Sambit Srikumar

Inspirational

4.0  

Sambit Srikumar

Inspirational

ଅନନ୍ୟା

ଅନନ୍ୟା

5 mins
671



ଯେଉଁମାନେ ସ୍ରୋତରେ ଭାସି ଯାଆନ୍ତି ସେମାନେ ସାଧାରଣ ମଣିଷ। ଯେଉଁମାନେ ସ୍ରୋତର ପ୍ରବାହ ଠାରୁ ଆଗରେ ରୁହନ୍ତି ସେମାନେ ବିଜୟୀ ହୁଅନ୍ତି। କିନ୍ତୁ ଯେଉଁ କେତେକ ସ୍ରୋତର ପ୍ରତିକୂଳରେ ଯାଆନ୍ତି, ସେଥିରୁ ଅଧିକାଂଶ ଅସଫଳ ହୁଅନ୍ତି ସେଥିପାଇଁ ସେମାନଙ୍କୁ ଏହି ଦୁନିଆଁ ପାଗଳ ବୋଲି କହେ। ମାତ୍ର ସେଇମାନେ ଯେବେ ନିଜ ସଂଘର୍ଷରେ ନିଷ୍ଠା ରଖି ଲକ୍ଷ୍ଯ ସ୍ଥଳରେ ପହଞ୍ଚି ଯାଆନ୍ତି, ସେତେ ବେଳେ ସଭିଏଁ ତାହାଙ୍କ ଗୁଣ ଗାନ କରନ୍ତି। ଆଞ୍ଜୁଳା ଆଞ୍ଜୁଳା ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ହୁଅନ୍ତି। ଜୀବନ୍ତ କିମ୍ବଦନ୍ତୀ ପାଲୋଟି ଯାଆନ୍ତି!

ଏମିତି ଏକ କିମ୍ବଦନ୍ତୀ କନ୍ୟା ହେଉଛନ୍ତି ଅନନ୍ୟା! ଅନନ୍ୟା ପ୍ରିୟଦର୍ଶିନୀ, ଆଇ. ଏ. ଏସ୍. ଥାର୍ଡ୍ ଟପ୍ପର। ନିହାତି ସାଧାରଣ ପରିବାରରେ ଜନ୍ମ। ମାତ୍ର ଅସାଧାରଣ ଧିଶକ୍ତି ସମ୍ପନ୍ନ ଏହି ତରୁଣୀ ହାସଲ କରିଛନ୍ତି ବିରଳ କୃତିତ୍ବ ଯାହା ସମସ୍ତଙ୍କ ପାଇଁ ଏକ ଆହ୍ଵାନ। ନିରକ୍ଷର ରିକ୍ସା ଚାଳକ ବାପା ସୁଦାମା ଓ ମାଆ ହୀରାମଣିଙ୍କ ଏକମାତ୍ର କନ୍ୟା ଅନନ୍ୟା। ଘରେ ଶିକ୍ଷାର ପରିବେଶ ଆଦୌ ନଥାଇ ମଧ୍ୟ ନିଜର କଠୋର ଅଧ୍ୟବସାୟ ଏବଂ ନିଷ୍ଠା ବଳରେ ଆଜି ଅସାଧ୍ୟ ପ୍ରାୟ କାର୍ଯ୍ୟକୁ ଅନାୟସରେ ସଂପନ୍ନ କରି ପାରିଛନ୍ତି ଅନନ୍ୟା।

