Santosh Kumar Misra

Inspirational

4  

Santosh Kumar Misra

Inspirational

ଅନୁଭୂତି – ୮

ଅନୁଭୂତି – ୮

9 mins
14.8K


ଗସ୍ତରୁ ଫେରି ଆସିଲା ପରେ ମୁଁ ଅସୁସ୍ଥ ହେଇ ପଡିଲି। ମୋର କିଛି ଔଷଧ ଆବଶ୍ୟକ ହେଲା। ମୋର ବୋଲହାକ କରିଦେଉଥିବା ବିଜୟଙ୍କୁ ଖବର ପଠେଇଲି। ଅନେକ ସମୟ ଅପେକ୍ଷା ପରେ ମଧ୍ୟ ସେ ଆସିଲେ ନାହିଁ। ପୁଣି ଥରେ ଫୋନ କଲି । ଏଥର କିନ୍ତୁ ତା’ଙ୍କର ସ୍ତ୍ରୀ ଫୋନ୍ ଉଠେଇଲେ। ମୁଁ କିଛି ପଚାରିବା ଆଗରୁ ସେ ଫୋନ ମାଧ୍ୟମରେ ଜଣେଇ ଦେଲେ ମୋତେ କି ତାଙ୍କ ସ୍ଵାମୀ ଏତେଗୁଡାଏ ବାଟ ଆସି ପାରିବେନି । ମୁଁ ଅନ୍ୟ କିଛି ବନ୍ଦୋବସ୍ତ କରିନେବାକୁ ମଧ୍ୟ ମୋଫତ୍ ଉପଦେଶଟିଏ ପାଇଗଲି। ଉପଦେଶ ସହିତ ଖବରଟି ମୋତେ ଯେତିକି ଦୁଃଖିତ ନକଲା ତା’ଠାରୁ ଯଥେଷ୍ଟ ଅଧିକ କଷ୍ଟ ଦେଲା ଉକ୍ତ ଭଦ୍ର ମହିଳାଙ୍କର ଆକ୍ରମଣାତ୍ମକ ଓ ଅଭଦ୍ରୋଚିତ ବ୍ୟବହାର। ମୁଁ ଘରେ କାହାକୁ କିଛି ନକହି ସେହି ଦୁର୍ବଳ ଅବସ୍ଥାରେ ମୋ ପୁରୁଣା ସ୍କୁଟି ଖଣ୍ଡିକ ବାହାର କରି ବସ ଷ୍ଟାଣ୍ଡ ପାଖରେ ଥିବା ଔଷଧ ଦୋକାନକୁ ଗଲି । ଆବଶ୍ୟକ ଔଷଧ କିଛି ନେଇ ଘରକୁ ଫେରିଲି। ଘରେ ମୋ ସ୍ତ୍ରୀ ରାଗି ପାଚି ନିଆଁ। ତାଙ୍କର ଜାଣିବାର ଥିଲା କି ଦେହ ଖରାପ ଥାଇ ଦୁର୍ବଳ ଅବସ୍ଥାରେ ମୁଁ କଅଣ ପାଇଁ ସ୍କୁଟର ନେଇ ବାହାରକୁ ଗଲି। ସେ ଅବଶ୍ୟ ଆଶଙ୍କା କରୁଥିଲେ କି କିଛି ଅଘଟଣ ହୁଏତ ଘଟିଯାଇ ପାରିଥାଆନ୍ତା। ମୁଁ ତାଙ୍କୁ କେଉଁ ପରିସ୍ଥିତିରେ ଗଲି ତାକୁ ବୁଝେଇ କହିବା ପାଇଁ ମଧ୍ୟ ମଉକା ପାଇ ପାରିଲିନି। ମନ କଷ୍ଟ ହେଲା। ଚାକିରୀରେ ଥିଲାବେଳେ ଏସବୁ ମୁଁ ଜାଣି ପାରୁନଥିଲି। ଲୋକ କିଛି ସବୁବେଳେ ଆଖପାଖରେ ପ୍ରସ୍ତୁତ ରହୁଥିଲେ ଧର କହିଲେ ବାନ୍ଧି ଆଣିବେ । ଏବେ ଚାକିରୀରୁ ଅବସର ନେବା ପରେ କିନ୍ତୁ ପରିସ୍ଥିତି ସଂପୁର୍ଣ୍ଣ ଓଲଟା। ଯାହା କରିବ ନିଜେ କରିବ। ଅବସର ନେବା ପରେ କେହି କରିଦେଲାନି ବୋଲି ପ୍ରଥମେ କିଛିଦିନ ଅଭିମାନ ଆସୁଥିଲା ମନରେ । ଏବେ କିନ୍ତୁ ଆଉ ସେ ଅଭିମାନ ଆସୁନି । ହେଲେ କିନ୍ତୁ ଆଜି ବିଜୟ ସ୍ତ୍ରୀଙ୍କର କ୍ରୁର ଆଚରଣ ମୋତେ ନିଶ୍ଚୟ ଏକ ନୂଆ ଶିକ୍ଷାଦେଲା।

