Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Madhumita Mishra

Inspirational

5.0  

Madhumita Mishra

Inspirational

ଅଲିଭା ରଙ୍ଗ

ଅଲିଭା ରଙ୍ଗ

6 mins
566


 

       ସପନି ବହୁ ସମୟରେ ମା ଉପରେ ରାଗେ। କଣ ଏମିତି ଲୁଚି ରହିଛି କି ସେ ନାଲି ରଙ୍ଗରେ? ତାକୁ ଟିକେ ଛୁଇଁବାକୁ ବି ଦଉନି ତା ମା? ହାତ ନ ପାଇଲା ପରି ଉପରକୁ ଉଠାଇ ରଖି ଦେଉଛି..ଆରେ ସେ ବି ତ ଟିକେ ସେ ରଙ୍ଗକୁ ଦେଖିବାକୁ ଚାହେଁ..ଛୁଇଁବାକୁ ଚାହେଁ.. ଲଗେଇବାକୁ ବି..ଚାହେଁ.. ସପନି ଲୋଭିଲା ଆଖିରେ ଚାହେଁ..କିନ୍ତୁ..


      ଅପହଞ୍ଚ କରି ରଖିଥାଏ ସପନିର ମା ସେଇ ନାଲି ରଙ୍ଗକୁ..ସପନିଠୁ ବହୁତ ଦୂରରେ..ଯେମିତି ସପନି ଚାହିଁଲେ ବି ହାତ ଲଗେଇ ପାରିବନି ସେ ରଙ୍ଗକୁ..କେବେ ମଧ୍ୟ ଛୁଇଁ ପାରିବନି ସେ ନାଲି ରଙ୍ଗ ସପନି କୁ..


       ସପନି ଦେଖେ..ତା ମା ସେ ରଙ୍ଗକୁ ଲଗାଏ..ସବୁ ରାତିରେ..।ହେଲେ ଏତେ ସୁନ୍ଦର ରଙ୍ଗ ମା ରାତିରେ କାହିଁକି ଯେ ଲଗାଏ ଦିନସାରା ଲଗେଇଲେ ସମସ୍ତେ ଦେଖିଥାନ୍ତେ ନା ରାତିରେ ଲଗେଇଲେ କିଏ ବା ତାକୁ ଦେଖିବ ଏତେ ସୁନ୍ଦର ରଙ୍ଗକୁ ଦିନ ଆଲୁଅରେ ନ ଲଗେଇ ରାତି ଅନ୍ଧାରରେ ଲଗେଇବା କଣ ଦରକାର ଭାବି ଦିନେ ସେ ପଚାରି ଦେଇଥିଲା ମା' କୁ.."ତୁ ଦିନରେ କାହିଁକି ସେ ରଙ୍ଗ ଲଗାଉନୁ ଖାଲି ରାତିରେ ଲଗାଉଛୁ କେତେ ସୁନ୍ଦର ଦିଶୁଛୁ ତୁ ସେ ରଙ୍ଗ ଲଗେଇଲେ.. କହ କାହିଁକି ଦିନରେ ସୁନ୍ଦର ଦିଶିବାକୁ ଲଗଉନୁ ବାଘୁଣୀ ପରି ଗର୍ଜି ଉଠି ରାଗି ଯାଇ ମା ସେଦିନ ସପନିକୁ ଭଲ ରୂପେ ପାଟି କରି ନିଷ୍ପତ୍ତି ଶୁଣେଇ ଦେଇଥିଲା..ଆଉ ଦିନେ ସେ ରଙ୍ଗ ବିଷୟ ନିଜ ପାଟିରେ ନ ଧରିବାକୁ.


       ଯେଉଁ ବିଷୟ ମନା କରାଯାଇଥାଏ..ତାହା କରିବାକୁ ମଣିଷକୁ ବହୁତ ଇଚ୍ଛା ହେଇଥାଏ.. ସପନିକୁ ବା କିପରି ସେ ଇଚ୍ଛା ନ ହୁଅନ୍ତା ସେ ଗାଢ଼ ନାଲି ରଙ୍ଗ ପଛରେ ତା ମନ ମଧ୍ୟ ପକ୍ଷୀରାଜ ଘୋଡା ଚଢି ଉଡି ଯାଉଥିଲା..। ହେଲେ ମା ଯେଉଁ ନିଷିଦ୍ଧ ଇଲାକାରେ ପଶିଯାଏ..ସପନି ସେ ପରିଧି ଭିତରକୁ ଯାଇ ପାରୁ ନ ଥିଲା..କି ସେ ରଙ୍ଗକୁ ଛୁଇଁ ପାରୁ ନଥିଲା..ଖାଲି ଦୂରରୁ ଦେଖି ମନ ମାରି ଥରେ ଥରେ ଭାବି ଦେଉଥିଲା ସେ ନାଲି ରଙ୍ଗ ବିଷୟରେ..