ଆମର ଏଇ ପୁରୁଷ ପ୍ରଧାନ ସମାଜର ଗତାନୁଗତିକ ମାନସିକତା ଏହା ଯେ, କେବଳ ପୁତ୍ର ସନ୍ତାନର ହିଁ ସବୁ କିଛି କରିବାର ସାମର୍ଥ୍ୟ ରହିଛି। କନ୍ଯା ସନ୍ତାନଟି ଦୁନିଆଁର ଆଲୋକ ଦେଖିବାର ସୁଯୋଗ ଓ ସୌଭାଗ୍ଯ ଲାଭ କରିପାରିଲେ ବଡ଼ କଥା। ଶାକ୍ତ ଉପାସନାର ଏଇ ପାବନ ଭୂମି ଭାରତବର୍ଷରେ କେତେ ଯେ କନ୍ଯା ଭୃଣ ମାତୃଗର୍ଭରୁ ହିଁ ଉଭାନ୍ ହୋଇ ଯାଇଛନ୍ତି ତାହାର ସଠିକ୍ ହିସାବ କେହି ରଖିନଥିବେ। ଅନେକ ମହିଳା ନିଜକୁ ତଥାକଥିତ ନାରୀବାଦୀ ବୋଲାଇ ପୁରୁଷ ସମାଜକୁ କେବଳ ସମାଲୋଚନା କରି ନିଜର ସ୍ଥିତିକୁ ସୁଦୃଢ଼ କରୁଥିବା ବେଳେ ଏମିତି କିଞ୍ଚିତ୍ କନ୍ୟା ଅଛନ୍ତି ଯେଉଁମାନେ କି ନିଜର ପ୍ରତିଭାର ପରାକାଷ୍ଠା ପ୍ରଦର୍ଶନ କରି ନିଜ ପାଇଁ ସ୍ୱକୀୟ ପରିଚୟ ସୃଷ୍ଟି କରିପାରିଛନ୍ତି।

ଏହି ପୃଷ୍ଠଭୂମିରେ ଅନନ୍ୟାଙ୍କ ଅନନ୍ଯ କୃତିତ୍ବ ବେଶ୍ ମହତ୍ତ୍ବପୂର୍ଣ୍ଣ। ଝିଅମାନେ ଯେ ପୁଅମାନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି ତାହାର ଏକ ଜ୍ବଳନ୍ତ ଉଦାହରଣ। ବିଭିନ୍ନ କ୍ଷେତ୍ରରେ ଅନଗ୍ରସର ନବରଙ୍ଗପୁରର ନିପଟ ମଫସଲର ଝିଅଟିଏ ଅନନ୍ୟା। ଘରର ଆର୍ଥିକ ଅବସ୍ଥା ଶୋଚନୀୟ। ବାପା ସୁଦାମା ରିକ୍ସା ଚଲାନ୍ତି। ସବୁଦିନେ ରୋଜଗାର ମିଳେ ନାହିଁ। ଦିଓଳି ଦୁଇମୁଠା ଖାଇବା ପାଇଁ ଯୋଗାଡ଼ କରିବା ମଧ୍ଯ ବେଳେ ବେଳେ କଷ୍ଟକର ହୋଇଥାଏ ତାଙ୍କର ପରିବାର ଲାଗି। ଅନାବାଦୀ ଗୋଚର ଜାଗାରେ ଗଢ଼ିଥିବା ନୁଆଁଣିଆ ଚାଳ ଛପର କୁଡିଆଟିଏ ହିଁ ତିନି ଜଣଙ୍କର ଆଶ୍ରୟସ୍ଥଳୀ ଖରା ବର୍ଷା ଶୀତରୁ ତ୍ରାହି ପାଇବା ପାଇଁ। ଏହା ହିଁ ସେମାନଙ୍କର ସ୍ୱର୍ଗ।

ଗାଁକୁ ଯିବା ପାଇଁ ସବୁଦିନିଆ ରାସ୍ତାଟିଏ ମଧ୍ଯ ନାହିଁ। ଗାଁରୁ ସ୍କୁଲ ବହୁତ ଦୂର। ଯିବାକୁ ହୁଏ କୁନି ପାଦରେ ଚାଲି ଚାଲି ସବୁଦିନ। ବର୍ଷା ଦିନେ ଆଣ୍ଠୁଏ କାଦୁଅ ଭରା ରାସ୍ତା ଚାଲିବା ସହ ବିପଦ ସଙ୍କୁଳ ଭାବେ ନଦୀ ପାର ହେବାକୁ ବି ପଡ଼େ। ପିଲା ସ୍କୁଲରେ ଯାଇ ପାଠ ପଢିବା ବାପାମାଆଙ୍କ ଚିନ୍ତା ନୁହେଁ ବରଂ ମଧ୍ୟାହ୍ନ ଭୋଜନ ଗଣ୍ଡାଏ ମିଳିବା ଆଶାରେ ଏଠି ପିଲାଏଁ ଯାଆନ୍ତି ସ୍କୁଲକୁ। କେବେ କେବେ ଚାଉଳ ଓ ଅଣ୍ଡା ମିଳିଥାଏ, ସେଥିରେ ପୁରା ପରିବାର ଚଳିଯାଏ କିଛି ଦିନ।

