ଅଲକ୍ଷଣୀ
ଅଲକ୍ଷଣୀ
"ମାଉସୀ! ବହୁତ ବହୁତ ଶୁଭେଚ୍ଛା.... ଘରକୁ ଲକ୍ଷ୍ମୀ ଆସିଛନ୍ତି। ସେ ବି ଗୁରୁବାର ଦିନ।" କହି କହି ଲେବର୍ ରୁମ୍ ଭିତରୁ ବାହାରି ଆସିଲେ ନର୍ସ ଦିଦି। ଏପଟେ ଏ ଖବର ଶୁଣି ସବିତା ଦେବୀଙ୍କ ମୁହଁ ଆମ୍ୱୁଲ ଖାଇଲା ଭଳିଆ ହୋଇଗଲା।
ମନେ ମନେ ଭାବୁଥିଲେ, "ଲକ୍ଷ୍ମୀ ନା ଚୋପା! ଦୁଇଟା ଅସୁରୁଣୀ ଆଗରୁ ଥିଲେ ଏଇଟା ପୁଣି ଆସିଲା ମୋ ପୁଅକୁ ଆହୁରି ଝୁଣିବ। ହେ ଭଗବାନେ! ସତରେ କ'ଣ ମୋ ପୁଅ ତାର ବଂଶ ରକ୍ଷା ପାଇଁ ପୁତ୍ର ସନ୍ତାନଟିଏ ପାଇବନି? ଏ ରାକ୍ଷାସୁଣୀ ଗୁଡ଼ା ଖାଲି ବଂଉଶ ବୁଡ଼େଇବାର ପ୍ରଥମ ଈଶାରା କି ଆଉ!
କି ଯୋଗରେ ବାହା କରିଥିଲି ଲୋ ମା.... ମୋ ପୁଅକୁ କୁଳନନ୍ଦନଟାଏ ବି ମିଳିବନି?"
ଏତିକି ଭାବୁ ଭାବୁ କେତେବେଳେ ନର୍ସ ଦିଦି ଛୁଆକୁ ଆଣି ତାଙ୍କ ହାତରେ ଟେକି ଦେଇ ମୁହଁଦେଖା ବକ୍ସିସ୍ ମାଗୁଥିଲେ। "ମାଉସୀ! ଦେଖିଲ ଦେଖିଲ ତୁମ ନାତୁଣୀ ପୁରା ଚମ୍ପା କଢ଼ି ଭଳିଆ ହେଇନି? ଦିଅ ହଜାରେ। ଆମର ମିଠା ଖାଇବା ଖରଚ।"
ମୁହଁ ମୋଡ଼ି ଦେଇ କହିଲେ ସବିତା ଦେବୀ, " ଯାଆଲୋ! ମରିଯାଉନି ଖାଲି ମୁଁ.... ଏଗୁଡ଼ା ବଂଉଶଖାଇ। ଚମ୍ପା କଢ଼ି ନା ଚମ୍ପେଈ ନେଉଳ ଗୁଡ଼ା। ହୁଁ!"
