Pratap Chandra Mishra

Inspirational

4  

Pratap Chandra Mishra

Inspirational

ଅନୁଭବରେ ପ୍ରଭୁ ଜଗନ୍ନାଥ

ଅନୁଭବରେ ପ୍ରଭୁ ଜଗନ୍ନାଥ

6 mins
321


ସକାଳୁ ସକାଳୁ କୁଞ୍ଜ ମାଉସୀ ଗର ଗର ହେଉଛନ୍ତି ଘରେ । ବୁଢ଼ୀ ମଣିଷ ବୟସ ପଞ୍ଚଷଠି ହେବ । ଝିଅମାନେ ବାହା ହୋଇ ଶାଶୁ ଘରକୁ ଗଲାପରେ ଦୁଇ ପୁଅଙ୍କୁ ବି ବାହା କରାଇ ଦେଇଛନ୍ତି । ସ୍ଵାମୀଙ୍କର କାଳ ହୋଇଯାଇଛି ଏଇ ଚାରି ବର୍ଷ ତଳୁ । ବୟସାଧିକ୍ୟ ଓ ଦୁର୍ବଳ ଶରୀର ସ୍ଵାମୀଙ୍କ ଚେତନାରେ ସେ ଆହୁରି ଭାଙ୍ଗି ଯାଇଛନ୍ତି । ଭଗବତ ବିଶ୍ୱାସ ଓ ପୁଅ ଦୁଇଜଣଙ୍କ ଭରସାରେ ବଞ୍ଚି ରହିଛନ୍ତି ଯାହା । ତାଙ୍କ ସମୟରେ ସେ ଖୁବ୍ ଈଶ୍ଵରବିଶ୍ୱାସୀ ଥିଲେ । ଭଗବାନ କୌଣସି ଅଭାବ କରି ନାହାନ୍ତି । କେବଳ ଗୋଟିଏ ବିଷୟ ବାଦ୍ ଦେଲେ । ସାନ ପୁଅର ବିବାହ ହେବାର ଦଶ ବର୍ଷ ପୁରିଲାଣି । କେତେ ଡାକ୍ତର, ବଇଦ, ଝଡ଼ା, ଫୁଙ୍କା ଯିଏ ଯାହା କହିଲା ବ୍ରତ ଉପବାସ କଲେଣି । ହେଲେ ସାନ ବୋହୂର କୋଳ ଭର୍ତ୍ତି ହେଉନାହିଁ । ଘର ଅଗଣା ଯେମିତି ଖାଲି ଖାଲି ଲାଗୁଛି ଏବଂ ଅନେକ କୈଫିୟତ ଦେବାକୁ ପଡୁଛି କୁଞ୍ଜ ମାଉସୀଙ୍କୁ ସମାଜର ମଙ୍ଗ ଧରିଥିବା ସାହି ପଡୋଶୀ ଓ ସଫଳ ହୋଇଯାଇଥିବା ସଂସାରୀ ମଣିଷଙ୍କ ପାଖରେ । ସ୍ଵାମୀଙ୍କ କାଳ ହେଲା ପରେ ସେ ଘରର ଇଷ୍ଟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ନିଜକୁ ପୂର୍ଣ୍ଣ ରୂପେ ସମର୍ପି ଦେଇଛନ୍ତି । ସବୁ ସେହି ଲୀଳାମୟଙ୍କ ଇଚ୍ଛା । ସବୁବେଳେ ମନ ଅଶାନ୍ତ, ସାନ ପୁଅର କୋଳ ଶୂନ୍ୟ ବୋଲି । ରାତି ରାତି ଉଜାଗର ରହି ଅଦିନରେ ଜାଗର ପାଳନ କରନ୍ତି ପୁଅର ଚିନ୍ତାରେ । ବୋହୂ ବି ନାରିତ୍ଵ ପୂର୍ଣ୍ଣାଙ୍ଗ ନ ହୋଇ କୁଞ୍ଜ ମାଉସୀଙ୍କ ଘରେ କାଳାତିପାତ କରେ । ମନରେ ସବୁ ବେଳେ ଛୁଆଟିଏ ପାଇଁ ଲାଳସା । କିନ୍ତୁ ସବୁ କିଛି ପ୍ରତିକାର ସତ୍ତ୍ୱେ ସଫଳତା ମିଳେନି । ବଡ ବୋହୂର କଟାକ୍ଷ ଶବ୍ଦ ଗୁଡାକ ମର୍ମକୁ ଭେଦି ଯାଉଥାଏ । ଆଜିକାଲି କୁଞ୍ଜ ମାଉସୀ ବି ଚିଡି ଚିଡି ହୁଅନ୍ତି ସାନ ବୋହୁ ଉପରେ ପ୍ରତି ଛୋଟ ଛୋଟ କଥାରେ । ନିଜର ଅପୂର୍ଣ୍ଣତା ଯୋଗୁଁ ପ୍ରାତଃ ସକାଳୁ ସକାଳୁ କାହାକୁ ମୁହଁ ଦେଖାଇବା ସାହସ ନ କରିବା ସହ ନିଜକୁ ଅସହଜ ମଣେ ସାନ ବୋହୂ । ଯଦି କୌଣସି ଦିନ ଘରେ ବା ବାହାରେ ସକାଳୁ ସକାଳୁ କିଏ ସାନ ବୋହୂକୁ ଦେଖିଥାଏ ଏବଂ ସେ ଦିନର ଅଭୀଷ୍ଠ କର୍ମ ଉକ୍ତ ବ୍ୟକ୍ତିର ସଫଳ ହୁଏ ନାହିଁ, ତେବେ ଲାଞ୍ଛନା ସହ ସାନ ବୋହୂ ବାଞ୍ଝ ଆଖ୍ୟା ପାଏ ଓ ଅନେକ ସମାଲୋଚନାର ସ୍ୱୀକାର ହୁଏ । କଥା କଥାରେ ବାଞ୍ଝ ଦେଖି ଯିବାରୁ ଏମିତି ହେଲା, ବାଞ୍ଝ ମୁହଁ ଦର୍ଶନ ଅଶୁଭ ହେଵ । ଇତ୍ୟାଦି...।

