STORYMIRROR

Siddhartha Sankar Tripathy

Abstract Tragedy Others

3  

Siddhartha Sankar Tripathy

Abstract Tragedy Others

ଅଜାଗା ଘା

ଅଜାଗା ଘା

4 mins
239


ଏକବିଂଶ ଶତାବ୍ଦୀରେ ଆମେ । ସବୁଠି ଆଧୁନିକତାର ଛାପ। ସବୁ ଅଜାଗା ଘା। 


ସ୍ମାର୍ଟ ସିଟି ଭୁବନେଶ୍ବର। ଟିକେ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି। 

ଅପରାହ୍ନ ସମୟ, ଅଫିସରୁ ବିରତିନେଇ ରାଜମହଲ ଛକରେ ଠିଆହୋଇଛି ମୋ କ୍ୱାର୍ଟରକୁ ଯିବାପାଇଁ। 

ଅବିରତ ବାରିଧାରାର ପ୍ରଭାବ ରାଜଧାନୀର ଭିଡ ଉପରେ ପଡେ ନାହିଁ। ଲମ୍ବା ଧାଡି, ବୋଧେ କେଉଁ ମନ୍ତ୍ରୀଙ୍କ ଗାଡି ଯିବାର ଅଛି। ଟମାଟ ଓ କଳାପତକା ଭୟରେ ରାସ୍ତା ଜାମ୍। 


ଲେଖିବାର ଖୋରାକ ଆଶାରେ ଫୁଟପାଥରେ ଠିଆହୋଇ ଲକ୍ଷ୍ୟ କରୁଛି ଭିଡକୁ। ଆରପଟକୁ ଯିବା ସମ୍ଭବ ନୁହଁ। 


ହଠାତ୍......


୧୩,୧୪ ବର୍ଷର ଝିଅଟିଏ ଚିକ୍କାର କରୁଥିଲା ଆଜିର ତାଜା ଖବର, ଅଲମ୍ପିକରେ ପି. ଭି .ସିନ୍ଧୁଙ୍କ ବ୍ରୋଞ୍ଜ ପଦକ ହାସଲ। ଶୀଘ୍ର ନେଇଯାଆନ୍ତୁ ....


ମାତ୍ର ତିନିଟଙ୍କା....


ତାକୁ ଅନୁସରଣ କରୁଥିବା ସ୍ତ୍ରୀଲୋକଟି ହାତରେ ଫୁଲମାଳ, ଏବଂ ତା' ପଛରେ ମଇଳା ଗାମୁଛା ପିନ୍ଧା, ଭୟଙ୍କର ଦେଖାଯାଉଥିବା ମଧ୍ୟବୟସ୍କ ଲୋକଟି ମୁଣ୍ଡରେ ଜରିବସ୍ତା ଧରି ଚାଲୁଥିଲା। ଲାଗୁଥିଲା ତିନିହେଁ ଗୋଟିଏ ପରିବାରର। 


ଏବେ ମୋତେ ଖବରକାଗଜ ବଢେଇ ଝିଅଟି କହୁଥିଲା, ବାବୁ ! ମାତ୍ର ତିନିଟଙ୍କା, ଭାରତକୁ.....'

' ବ୍ରୋଞ୍ଜ ମେଡାଲ ମିଳିଗଲା, ନୁହଁ ?' ହସିହସି ପଦ ପୂରଣ କରୁଥିଲି ମୁଁ । ଲେଖକ ଲୋକ। ଦୁଃଖିର ମୁହଁରେ ହସ ଫୁଟେଇବାରେ ବେଶ୍ ଅଭ୍ୟସ୍ତ। ଏଇ ଝିଅକୁ ମୁଁ ଅନେକ ଥର ଭେଟିଛି ଏଇ ସ୍ଥାନରେ, ଏଇ ସମୟରେ। ଖବରଟିକୁ ବିସ୍ତାରରେ ଚିଲ୍ଲେଇ ଚିଲ୍ଲେଇ ଖବରକାଗଜ ବିକ୍ରିକରେ। 


କିନ୍ତୁ ମୋ କଥାରେ ହସିବା ପରିବର୍ତ୍ତେ ଛିଣ୍ଡା ଜାମାରେ ଆଖିଉପରେ ପଡୁଥିବା ପାଣିକୁ ପୋଛୁଥିଲା ନିର୍ବିକାର ଭାବରେ ।


ମୁଁ ପଚାରିଲି କେତେ ବିକ୍ରିକଲୁ ଆଉ ବଳକା କେତେ ଅଛି ? ଝିଅଟି କହିଲା , ନବେ ଟଙ୍କାର, ଆଉ ତିନିଟା ସରିଗଲେ ମୋତେ ତିରିଶିଟଙ୍କା ମିଳିବ। 