        ଦିନେ ସପନି ଲକ୍ଷ୍ୟକଲା ତା ମା' ପରି ସେ ବସ୍ତିର ପ୍ରାୟ ସବୁ ସ୍ତ୍ରୀଲୋକ ସେପରି ଗାଢ଼ ନାଲି ରଙ୍ଗ ଲଗାଉଛନ୍ତି..ଠିକ୍ ସେମିତି..ରାତିରେ...ଅନ୍ଧାରରେ...ଆଶ୍ଚର୍ଯ୍ୟ ହେଲା ସପନି କିନ୍ତୁ ସେ ଜାଣେ ମା' ଯଦି ନ ଦିଏ ଦୁନିଆରେ ତା ପ୍ରଶ୍ନର ଉତ୍ତର ଆଉ କିଏ ଦେଇ ପାରିବେନି..ତେଣୁ ସେ ଉତ୍ତର ପାଇବାକୁ ଚେଷ୍ଟା ବି କଲାନି..। କିନ୍ତୁ ପ୍ରଶ୍ନ କଣ ଉତ୍ତର ନ ପାଇଲେ ଆସିବା ବନ୍ଦ କରିଦିଏ କି


        ସବୁ ପ୍ରଶ୍ନର ଉତ୍ତର ଦେବା ସମ୍ଭବ ନୁହେଁ..ସବୁ ପ୍ରଶ୍ନର ଉତ୍ତର ମଧ୍ୟ ନ ଥାଏ...କିଛି ଅଛିଣ୍ଡା ପ୍ରଶ୍ନ ଉତ୍ତର ଖୋଜୁ ଖୋଜୁ ନିଜ ଜାଲରେ ଏପରି ଛନ୍ଦି ହୋଇଯାଇ ଥାଆନ୍ତି ଯେ..ଉତ୍ତର ସବୁଦିନ ପାଇଁ ନିରୁତ୍ତର ହୋଇ ରହିଯାଇ ଥାଏ।