ସାନ ବୋହୁ ନିଜ କପାଳକୁ ଆଦରି ପ୍ରଭୁ ଚକାନୟନଙ୍କୁ ସର୍ବଦା ଗୁହାରି କରୁଥାଏ କିପରି ଏ ବିପତ୍ତିରୁ ଉଦ୍ଧାର ପାଇବ । କୌଣସି ରାସ୍ତା ଦେଖାଯାଉନାହିଁ । ବାପଘର ଲୋକ ଝିଅର ଏ ଦୁର୍ଦ୍ଦଶା ଯୋଗୁଁ ସ୍ଵାମୀ ଓ ଗାଆଁ ଲୋକଙ୍କ ବ୍ୟବହାରରେ ଆଉ ସାହସ କରୁନାହାନ୍ତି ଝିଅ ପାଖକୁ ଆସି ଦେଖା କରି ସମସ୍ୟା ପାଇଁ, କଣ କରାଯିବ ପନ୍ଥା ବାହାର କରିବା ପାଇଁ? କେବଳ ମୋବାଇଲ ମାଧ୍ୟମରେ ଯାହା କଥା ଆଲୋଚନା ହୁଏ । ସ୍ଵାମୀ ବି ତାର ଆଜିକାଲି ଏ ସବୁ ଯୋଗୁଁ ଅତିଷ୍ଠ ହୋଇ ଗଲେଣି । ସେ ଉଚ୍ଚ ନ୍ୟାୟାଳୟ ନିୟମର ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ଯାଉଥାନ୍ତି ; ଏବଂ ଦ୍ଵିତୀୟ ବିବାହ ନିମନ୍ତେ ମାର୍ଗ ଉନ୍ମୋଚନ ପାଇଁ ନିୟମ ଗଳିରେ ନିଜ ସୁରକ୍ଷା ବଳୟ ଖୋଜିବା ସହ ଓକିଲ ପରାମର୍ଶ କରୁଥାନ୍ତି । 

