ଅର୍ଚ୍ଚିତା।
ଅର୍ଚ୍ଚିତା।
ଖାଲି ଗର୍ହିତ କାର୍ଯ୍ୟରେ ଲିପ୍ତ ନଥିଲା, ବହୁତ ତଳ ସ୍ତରକୁ ଖସିଯାଇଥିଲା ଅର୍ଚ୍ଚିତା। ଧୀରେ ଧୀରେ କଲେଜ ଯିବାଟା ଗୋଟିଏ ବାହାନା ହୋଇଯାଇଥିଲା। ପ୍ରତିଦିନ ବୟ ଫ୍ରେଣ୍ଡ ବଦଳେଇ ପାର୍କ ଯିବା, ପରିମିଟ ବାର'ରେ ମଦିରା ସେବନ କରିବା ତା' ପାଇଁ ଏକ ଖାମଖିଆଲି ଘଟଣା ଥିଲା। ଏଥର ବ୍ରାଉନ ସୁଗାର ନେଲାଣି। ବାପାଙ୍କ ଅନୁପସ୍ଥିତିରେ ସେ ଅନେକ ଥର ଟଳିଟଳି ଘରକୁ ଆସିଛି। କଲେଜ ବ୍ୟାଗ ଭିତରୁ ମାମା ଅନେକ ଥର ଆପତ୍ତିଜନକ ଜିନିଷ ଜବତ କଲେଣି।ଏମିତି କୂପଥ ଗାମିନି ହେବାକୁ ବହୁବାର ବାରଣ କଲେଣି ମଧ୍ୟ।
ପ୍ରଥମେ ପ୍ରଥମେ ମମି ଚାପା କଣ୍ଠରେ ଧମକ ଦେଉଥିଲେ, "ଆଜି ବାବା ଆସନ୍ତୁ, ତୋର ସବୁ ଔଦ୍ଧତାମି ତାଙ୍କ ଆଗରେ କହିବି"। ଅର୍ଚ୍ଚିତା କୌଣସି ମତେ ମମିଙ୍କକଥା ସବୁକୁ ଏଡାଇ ଦେଇ ନିଜକୁ ଆଡଜଷ୍ଟ କରି ଆଜିପର୍ଯ୍ୟନ୍ତ ନେଇଆସିଛି।
ବହି ଦୁଇଖଣ୍ଡ ଅଦରକାରୀ ବସ୍ତୁ ଫୋପାଡିଲା ଭଳି ଫୋପାଡ଼ି ଦେଇ, କ୍ଲାନ୍ତ ହୋଇ ବେଡ଼ ଉପରେ ଚିତ୍ ହୋଇ ପଡିଗଲା ଅର୍ଚ୍ଚିତା।ଅର୍ଧମଗ୍ନ ନିଶାଶକ୍ତ କାୟା, ସେ ଜାଣି ପାରୁନି ନିଜେ ଚେତନ ନା' ନିଦ୍ରିତ। ମମି ଉଚ୍ଚ ସ୍ୱରରେ କହୁଥଲେ, "ବହୁତ ହେଇଗଲା, ତମେ ଯେମିତି ଭୁଲିଯାଇଛ ତମେ ଗୋଟିଏ ଝିଅ ଜନ୍ମ ଦେଇଛ ବୋଲି। ତାର ପଢ଼ାରେ ମନ ନାହିଁ, ଗ୍ରାଜୁଏସନ କରାଇ ମଧ୍ୟ ପିଲାଙ୍କୁ ବିବାହ କରାଇ ଦିଆଯାଉଛି।ଅଧାରୁ ତା ପଢା ବନ୍ଦ କର ଡକ୍ଟରେଟ କରିବା କଥା ମନରୁ ଭୁଲିଯାଅ"।
ଘର ନିଆଁ ବୋଲି ଅଣ୍ଟିରେ ରଖି ହେବନି। ମିସେସ ମିଶ୍ର କହୁଥିଲେ, ଅର୍ଚ୍ଚିତା ତା ବୟ ଫ୍ରେଣ୍ଡ ସାଙ୍ଗରେ ପାର୍କରେ ବୁଲୁଥିଲା। ମିସେସ ସାମନ୍ତରାୟ ମଧ୍ୟ କହୁଥିଲେ ସେ ଅର୍ଚ୍ଚିତା କୁ ସେଇ ପାର୍କରେ ବୟ ଫ୍ରେଣ୍ଡ ସାଙ୍ଗରେ ଦେଖିଥିଲେ। କିନ୍ତୁ ଦୁଇଜଣ ଅଲଗା ଅଲଗା ଗଢ଼ଣ ପୁଅର ଚେହେରା ବର୍ଣ୍ଣନା କରିଥିଲେ।
ମୁଁ ଅତିଷ୍ଠ ହୋଇ ସାରିଲିଣି।
ପ୍ରେମ କଣ ବନ୍ଧ ବାଡ଼ ମାନେ??