        ଦିନ ସାରା ମୂଲିଆ ପରି କାମ କରି ଝାଳରେ ଗୋଟାପଣ ଭିଜି ଯାଉଥିବା ବସ୍ତିର ସ୍ତ୍ରୀଲୋକମାନେ ରାତି ହେଲେ ସେ ନାଲି ରଙ୍ଗ ଲଗେଇ ଦେବୀ ପରି କାହିଁକି ଯେ ଦିଶନ୍ତି ସପନି କେବେ ବୁଝି ପାରେନି..। ତା ମା' ତାକୁ କହିଛି..ସେ କାଳେ ତା ମା ' ର ସପନ ଆଉ ସେଥିପାଇଁ ତା ନାଁ ସପନି..। ବାପର ପରିଚୟ ସେ କେବେ ମାଗିନି କି ତା ମା କେବେ ମଧ୍ୟ ତାକୁ ଦେଇନି। ଏକାକିନୀ ସ୍ତ୍ରୀ ଲୋକଟିଏ କିପରି ନିଜ ସନ୍ତାନକୁ ମଣିଷ କରେ ତାହା କେବଳ ସେ ହିଁ ଜାଣିପାରେ। ଏତେ ପ୍ରକାର କର୍ମ ସଂସ୍ଥାନ ଥାଇ ମଧ୍ୟ ବେଳେବେଳେ ମଣିଷ ନିଜ ଇଚ୍ଛା ବିରୁଦ୍ଧରେ ଜୀବିକା ନିର୍ବାହ ପାଇଁ କିଛି କର୍ମ ଆପଣେଇବାକୁ ପଡ଼ିଥାଏ। କିନ୍ତୁ ସେ କର୍ମ କିମ୍ବା ସେ ବନ୍ଧନ କେବେ ମଧ୍ୟ ମଣିଷର ଅନ୍ତରକୁ ସ୍ପର୍ଶ କରି ପାରି ନ ଥାଏ। ଏତେ ଅଭାବ ଅନାଟନ ଭିତରେ ରହି ମଧ୍ୟ ସପନି ର ମା କେବେ ସ୍ବପ୍ନ ଦେଖିବା ଛାଡ଼ି ନ ଥିଲା। ସ୍ବପ୍ନ ହିଁ ତ ମଣିଷ ର ସେହି ଆୟୁଧ ଯାହା ସତ୍ୟ ର କଟୁତା ସହ ଲଢ଼ିବା ପାଇଁ ଶକ୍ତି ପ୍ରଦାନ କରିଥାଏ। ସପାନି ମା' ର ମଧ୍ୟ ଗୋଟିଏ ହିଁ ଇଚ୍ଛା ଥିଲା..କିପରି ତା ଝିଅ ପାଠ ପଢି ମଣିଷ ହେଉ..ଦୁନିଆରେ ମୁଣ୍ଡ ଟେକି ଖୁସିରେ ବଞ୍ଚୁ.. ପଙ୍କିଳ ଦୁର୍ଗନ୍ଧ ମଧ୍ୟ ତା କନ୍ୟା ରୂପକ ସରୋଜକୁ ସ୍ପର୍ଶ ନ କରୁ..ତା ମହକ ଦୁନିଆକୁ ମହକେଇ ଦେଉ..ତା ଜୀବନ ପାଖୁଡ଼ା ଉପରେ କେବେ ମଧ୍ୟ ଛିଟିକା ନ ପଡୁ..। ମା ର ଦୃଢ଼ ବିଶ୍ୱାସ ଓ ତ୍ୟାଗ ସପନି କୁ ମଜଭୁତ କରୁଥିଲା। ଏଣୁ ଧୀରେ ଧୀରେ ସେ ମଧ୍ୟ ସେହି ରଙ୍ଗ ଉପରେ ଆଉ ଧ୍ୟାନ ଦେବାକୁ ପସନ୍ଦ କରୁନି..। ବସ୍ତି ର ଅନ୍ୟ ଝିଅମାନେ ସମୟ ନଷ୍ଟ କରି ଗପସପ ଓ ବୁଲାବୁଲି ରେ ବ୍ୟସ୍ତ ରହିବା ବେଳେ ସେଥିରୁ ବ୍ୟତିକ୍ରମ ହୋଇ ସପନି ସୁନ୍ଦର ଭାବେ ପଢ଼ାପଢ଼ି ଆଉ ଘରକାମ ରେ ମନ ଦେଉଛି। ତଥାପି..ଇଚ୍ଛା ତ କେବେ ବନ୍ଧବାଡ ମାନେନି ନା..ସେ ନାଲି ରଙ୍ଗଟା ପ୍ରତି ତା ଦୁର୍ବଳତା ମଧ୍ୟ ସତରେ ବୋଲ ମାନୁ ନଥାଏ..