ମୋ ସ୍ତ୍ରୀଙ୍କର ବକର ବକର ସେମିତି ଚାଲିଥାଏ। ମୁଁ କିନ୍ତୁ କିଛି ଉତ୍ତର ଦେଉନଥାଏ। କେବଳ ତାଙ୍କୁ ସୂଚୀତ କରିଦେଇଥାଏ କି ମୁଁ ଔଷଧ ପାଇଁ ଯାଇଥିଲି। ମୁଁ ବୁଝି ପାରୁଥିଲି ମୋ ସ୍ତ୍ରୀ ମୋ ପାଇଁ ଯେତିକି ଚିନ୍ତିତ ନଥିଲେ ତା’ଠାରୁ ଅଧିକ ଚିନ୍ତା ଥିଲା ତାଙ୍କର କି ଯଦି ମୋର କିଛି ହେଇ ଯାଇ ଥାଆନ୍ତା ତେବେ ତାଙ୍କୁ ଏକ ବିପଦର ପାହାଡକୁ ସାମନା କରିବାକୁ ପଡି ଥାଆନ୍ତା। ସହଜରେ ଅବସର ପରେ ମୋର କିଛି ଆନୁଷ୍ଠାନିକ ଅସୁବିଧା ଯୋଗୁଁ ମୁଁ ମୋର ଜୀବନ ନିର୍ବାହ ଭତ୍ତା ଠିକ୍‌ ଭବରେ ପାଇପାରୁନି । ତା ସାଙ୍ଗକୁ ଏପରି ଚଡକ ପଡିଗଲେ ଉପରେ କଅଣ ଯେ ହେଇଥାଆନ୍ତା ଆମ ଅବସ୍ଥା। ଯାହା ବି ହେଉ ମୋତେ ଚୁପ୍ ରହିବାକୁ ପଡିଲା କାରଣ ଥିଲା ମୋ ପାଖରେ ସେମିତି କିଛି ଆଖିବୁଜା ଖର୍ଚ୍ଚ କରିବାପାଇଁ ଟଙ୍କା ପଇସା ସେହି ସମୟରେ ନଥିଲା। ମୁଁ ଯେ ମୋର ସେହି ପରିସ୍ଥିତିକୁ ଅନୁଭବ କରି ପାରୁନଥିଲି ତା’ ନୁହେଁ ମୋ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା। ମୁଁ ସେ ବିଷୟରେ ବେଶି ଚିନ୍ତା ନକରି ଗାଧୁଆ ଘର ଭିତରକୁ ପଶିଗଲି ନିଜର ନିତ୍ୟକର୍ମ ସାରିବା ପାଇଁ ।

                      ସେ ଦିନ କିନ୍ତୁ ମୋର ବହୁତ ଇଚ୍ଛା ହେଉଥିଲା ପଢାଘର ଟେବୁଲ ପାଖରେ ବସି ଢେର କାନ୍ଦିନେବାକୁ। ମୁଁ ଅନୁଭବ କରୁଥିଲି ମୋର ଏ ପରିସ୍ଥିତିକୁ ସାମନା କରିବାକୁ ମୁଁ ଯେମିତି ଏକା ପଡିଯାଇଛି। ଅଳ୍ପ ଦିନ ତଳେ ମୋତେ ମୋ ଗେଟ୍‌ ପାଖରେ ଛିଡା ହେଇ ସଲାମ୍‌ କରୁଥିବା ଲୋକ ଭାବୁ ନଥିଲା ମୁଁ ଘରୁ ବାହାରିଲା ବେଳେ ମୋ ପକେଟ୍‌ରେ କେତେ ପଇସା ଅଛି। ଏବେ କିନ୍ତୁ ସେ ହୁଏତ ମୋତେ ସଲାମ କରିବାକୁ ଘୃଣା କରୁଛି ବା ପଛଘୁଞ୍ଚା ଦେଉଛି କାରଣ ମୁଁ ଆଉ ତାକୁ ତାର ପ୍ରତିଟି ସଲାମ ପାଇଁ ପୂର୍ବ ପରି ତା’ ହାତରେ ଦଶଟଙ୍କିଆଟିଏ ଗୁଞ୍ଜିଦେଇ ପାରୁନି। ହେଇପାରେ ମୁଁ ତାକୁ ଶିଖେଇଥିବା ହାତ କାମୁଡାର ପରିଣାମ ଏବେ ଭୋଗ କରୁଛି। ସାଙ୍ଗସାଥୀ ମହଲରେ ଚର୍ଚ୍ଚା ଯେ ମୁଁ କାଳେ ଚାକିରୀ କାଳରେ ଯାହା କମେଇଛି ତାକୁ ମୋର ସାତ ପୁରୁଷ ଯାଏଁ ବସି ଖାଇଲେ ସରିବନି। ଘରେ ବି ପ୍ରାୟ ସମସ୍ତଙ୍କର ସେହି ମତ। ସମସ୍ତଙ୍କର ପ୍ରବଳ ଇଚ୍ଛା ଜାଣିବାକୁ ଯେ ମୁଁ କେଉଁଠି କେତେ ପଇସା ସଞ୍ଚିତ କରି ରଖିଛି ବା କେଉଁଠି କେତେ ପଇସା କରଜ ଲଗେଇଛି କିମ୍ବା ସେୟାର୍‌ ମାର୍କେଟ୍‌ରେ ଖଟେଇଛି। ମୋ ସ୍ତ୍ରୀର ଗୋଟିଏ ଗମ୍ଭୀର ଅଭିଯୋଗ । ମୁଁ ମୋର ସବୁ ଅର୍ଜିତ ଟଙ୍କା ମୋର ପରିବାରଙ୍କୁ ଦେଇ ସେମାନଙ୍କୁ ପରିପୁଷ୍ଟ କରୁଛି ତାର ନଜର ଆଢୁଆଳରେ। ସେହିପରି ଏକ ସମତୁଲ ଅଭିଯୋଗ ମୋ ବୋଉର କି ମୁଁ ଯାହା ରୋଜଗାର କରିଛି ତାର ହିସାବ ତାକୁ ନଦେଇ ମୋର ଶଳା ଶାଳୀଙ୍କ ପିଛା ଖର୍ଚ୍ଚ କରୁଛି। ମୋର ମନେ ହୁଏ ମୁଁ ଯେମିତି ବଞ୍ଚିଛି ମୋ ରୋଜଗାରର ଏକ ବିଶ୍ଵାସଯୋଗ୍ୟ ଓ ଶାଣିତ ହିସାବ ଦେବାକୁ ସମସ୍ତଙ୍କୁ। ଯେହେତୁ ମୁଁ ସେହି ଅହେତୁକ ଅଭିଯୋଗ ପ୍ରତି କେବେ ଧ୍ୟାନ ନଦେଇ ମୁଁ ମୋର ନିଜ କାମ କରି ଆସିଛି ଏଯାବତ୍‌ ତେଣୁ ବର୍ତ୍ତମାନ ଚାକିରୀରୁ ଅବସର ନେବା ପରେ ମୁଁ ଉଭୟ ଘରେ ଏବଂ ବାହାରେ ପୃଥିବୀର ଜଣେ ସବୁଠାରୁ ଘୃଣ୍ୟ ବ୍ୟକ୍ତି। ମୋର ଅନୁଭବ ହୁଏ କି ସମସ୍ତେ ମୋତେ ଆଜିକାଲି ତାଚ୍ଛଲ୍ୟରେ ଜଣେ ଦେବାଳିଆ ଲୋକ ବୋଲି ଗ୍ରହଣ କରି ନେଇଛନ୍ତି। ଫଳ ସ୍ଵରୂପ ମୋର ବଜାର ମୂଲ୍ୟ ନାହିଁ କହିଲେ ଚଳେ। ମୋର ବର୍ତ୍ତମାନର ମୂଲ୍ୟ ଗୋଟିଏ ଅଚଳନ୍ତି କଣା ପଇସାଠାରୁ ମଧ୍ୟ କମ।