ସାନ ବୋହୁକୁ ଛାଡ଼ପତ୍ର ଦେବା ବିଷୟକୁ କୁଞ୍ଜ ମାଉସୀ କେବେ ଠାରୁ ସ୍ଵୀକୃତି ଦେଇସାରିଛନ୍ତି । ହେଲେ ନୀତି-ନିୟମ ନାରୀ ସଶକ୍ତିକରଣ ପ୍ରକ୍ରିୟା ଯୋଗୁଁ କାର୍ଯ୍ୟରେ ବାଧା ଉପୁଜିବା ଲାଗିଛି । ସାନ ବୋହୁ ଏକଥା ବାପା ଘର ଲୋକଙ୍କୁ ଜଣାଇସାରି ମନଦୁଃଖରେ ଖିଆ ପିଆ ବି ଆଉ ଭଲରେ କରୁ ନଥାଏ । ଜଗନ୍ନାଥଙ୍କ ଉପରେ ଦୃଢ ବିଶ୍ୱାସ ନେଇ ତାର ଦିନର ଶୁଭ ମୁହୂର୍ତ୍ତକୁ ସାଥେ ନେଇ ନିଜ ଦୈନନ୍ଦିନ ଜୀବନ ସମ୍ପାଦନ କରୁଥାଏ । ସ୍ଵାମୀଙ୍କ ସହ କଥା ହେଲା ବେଳେ ଏ ବିଷୟରେ ସିଏ ବି ଲୋକଙ୍କ ପ୍ରରୋଚନାରେ ଆସି ମନ ଫେରାଇ ଦେଉଛି । ସ୍ତ୍ରୀର କଥାକୁ ଗୁରୁତ୍ଵ ଦେଉନାହିଁ । 

ମନେ ମନେ ସାନ ବୋହୂ କିଂକର୍ତ୍ତବ୍ୟବିମୁଢ଼ ହୋଇ କେବଳ ଆଉ କେବଳ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ସବୁଛାଡ଼ି ଦେଇ ମନ ପ୍ରାଣ ଶରୀର ଅଜାଡ଼ି ଦେଉଛି ସେହି ପରମ ବ୍ରହ୍ମଙ୍କ ଚରଣରେ । ଜୀବନ ଚାଲିବା ସୌଖ୍ୟ ପ୍ରଭୁ ଇଚ୍ଛା ବିନା ନୁହେଁ, ପ୍ରତିଟି ସ୍ପନ୍ଦନ ସ୍ପନ୍ଦିତ ହେଉଛି ସେହି ସର୍ବଶକ୍ତିମାନଙ୍କ ଯୋଗୁଁ । ରଖିଲେ ରଖିବେ ସିଏ, ମାରିଲେ ମାରିବେ ସିଏ, ତାରିଲେ ତାରିବେ ସିଏ । କାରଣ ତାଙ୍କ ଇଚ୍ଛା ବିନା ଏ ସୃଷ୍ଟିରେ ଗଛରୁ ପତ୍ରଟିଏ ମୁହୂର୍ତ୍ତକ ପାଇଁ ହଲେ ନାହିଁ । ଯଦି ସେ ବାଞ୍ଝ ଜୀବନ ବିତାଉଛି କେବଳ କିଛି ପ୍ରଭୁଙ୍କ ମହତ୍ ଉଦ୍ଦେଶ୍ୟ ପାଇଁ । ଆଉ ତା ଭାଗ୍ୟରେ ଯଦି ସନ୍ତାନ ଯୋଗ ଅଛି ତେବେ ସେ ପ୍ରଭୁ ହିଁ ତାର ମାର୍ଗ ବତାଇବେ । ଅନ୍ୟଥା ଯେଉଁ ଦିଶାରେ ଜୀବନ ନୌକା ବହିବ, ସେହି ସ୍ରୋତରେ ସେ ସାମିଲ ହେବ । ଅମୂଲ୍ୟ ଜୀବନ ପ୍ରାପ୍ତ ଅନେକ ଜୀବନ ପରେ । ଛାଡ଼ପତ୍ର ଦିଆଯାଏ ଯଦି ତାକୁ ବି ପ୍ରଭୁଙ୍କ ପ୍ରସାଦ ଭାବି ଗ୍ରହଣ କରି ଜଗନ୍ନାଥଙ୍କ ଭକ୍ତିରେ ଦେବଦାସୀ ଭଳି ଜୀବନ ବିତାଇବ । ହୁଏ ତ ତା ଜୀବନର ଏକ ଅଦୃଶ୍ୟ ଆହ୍ଵାନ ହୋଇପାରେ ଭଗବାନଙ୍କର । ତେଣୁ ଆଉ ମନ ଅଥୟ ନକରି, ଯିଏ ଯାହା କହିଲେ ବି ସେ କଥାକୁ କର୍ଣ୍ଣପାତ୍ ନକରି କାହାକୁ ମନ୍ତବ୍ୟ ନ ଦେଇ ପ୍ରଭୁ ଚିନ୍ତାରେ ସ୍ଵାମୀଙ୍କ ଆଦେଶ ଓ ତାଙ୍କର ଯତ୍ନରେ ଯେତେ ଦିନ ଏଇଠି ଥିବ, ସେ ପର୍ଯ୍ୟନ୍ତ ତାର କର୍ମ କରିଚାଲିଥିବ ବୋଲି ନିଷ୍ପତ୍ତି ନେଇ ବଞ୍ଚି ରହିବ ଭାବି ଦିନ କାଟୁଥାଏ ।