       ଦିନେ ବାହାରେ ଅନବରତ ବର୍ଷା ଲାଗି ରହିଥାଏ..। ମଝିରେ ମଝିରେ ବିଜୁଳି ସହ ଘଡଘଡି ଦେହ ମନ ଥରାଇ ଦେଉଥାଏ.. ସପନି ମା ନାଲି ରଙ୍ଗ ଲଗେଇ ବାହାରକୁ ଚାଲି ଯାଇଥାଏ। ଏତେ ବର୍ଷା ରାତିରେ..ଏତେ ଭୟାନକ ସମୟରେ ମା ବିନା ଘରଟା ତାକୁ ବହୁତ୍ ଖାଲି ଖାଲି ଲାଗୁଥାଏ। ଏକ ଉପନ୍ୟାସ ପଢି ସପନି ନିଜକୁ ବ୍ୟସ୍ତ ରଖିଲା। କିନ୍ତୁ.. କାହିଁକି କେଜାଣି ଅମାନିଆ ମନ ତାର ତା ଆୟତ୍ତରେ ରହିଲାନି ଆଉ ହାତ ବଢାଇ ଟାଣି ଆଣିଲା ସେ ରଙ୍ଗକୁ ଚାଳ ଉପରୁ..।ଆଖି ତାର ଉଜ୍ଜ୍ୱଳ ହୋଇ ଉଠିଲା। ଏ ରଙ୍ଗ ଏତେ ଉପରେ ଥିଲା..ଆଉ ଆଜି ତା ହାତ ପାହାନ୍ତାରେ...ସେ ବଡ଼ ହୋଇଗଲାଣି..ଅଳ୍ପ ହସି ଆସ୍ତେକିନା ବୋଳି ଦେଲା ଓଠ ଉପରେ.. । ଇସ୍..କି ସୁନ୍ଦର ନିଜ ଆଖିକୁ ବିଶ୍ୱାସ କରି ପାରିଲାନି ସପନି.। ତା ଭିତରେ ଏତେ ସୌନ୍ଦର୍ଯ୍ୟ ଭରି ରହିଛି ତାକୁ ଲାଗୁଥିଲା ସେ ନିଜକୁ ନୂଆ କରି ପ୍ରଥମ ଥର ପାଇଁ ଦେଖୁଛି...। ବର୍ଷା ଅଳ୍ପ କମି ଯାଇଥାଏ।ବାହାରେ ସବୁଦିନ ପରି କେତେ ଚିହ୍ନା ଅଚିହ୍ନା ମୁହଁ ଏପଟ ସେପଟ ହେଉଥିଲେ।ସେ ବସ୍ତି ରାତିରେ ଚଳଚଞ୍ଚଳ ହୋଇ ରହିଥାଏ। ସପନିକୁ ନିଦ ଆସୁ ନ ଥାଏ।। ଉତ୍କଣ୍ଠାରେ ଝରକା ଦେଇ ସେ ବାହାରକୁ ଚାହିଁଲା..ସବୁଦିନେ ଏମିତି ଚାହେଁ..। ହେଲେ ସେଦିନ ସେ ସେଇ ନାଲି ରଙ୍ଗ ଲଗେଇ ପୋଛିବାକୁ ଭୁଲି ଯାଇଥିଲା..ଯିବା ଆସିବା କେତେ ଆଖି ଝରକା ଭିତରକୁ ଲୋଭିଲା ଆଖିରେ ଦେଖି ଦେଇଥିଲେ ସେଦିନ


       ତା ପରଦିନ ସକାଳେ..ସପନିର ମା ବାହୁନି ବହୁନି କାନ୍ଦୁଥିଲା.।ପାଖ ସ୍ତ୍ରୀଲୋକମାନେ ତାକୁ ବୁଝାଉଥିଲେ..। ଏହା ତ ସେମାନଙ୍କ କପାଳ ଲିଖନ..। ଏହି ପରିସ୍ଥିତିରୁ ବଞ୍ଚିବା କଣ ସମ୍ଭବ କେତେଦିନ ଆଉ ସେ ସୂର୍ଯ୍ୟକୁ ଅଣ୍ଟିରେ ବାନ୍ଧି ରଖି ପାରନ୍ତା ପଙ୍କରୁ ପଦ୍ମ ତୋଳିବା ସ୍ବପ୍ନ ତାର ସେ ନାଲି ରଙ୍ଗ ଛଡେଇ ନେଇ ଯାଇଥିଲା..। ଅଜାଣତରେ ଅନ୍ୟମନସ୍କଭାବେ ଅଥବା ଅତିଶୟ ଉତ୍କଣ୍ଠିତ ହୋଇ ଯିବା ଫଳରେ ସେଇ ଗୋଟିଏ ଭୁଲ୍..ଗୋଟିଏ ଜୀବନ ନଷ୍ଟ କରିଦେବା ପାଇଁ ଯଥେଷ୍ଟ ଥିଲା..ଅବଶ୍ୟ ଅନାମଧେୟ ରେଡ୍ ଲାଇଟ୍ ବସ୍ତିରେ ଏଇଟା କିଛି ନୂଆ କଥା ନ ଥିଲା.। ଏମିତି କେତେ ସୁନେଲି ସ୍ବପ୍ନ ସମୟ ଵିତିବା ସହିତ ସେ ରଙ୍ଗର ଗାଢ଼ ଦାଗ ତଳେ ଦଳି ହୋଇଯାଇଛନ୍ତି। ଆଉ ଏଥିରେ ନୂଆ କଥା ସତରେ କିଛି ନ ଥିଲା..। କିନ୍ତୁ ସେଦିନ ସନ୍ଧ୍ୟା ହୋଇଯିବା ପରେ ଯେତେବେଳେ ମା ନିଜେ ସେଇ ନାଲି ରଙ୍ଗକୁ ଓଠରେ ଲଗେଇବା ପାଇଁ ଆଣି ସପନିକୁ ଦେଲା..ସେଇଟା ଏକଦମ୍ ଏକ ନୂଆ କଥା ଥିଲା