                      ଏହା ସତ ଯେ ଆଜିକାଲି ଏହି କଥାକୁ ନେଇ ମୁଁ ସର୍ବଦା ଚିନ୍ତିତ ରହୁଛି। ମୁଁ ଯେତେ ଚାହିଁଲେ ବି ମୋ ଭିତରେ ରାଜୁତି କରୁଥିବା ଅଭାବ-ବୋଧକୁ ମୁଁ ଲୁଚେଇ ପାରୁନି। ମୋର ଅନ୍ୟମନସ୍କତା ଢେର ବଢିଯାଇଥିବା ଯୋଗୁଁ ମୁଁ ମୋର ଦୈନନ୍ଦିନ କାର୍ଯ୍ୟ ମଧ୍ୟ ଠିକ୍‌ ଭାବରେ ସଂପାଦନ କରିପାରୁନି। ଅନେକ ଅବାନ୍ତର ହିତୋପଦେଶର ସୁଅ ଛୁଟିବାକୁ ଲାଗିଲାଣି। କିଏ କେତେ ପ୍ରକାର ମାନସିକ ରୋଗର ନାଁ କହି ଜଣେ ବିଶେଷଜ୍ଞଙ୍କର ପରାମର୍ଶ ନେବାକୁ କହିଲାଣି ତ କିଏ କହିଲାଣି ଆଉ କଅଣ। ହେଲେ ମୁଁ ଯେ ନିରୋଗ ଏହା କେହି ବିଶ୍ଵାସ କରିବାକୁ ନାରାଜ। କିଏ ବିଶ୍ଵାସ କରନ୍ତୁ ବା ନକରନ୍ତୁ ମୁଁ ଜାଣେ ମୋର ଏବର ଦିବାଳିଆ ପଣ ହିଁ ମୋର ରୋଗ । ତାର ନିଦାନ ପାଇଁ ମୁଁ ଯେ ଚେଷ୍ଟା କରୁନି ତା ନୁହେଁ କିନ୍ତୁ ମୁଁ ସଫଳ କାମ ହେଇ ପାରିନି। ଜାଣିନି ମୁଁ କେବେ ମୋ ପ୍ରୟାସରେ ସଫଳ ହେବି ବା ନହେବି। ମୁଁ ଏବେ ବାଧ୍ୟ ହୋଇ ଭାଗ୍ୟକୁ ଦୋଷ ଦେବା ଆରମ୍ଭ କରିଛି ଯଦିଚ ମୁଁ ଜାଣେ ଭାଗ୍ୟ ଏକ ବିଶ୍ଵାସ କିନ୍ତୁ ବାସ୍ତବତା ନୁହେଁ।