ଜାତି ଅଜାତି ମାନେ??
ଧର୍ମ ବର୍ଣ୍ଣ ମାନେ??
ଉଚ୍ଚ ନୀଚ୍ଚ ମାନେ??
ସେ କିଛି ଗୋଟେ ଅଘଟଣ ଘଟେଇବା ପୂର୍ବରୁ ତମେ ତାକୁ ହାତରୁ ଦି ହାତ କରେଇ ଏ ଘରୁ ବିଦାକାର। କାଲି ଯଦି ସେ କିଛି ଭୁଲ କରିବସେ, ତୁମେ ମୁଣ୍ଡଟେକି ଏଇ ଆପାର୍ଟମେଂଟରେ ଚାଲି ପାରିବ ତ??
ଗେହ୍ଲା ବୋଲି, ତା ଦୋଷ ଦୁର୍ବଳତାକୁ ଆଜି ଯାଏ ଘୋଡେଇ ରଖିଥିଲି। କିନ୍ତୁ ଆଜି ଜାଣିଲି ଯେ "କର୍କଟ ରୋଗକୁ ଘୋଡେଇ ରଖିଲେ ବ୍ୟାପିଯାଇଥିବା ପୂର୍ଣ୍ଣ ଅଙ୍ଗକୁ ଛେଦନ କରିବାକୁ ପଡେ"।
ସେ' ଆମ ଖାନ୍ ଦାନର ନାଁ ପକେଇ ଯିବନି ଯେ ଆମକୁ ପଙ୍ଖାରେ ଝୁଲେଇ ଦେଇ ଯିବ।
ସ୍ୱାଇଁ ବାବୁ ଧିର ସ୍ଥିର ଲୋକ। ପତ୍ନୀଙ୍କ ଯୋଗ ଅଭିଯୋଗ ଶୁଣିବା ପରେ କହିଲେ, ଦେଖ ରଶ୍ମି; ମୋ' ଝିଅ ସେମିତି ନୁହେଁ। ତମର ନିଶ୍ଚୟ ମତିଭ୍ରମ ଘଟିଛି।ଝିଅ ଯଦି ତାର କୋଉ କଲେଜ ଫ୍ରେଣ୍ଡ ସାଙ୍ଗରେ ବୁଲୁଥିଲା ତେବେ ବୁଲୁଥିଲା..। ସେ ସେମିତି କିଛି ଭୁଲ କାମ କରି ନ ଥିବ।ମୋ' ଝିଅ, ମୋ' ସ୍ୱାଭିମାନ। ଆମ ଅଫିସରେ ସମସ୍ତ ଷ୍ଟାଫ ଜାଣନ୍ତି ମୋ ଝିଅ ମୋ ଭଳି ସଂସ୍କାରି। ସ୍ପଷ୍ଟବାଦୀ।
ରାଗ ତମ ତମ ହୋଇ ରଶ୍ମି କିଛି ଧଳା ଧଳା ଗୁଣ୍ଡ ଆଣି ଦେଖାଇଲେଦେଖ ସେ ଏସବୁ ସେବନ କରୁଛି।
ବ୍ରାଉନ ସୁଗାର ପକେଟ ଦେଖି ସ୍ୱାଇଁ ବାବୁ ଘବରେ ଯାଉଥିଲେ।
ରଶ୍ମି କଥାକୁ ଏଡେଇବାକୁ ଯାଇ କହିଲେ, ଦେଖ ଆଜି ସନ୍ଧ୍ୟାରେ ନାରୀ ସଶକ୍ତିକରଣ ଉପରେ ମୋର ଗୋଟିଏ କାର୍ଯ୍ୟକ୍ରମ ଅଛି। ସେଥିପାଇଁ ମୋତେ ପ୍ରସ୍ତୁତ ହେବାକୁ ପଡିବ।