ପରିସ୍ଥିତି ଯାହା ହେଉ ପ୍ରଦତ୍ତ କର୍ମ ଓ ପ୍ରଭୁ ଧ୍ୟାନରୁ ଆଉ ବିଚ୍ୟୁତ ହେବା ଠିକ୍ ନୁହେଁ ଭାବି ଉଦାସ ମନକୁ ଜୀବନର ସୋପାନରେ ଅଗ୍ରଗାମୀ ପାଇଁ ଯୁକ୍ତାତ୍ମକ ଚିନ୍ତାରେ ଖୁସିରେ ସ୍ଵାମୀଙ୍କ ସୁଖ ଦୁଃଖରେ ସାମିଲ ହୋଇ ଶାଶୁ ଘରେ ଚାଲୁଥାଏ । ଏମିତି କୋର୍ଟରେ ଏ ବିଷୟରେ ମାମଲା ରୁଜୁ ହେଲା । କୋର୍ଟରେ ଥିବା ଭବ୍ୟ ବିଚାରକମାନେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କଲେ ପ୍ରକୃତ ଘଟଣା ଅବଲୋକନ ହେଲେ ଯାଇ ଛାଡ଼ପତ୍ର ସ୍ଵୀକୃତି ହେବ ଓ ପୁନଃ ବିବାହ ସହମତି ପ୍ରଦାନ କରିବେ ବୋଲି ବିଚାରପତି କହିଲେ । ସନୁସନ୍ଧାନ ଭିତରେ ଦୁର୍ବଳ ତା କଣ ବୈଜ୍ଞାନିକ ପଦ୍ଧତି ଅନୁସରଣ କରିବା ପାଇଁ ନିର୍ଦ୍ଦେଶ ଆସିଲା । କାହିଁକି ସେ ବୋହୂ ସନ୍ତାନ ଉତ୍ପନ୍ନ ପାଇଁ କ୍ଷମତା ନାହିଁ ? ଡାକ୍ତରୀ ପରୀକ୍ଷା ଉଭୟଙ୍କରେ ହେଲେ ନିଷ୍ପତ୍ତି ନିଆଯିବ ବୋଲି ଦୃଢ ଉକ୍ତି ପ୍ରତିପାଦନ କଲେ। ସାନ ପୁଅ ଓ କୁଞ୍ଜ ମାଉସୀ ନିରୁପାୟ । ବୋହୁ ନିର୍ଦ୍ୱନ୍ଦ୍ୱରେ ପ୍ରଭୁଙ୍କୁ ବିଶ୍ୱାସ କରି ଅଛି ଯେ ସେ ନିଶ୍ଚୟ ଏ ବିପତ୍ତିରୁ ଉଦ୍ଧାର ପାଇବ । 