        ସପନି ଏଥର କାହିଁକି କେଜାଣି ଭାରି ଡରି ଯାଇଥିଲା ସେ ରଙ୍ଗକୁ..। ମଣିଷ ପ୍ରକୃତି ହିଁ ଏଇୟା।ଯାହା କରିବାକୁ ମନା କରାଯିବ ତାହା କରିବାକୁ ଚେଷ୍ଟା ଚାଲିଥିବା କିନ୍ତୁ ଯାହା କରିବାକୁ କୁହା ଯିବ ମନ ତା ଠାରୁ ଦୂରେଇ ଯିବାକୁ ଚହିବ..ଯେଉଁ ନାଲି ରଙ୍ଗ ଛୁଇଁବାକୁ ସେ ବିକଳ ହୋଇଥିଲା ସେ ନାଲି ରଙ୍ଗ ଧରିବାକୁ ହାତ ବଢାଇ ପାରୁ ନଥିଲା..। ମା ମୁହଁକୁ କେବଳ ବଲବଲ କରି ଚାହୁଁଥିଲା।କିନ୍ତୁ ମା କୁ କିଛି କହିପାରୁ ନ ଥିଲା। ଗତକାଲି ସେଇ ରଙ୍ଗକୁ ହାତ ଲଗେଇ ଓଠ ଲଗେଇ ସେ ଯେ ଭୁଲ୍ କରିଥିଲା। ଆଉ ମା ଏଥର ଯାହା କହିବ ସେ ପ୍ରତିବାଦ କେମିତି କରିବ ଥରିଲା ହାତରେ ସେ ରଙ୍ଗ ଧରିବାକୁ ହାତ ବଢ଼ାଇବା ବେଳେ ହଠାତ୍ କିନ୍ତୁ କଣ ଭାବି ତା ମା ସେ ରଙ୍ଗକୁ ଫୋପାଡି ଦେଇ ସପନି ହାତରେ ହଜାରେ ଟଙ୍କା ଧରାଇ ଦେଲା. "ଯାଃ..ଏଇଠୁ ଦୂରକୁ ଚାଲି ଯା..ଦୁନିଆର ଯେଉଁ କୋଣରେ ପାରିବୁ ଲୁଚି ଯା...କିନ୍ତୁ.ଆଉ ଫେରି ଆସିବୁନି କେବେ ଏ ବସ୍ତିକୁ....ଯାଃ.. ଚାଲିଯା.." କହି ସପନିକୁ ଘରପଛ ରାସ୍ତାରେ ଦୂରକୁ ଠେଲିଦେଲା.. ଆଉ ନିଜେ ଘର କବାଟ କିଳୀ ଦେଇ ପାହାଡ ପରି ଦାଣ୍ଡ ଦୁଆରକୁ ଆଉଜି ରହିଲା.. ସପନି ମଧ୍ୟ ଦୌଡିଲା..ନିଜ ସମସ୍ତ ଶକ୍ତି ଲଗେଇ ଦେଇ..ଏକ ନିଃଶ୍ୱାସରେ...ଏକ ମୁହାଁ ହୋଇ...ଆଗକୁ..ଆଗକୁ.


        ଆଉ ଦୀର୍ଘ ଦଶ ବର୍ଷ ପରେ..