ଲେଲିହାନ ଅଗ୍ନି ଶିଖା ଭଳି ଜଲିଉଠି, କୁଳିଶର ଗର୍ଜନ ଛାଡି ରଶ୍ମି ବିଷୋଦ୍ଗାର କରି କହିଲେ, ବାପ ନାରୀ ସଶକ୍ତିକରଣର ପୁରୋଧା, ଆଉ ଝିଅ ଉତ୍କଟ ବିଷ ପୋକ ଭଳି ନାରୀ ସମାଜର ମାରାତ୍ମକ କୀଟ। ନାରୀ ସମ୍ମାନ ନେଇ ନିଜର ସଚେତନାତ୍ମକ ବହୁମୂଲ୍ୟ ଭାଷଣ ପରିବେଷଣ ପରେ ଯଦି ତୁମକୁ କିଏ ନିଜ ଝିଅର ବାସ୍ତବ ଚରିତ୍ରକୁ ସଂହାର କରି ଦୁଇପଦ କହିଦିଏ..!! ନିଶା ନିବାରଣ ଉପରେ ସତ୍ ବାକ୍ୟ ସମସ୍ତଙ୍କ ସୃତିକୁ ଢାଳି ଦେଲା ବେଳେ ଯଦି କେହି ତମ ଝିଅର କଳା କାରନାମା ଉପରେ ତର୍ଜନୀ ନିର୍ଦେଶ କରେ... ତମେ ନିଜକୁ ସମ୍ଭାଳି ପାରିବତ??
ଉଦାରତାର ଗୋଟିଏ ସୀମା ଅଛି।ଯାହାକୁ ତମେ ହେୟାଜ୍ଞାନ କରି ଅଜଣା ଅଶୁଣା ନିର୍ଲିପ୍ତ ମାନବ ସାଜି ଲଙ୍ଘି ଚାଲିଛ।
ଔଧ୍ୟତାମିର ଗୋଟିଏ ନିର୍ଦ୍ଧିଷ୍ଟ ପରିଧି ଅଛି ଯୋଉଟା କି ତମ ଝିଅ ବେପରୁଆ, ଖାମଖିଆଲି, ଅହଂକାର ରହିତ ଓ ଉଗ୍ରଆଧୁନିକତାର ବଙ୍କିମ ବନ୍ଧୁର ପାହାଚ ଦେଇ ଅତିକ୍ରମ କରିଚାଲିଛି।
ଖାଲି ଅନ୍ତରର ଦୁଃଖ ଦୌରାତ୍ମ୍ୟ କଷ୍ଟ ଘାତ ପ୍ରତିଘାତ ସଂଘାତକୁ ନେଇ ବଞ୍ଚିବା ପାଇଁ କେବଳ ମୁଁ, ମାନେ ରଶ୍ମି ସ୍ୱାଇଁ ଜନ୍ମ ନେଇଛି।
ଯାଅ ତୁମମାନଙ୍କର ଯାହା ଇଚ୍ଛା ତାହା କର। ସ୍ୱାଧୀନତା ସଂଗ୍ରାମୀ ବୋଲି ମୋ ଶଶୁରଙ୍କର ଯୋଉ ସମ୍ମାନ ଟିକକ ବଂଚିରହିଛି ତାକୁ ଶେଷ କରିଦେଲେ ତୁମେ ଆତ୍ମତୃପ୍ତି ପାଇବ, ତୁମ ବାପ ଝିଅଙ୍କର ମନ ସନ୍ତୋଷ ଲାଭ କରିବ।
ରଶ୍ମି କଥାରେ କୌଣସି ବାଧା ନ ଉପୁଜେଇ, ପ୍ରତିରୋଧ ସୃଷ୍ଟି ନ କରାଇ ଶାନ୍ତ,ନିରବ ନିର୍ବିଘ୍ନ ମନ୍ଦ ମନ୍ଥର ପଦୋଗତୀ କରି ମହିଳା ସଶକ୍ତିକରଣ ସଭା ଉଦ୍ଦେଶ୍ୟରେ ବାହାରି ପଡିଲେ ମିଷ୍ଟର ସ୍ୱାଇଁ।