ପକେଟରୁ କୋଡିଏ ଟଙ୍କା ବଢେଇ କହିଲି ସବୁ ଦେଇଦେ। 

ଏଇତକ ଶୁଣି ଝିଅଟି ଓଠରେ ପତଳା ହାସ୍ୟରେଖାଟିଏ ଉକୁଟିଉଠିଲା। ମୋଠାରୁ ଟଙ୍କା ନେଇ ସେ ଚାଲିଗଲା। ଦେଢଶହ କୋଟି ଡନସଂଖ୍ୟାରେ ଗୋଟିଏ ବ୍ରୋଞ୍ଜ ମେଡାଲ। ନେତାଠୁ ଟୋକାଏ ପାଗଳ। ଆଉ କାହାକଥା କ'ଣ କହିବି, ପ୍ରତ୍ୟହପାଲା ଦେଖୁଥିବା ଆମ ଗାଆଁର ଭାସ୍କରବାବୁ ଅଲମ୍ପିକ ଉପରେ ପ୍ରତ୍ୟହ ଆଲୋଚନା କରନ୍ତି ତାପୁଣି ଗାଆଁବାଲାଙ୍କୁ ଚାହାପିଆଇ। ଇଏ ପୁଣି ଗୋଟେ ତାଜା ଖବର। ଧେତ୍। 


ଓଦା ଖବରକାଗଜ ସେଇଠି ଫୋପାଡି ବସାକୁ ଚାଲିଗଲି।


ସବୁଦିନ ଅଫିସ କାମସାରି ଚାଲିଚାଲି ଫେରେ ମୁଁ। ଟିକେ ଚାଲିଲେ ଥକ୍କା ଲାଗି ଶାନ୍ତିରେ ନିଦ ହୁଏ । ସେହିଦିନ ଠାରୁ ମୋ ଆଖି ସେ ଝିଅକୁ ଖୋଜୁଛି କିନ୍ତୁ ପାଉନାହିଁ। ମନରେ ବହୁତ ସଂଶୟ। ଝିଅଟିର ଦେହ ଖରାପ ହେଲା ନା ରାଜଧାନୀ ଛାଡି ଚାଲିଗଲା। 


ଅଜଣା, ଅଶୁଣା ଛୋଟ ଗରୀବ ଝିଅଟି, ଅଥଚ ମୋର ଏତେ ଆତ୍ମିୟତା କାହିଁକି ? ହଁ ! ଅଜାଗା ଘା ! ଝିଅଟି ଖବରକାଗଜ ନେଇ ଚାଲେନାହିଁ, ଏକ ପ୍ରକାର ଦୌଡେ। 


ତିନିଚାରିମାସ ବିତିଗଲା। ଥରେ ହଠାତ୍ ଝିଅଟି ରାସ୍ତାରେ ଦେଖାଦେଲା। ତା ଦେହରେ ପତଳା ଚିକମିକ୍ ଆଧୁନିକ ଜାମା, ପାଦରେ ହାଇହିଲ୍, ହାତରେ ଆପଲ ମୋବାଇଲ। ସମ୍ପୁର୍ଣ୍ଣ ପରିବର୍ତ୍ତିତ ରୂପ। ସୁନ୍ଦର, ସୁସଜ୍ଜିତ କେଶରାଶୀ। 


ଅପ୍ରତ୍ୟାଶିତ ପରିବର୍ତ୍ତିତ ରୂପ ଦେଖି ଆକାଶରୁ ଖସିପଡିଲି ମୁଁ। ଏହା କିପରି ସମ୍ଭବ ହେଲା ? ଲୋଭେଇ ଗଲି ମୁଁ। ସ୍ୱତଃ ମୁହଁରୁ ବାହାରିଗଲା, ' ଝିଅ ଟିକେ ଶୁଣିଲୁ ? '

ଅଟକିଗଲା ଝିଅଟି। କଥାବାର୍ତ୍ତାର ଶୈଳୀରେ ବି ଅଦ୍ଭୁତ ପରିବର୍ତ୍ତନ। ଝିଅଟି କହିଲା, ଆଜ୍ଞା ମୁଁ କାହାର ଝିଅନୁହଁ। ମୁଁ ସେଦିନର ପେପରୱାଲି ନୁହଁ ।ମୁଁ ମିସ୍ ମାଳବିକା । ମୋର ପରିଚୟ ହେଲା ' ବିୟୁଟି ଡିଜାଇନର ଏଣ୍ଡ.... । ' 

ମୋର ବିସ୍ମିତ, ସନ୍ଦେହସୂଚକ ପ୍ରଶ୍ନକୁ ଆଡେଇଯାଇ ଝିଅଟି ,ଓଃ ନା ନା ମିସ୍ ମାଳବିକା ହାତକୁ କାର୍ଡଟିଏ ବଢେଇଦେଇ କହିଲା ମୁଁ ବର୍ତ୍ତମାନ ବ୍ୟସ୍ତ ଅଛି, ଏଥିରେ ମୋ ମୋବାଇଲ ନମ୍ବର ଅଛି ଚାହିଁଲେ ରାତିରେ କଲ୍ କରି କଥା ହୋଇପାରନ୍ତି। ଆଜି ରାତି ମୁଁ ଫ୍ରି ଅଛି। 