ଉଭୟଙ୍କୁ ସରକାରୀ ପରୀକ୍ଷାଗାରକୁ ନିଆଗଲା । ସେଠାରେ ଆଧୁନିକ ପ୍ରଣାଳୀରେ ପୁଅର ଶୁକ୍ରାଣୁ ଓ ବୋହୂର ଗର୍ଭନଳୀ ପରୀକ୍ଷା କରାଗଲା । କୁଞ୍ଜ ମାଉସୀଙ୍କ ବୋହୂ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୋହ ଭରା କଣ୍ଠରେ ସେହି ସରକାରୀ ପରୀକ୍ଷାଗାର ସାମ୍ନାରେ ଥିବା ଜଗନ୍ନାଥ ମନ୍ଦିରରେ ମୁଣ୍ଡିଆ ମାରି ପରୀକ୍ଷ ଗାରକୁ ପ୍ରବେଶ କରିଥିଲା । ଯିବା ପୂର୍ବରୁ ମନ୍ଦିର ପୂଜାରୀ ସ୍ମିତ ହାସ୍ୟ ବଦନରେ ତୁଳସୀ ପତ୍ର ସହ ପାଦୁକା ବଢାଇ କହିଥିଲେ ; ଯାଆ ମାଆ, ତୋର କିଛି ଅସୁବିଧା ହେବନାହିଁ; ତୁ ନିଶ୍ଚୟ ବିପଦରୁ ରକ୍ଷା ପାଇବୁ। ଜଗନ୍ନାଥ ଅଛନ୍ତି ପରା। ବୋହୂ ଭାବୁଥାଏ ମୋ ବିପଦ କଥା ଏ ପୂଜାରୀ ଜାଣିଲା କେମିତି? ସେ ଯାହାହେଉ, ପରୀକ୍ଷା ରିପୋର୍ଟ ଆସିଲେ ଯାଇ ମନ ମାନ ସ୍ଥିର ରହିବ । 

ସେଦିନ ସରକାରୀ ପରୀକ୍ଷାଗାରରୁ ଫେରି ଆସି ଥଲେ । କୋର୍ଟର ନିର୍ଦ୍ଧାରଣ ଦିନରେ ପୁଣି ସମସ୍ତେ ହାଜର ହେଲେ । ଶୁଣାଣି ଆରମ୍ଭ ହେଲା । ସାନ ବୋହୁ ବ୍ୟାକୁଳ ଥାଏ । ପରିଶେଷରେ ରିପୋର୍ଟ୍ ସର୍ବ ଜନ ବିଦିତ ହେଲା ବୋହୂ ଝରଣା ନିର୍ଦ୍ଦୋଷ । ତାହାର କୌଣସି ଦୁର୍ବଳତା ନାହିଁ । ଦୁର୍ବଳତା ଅଛି କୁଞ୍ଜ ମାଉସୀଙ୍କ ପୁଅ ଶରୀରରେ । ତେଣୁ ଯଦି ଛାଡ଼ପତ୍ର ପାଇଁ ଝରଣା ମନ ବଳାଇବ ତେବେ ଏ ମାମଲା ନିଆରା ଭାବେ ଉପସ୍ଥାପନ କରାଯିବ । କିନ୍ତୁ ପୁଅ ତରଫରୁ ଏ ଛାଡ଼ପତ୍ରକୁ ସ୍ଵୀକୃତି ମିଳିବ ନାହିଁ । ତେଣୁ ବିଚାରପତିମାନେ ଏହି ମାମଲାକୁ ଖାରଜ କରିବା ସହ ବିଜ୍ଞାନର ଅଗ୍ରଗତିରେ ସାମିଲ ହୋଇ ଖ୍ୟାତି ପ୍ରସିଦ୍ଧି ଲାଭ କରିଥିବା ଡାକ୍ତରଙ୍କ ସହ ପରାମର୍ଶ କରାଇ ଚିକିତ୍ସା କରାଇଲେ ସେହି ଦମ୍ପତ୍ତି ସନ୍ତାନର ଜନକ ହୋଇ ପାରିବେ ବୋଲି ଜଣାଇଥିଲେ । ଝରଣାର ଖୁସି କହିଲେ ନ ସରେ । ମନେ ମନେ ପ୍ରଭୁଙ୍କୁ ଅସରନ୍ତି କୃତଜ୍ଞତା ଦେଇ କାନ୍ଦୁଥାଏ।