... ଆସିଲା ବେଳକୁ ରାତି ଦୀର୍ଘ ହୋଇ ସାରିଥିଲା। ସହରର ବତୀଖୁଣ୍ଟ ଗୁଡିକ ନିର୍ବୀକାର ଭାବେ ରାତ୍ରୀର ତାଣ୍ଡବ ଦେଖିବା ପାଇଁ ସ୍ତବ୍ଧ ବେଲାଳସେନ ଭଳି ଠିଆ ହୋଇ ରହିଥିଲେ। ନିରବ ବିଛୁରିତ ଆଲୋକ ରାଶିକୁ ସଦୁପଯୋଗ କରି ଘରକୁ ଫେରିଥିଲେ ମିଷ୍ଟର ସ୍ୱାଇଁ।
ସହରି ସଭ୍ୟତା ଅତ୍ୟାଧୁନିକତାକୁ ଜଳାଞ୍ଜଳି ଦେଇ ସ୍ୱାଇଁ ବାବୁଙ୍କ ଆଗମନୀର ପଦଧ୍ଵନିକୁ କାନ ଡେରି ରହିଥିଲା ରଶ୍ମି। ବିବାହର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନେ ସଦାସର୍ବଦା ଏକାଠି ବସି ଖାଇ ଆସିଛନ୍ତି। ଆଜି ସେ କଥା ରଶ୍ମି ଭୁଲିଯିବ କେମିତି।
ଡାଇନିଂ ଟେବୁଲରେ ବସି ଖାଦ୍ୟନେଇ ପାଟି ଉଦ୍ଦେଶ୍ୟରେ ହସ୍ତଚାଳନା କରୁ କରୁ ମିଷ୍ଟର ସ୍ୱାଇଁ ସଭା ସଞ୍ଚାଳନର ଟିକ୍ ନିଖ ବିବରଣ ରଶ୍ମି ଉଦ୍ଦେଶ୍ୟରେ ବଖାଣୁଥିଲେ।
ଶାନ୍ତ, କୋମଳ, ନିରବ, ମିଷ୍ଟ ସ୍ୱରରେ ରଶ୍ମିକୁ ପଚାରିଲେ..
: ଅର୍ଚ୍ଚିତା କଣ' ଖାଇ ସାରି ଶୋଇପଡ଼ିଲାଣି??
ମୁଣ୍ଡ ହଲେଇ ରଶ୍ମି ସମ୍ମତି ଜଣାଇଲେ। ଏଇ ଦଶ ପନ୍ଦର ମିନିଟ ତଳୁ ଖାଇସାରି ବେଡ଼ ରୁମକୁ ଯାଇଛି।
ନୈଶ ଭୋଜନ କରୁ କରୁ ମିଷ୍ଟର ସ୍ୱାଇଁ ରଶ୍ମିକୁ କହୁଥାନ୍ତି, ଦେଖ ରଶ୍ମି ଅର୍ଚ୍ଚନାକୁ ଆମେ ଶିକ୍ଷା ସଂସ୍କାର ଦେବାରେ କିଛି କୋଉଠି କିଛି ତ୍ରୁଟି କରିନେ। ତାର ପାଠ ପଢା ଠାରୁ ଚରିତ୍ର ନିର୍ମାଣ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ହାଇ ଷ୍ଟାଟସ ଜରିଆରେ କରି ଆସିଛେ। ଆମ ଅଫିସରେ ବେଳେ ବେଳେ ଆମର ଷ୍ଟାଫ ମାନେ ଅନାଧିକାର ଚର୍ଚ୍ଚା କରି ମୋର ସବୁ ଉପରିସ୍ଥ ଅଫିସରଙ୍କ ଝିଅ ସହ ମୋ ଝିଅର ତୁଳନା କରି ଅର୍ଚ୍ଚିତାକୁ ଶ୍ରେଷ୍ଠତା ଦିଅନ୍ତି। ଯେତେବେଳେ କୁହନ୍ତି, "କେତେ ସିଷ୍ଟ କେତେ ଭଦ୍ର, କେତେ ନିର୍ମାୟା ଆଉ ଚପଳତା ଭାରି ରହିଛି ଅର୍ଚ୍ଚିତା ଦେହରେ"... ସେତେବେଳେ ମୋ ହୃଦୟଟା ନାଚି ଉଠେ। ଗୋଟିଏ ଝିଅର ବାପା ବୋଲି ମୁଁ ଗର୍ବ ଅନୁଭବ କରେ.. ମୋ ଛାତିଟା ଚଉଡା ହୋଇଯାଏ।
ବିଶ୍ୱାସ କର ରଶ୍ମି, ମୋ ଝିଅ ମୋ ସ୍ୱାଭିମାନ ବୋଲି ମୋ ହୃଦୟଟା ନାଚି ଉଠେ ଗାଇ ଉଠେ।
କେଉଁ ଏକ ଅଜଣା ଖୁସିରେ ମୋ ପିତୃତ୍ୱ ଏକ ଅଜଣା ରାଇଜରେ ଆତ୍ମହରା ହୋଇ ଘୁରି ବୁଲେ।
ମୁଁ ତୁମ କଥାରେ ସହମତ ଯେ ତାକୁ ଆବଶ୍ୟକ ଠାରୁ ଟିକିଏ ଅଧିକ ଗେଲବସର କରିଦେଇଛି। ସିଏ ତ ମୋ ପାଇଁ ମୋ ପୁଅ, ମୋ ଝିଅ, ମୋ ଆଶାର ବାଡ଼ି, ବାର୍ଦ୍ଧକ୍ୟର ଆଶା ଭରସା। ତାର ମୁହଁକୁ ଚାହିଁ ମୁଁ ପୁତ୍ର ଦୁଃଖ ଭୁଲିଯାଏ, ଅର୍ଚ୍ଚିତା ଛଡା ଆମର ଆଉ କିଏ ଅଛି କହିଲ??
ତୁମେ କୁହ ରଶ୍ମି; ମୁଁ ତାକୁ ସ୍ୱାଧୀନତା ଦେଉଛି ବୋଲି, ସେ ଔଦ୍ଧତାମି କରିବ
ସ୍ବେଚ୍ଛାଚାରି ହେବ
ନିଜର ଚାଲିବା ରାସ୍ତା ବଦଳେଇ ଭୁଲ ବାଟରେ ଯିବ
ମୁଁ ମାନୁଛି ଆମ ଝିଅ ବଡ଼ ହୋଇସାରିଛି, ତାର ଭଲ ମନ୍ଦ ସବୁ ବୁଝିବାର ଶକ୍ତି ଆସିଛି।
ସମସ୍ତଙ୍କ ଦେହରେ ଯୌବନ ଆସେ, ତା ମାନେ ନୁହେଁ ଯେ ସେ କଳଙ୍କର କାଳିମା ମୋ ଖାନ୍ ଦାନ ଉପରେ ବୋଳିବ
"ଯୌବନର କ୍ଷିପ୍ର ଗତି ଅଛି, ସାହସ ଅଛି, ଦୁଃସାହସିକ କାର୍ଯ୍ୟ ସମୁହ ମଧ୍ୟ ଅଛି,
କିନ୍ତୁ ଯୌବନ ଏକ ଲଗାମ୍ ଛଡ଼ା ଘୋଡ଼ା ନୁହେଁ।
ଏହାକୁ କାବୁ କରି ନିଜର ବଶବର୍ତ୍ତୀ କରିବାକୁ ହେବ" ଏ କଥା ଅର୍ଚ୍ଚନା ଭୂଲି ଯାଇଛି।
ଦୁନିଆଁର ସବୁ ଧର୍ମ, କର୍ମ, ଦାୟିତ୍ୱ, ସଂକଳ୍ପ, ଉପଦେଶ, ଜଞ୍ଜାଳ ଖାଲି ମୋର?? ମୋ ଝିଅର ଭୂମିକା କିଛି ନାହିଁ??