ଏଥରକ କିନ୍ତୁ ଆଉ ଭୁଲ୍ ହବନି। ସତରେ ଗୋଟାଏ ଭଲ ତାନ୍ତ୍ରିକ ବାବା ଦେଖି ବଡ଼ ପୂଜାଟାଏ ନ କରିଲେ ହବନି। ଏ କ'ଣ ଖାଲି ଗୋଟାଏ ପରେ ଗୋଟାଏ ରାକ୍ଷାସୁଣୀ ମୋ ଘରକୁ ଆସିଲେଣି। ଏ ଅଲକ୍ଷଣୀଟା କି ବେଳାକଳାରେ ମୋ ଘରେ ପାଦ ଦେଇଥିଲା କେଜାଣି! ଆସିବାର ଦୁଇ ମାସରେ ଶ୍ୱଶୁରଙ୍କୁ ଖାଇଲା। ଅବିକା ମୋ ପୁଅ ମୁଣ୍ଡରେ ଖାଲି ଝୁଅ ବୋଝ ନଦି ଚାଲିଲାଣି।" ଏସବୁ ଶୁଣି ହସ୍ପିଟାଲ ଖଟ ଉପରେ ଅଧା ହୋସରେ ପଡ଼ିଥିବା ସୁକାନ୍ତିଙ୍କ ଆଖିରୁ ଲୁହ ବନ୍ଧବାଡ଼ ମାନୁ ନ ଥାଏ। କ'ଣ ବା କରିବେ? ଏ କ'ଣ କାହା ହାତର କଥା? ଛୁଆ ଝିଅ ହେବ କି ପୁଅ ସେ ତ ଭଗବାନଙ୍କ ଇଚ୍ଛା। ତାଛଡ଼ା ନିଜେ ଗୋଟିଏ ଝିଅ ହୋଇ ଶାଶୁ ଏମିତି କେମିତି କହି ପାରୁଛନ୍ତି? ଝିଅମାନେ ତାଙ୍କ ବ୍ୟବସ୍ଥା କରିକି ଆସନ୍ତି। ସେମାନେ କାଇଁ ବୋଝ ହେବେ? କାଇଁ ନିଜ ଝିଅର ପରା ଛଅଟା ଝିଅ। କେବେ ତ ଏମିତି ସେମାନଙ୍କ ପାଇଁ ବିଷ ଓଗାଳି ନାହାନ୍ତି। ଓଲଟା ଗଣି ଗଣି କରି ଶାମ୍ବ ଦଶମୀ ଦିନ ଡାଲା ସଜେଇ ପୂଜା କରନ୍ତି। ମୋ ଛୁଆମାନେ କ'ଣ ତାଙ୍କର ଦୋଷ କରିଛନ୍ତି? ଛାଡ଼! ସବୁ କପାଳ ଲିଖନ।" ଏମିତି ଅନେକ କଥା ଭାବୁଥାଆନ୍ତି ସୁକାନ୍ତି। ଘରକୁ ଯିବା ଦିନ ଆସିଲାରୁ ଶାଶୁଙ୍କୁ ତାଙ୍କ ସ୍ବାମୀଙ୍କୁ ଈଶାରା କରୁଥିବାର ଦେଖିଲେ। ସନ୍ଦେହ ଯେଉଁ ମନରେ ଥିଲା, ସେଇଟା ସତ ବୋଲି ପ୍ରମାଣିତ ହୋଇଗଲା, ଯେତେବେଳେ ସ୍ୱାମୀ ତାଙ୍କର ଝିଅକୁ ଘରକୁ ନ ନେଇ ପାଖ ଅନାଥାଶ୍ରମରେ ଛାଡ଼ି ଯିବା କଥା କହିଲେ। ସୁକାନ୍ତି ମନେମନେ ଭାବୁଥାନ୍ତି, "ଦଶ ମାସ ଗର୍ଭରେ ଧରି କଷ୍ଟ ସହି ଛୁଆଟିକୁ ଜନ୍ମ ଦେଲି କ'ଣ, ତାକୁ ଏମିତି ଫୋପାଡ଼ି ଦେବାକୁ?