                      ମୋର କିଛି ସାଙ୍ଗ ଅବସର ପରେ ଯୋଗାଡ କରି ପୁନଃ ନିଯୁକ୍ତି ପାଇଁ ଅହରହ ଚେଷ୍ଟିତ ରହିଲେ । ସେମାନେ ମଧ୍ୟ ପୁନଃ ନିଯୁକ୍ତି ପାଇବାରେ ସକ୍ଷମ ହେଲେ । ଏବେ ମୁଁ ଦେଖେ ସେମାନେ ଖୁସିରେ ଅଛନ୍ତି । ଅନ୍ତତଃ ମୋ ପରି ଘରେ ବସି ମାନସିକ ଯନ୍ତ୍ରଣା ଭୋଗ କରୁନାହାନ୍ତି। ତିରିଶ ବା ବତିଶ ବର୍ଷ ଚାକିରୀ କରିସାରିବା ପରେ ମଧ୍ୟ ବି ତାଙ୍କ ଭିତରେ ଆଜି ମଧ୍ୟ କର୍ମ ତତ୍ପରତା ଉଦ୍‌ଜିବୀତ ରହିଛି ଦେଖିଲେ ଯେକେହି ଖୁସି ହେବ। ମୁଁ ଦୁଃଖିତ ଯେ ମୁଁ ସେହି ପର୍ଯ୍ୟାୟରେ ଆସି ପାରିଲିନି । ହେଇପାରେ ସେଇଟା ମୋର ଦୁର୍ଭାଗ୍ୟ। ଏବେ କିନ୍ତୁ ସେମାନଙ୍କୁ ଦେଖିଲାବେଳେ ମୁଁ ମୋ ନିଜକୁ ଅବଶ୍ୟ କିଛି ମାତ୍ରାରେ ଧିକ୍କାର କରେ। ମୋ ଭିତରେ ଏକ ହୀନମନ୍ୟତାର ଭାବ ଅଙ୍କୁରିତ ହୁଏ। ଏହା ନିଶ୍ଚିତ ଯେ ମୋ ଭିତରେ ଗଜୁରି ସାରିଥିବା ଗମ୍ଭୀର ଏକ ଅଭାବ ବୋଧ ମୋତେ ଅନେକ ଦୁର୍ବଳ କରିଦେଇଛି। ମୁଁ ଜାଣିଶୁଣି ମୋ ନିଜର ଗୁରୁତ୍ଵ କମେଇ ଦେଇଛି ବୋଲି ଏବେ ବିଶ୍ଵାସ କରିବାକୁ ବାଧ୍ୟ ହେଉଛି। ମୁଁ ଅନେକ ସମୟରେ ଏକା ବସିଲାବେଳେ ମୋ ପରିସ୍ଥିତି ପାଇଁ ମୁଁ ନିଜେ କେତେ ମାତ୍ରାରେ ଦାୟୀ ତାର ତର୍ଜମା କରୁଛି । ମୁଁ ମୋର ସିମୀତ ଆୟକୁ ଆଉ କିପରି ଉଚିତ୍‌ ଭାବରେ ଖର୍ଚ୍ଚ କରିଥିଲେ ହୁଏତ ଆଜି ମୋର ଏହି ଅବସ୍ଥା ଆସି ନଥାଆନ୍ତା ସେ ବିଷୟରେ ଚିନ୍ତା କରିଛି। କିନ୍ତୁ ଅତୀତକୁ ବ୍ୟବଚ୍ଛେଦ କଲାବେଳେ ଭାବାବେଗକୁ ନିୟନ୍ତ୍ରଣ କରି ପାରିନି । ମୋ ମନରେ ପ୍ରଶ୍ନ ଉଠିଛି କି ସବୁ ବେଳେ ମୋ ଦାୟିତ୍ଵକୁ ସୁଚାରୁ ରୂପେ ନିର୍ବାହ କରିବାକୁ ଯାଇ ମୁଁ କଅଣ ସତରେ କିଛି ଭୁଲ କରି ଦେଇଛି ନା ମୋ ଦାୟିତ୍ଵ ନିର୍ବାହରେ କିଛି ଅବହେଳା କରିଛି । ସେ ପ୍ରଶ୍ନର ଉତ୍ତର ସବୁବେଳେ ଅମୀମାଂସିତ ରହି ଯାଇଛି ମୋ ପାଖରେ, ସମସ୍ତ ପ୍ରକାର ଯୁକ୍ତିର ତୀବ୍ରତା ଭିତରେ।