       ସ୍ବପ୍ନା ମାଡ଼ମ ଆସିଛନ୍ତି ନିଷିଦ୍ଧ ରେଡ୍ ଲାଇଟ୍ ଅଞ୍ଚଳକୁ..। ସେଇଠି ପଶୁପରି ବଞ୍ଚୁଥିବା କିଛି ପ୍ରାଣକୁ ବଞ୍ଚିବା ଶିଖେଇ ଦେବାକୁ ସେ ଅଣ୍ଟା ଭିଡିଛନ୍ତି..ଦୁନିଆ ସମାଜ ସବୁ ବଦଳି ଯାଇଛି। କିନ୍ତୁ କିଛିଟା ମାନସିକତା ଏତେ ସହଜରେ ବଦଳି ପାରେନା । ରାତିର ଅନ୍ଧାର କେତେ ସ୍ବପ୍ନକୁ ହଜେଇ ଦିଏ ସେକଥା ବନ୍ଦ କରିବା ପାଇଁ ରାସ୍ତା ପାଇବା ଏତେ ସହଜସାଧ୍ୟ ନୁହେଁ। ମଣିଷ ଯାହା ବୁଝିଥାଏ ଠିକ୍ ସେତିକି ଉପରେ ବିଶ୍ୱାସ କରି ଜୀବନ ବଞ୍ଚିବା କଣ ସହଜେ ଗ୍ରହଣୀୟ ଏସବୁ କାରବାର ବାଧ୍ୟ ବାଧକତାରେ ଆଉ ହେଉନାହିଁ..। କିନ୍ତୁ ବସ୍ତି ବାସିନ୍ଦାମାନେ ତଥାପି ମଧ୍ୟ ସେଇ ଅନ୍ଧେରି ଗଳିର ପୂତିଗନ୍ଧମୟ ପରିବେଶ ଭିତରେ କେତେ ବଣମଲ୍ଲୀ ତାଙ୍କ ବାସ ଚହଟେଇ ପାରନ୍ତିନି ସେକଥା ଭାବି ତାଙ୍କ ରାତିର ନିଦ ହଜିଯାଇଛି। ଆଜି ମଧ୍ୟ ନାରୀ ଶିକ୍ଷା ବହୁ ଦୂରରେ.. ଗଣୀକାର ସନ୍ତାନ ମଧ୍ୟ ସେହି ଏକା ଘୃଣ୍ୟ ଜୀବିକା କୁ ନିଜର କରିବା ପାଇଁ ଏକ ରକମ ବାଧ୍ୟ ହୋଇଯାଉଥିବା ଦେଖି ସେମାନଙ୍କ ଜୀବନଶୈଳୀରେ କିପରି ଉନ୍ନତି ହେବ ତାହା ହିଁ ତ ତାଙ୍କ ଉଦ୍ଦେଶ୍ୟ..ବସ୍ତି ବାସିନ୍ଦା ମାନଙ୍କୁ ଡାକି ତାଙ୍କ ମହିଳା ମୋର୍ଚ୍ଚା ଏକଜୁଟ କରାଇବାରେ ଲାଗିଥିଲା.. ।


         ମହିଳା ସଶକ୍ତିକରଣ ଓ ବେଶ୍ୟାବୃତ୍ତି ନିବାରଣର ନେତୃତ୍ୱ ନେଉଥିବା ସ୍ବପ୍ନା ହଠାତ୍ ଅଟକି ଯାଇଥିଲେ ଏକ କୁଡ଼ିଆ ଆଗରେ.।.ଭିତରେ ବୃଦ୍ଧା ମହିଳା ଜଣେ ବସିଥିଲେ..।ବଞ୍ଚିବା ଆଶା ବୋଧେ ତାଙ୍କର ଆଉ ନ ଥିଲା।କିନ୍ତୁ ଜୀବନ କାହାରି ଅନୁମତିରେ ଚାଲେନା..ଆଉ ମୃତ୍ୟୁ..!!ସେ କଣ କେବେ କାହାରି ଆମନ୍ତ୍ରଣ ଶୁଣି ଆସିଯାଏ କି..!!?? ଜୀବନ ତା ନିଜ ବାଟରେ ଚାଲିଥାଏ।ଆଣ୍ଠୁ ଭିତରେ ଲୁଚାଇ ରଖିଥିବା ମୁହଁ ସତେ ଯେମିତି ସବୁଦିନ ପାଇଁ କିଛି ଅକୁହା ବେଦନାରେ ତଳମୂହାଁ ହୋଇଯାଇଛି।କାହାରି ପଦଶବ୍ଦ ଶୁଣି ସେ ଉପରକୁ ମୁହଁ ଉଠାଇ ଦେଖିଲେ..ଆଉ ଆଖିରେ ଆଖି ମିଶେଇ ଦେବାରୁ କାହିଁକି କେଜାଣି କାନ୍ଦି ଉଠିଲେ..। ତାଙ୍କ ସାମ୍ନାରେ ସ୍ବପ୍ନା ମାଡମ ଆଣ୍ଠୁମାଡ଼ି ବସି କଣ ସବୁ ଭାବି କାହିଁକି ଏତେ କୋହରେ କାନ୍ଦୁଥିଲେ ସେକଥା କିନ୍ତୁ କେହି ଜାଣି ପାରିଲେନି