କୁଞ୍ଜ ମାଉସୀ ପୁଅର ଦୋଷ ଦୁର୍ବଳତା ଜାଣି ତାଙ୍କ ପାଟିରୁ କିଛି କଥା ବାହାରୁ ନଥାଏ । ଏବଂ ପୁଅର ଭବିଷ୍ୟତ ଚିନ୍ତାରେ ବିଚାରପତିମାନେ କହିଥିବା ପନ୍ଥା ଅବଲମ୍ବନ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ।

ପୁଅ ବି ନାଚାର । ସେ ସ୍ଥିର କରିଥିଲା ଘରୋଇ ହସ୍ପିଟାଲ୍କୁ ଯାଇ ଉପଯୁକ୍ତ ଚିକିତ୍ସା କରାଇ ପିତୃତ୍ଵ ଲାଭ କରିବା ପାଇଁ । ପରବର୍ତ୍ତୀ ସମୟରେ ଝରଣାକୁ ନେଇ ହସ୍ପିଟାଲ୍ ମୁହାଁ ହୋଇଥିଲା । ଯିବା ରାସ୍ତାରେ ସେ ତା ସ୍ଵାମୀଙ୍କୁ ଅନୁରୋଧ କରିଥିଲା, ପରୀକ୍ଷାଗାରରେ ଥିବା ଜଗନ୍ନାଥ ମନ୍ଦିରକୁ ଯିବେ, ସେଠି ପ୍ରଭୁଙ୍କ ଆଶିଷ ନେଇ ଆଗାମୀ ଚିକିତ୍ସା କରାଇବେ । ସ୍ଵାମୀ ରାଜି ହେଲେ । ଦୁହେଁ ସେଠି ପହଞ୍ଚି ଥିଲେ । ମନ୍ଦିରରେ ଭୋଗ ପୂଜା ପାଇଁ ପୂଜାରୀ ଖୋଜିଲେ । କିଏ ବି ନଥିଲେ । ଅନୁସନ୍ଧାନରୁ ଜଣାଗଲା, ସେ ମନ୍ଦିରରେ ପୁଜାରୀ କିଏ ରହନ୍ତି ନାହିଁ । ସକାଳୁ ସେହି ପରୀକ୍ଷାଗାରର କର୍ମଚାରୀ ବିଷ୍ଣୁ ବାବୁ ଧୂପ ଦୀପ ଫୁଲ ଚନ୍ଦନ ଦେଇ ତାଙ୍କ କାର୍ଯ୍ୟ ଆରମ୍ଭ କରନ୍ତି । କିନ୍ତୁ ଝରଣା ଆଚମ୍ବିତ ହୋଇ ବୁଝିଲା ବେଳକୁ ଜଣାଗଲା, ତୁଳସୀ ପତ୍ର ଦେଇଥିବା ପୂଜାରୀ ସେଦିନ ଜଣେ ବାବା ଆସି ମନ୍ଦିର କାର୍ଯ୍ୟ ତୁଲାଇଥିଲେ । ତା ପରଦିନ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।