ସରକାରୀ ନିଯୁକ୍ତି ପ୍ରାପ୍ତ ମାଷ୍ଟର ତ ନଥାନ୍ତି ସେଠି, ସେମାନେ ତ କର୍ମସ୍ଥଳୀ ଠାରୁ ଢେର୍ ଦୂରରେ ନିଜ ଘରେ ସମୟ ଅତିବାହିତ କରନ୍ତି। ଚାଷବାସ ସହ ବ୍ୟାବସାୟିକ କାର୍ଯ୍ୟରେ ନିୟୋଜିତ କରିଥାନ୍ତି ନିଜକୁ। ସେମାନଙ୍କ ଦ୍ଵାରା ନିଯୁକ୍ତ ଭଡାଟିଆ ଦରପାଠୁଆ ଅଧାପାଠୁଆ ମାଷ୍ଟରମାନେ ପାଠପଢ଼ା କାର୍ଯ୍ୟ ସଂପାଦନ କରିଥାନ୍ତି କୋମଳମତି ଶିଶୁଙ୍କୁ। ଘଣ୍ଟାଏ ଦି ଘଣ୍ଟା ମଧ୍ୟରେ ର..ଠ.. କରି ଯାହା ପଢାଇ ଦେଲେ କାମ ଖତମ। ମାସ ଶେଷକୁ ଅସଲି ମାଷ୍ଟର ଆସିବେ ଦରମା ଉଠାଇବା ପାଇଁ। ନିଜ ଦରମା ପାଇ ସାରିବା ପରେ କିଛି ଅର୍ଥ ଭଡାଟିଆ ମାଷ୍ଟରଙ୍କୁ ଦେଇ ଦେଲେ, ଏମାନେ ବି ନିଷ୍ଠାର ସହ କାମ କରିବେ ମାସ ସାରା। ଏଥିରୁ ଶିକ୍ଷାର ଗୁଣାତ୍ମକ ମାନ ସହଜେ ଅନୁମେୟ! ଶିକ୍ଷା ବିଭାଗ କି ସ୍ଥାନୀୟ ପ୍ରଶାସନ କାହାର ବି ନିଘା ନାହିଁ ଏଥି ପ୍ରତି।

ଯୁଗେ ଯୁଗେ ପ୍ରତିକୂଳ ପରିସ୍ଥିତିରେ ହିଁ ପ୍ରକୃତ ପ୍ରତିଭାର ବିକାଶ ସଂଘଟିତ ହୋଇଥାଏ। ମୁଷ୍ଠିମେୟ ଏକନିଷ୍ଠ ସାଧକ ନିଜର କଠୋର ସାଧନା ବଳରେ ଇତିହାସର ମୋଡ଼ ବଦଳାଇ ଦେଇଥାନ୍ତି। ନାନାଦି ବାଧାବିଘ୍ନ ଭିତରେ ପ୍ରତିଭା ଆପଣାର ଲକ୍ଷ୍ୟ ଆପେ ଆପେ ନିର୍ବାଚନ କରିନିଏ ବିନା କୌଣସି ବିଜ୍ଞାପନ ପ୍ରଦର୍ଶନରେ। ନା କାହାରିକୁ ନିଜ ପରିସ୍ଥିତି ପାଇଁ ନିନ୍ଦେ ନା କାହାର ହାତଟେକା ସାହାଯ୍ୟର ଅପେକ୍ଷା କରେ ପ୍ରତିଭା। ତୁଳସୀ ଦୁଇପତ୍ରରୁ ବାସେ! ପ୍ରତିଭାଧାରୀମାନେ ଖୁବ୍ ଛୋଟ ବେଳୁ ଦେଖାଇ ଥାଆନ୍ତି ନିଆରାପଣ ଏହା ନିର୍ବିବାଦୀୟ ସତ୍ୟ।