ତାଙ୍କ ଶାଶୁ ଆଉ ସ୍ୱାମୀ କ'ଣ ପାଗଳ ହୋଇଯାଇଛନ୍ତି ନା କ'ଣ? ହେ ଜଗନ୍ନାଥ! ସଦବୁଦ୍ଧି ଦିଅ। ଏ କଳିଯୁଗରେ ଆଉ ତ୍ରାହି ନାହିଁ।" ସୁକାନ୍ତି କ'ଣ କିଛି କହିବା ଆଗରୁ ନର୍ସ ଦିଦି ପେନ୍ କିଲର୍ କହି କ'ଣ ଗୋଟେ ଇଞ୍ଜେକ୍ସନ ଫୋଡ଼ି ଦେଇ ଚାଲିଗଲେ। ଆଉ ଛୁଆକୁ ତାଙ୍କ କୋଳରୁ ଉଠେଇ ନେଇ ତାଙ୍କ ଶାଶୁଙ୍କ ହାତକୁ ବଢ଼େଇ ଦେଲେ। ସୁକାନ୍ତିଙ୍କୁ ବୁଝିବାକୁ ବାକି ରହିଲା ନାହିଁ ଯେ, ଏ ନର୍ସ ଦିଦି ମଧ୍ୟ ପଇସା ଲୋଭରେ ବିକ୍ରି ହୋଇଯାଇଛି। ଝିଅକୁ ଧରି ବାହାରକୁ ଚାଲିଗଲେ ଶାଶୁ। ଏପଟେ ସ୍ୱାମୀଙ୍କୁ ବାରଣ କରି ସୁକାନ୍ତି କହିଲେ, "ଦେଖ! ଛୁଆଟା ଜମାରୁ ୪ ଦିନର। ସେ ପୁଣି ଗୁରୁବାର ଦିନ ଜନ୍ମ। ସତରେ ଲକ୍ଷ୍ମୀ ଛାଡ଼ି ଯିବେ ଆମ ଘରୁ। ଏ ଅନ୍ୟାୟ କରନି".... ପାଟିରୁ କଥା ନ ସରୁଣୁ ସୁକାନ୍ତି ବେହୋସ୍ ହୋଇଗଲେ। ଏପଟେ ଗାଡ଼ି ଭଡ଼ା କରି ସବୁ କାଗଜପତ୍ର କାମ ସାରି ସବିତା ଦେବୀ, ସୁକୁମାର ବାବୁ ଛୁଆକୁ ନେଇ ଅନାଥାଶ୍ରମରେ ଛାଡ଼ି ଫେରି ଆସୁଥିବା ସମୟରେ ଟ୍ରକ୍ ଧକ୍କା ଦେଲା। ଉଭୟ ମାଆ ପୁଅ ରାସ୍ତା କଡ଼ରେ ଛିଟିକି ପଡ଼ି ଛଟପଟ ହେଉଥାଆନ୍ତି। ଆମ୍ବୁଲାନ୍ସରେ ହସ୍ପିଟାଲ ଯିବା ସମୟରେ ସବିତା ଦେବୀ ପୁଅକୁ ନିଶ୍ଚଳ ହୋଇଯିବାର ଦେଖି ବେହୋସ୍ ହୋଇ ଗଲେ। ଚେତା ଫେରିଲା ବେଳକୁ ଦୁଇମାସ ହୋଇଗଲାଣି, ପୁଅକୁ ଖୋଜିଲେ ଯେ, ସାମ୍ନାରେ ଧଳା ଶାଢ଼ୀ ପିନ୍ଧି ସୁକାନ୍ତି ଛିଡ଼ା ହୋଇ ଲୁହ ଗଡ଼େଇ ପଦୁଟିଏ କହିଲେ, "ବୋଉ! ଘରକୁ ଲକ୍ଷ୍ମୀ ଆସିଥିଲେ ବୋଲି ମୋର ହଜାର ବାରଣ ସତ୍ତ୍ୱେ ଆପଣ ଆଉ ଆପଣଙ୍କ ପୁଅ ସେ ଲକ୍ଷ୍ମୀକୁ ହତାଦର କରିଲେ। ଆଜି ମୁଁ ସତରେ ହତଲକ୍ଷ୍ମୀ ହୋଇଗଲି।" ସବିତା ଦେବୀ ବୋହୂ ମୁହଁକୁ ଚାହିଁ ଲୁହ ଗଡ଼େଇ ଚାଲିଥିଲେ, ମନେ ମନେ ନିଜର ଅକ୍ଷମଣୀୟ ଅପରାଧ ପାଇଁ ନିଜକୁ ଭର୍ତ୍ସନା କରି....ll