                     ଏତେ ଯନ୍ତ୍ରଣାର ସୁଅ ମୁହଁରେ ପତର ପରି ସୁଖର କିଞ୍ଚିତ୍‌ ଝଲକ ମୋତେ ସମୟ ସମୟରେ ଆନନ୍ଦ ଦିଏ ଅବଶ୍ୟ। ପିଲାମାନେ ନିଜ ଚେଷ୍ଟାରେ ନିଜ ନିଜକୁ ସମାଜରେ ପ୍ରତିଷ୍ଠିତ କରି ସାରିଛନ୍ତି। ରହିବା ପାଇଁ ନିଜ ପାଖରେ ନିଜର ବୋଲି ଘର ଖଣ୍ଡିଏ ରହିଛି । ନିଜ ଶିଙ୍ଗରେ ମାଟି ତାଡି ମୁଁ ଆଜି ଯାଏଁ ବଞ୍ଚି ରହିଛି। ଅବଶ୍ୟ ଜାଣିନି ଆଉ କେତେଦିନ ମୁଁ ମୋର ଏହି ସ୍ଥିତିକୁ ସମ୍ଭାଳି ପାରିବି। ଅଳ୍ପ ଦିନ ତଳେ ପ୍ରାତଃ ଭ୍ରମଣରେ ଗଲାବେଳେ ଲୁଲା ଭାଇ କହୁଥିଲେ ପିଲାଙ୍କ ପାଖକୁ ଯାଇ ବୁଲି ଆସନ୍ତୁ। ମନରୁ ସବୁ ଉଦ୍‌ବେଗ ଦୂରେଇ ଯିବ ଆପେ। ନାତିନାତୁଣିଙ୍କ ଗହଣରେ ଏହି ଚିନ୍ତା ଆପଣଙ୍କୁ ବ୍ୟତିବ୍ୟସ୍ତ କରି ପାରିବନି। ତାଙ୍କର ପରିସ୍ଥିତି ମୋ ଠାରୁ ଅଲଗା। ସେ ଜମିଦାର ଘରର ପିଲା। ସେ କଅଣ ବା ବୁଝିବେ କେମିତି ବା ବୁଝିବେ ଜଣେ ଅବସର ପ୍ରାପ୍ତ ଓ ପ୍ରାୟତଃ ଦେବାଳିଆ ମଣିଷର ମନସ୍ତତ୍ଵ। ତା ’ଛଡା ଆମର ଆଉ ଜଣେ ସାଥୀଙ୍କୁ ତାଙ୍କ ପୁଅ-ବୋହୂ ଛାଡି ଆସିଛନ୍ତି ଏବେ ବୃଦ୍ଧା ଶ୍ରମରେ। ମୁଁ ଅନେକ ସମୟରେ ଭାବେ ଯେ ମୋର ପୁଅ ନାହିଁ ତେଣୁ ମୋ ପାଇଁ ଘରୁ ତଡାଖାଇ ବୃଦ୍ଧା ଶ୍ରମରେ ଆଶ୍ରିତ ହେବାର ସୁଯୋଗ କେବେ ଆସିବନି। ଆମେ ସବୁ କଥା ହେଉ ଆମ ଭିତରେ ଯେ, ଆମର ସେ ବନ୍ଧୁ ଜଣଙ୍କ ଅନ୍ତତଃ ତାଙ୍କର ଶେଷ ଜୀବନଟି କିଛି ସମବୟସ୍କ ବନ୍ଧୁଙ୍କ ଗହଣରେ ତ ବିତେଇଦେଇ ପାରିବେ । ମୁଁ ତ ସନ୍ଦିହାନ ଯେ ମୋର ମୃତ୍ୟୁ ପରେ ମୋର ଶବକୁ ହୁଏତ ସତ୍କାର କରିବାକୁ କେହି ଆସିବେନି ଖର୍ଚ୍ଚ ବହନ କରିବାକୁ ପଡିବା ଭୟରେ। କାରଣ ମୋର ଆତ୍ମିୟ ମାନେ ଯିଏ ମୋ ସହିତ ଅନେକ ମନେ ରଖିବା ଭଳି ସୁଖର ସମୟ ବିତେଇ ଥିଲେ ସେମାନେ ଆଉ ଏବେ ମୋ ପାଖକୁ ଆସିବା ତ ଦୂରର କଥା ଡକେଇଲେ ବି ବିଭିନ୍ନ ଆଳରେ ଏଡେଇ ଯାଉଛନ୍ତି ମୋତେ । ସେମାନେ ଯେତେବେଳେ ଆସୁଥିଲେ ମୋ ପାଖକୁ ସେମାନଙ୍କ ମନରେ ଅନେକ ଆଶା ରହିଥିଲା, ମୁଁ ସେ ଆଶା ପୂରଣ କରେ ବା ନକରେ। ଏବେ କିନ୍ତୁ ସେମାନେ ନିଶ୍ଚିତ ଯେ ସେ ଆଶା ହିଁ ସଂପୂର୍ଣ୍ଣ ନିରର୍ଥକ।

                      କିଛିଦିନ ତଳେ ମୁଁ ସରକାରୀ ଡାକ୍ତରଖାନାକୁ ଯାଇଥିଲି ମୋର ଜଣେ ପିଲା ଦିନର ସାଥୀ ଯିଏ ଏବେ ଜଣେ ବିଶେଷଜ୍ଞ ଡାକ୍ତର ତାଙ୍କୁ ଦେଖା କରିବାକୁ। ଡାକ୍ତରଖାନା ବାରଣ୍ଡାରେ ଦୁଇଜଣ ବୃଦ୍ଧ ଦମ୍ପତ୍ତି ବସିଥିଲେ ଏବଂ ତାଙ୍କୁ ଘେରି ରହିଥିଲେ ଅନେକ ଲୋକ। ଜାଣିବାକୁ ପାଇଲି କି ତାଙ୍କର ପୁଅ ବୃକକ ଜନିତ ରୋଗରେ ଆକ୍ରାନ୍ତ ଏବଂ ତାର ନିଦାନ ପାଇଁ ତାଙ୍କ ପାଖରେ ସେହି ପରିମାଣର ଅର୍ଥ ନାହିଁ। ତେଣୁ ସେମାନେ ନିଶ୍ଚିତ ଯେ ତାଙ୍କର ଏକମାତ୍ର ପୁଅ ହୁଏତ କାଲି ଆଉ ବଞ୍ଚି ରହି ନଥିବ। ଘେରି ରହିଥିବା ଲୋକମାନଙ୍କ ସହାନୁଭୁତି ରହିଥିଲା ତାଙ୍କ ସ୍ଵରରେ ସ୍ବର ମିଳେଇ କାନ୍ଦିବା ପାଇଁ। ସେଇଠି ମୋ ମନରେ ଆସୁଥିଲା ସଂସାରରେ ଆମ ପରି ଯେତେ ଧୋବଧାଉଳିଆ ଦେବାଳିଆ ରହିଛନ୍ତି ସେମାନେ ଯଦି ତାଙ୍କର ଜୀବଦଶାରେ ନହେଲେ ମଧ୍ୟ ମୃତ୍ୟୁ ପରେ ନିଜର ଅଙ୍ଗଦାନ କରିପାରନ୍ତେ ତେବେ ଏହି ବୃଦ୍ଧ ଦମ୍ପତ୍ତିଙ୍କ ପରି ଅନେକ ଅସହାୟ ଲୋକଙ୍କର ଜୀବନ ଜିଇବାର ଇଚ୍ଛା ପୂରଣ ହେଇ ପାରନ୍ତା। ମୁଁ ସାକ୍ଷାତ ସମୟରେ ମୋ ଚିନ୍ତା ବିଷୟରେ ମୋ ସାଙ୍ଗକୁ କହିଲି। ସେ ମୋତେ ସେ ଦିଗରେ କିଛି ନିର୍ଦ୍ଦିଷ୍ଟ ଉପଦେଶ ଦେଲା ଓ ମୁଁ ଘରକୁ ଆସିଲି। ପରେ ସେ ଦିନ ସନ୍ଧ୍ୟାରେ ମୋ ପାଖକୁ ଏକ ଫୋନ ଆସିଲା ଏକ ସ୍ଵେଚ୍ଛାସେବୀ ଅନୁଷ୍ଠାନରୁ ମୋ ସହିତ ଅଙ୍ଗ ଦାନ ସମ୍ପର୍କରେ ଆଲୋଚନା କରିବା ପାଇଁ ଏକ ନିମନ୍ତ୍ରଣ ସହିତ। ମୁଁ ବୁଝି ପାରିଲିନି ଏଯାବତ୍‌ ଯେ ମୋ ଅଙ୍ଗଦାନ କରେଇବାରେ ଉକ୍ତ ଅନୁଷ୍ଠାନର ଭୂମିକା କଅଣ। ଏହି ବିଷୟରେ ସଠିକ୍‌ ପରାମର୍ଶ ପାଇଁ ସରକାରୀ ସ୍ତରରେ କିଛି ବ୍ୟବସ୍ଥା ରହିଛି କି ନାହିଁ ମୁଁ ଜାଣିନି। କିନ୍ତୁ ଜଣେ ଗରିବ ଅଭାବୀ ଆବଶ୍ୟକକାରୀଙ୍କ ପାଇଁ ମାଗଣାରେ ଅଙ୍ଗପ୍ରତ୍ୟଙ୍ଗ ଉପଲବ୍ଧ କରେଇବାର ପ୍ରୟାସ ଉକ୍ତ ଅନୁଷ୍ଠାନ ଦ୍ବାରା କେତେ ଦୂର ସଫଳ ହେଇପାରିବ ତାହା ଭାବିବାକୁ ଅବଶ୍ୟ ମୋ ପାଖରେ ସମୟ ନଥିଲା। ଏହି ଚିନ୍ତାରେ କିନ୍ତୁ ମୁଁ ଦେଖିଲି ମୋ ମନରେ ଥିବା ବୈରାଗ୍ୟ ଯେ ମୋ ପକେଟରେ ଟଙ୍କା ନାହିଁ ବୋଲି ମୋତେ ସମସ୍ତେ ଅଣ ଦେଖା କରୁଛନ୍ତି, କିଛି ସମୟ ପାଇଁ ମୋ ମନରେ ନଥିଲା। କିଛି ବିଶ୍ଳେଷଣ କଲାପରେ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହେଲି ଯେ ଖାଇ ପିଇ ଖାଲିରେ ଚବିଶ ଘଣ୍ଟା ଘରେ ବସି ରହିବା ଫଳରେ ମୋତେ ଲାଗୁଥିଲା ମୁଁ ନିଜେ ଖୁବ୍‌ ଅବହେଳିତ ହେଇ ଯାଉଛି।