ଠିକ୍ ସେହିପରି ଅନନ୍ୟା ପିଲାଟି ଦିନରୁ ହିଁ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ସ୍କୁଲରେ ପାଠପଢା ସହ ଖେଳକୁଦ, ବକ୍ତୃତା, ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ। ସମୟ କ୍ରମେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳିଥିଲା କିନ୍ତୁ ଏଠି ସେହି ଚିରାଚରିତ ପ୍ରୀୟାପ୍ରୀତି ତୋଷଣର ରୀତିରେ ଅବହେଳିତ ହୋଇ ରହିଯାଏ ପ୍ରତିଭା। କତିପୟ ତୋଷାମଦକାରୀ ପରପଦ ଲେହନକାରୀ ଅମେରୁଦଣ୍ଡୀ ବ୍ଯକ୍ତିବିଶେଷ ପ୍ରଭାବଶାଳୀ ବଡବଡିଆଙ୍କ ପିଲାମାନଙ୍କୁ ବିଜୟୀ ଘୋଷିତ କରାନ୍ତି ବିଭିନ୍ନ ପ୍ରତିଯୋଗିତାରେ। ଏହି ପ୍ରକ୍ରିୟାରେ ପ୍ରତିଭାଧାରୀମାନଙ୍କୁ ଉପେକ୍ଷା କରାଯାଏ ରୀତିମତ ବର୍ଷ ବର୍ଷ ଧରି। ଅନେକେ ଭାଙ୍ଗି ପଡ଼ନ୍ତି ନିରାଶାରେ। ପୁନର୍ବାର ପ୍ରତିଯୋଗିତା କରିବା ପାଇଁ ସାହାସ ଓ ଧୈର୍ଯ୍ୟ ଜୁଟାଇ ପାରନ୍ତି ନାହିଁ ସହଜରେ। ସୂତରାଂ ହଜି ଯାଆନ୍ତି ଉପେକ୍ଷାର ଅଥଳ ଗର୍ଭରେ।

ମାତ୍ର ଉତ୍କର୍ଷତାର ବିଲୟ ନାହିଁ। ଇତିହାସ ପୃଷ୍ଠାରେ ଅନେକ କାହାଣୀ ରହିଛି। ଚିର ଅବହେଳିତ ପ୍ରତିଭାଧାରୀଙ୍କ ପ୍ରସଂଶାରେ ଶତମୁଖ ସବୁକାଳର ଇତିହାସ। ମାତ୍ର ସେମାନଙ୍କ ଜୀବନ ଯାତ୍ରାର କାହାଣୀ ବେଶ୍ ସଂଘର୍ଷମୟ ଏବଂ ରୋମାଞ୍ଚକର। ଯେବେ ଯାଏଁ ସଂଘର୍ଷ କରୁଥିବେ ସମାଜରେ ଜଣେ କେହି ବି ହାନିଲାଭ ବୁଝନ୍ତି ନାହିଁ। କିନ୍ତୁ ଯଦି ପରବର୍ତ୍ତୀ ସମୟରେ ସାଫଲ୍ୟ ମଣ୍ଡିତ ହୁଅନ୍ତି ତେବେ ସଭିଏଁ ଆପଣାର କରିନିଅନ୍ତି। ଅନନ୍ୟା ବା ଏହି ଧାରାରୁ ବ୍ଯତିକ୍ରମ ହୋଇଥାନ୍ତେ କିପରି?