ଝରଣା ଏକଥା ଶୁଣି ବିସ୍ମିତ ହୋଇ ସେହି ମନ୍ଦିର ପ୍ରାଙ୍ଗଣରେ ବସି ପଡିଲା । ଅକଥନୀୟ କାନ୍ଦରେ ଅଜସ୍ର ଅଶ୍ରୁ ବୋହି ତା ପଣତ ଓଦା ହୋଇଯାଉଥିବା ସ୍ୱାମୀ ଲକ୍ଷ୍ୟ କରୁଥିଲେ । କାନ୍ଦିବା କାରଣ ଜଣାଇବାକୁ ଝରଣା କହିଥିଲେ ସେ ଦିନର ଆଶୀର୍ବାଦ କଥା । ଏବଂ ସେ ବିଶ୍ୱାସ କରୁଥିବା ଏବଂ ତା ଅନୁଭବରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୂଜାରୀ ରୂପରେ ଦର୍ଶନ କରିଥିବା ସ୍ୱୀକାର କରୁଥିଲା । ତା ମନ ହୃଦୟର ବ୍ୟଥା ଦୂର କରିବାକୁ ସ୍ଵୟଂ ପ୍ରଭୁ ଆସିଥିଲେ ବୋଲି ତା ପ୍ରାଣ ସ୍ୱୀକାର ନ କରି ରହିପାରୁନଥିଲା । ଛେଚି କଚାଡି ହୋଇ ସେହି ଦିବ୍ୟ କାନ୍ତି ପୂଜାରୀଙ୍କୁ ଜଗନ୍ନାଥ ରୂପେ ଖୋଜି ଖୋଜି ସ୍ଵାମୀଙ୍କ ସହ ଘରୋଇ ଚିକିତ୍ସାଳୟକୁ ଗମନ କରିଥିଲା ।


ପରବର୍ତ୍ତୀ ସମୟରେ ପ୍ରଭୁଙ୍କ ଅପାର କରୁଣା ଯୋଗୁଁ ସ୍ଵାମୀଙ୍କ ଉପଯୁକ୍ତ ଚିକିତ୍ସା ବଳରେ ଝରଣା କନ୍ୟା ସନ୍ତାନକୁ ଜନ୍ମ ଦେଇ ସବୁ ତାଡନାରୁ ବିପତ୍ତିରୁ ଉଦ୍ଧାର ପାଇଥିଲା।


କୁଞ୍ଜ ମାଉସୀଙ୍କ ଖୁସି କହିଲେ ନ ସରେ । ସେ ଲୋକଙ୍କ ଅନ୍ଧବିଶ୍ୱାସ ଓ ସେମାନଙ୍କ କଥାରେ ପଡ଼ି ନିଜ ପରିବାରକୁ ବିପଦ ମୁହାଁ କରିଥିଲେ ବୋଲି ଗ୍ଲାନିରେ ଅନୁତାପ କରିବା ସହ, ଝରଣା ମୁହଁରୁ ଅନୁଭବରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପସ୍ଥିତି ବ୍ୟାଖ୍ୟାନ ଶୁଣି ଭାବ ବିଭୋର ହୋଇ କାନ୍ଦୁଥିଲେ । ଏବଂ ଶ୍ରୀଜଗନ୍ନାଥଙ୍କୁ କୋଟି କୋଟି ଶତ କୋଟି ପ୍ରଣାମ ଜଣାଇ ନାତୁଣୀର ନାମକୁ ଶ୍ରଦ୍ଧାରେ ଚକାନୟନ ବୋଲି ଦେଇ ଥିଲେ । ସାହି ପଡିଶା ଲୋକଙ୍କ ମୁହଁ ବନ୍ଦ କରିବାକୁ ଯାଇ ପ୍ରତି ଘରେ ମିଷ୍ଟାନ୍ନ ବଣ୍ଟନ କରି ଭଗବାନଙ୍କ ସତ୍ୟ ନାରାୟଣ ପୂଜା ଆନନ୍ଦର ସହ କରିଥିଲେ।


~~~~~~~~~~~~~


ଜୟ ଶ୍ରୀଜଗନ୍ନାଥ



Rate this content
Log in

Similar oriya story from Inspirational