                     ମୁଁ କିନ୍ତୁ ଗୋଟିଏ କଥାରେ ଜମାରୁ ସମ୍ମତ ହୋଇପାରୁନି ଯେ ଅବସର ପରେ ଲୋକମାନେ ଅଳ୍ପ ବହୁତେ ଅଳସୁଆ ହେଇ ଯାଉଛନ୍ତି। ଫଳରେ ସେମାନଙ୍କ ମାନସିକତାରେ ଅଦ୍ଭୁତ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ସେମାନେ ସମାଜର ଭିଡ ଭିତରେ କେଉଁଠି ନା କେଉଁଠି ହଜି ଯାଇଥିବାର ଅନୁଭବ କରୁଛନ୍ତି। ତାଙ୍କ ଭିତରେ ଉଦ୍ରେକ ହେଉଥିବା ନିଜସ୍ବ ପରିଚୟ ନଷ୍ଟ ହେଇଯାଉଥିବାର ଏକ ଶଙ୍କାୟିତ ଭ୍ରମ, ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରୁଛି। କ୍ରମଶଃ ସମାଜରେ ସେମାନେ କ’ଣ ଠେସା ହେଇ ରହିବାକୁ ବାଧ୍ୟ ହେଉଛନ୍ତି। ସେଥିପାଇଁ ସବୁ ସ୍ତରରେ ବର୍ତ୍ତମାନ ଅବସର ନେଇଥିବା ଲୋକଙ୍କୁ ଏକ ସୁସ୍ଥ ଜୀବନ ଜିଇବା ନିମନ୍ତେ କିଛି ନିତାନ୍ତ ଆବଶ୍ୟକ ସୂତ୍ର ଜଣେଇବା ଉଦ୍ଦେଶ୍ୟରେ ବିଭିନ୍ନ ମନ୍ତ୍ରଣା କକ୍ଷ ଗଢି ଉଠିଲାଣି। ହେଲେ ଏହି କକ୍ଷର ଆଦର ଏବେ ଆଶାନୁରୂପକ ଭାବରେ ବୃଦ୍ଧି ହୋଇପାରିନାହିଁ। ଜଣେ ସ୍ଵେଚ୍ଛାସେବୀ ଥରେ କହୁଥିଲେ ଅବସର ନେଇଥିବା ସମସ୍ତ ବ୍ୟକ୍ତି ବୟସ୍କ ହେତୁ ସେମାନେ ମନ୍ତ୍ରଣା କକ୍ଷରେ ନିଜ ଅଭିଜ୍ଞତା ବା ଅନୁଭୂତିକୁ ଜାହିର୍ କରିବାରେ ବ୍ୟସ୍ତ ରୁହନ୍ତି । ଫଳରେ ଯେଉଁ ବିଶେଷଜ୍ଞମାନେ ମନ୍ତ୍ରଣା କକ୍ଷ ପରିଚାଳନା ଦାୟିତ୍ଵରେ ରହି ଥାଆନ୍ତି ସେମାନେ ମାନସିକ ସ୍ତରରେ ସେହି ବୟସ୍କ ଲୋକଙ୍କ ସହିତ ଖାପ ଖୁଆଇ ପାରନ୍ତି ନାହିଁ। ଏହିଭଳି କକ୍ଷ ପ୍ରାୟ ସବୁ ବୃଦ୍ଧା ଶ୍ରମ ମାନଙ୍କରେ ରହିଥାଏ । ଜୀବନର ସାୟାହ୍ନରେ ଆନନ୍ଦରେ ନିଜର ସମୟ କଟେଇବାରେ ଏହି କକ୍ଷର ଭୂମିକା ନିଶ୍ଚୟ ଗୁରୁତ୍ଵପୂର୍ଣ୍ଣ।

                      ମୂଳ କଥାଟି ହେଲା ନିଜକୁ ଦାୟିତ୍ଵ ମୁକ୍ତ କରି ହାଲକା କରି ପାରୁଥିବା ଲୋକଟି ହିଁ ତାର ଅବଶିଷ୍ଟ ଆୟୁଷ ଶାନ୍ତିରେ କଟେଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଥାଆନ୍ତି। ଦାୟିତ୍ଵ ନଥିଲେ ଟଙ୍କା ପଇସାର ଆବଶ୍ୟକତା ଗୌଣ ହୋଇପଡେ। ଅବସର ସମୟର ଉପଯୁକ୍ତ ବ୍ୟବହାର ହିଁ ଏକ ଉନ୍ମତ୍ତ ଜୀବନ ଜିଇବାର ମାର୍ଗ ପରିଷ୍କାର କରିଥାଏ। ଏଠାରେ ଗୌତମ ବୁଦ୍ଧଙ୍କର ଏକ ମହାନ ବାଣୀ ପ୍ରଣିଧାନ ଯୋଗ୍ୟ। କାମନାର ବିନାଶରେ ଦୁଃଖର ବିନାଶ। ଜଣେ ଅବସରପ୍ରାପ୍ତ ଲୋକ ପାଖରେ କାମନାର ବା ମୂଲ୍ୟ କେତେ। ତଥାପି ସେ ନିଜେ ସମ୍ପୂର୍ଣ୍ଣ ଭାବେ କାମନା ରହିତ ହେଇପାରୁନି। ଫଳରେ ତାର କାମନାର ଚରିତାର୍ଥ ଲାଗି ସେ ଅର୍ଥର ଆବଶ୍ୟକତାକୁ ଗୁରୁତ୍ଵର ସହିତ ତର୍ଜମା କରୁଛି। ଜାଣିନି ବୃଦ୍ଧା ଶ୍ରମରେ ବିଶେଷଜ୍ଞ କେହି ଏହି ଦିଗ ଉପରେ ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରନ୍ତି କି ନାହିଁ। ଯେଉଁ ଅବସରପ୍ରାପ୍ତ ଲୋକମାନେ ନିଜ ଘରେ ରହୁଛନ୍ତି ସେମାନେ ଏହି ବିଶେଷଜ୍ଞ ସେବା ପାଇବା ଅବଶ୍ୟ କଷ୍ଟକର। କିନ୍ତୁ ସମସ୍ତେ ମୋ ସହିତ ଏକମତ ହେବେ ଭାବୁଛି ଯେ ଏହି ସେବାର ଆବଶ୍ୟକତା ସମସ୍ତ ଅବସରପ୍ରାପ୍ତ ଲୋକମାନଙ୍କ ପାଇଁ ରହିଛି।