ତମାମ ବାଧାବିଘ୍ନ ସତ୍ତ୍ୱେ ଜବାହର ନବୋଦୟ ବିଦ୍ୟାଳୟ ହିଁ ତାଙ୍କ ପ୍ରତିଭା ସ୍ଫୁରଣରେ ବିଶେଷ ଭାବରେ ସହାୟକ ହୋଇଥିଲା। ଏଇଠୁ ହିଁ ଆରମ୍ଭ ହୋଇଥିଲା ପ୍ରତିଭାର ଜୟଯାତ୍ରା। କିନ୍ତୁ ଏହି ରାସ୍ତା ଏତେ ସରଳ ଓ ସୁଗମ ନଥିଲା। ଅଖ୍ଯାତ ପଲ୍ଲୀରୁ ସଂଘ ରାଜଧାନୀ ନୂଆଦିଲ୍ଲୀର ରାସ୍ତା ବେଶ୍ କଣ୍ଟକିତ ଥିଲା। ବେଳେ ବେଳେ ଲାଗୁଥିଲା ଯେମିତି ଆଉ ନୁହେଁ କିନ୍ତୁ ଜୀବନ ଯୁଦ୍ଧରେ ଏତେ ବାଟ ଆଗେଇ ଆସିବା ପରେ, ବାପାମାଆଙ୍କ ବିକଳ ମୁହଁକୁ ଚାହିଁ ପଛକୁ ଫେରି ଚାହିଁବା ସମ୍ଭବପର ନଥିଲା। ସେହି ନିରକ୍ଷର ପିତାମାତା ହିଁ ଥିଲେ ଅନନ୍ୟାଙ୍କ ପାଇଁ ଆଗ୍ନେୟ ପ୍ରେରଣାର ଉତ୍ସ।

ବାଲ୍ଯକାଳରୁ ନିଜ ଅଞ୍ଚଳର ଅନଗ୍ରସରତାକୁ ନେଇ ବ୍ଯଥିତ ଥିବା ଅନନ୍ୟା ସ୍ୱପ୍ନ ଦେଖିଥିଲେ ପ୍ରଶାସିକାଟିଏ ହେବା ପାଇଁ। ଯଦ୍ୱାରା ନିଜ ଅଞ୍ଚଳର ବିକାଶ ସାଧନ କରିପାରିବେ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି ପରି ଅତ୍ୟାବଶ୍ୟକ ସେବାରୁ କେହି ବି ବଞ୍ଚିତ ହେବେ ନାହିଁ। ଅନାହାର ଅଶିକ୍ଷା କୁସଂସ୍କାର ଅନ୍ଧବିଶ୍ୱାସ ହେତୁ କାହାରି ଜୀବନ ହାନି ହେବ ନାହିଁ। ଏମିତି ଅସୁମାରି ସ୍ୱପ୍ନ ତାଙ୍କର ସ୍ୱପ୍ନ ପ୍ରବଣ ଆଖିରେ ଉଙ୍କିମାରୁଥିଲା। ସେହି ସ୍ୱପ୍ନ ସବୁ ତାଙ୍କୁ ଜୀବନ ରଣଭୂମିରେ ପଛଘୁଞ୍ଚା ନଦେବାକୁ ଏକରକମ ବାଧ୍ୟ କରୁଥିଲା।

ସ୍କୁଲ କଲେଜରେ ପଢୁଥିବା ବେଳେ ମିଳୁଥିବା ମେଧାବୃତ୍ତିକୁ ପାଥେୟ କରି ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ ଅନନ୍ୟା। ଏହି ଅର୍ଥରାଶି ପର୍ଯ୍ୟାପ୍ତ ନଥିଲା ଏକ ବୃହତ ସଫଳତା ହାସଲ ଲାଗି। ଏଣୁ ଅବସର ସମୟରେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟରତ ସ୍ଵୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇ ସିଲେଇ କରି କିଛି ରୋଜଗାର କରୁଥିଲେ। ଯେଉଁମାନେ ନିଜେ ନିଜକୁ ସାହାଯ୍ୟ କରନ୍ତି ଭଗବାନ ସେମାନଙ୍କୁ ସାହାଯ୍ୟ କରାଇବାକୁ ଆଗେଇ ଆସନ୍ତି। ଠିକ୍ ସେହିପରି ଭାବେ ଘଟିଥିଲା ଅନନ୍ୟାଙ୍କ ସହିତ। ମଣି କାଞ୍ଚନ ସଂଯୋଗ ସମ ଘଟଣା!

