରେ ବସିଛନ୍ତି ହଠାତ୍ କଳାହାଣ୍ଡିଆ ମେଘ ଟା ଉଠାଇ ଆସିଲା ଓ ଖୁବ୍ ଯୋର୍ ରେ ଅସରାଏ ବର୍ଷା ବର୍ଷି ଗଲା । ଆଉ ଦିବାକର ବାବୁ ଙ୍କ ମନ ଭିତରେ ଚାଲିଥିବା ସମସ୍ତ ଦ୍ବନ୍ଦ କୁ ଦୂର କରି ଏକ ନୂତନ ବିଜୁଳି ଆଲୋକ ପାତ କରି ଦେଇଗଲା ।


  ଦିବାକର ବାବୁ ନିଜର ଯୋଜନା ଅନୁସାରେ ତାଙ୍କ ପିଲା ମାନଙ୍କୁ ରବିବାର ଦିନ ଘରକୁ ଡାକିଲେ ଏବଂ କହିଲେ ତୁମେମାନେ ସବୁବେଳେ ସମ୍ପତ୍ତି ବାଡ଼ି ଭାଗ କରିବା କଥା କହୁଥିଲ ନାଁ । ମୁଁ ସବୁ ସମ୍ପତ୍ତି ଭାଗ କରି ଦେଇଛି । ଏଇ କଥା କହି ସେ ତାଙ୍କ ଇଚ୍ଛା ପତ୍ର ଟିକୁ କାଢିଲେ ଏବଂ ବଡ଼ ‌ପୁଅ ହାତକୁ ବଢାଇ ଦେଇ ତାକୁ ବଡ଼ ପାଟିରେ ‌ପଢିବା ପାଇଁ କହିଲେ । ବଡ଼ ପୁଅ ବଡ଼ ପାଟିରେ ଇଚ୍ଛା ପତ୍ର ଟିକୁ ପଢିଲା ଯେଉଁ ଥିରେ ଲେଖା ଥିଲା ସେ ତାଙ୍କ ଘର ଟିକୁ ହ୍ଯାପି ହୋମ୍ ରେ ପରିଣତ କରିବା ପାଇଁ ଯାଉଛନ୍ତି ।  


 ତାଙ୍କ ପିଲାମାନେ ପରସ୍ପର ମୁହଁ ଚାହାଁ ଚାହିଁ ହେଲେ । ଦିବାକର ବାବୁ କହିଲେ ମୁଁ ତୁମ କୁ ଅସଲ ସମ୍ପତ୍ତି ଦେଇଛି । ତାହା ହେଉଛି ବିଦ୍ୟା । ମୁଁ ତୁମ ମାନଙ୍କୁ ଶିକ୍ଷିତ କରାଇଛି । ତୁମ ମାନେ ମଧ୍ୟ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହୋଇଛ । ତୁମେ ମାନେ ଏବେ ତୁମ ନିଜର ଅର୍ଥ ରେ ଯଥେଷ୍ଟ ସମ୍ପତ୍ତି ବାଡ଼ି କରି ପାରିବ । ଯେମିତି ଦିନେ ମୁଁ କରିଥିଲି । ମୋ ବାପା ମୋତେ ଭଙ୍ଗା ଚାଳ ଛପର ଘରଟିଏ ଛାଡା ଆଉ କିଛି ଦେଇ ନଥିଲେ । କିନ୍ତୁ ସେ ମଧ୍ୟ ମୋତେ ବିଦ୍ୟା ରୂପକ ଧନ ଦେଇଥିଲେ । ଆଜି ତା ବଳରେ ମୁଁ ଏ ସବୁ କରିଛି ।


  ତୁମେ ମାନେ ମୋତେ ନିଜ ଭିଟାମାଟି ଛାଡ଼ି ସହରରେ ରହିବାକୁ କହୁଛ । ମୁଁ କିନ୍ତୁ ମୋ ସାଙ୍ଗ ମାନଙ୍କ ମାନଙ୍କ ସହ କଥା ହୋଇ ଜାଣି ଯାଇଛି ଯେ ସେମାନେ ତାଙ୍କ ପିଲା ମାନଙ୍କ କଥା ରେ ପଡ଼ି ନିଜ ଭିଟାମାଟି କୁ ବିକ୍ରି କରି, ପିଲା ମାନଙ୍କ ପାଖରେ ରହି କିପରି ବଞ୍ଚି ଥାଉ ଥାଉ ନର୍କ ଯନ୍ତ୍ରଣା ଭୋଗ କରୁଛନ୍ତି । ପିଲା ମାନଙ୍କ ର ବାପା ମାଆ ଙ୍କ ସହ ପଦେ କଥା ହେବା ପାଇଁ ସମୟ ନାହିଁ । ସୁଖ ଦୁଃଖ ବାଣ୍ଟିବା ତ ଦୂରର କଥା । ବାପା ମାଆ ମାନେ ତାଙ୍କ ପାଇଁ ଅଲୋଡ଼ା ହୋଇ ଗୃହବନ୍ଦୀ ଭାବରେ ଜୀବନ ବିତାଉଛନ୍ତି ।


 ମୁଁ ସ୍ଥିର କରିଛି ମୁଁ ଆମ ମାନଙ୍କ ଭଳି ବୃଦ୍ଧ ବୃଦ୍ଧା ପାଇଁ ଗୋଟେ ହ୍ଯାପି ହୋମ୍ ତିଆରି କରିବି । ଯେଉଁଠି ସମସ୍ତେ ସମସ୍ତ ଙ୍କ ଦୁଃଖ, ଯନ୍ତ୍ରଣା,ସୁଖ ସବୁ କୁ ଭାଗ କରି ପାରୁଥିବେ । କାହା ପାଖରେ କାହା ପାଇଁ ସମୟ ର ଅଭାବ ନଥିବ । ସମସ୍ତେ ସମସ୍ତ ଙ୍କ ପାଇଁ ଲୋଡ଼ା ହେଉଥିବେ । ଯିଏ ଯେତେଦିନ ବଞ୍ଚିବ ସ୍ବାଭିମାନ ର ସହ ବଞ୍ଚିବ ।


  ଦିବାକର ବାବୁ ଙ୍କ କଥା ଶୁଣି ତାଙ୍କ ପିଲାମାନଙ୍କ ମୁହଁ ଶୁଖି ଯାଇଥିଲା । କିନ୍ତୁ ପ୍ରତିବାଦ କରିବାର ସାହାସ ତାଙ୍କ ପାଖରେ ନଥିଲା । ବିମଳା ଦେବୀ ଓ ଦିବାକର ବାବୁ ଙ୍କ ମୁହଁରେ କିନ୍ତୁ ଆତ୍ମସନ୍ତୋଷ ର ହସଟିଏ ବିଜୁଳି ଭଳି ଚମକୁ ଥିଲା ।


Rate this content
Log in

Similar oriya story from Inspirational