                     ମୋର ଗଭୀର ଅଭାବବୋଧରୁ ସୃଷ୍ଟ ମୋ ମାନସିକ ଅସନ୍ତୁଳନ ପାଇଁ ମୁଁ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଲୋଡିଥିଲି। ସେ ଧୈର୍ଯ୍ୟର ସହିତ ମୋତେ ଶୁଣିବା ପରେ ଔଷଧର ଏକ ଲମ୍ବା ତାଲିକା ଲେଖିଦେଲେ ଓ ପ୍ରତିଟି ଔଷଧ କିପରି ଓ କେତେବେଳେ ଖଇବାକୁ ହେବ ତାହା ମଧ୍ୟ ଲେଖିଦେଲେ। ମୁଁ ଘରକୁ ଫେରି ସମସ୍ତ ଔଷଧକୁ ମୋ ଶୋଇବା ଶେଯ ପାଖରେ ଗୋଟିଏ ଷ୍ଟୁଲ ପକେଇ ତାରି ଉପରେ ରଖିଲି ଓ ଡାକ୍ତର ବାବୁଙ୍କର ଚିଠା ଧରି ସେଗୁଡିକ ସେବନ କରିବାର ପ୍ରବନ୍ଧ କଲି। ପ୍ରାୟ ଏକମାସ ପରେ ମୁଁ ଅନୁଭବ କଲି ମୁଁ ପ୍ରତି ଅଧ ଘଣ୍ଟାଏ କି ଘଣ୍ଟାଏ ବ୍ୟବଧାନରେ ଔଷଧ ଖାଉଛି । ତେଣୁ ଔଷଧ ଠିକ ସମୟରେ ଖାଇବା ନିଶାରେ ମୋର ଆଉ ମନେ ପଡୁନି ମୋ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଛି କି ମୋର ପେନସନ୍ ଠିକ ସମୟରେ ଆସିଛି କି ନାହିଁ। ଅନ୍ୟ ଅର୍ଥରେ ମୋ ମନ ଭିତରେ ବସା ବାନ୍ଧିଥିବା ଅଭାବ ବୋଧ ଓ ତତ୍‌ଜନିତ ଭୟ ବା ବିକୃତ ମାନସିକତାର ପ୍ରଭାବ ମୋ ଉପରେ ପ୍ରାୟ ନାହିଁ। ମୁଁ ବୁଝି ପାରିଲି ମୁଁ କାହିଁକି ମାନସିକ ସ୍ତରରେ ଦୁର୍ବଳ ହେଉଥିଲି। ମୋ ବନ୍ଧୁ ଡାକ୍ତର ମୋତେ ସୂଚୀତ କଲେ ଯେ ମୁଁ ବିଭିନ୍ନ ପ୍ରକାରର ଭିଟାମିନ୍ ଓ ପାଚନ କ୍ରିୟା ବଢାଇବା ପାଇଁ ଔଷଧ ଖାଉଥିଲି। ବାସ୍ତବିକ ମୁଁ ନିରୋଗ ଥିଲି। ମୋର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ତାଙ୍କର ପ୍ରୟାସ ଫଳପ୍ରସୂ ହେଇପାରିଛି। ମୁଁ ଏବେ ନିଷ୍ପତ୍ତି କରିଛି ପ୍ରତ୍ୟେକ ଦିନ କିଛି ସମୟ ମୁଁ ପାଖରେ ରହିଥିବା ବୃଦ୍ଧା ଶ୍ରମକୁ ଯିବି ଏବଂ ମୋ ମାନସିକତାରେ ଯେଉଁ ବିବର୍ତ୍ତନ ଘଟିଲା ସେ ବିଷୟରେ ବୟସ୍କ ଅନ୍ତେବାସୀ ମାନଙ୍କୁ ଜଣେଇବି । କହିବି ସେମାନଙ୍କୁ ଆସନ୍ତୁ ନିଜ ସୁଖଦୁଃଖ ନିଜ ଭିତରେ ବାଣ୍ଟିନେବା ଆଉ ଯେତେ ଅବଶିଷ୍ଟ ଦିନ ବଞ୍ଚିବାଖୁସିରେ ବଞ୍ଚିବା। ( ସମାପ୍ତ )


Rate this content
Log in

Similar oriya story from Inspirational