ଉଠ ରଶ୍ମି, ତମେ ଉଠ। ଏଇ ମୁହୂର୍ତ୍ତରେ ମୁଁ ଅର୍ଚ୍ଚିତା କୁ ନିଦରୁ ଉଠାଇ ଏ ସମ୍ପର୍କରେ ଆଲୋଚନା କରିବି।
ଭଙ୍ଗା ହୃଦୟକୁ ଅସୀମ ଭାବନା ଭିତରେ ଛାଡି ଦେଇ, ଚିନ୍ତା, ଚେତନାର ସାଗରରେ ପହଁରି ପହଁରି ଡାଇନିଂ ଟେବୁଲରୁ ଉଠି କେତେବେଳେ ହାତ ମୁହଁ ଧୋଇ ଅର୍ଚ୍ଚିତା ବେଡ଼ ରୁମ ପାଖରେ ସ୍ୱାଇଁ ବାବୁ ପହଞ୍ଚି ଯାଇଛନ୍ତି, ସେ ନିଜେ ଜାଣିନାହାନ୍ତି।
କବାଟ ଠକ ଠକ କରି ଅର୍ଚ୍ଚିତାକୁ ଉଚ୍ଚ ସ୍ୱରରେ ଡାକିଲେ ସ୍ୱାଇଁ ବାବୁ।
ଅଳ୍ପ ସମୟ ପରେ କବାଟ ଖୋଲିଲା ଅର୍ଚ୍ଚିତା। ବେଡ଼ ରୁମର ବିଦ୍ୟୁତ ବତୀର ସ୍ୱିଚ ଅନ କଲା। ଅଭ୍ର ଆଲୋକରେ ବିଛୁରିତ ହୋଇ ଉଠିଲା ସମଗ୍ର ଶୟନ କୋଠରୀ। ଅସ୍ତ ବ୍ୟସ୍ତ ହୋଇ କେଇଖଣ୍ଡ ବହି ସାଙ୍ଗକୁ କିଛି ବ୍ରାଉନ ସୁଗାର ଜରି ଏଣେ ତେଣେ ପଡିଥିବାର ପରିଦୃଷ୍ଟ ହେଲା। ଦୁଃଖ ଓ ଭଗ୍ନ ହୃଦରେ ଅପରାଧିନି ଅର୍ଚ୍ଚିତା ମ୍ରିୟମାଣ ହୋଇ ଉଠିଥିଲା। ପ୍ଲାବିତ ନୟନ କୋଣରୁ ଧାର ଧାର ଅଶ୍ରୁ, ବାରିଧାରା ଭଳି ନିର୍ଗତ ହେଉଥିଲା ତାର..। ପରିତାପର ଅଗ୍ନିରେ ଝାସ ଦେଇ ସେ ନିଜକୁ ଆଉଟେଇ ହୋଇ, ଆଉଟା ସୁନା ଭଳି ନୂତନ ପରିମାର୍ଜିତ ଜୀବନର ଅୟମାରମ୍ଭ କରିବାକୁ ତାର ହୃଦୟରେ ଥିବା ଅନ୍ତର୍ଦାହ ଗୁଡିକ ମନେ ମନେ ପାଗ ବାନ୍ଧୁଥିଲେ। ନିଜର କୁକର୍ମ, କୁଖ୍ୟାତି, ଖସଡ଼ି ଯାଇଥିବା ଟଳମଳ ପାଦର ଖରାପ ଇତିହାସ ପୃଷ୍ଠାକୁ ମନର ମାନସପଟରୁ ଗୋଟିଏ ପରେ ଗୋଟିଏ ଚିରୁ ଚିରୁ ବାପାଙ୍କୁ କୁଣ୍ଢେଇ ଧରି କାନ୍ଦିବାରେ ଲାଗିଲା ଅର୍ଚ୍ଚିତା।
ଚେତା ରହି ବାବା ମାମାଙ୍କର ଗୋଟି ଗୋଟି କଥା ଶୁଣିଛି ସେ। ସ୍ନେହ ଶ୍ରଦ୍ଧା ଅନାବିଳ ଭଲପାଇବାର ପ୍ରତିବଦଳରେ ଅର୍ଚ୍ଚିତା ବାବା ମାମା ଙ୍କୁ ଦେଇଛି କଣ??