      କିଛି ସମୟ ପରେ ସମସ୍ତେ ଦେଖିଲେ..ଜୀର୍ଣସୀର୍ଣ୍ଣ ସେ ବୃଦ୍ଧା ଜଣକ..ଯେ ନିଜ ଶରୀର ଭାର ନିଜେ ଉଠାଇବାକୁ ଅସମର୍ଥ ଦେଖା ଯାଉଥିଲେ..ସେ ଶତସିଂହର ବଳ ପାଇ ହଠାତ୍ ଉଠିପଡି ଥରିଲା ହାତରେ ନିଜ ଚାଳ ଉପରୁ ଏକ ନାଲି ରଙ୍ଗର ଲିପଷ୍ଟିକ ବାହାର କରି ଦୂରକୁ..ବହୁ ଦୂରକୁ ଫୋପାଡ଼ି ଦେଲେ...। ଜୀବନର ସମସ୍ତ ଶକ୍ତି..ସମସ୍ତ ପ୍ରତୀକ୍ଷା..ସମସ୍ତ ତପସ୍ୟା ର ସାଇତା ବଳକୁ ଏକାଠି କରି...ଯେପରି ..ଆଉ କେହି କେବେ ତାକୁ ପାଇ ପାରିବନି


       ଏଥର କିନ୍ତୁ ସେ ହସିଲେ..। ମନ ଖୋଲା ତୃପ୍ତିପୂର୍ଣ୍ଣ ହସ.. ମମତାମୟ ସଫଳତା ପୂର୍ଣ୍ଣ ହସ..ଏକ ଶୃଙ୍ଖଳରୁ ମୁକ୍ତ ହେବାର ଆନନ୍ଦମୟ ହସ..ଏକ ମୁକ୍ତ ବିହଂଗର ମୁକ୍ତାକାଶ ରେ ଡେଣା ମେଲାଇ ଯିବା ସମୟର ହୃଦୟ ନିଃସୃତ ହସ..ଏକ ନବଜାତ ଶୈଶବ ମୁଖରେ ଥିବା କର୍ତ୍ତବ୍ୟ ରହିତ ଦୈବୀ ହସ..ଦୀର୍ଘ ସମର ଅନ୍ତରେ ଶତ୍ରୁ ବିଜୟ ପରେ ରଣାଙ୍ଗନରେ ବିଜୟୀ ସୈନିକର ହସ..ସେ ହସ..ଯାହା ସେ କେବେ ହସି ନ ଥିଲେ..ହସିଲେ..ସେ ରଙ୍ଗହୀନ ଓଠରେ..। ସମୟ ଯାହାର ଆର୍ଦ୍ରତା ଶୋଷି ନେଇଥିଲା କିନ୍ତୁ ତାହାର ନମନୀୟତା ଆଉ ମହାନତା ହସି ନେବାର ଦକ୍ଷତା କାହାରି ନ ଥିଲା..। ସେ ହସିଲେ ଏପରି ଏକ ଆକର୍ଷଣୀୟ ଚିନ୍ତାମୁକ୍ତ ହସ..ଯାହା ଦିଶୁଥିଲା ଅପୂର୍ବ..ଅନନ୍ୟ..ଅବର୍ଣ୍ଣନୀୟ..। କାରଣ. ବାଧ୍ୟବାଧକତାର କାଳିମା ମୟ ପାଶବିକତା ର କୌଣସି ନାଲି ରଙ୍ଗ ନୁହେଁ ..ବରଂ ଶୁଦ୍ଧ ଅପରାଜିତ ବିଶ୍ୱାସ ପରିପୂର୍ଣ୍ଣ ମାତୃପ୍ରେମ ର ଅଲିଭା ରଙ୍ଗ ସେଥିରେ ବୋଳି ହୋଇ ଯାଇଥିଲା.



Rate this content
Log in

More oriya story from Madhumita Mishra

Similar oriya story from Inspirational