ଅନନ୍ୟାଙ୍କ ପାଠପଢ଼ାରେ ଥିବା ଗଭୀର ନିଷ୍ଠା ଦେଖି ତାଙ୍କୁ ସହଯୋଗର ହାତ ବଢାଇଥିଲେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟରତ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ସଂଚାଳିକା ନନ୍ଦିନୀ ଦେବୀ। ପଥ ପ୍ରଦର୍ଶୀକାର ଭୂମିକାରେ ଅବତୀର୍ଣ୍ଣ ହୋଇ ତାଙ୍କ ସ୍ୱପ୍ନ ସାକାର କରିବା ପାଇଁ ଖସଡା ପ୍ରସ୍ତୁତ କରିଥିଲେ। ସଠିକ୍ ମାର୍ଗଦର୍ଶନ ପ୍ରଦାନ କରିଥିଲେ ସେ ଅନନ୍ୟାଙ୍କ କ୍ୟାରିୟର ଗଢିବାରେ, ସୁତରାଂ ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।ତାଙ୍କ ପାଇଁ ଦିଲ୍ଲୀରେ ରହି ଆଇ.ଏ.ଏସ୍. କୋଚିଙ୍ଗ୍ ନେବାର ଉତ୍ତମ ବ୍ୟବସ୍ଥା କରାଇ ଦେଇଥିଲେ ନନ୍ଦିନୀ ଦେବୀ।

କଠୋର ପରିଶ୍ରମ ସମ୍ମୁଖରେ କାଳେ କାଳେ ବାଧାବିଘ୍ନ ହାର ମାନେ। ବାଧାବିଘ୍ନ ହାରିଗଲେ ସଫଳତା ହାସଲ ହୋଇଥାଏ। ଏହା ହିଁ ଯୁଗ ଧର୍ମ। ସଂଘୀୟ ଲୋକ ସେବା ଆୟୋଗ ଦ୍ଵାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ଥର ହାତରେ ଲାଗିଥିଲା ବିଫଳତା ଅଭିଜ୍ଞତାର ଅଭାବରୁ। ମାତ୍ର ଭାଙ୍ଗି ପଡିନଥିଲେ ଅନନ୍ୟା। ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବା ସହିତ ଗଭୀର ଆତ୍ମପ୍ରତ୍ୟୟ ଦ୍ୱିତୀୟ ବାର ପରୀକ୍ଷା ଦେଇଥିଲେ ଏବଂ ଏହି ପ୍ରୟାସରେ ଅଧିକାର କରିଥିଲେ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ।

ଏହିପରି ଅନେକ ପ୍ରତିଭା ବଣମଲ୍ଲୀ ପରି ଅକାଳରେ ଝରିପଡନ୍ତି ବଣମୂଲକରେ ସମସ୍ତଙ୍କର ଅଲକ୍ଷ୍ୟରେ ଅବହେଳାର ଶିକାର ହୋଇ। କିନ୍ତୁ ଯେଉଁ କେତେ ଜଣ ସ୍ରୋତର ପ୍ରତିକୂଳରେ ଯାଇ ସାଫଲ୍ୟ ମଣ୍ଡିତ ହୁଅନ୍ତି ସେମାନେ ଅନନ୍ୟାଙ୍କ ପରି କିମ୍ବଦନ୍ତୀ ପାଲୋଟି ଯାଆନ୍ତି। ଅନନ୍ୟାଙ୍କ କାହାଣୀ କଣ କୌଣସି ଚମତ୍କାର ଠୁଁ କମ୍ କି? କେବଳ ଭାଗ୍ୟ ଓ ଭାଗବାନଙ୍କ ସାହାରାରେ ବସି ଗଲେ ହେବ ନାହିଁ। ଚମତ୍କାର ପାଇଁ କଠୋର ଅଧ୍ୟବସାୟ ଓ ନିଷ୍ଠା ନିତାନ୍ତ ଆବଶ୍ୟକ!! ବିଭୁ କୃପା ତ ଆପଣା ଛାଏଁ ପ୍ରାପ୍ତ ହୋଇ ଯାଏ...



Rate this content
Log in

Similar oriya story from Inspirational