ବାହ୍ୟ ଆଡମ୍ବର କରିବାକୁ ଯାଇ ବାବାଙ୍କର ବିଡା ବିଡା ଟଙ୍କା ଉଡେଇ ଦେଇଛି। ଉଚ୍ଚ ଶିକ୍ଷାର ବାହାନା ଦେଖାଇ କରିଛି ଅନେକ ଅଏସ ଆରାମ।
ଅର୍ଚ୍ଚିତା ମନ ନଭରେ ନିଜ ଭୁଲର ପଶ୍ଚାତାପ, ଆତ୍ମଗ୍ଲାନି, ଭଗ୍ନ ହୃଦୟସହିତ ଅହଙ୍କାର ଗୁଡ଼ିକ ଆହତ ପକ୍ଷୀ ଭଳି ଉଡୁଥିଲା। ଉଡୁଥିଲା ଆଉ କାହା ନଟେଇର ମାଂଜା ବୋଳା ସୁତା ଦ୍ୱାରା କଟିଯାଇଥିବା ଗୁଡି ଭଳି। ଅନ୍ତରୀକ୍ଷରୁ ଅସହାୟ ହୋଇ ଖସି ପଡି ନିର୍ଲିପ୍ତ ନିଷ୍ପ୍ରଭ ଉଲ୍କା ପିଣ୍ଡର ଚିତାଭସ୍ମ ଭଳି।
ନିଜକୁ ନିଜେ ନୂଆ କରି ଗଢି ତୋଳିବାର ସ୍ୱପ୍ନ ଅର୍ଚ୍ଚିତାର ନୂତନ ଉଦୟ ଆକାଶରେ ଧୀରେ ଧୀରେ ହେଇ ଉଠୁଥିଲା ତେଜ ପ୍ରଖର ସୁଦୀପ୍ତ ଓ ଉଜ୍ଜଳମୟ। ମନ୍ଦରୁ ଭଲ ଆଡକୁ, ଉଗ୍ର ଆଧୁନିକରୁ ସଂସ୍କାର ଓ ପରିମାର୍ଜିତ ରକ୍ଷଣଶୀଳ ଆଡକୁ ନିଶା ଗ୍ରସ୍ତରୁ ନିଶାମୁକ୍ତି ଆଡକୁ ଏବଂ ଅନ୍ଧାର ଭବିଷ୍ୟତରୁ ଜୀବନର ଆଲୋକବର୍ତ୍ତିକା ଆଡକୁ।
ପରିତାପର ଲେଲିହାନ ଅଗ୍ନିକୁଣ୍ଡରେ ଅଗ୍ନି ପରୀକ୍ଷା ଦେଇ ଅର୍ଚ୍ଚିତା ଆରମ୍ଭ କରିବ ନୂତନ ରାହା।
ଗ୍ଲାନି ଓ ପରିତାପର ଦଗ୍ଧ ଅଶ୍ରୁ ବିନ୍ଦୁ ଗୁଡିକ ପାଉଁଶ ହୋଇ ତଳେ ପଡି ଗର୍ବ, ଅହଙ୍କାର, ଔଦ୍ଧତାମିର ମୃତ୍ୟୁ ହେଲା ଭଳି ଅନୁଭୂତ ହେଉଥିଲା ଅର୍ଚ୍ଚିତା, ମିଷ୍ଟର ସ୍ୱାଇଁ ଏବଂ ରଶ୍ମିଙ୍କୁ।
ରୁଦ୍ଧଦ୍ୱାରରେ ପାରିବାରିକ ଜୀବନ ଜଞ୍ଜାଳର ଏକତ୍ରିତ ପାରସ୍ପରିକ ଆଲୋଚନା ଜୀବନ ବିଶ୍ଲେଷଣ ସ୍ୱାଇଁ ପରିବାରକୁ ଦେଇ ପାରିଥିଲା ଜୀବନକୁ ସୁଧାରିବାର ଅନନ୍ତ ସୁଯୋଗ। ମନାନ୍ତର, ମତାନ୍ତର, ମାନ, ଅଭିମାନ ଖେଦ ବ୍ୟତିରେକ ପୁଣି ହସି ଉଠୁଥିଲା ମିଷ୍ଟର ସ୍ୱାଇଁଙ୍କ ପରିବାର।