କ୍ଷିପ୍ରଗତିରେ ଚାଲିଗଲା ମାଳବିକା। କାର୍ଡଟିରେ ସୁଗନ୍ଧ ଅତରର ବାସ୍ନା। ଆଜି ଆକାଶ ଫର୍ଚ୍ଚା ଥିଲା। ସୁଲୁସୁଲିଆ ବାଆ ସାଙ୍ଗକୁ କାର୍ଡର ବାସ୍ନା ବାତାବରଣକୁ ସ୍ପର୍ଶ କରୁଥିଲା। ଅଣାୟତ ମନକୁ ଆକଣ୍ଠ ପାନକରି ମୁଁ ବସାକୁ ଫେରିଲି। 


ଦପ୍ତର କାର୍ଯ୍ୟରେ ମନୋନିବେଶ କରିବାକୁ ଚେଷ୍ଟାକରୁକରୁ ମାଳବିକାର ଚେହେରା ସାମ୍ନାରେ ନାଚିଉଠିଲା। କାର୍ଡରୁ ନମ୍ବର ବାହାର କରି ଫୋନ୍ କଲି। 


ହ୍ୟାଲୋ.....


ସେପଟରୁ ମାଳବିକାର ପ୍ରଶ୍ନ ,   

 

  ' କିଏ ? '


ମୁଁ ସିଦ୍ଧାର୍ଥ ବାବୁ। 


ବର୍ଷଣ ମୁଖର ସଂଧ୍ୟା....


ଖବରକାଗଜ.....


ତିରିଶିଟଙ୍କା .......


ସେପଟରୁ ମାଳବିକାର ସ୍ୱର ଓଃ.....


ଆପଣ......


ମୁଁ ପଚାରିଲି, କୁହ ମାଳବିକା ,ତମର ଅଭୁତପୂର୍ବ ପରିବର୍ତ୍ତନର କାରଣ କ'ଣ ?

ଏତେ ଟଙ୍କା କେଉଁଠୁ ପାଇଲ ?


ଠୋ ଠୋ ହସୁହସୁ ମାଳବିକା କହିଲା, ଆଜ୍ଞା ଦୁନିଆରେ କାହାକୁ ବିଶ୍ୱାସ କରିବା ଉଚିତ ନୁହେଁ। ଏଠି କେହି କାହାର ନୁହଁ। ସବୁ ମାୟା ମରିଚିକା। 


ମୁଁ ବଢିଲା ଝିଅ ହୋଇସାରିଛି....


ବଢିଲା ମନ ମୋତେ ଅଥୟ କରୁଛି.....


କିନ୍ତୁ....


ଏହି ଅଥୟର କାରଣ ମୁଁ ନୁହେଁ....

ମନେଥିବ ସେଦିନ ଆପଣଙ୍କ ଠାରୁ 

ତିରିଶିଟଙ୍କା ନେଇ ମାଲିକକୁ ଧରେଇଦେଲି। ପୁରା ଥକ୍କି ଯାଇଥିଲି ଓ ଭିଜିଯାଇଥିଲି । ମାଲିକ ଖୁସିହୋଇ ମୋତେ ଖାଇବାକୁ ଦେଲେ, କହିଲେ ସମ୍ପର୍ଣ୍ଣ ଭିଜିଯାଇଛୁ, ମୋ ଧୋତି ବଦଳାଇ ଆରପଟ ଘରେ ଆରାମ କରେ, ମୋ କାମସରିଲେ ତତେ ତମଘରେ ଛାଡିଦେଇ ଆସିବି। ମାଲିକ ମୋ ବାପାଠାରୁ ବଡ। ଖାଇସାରି ଗଡୁଗଡୁ ଗାଢ ନିଦ୍ରାରେ ଶୋଇଗଲି। 


ହାଉଳିଖାଇ ଉଠି ଦେଖିଲି ମୋ ଦେହରେ ଧୋତି ନାହିଁ। ଶରୀରରେ ଅସହ୍ଯ ଯନ୍ତ୍ରଣା ହେଉଥିଲେ ବି ମାଲିକର ଉଗ୍ରରୂପ ମୋତେ ଚୁପ୍ କରିଦେଲା, ନହେଲେ ଜୀବନ ଯାଇଥାଆନ୍ତା। ତମେ କହିପାର ବାବୁ, ଜୀବନ ଗଲେ ଯାଇଥାଆନ୍ତା। 

କିନ୍ତୁ ସେମିତି କହିଦେଇହୁଏ, ପ୍ରକୃତରେ ସେମିତି କରିହୁଏନାହିଁ। 


ମାଲିକ ହାତର ଛୁରି ମୋତେ ଚୁପ୍ କରିଦେଲା। ପରେ ମୋତେ ଅନୁଭବ ହେଲା ମୁଁ ନାରୀ ହୋଇଗଲି। ମୋତେ ଘରେଛାଡି ମାଆ ହାତରେ ଶହେ କି ଦୁଇଶହ ଗୁଞ୍ଜିଦେଲା ମାଲିକ। ମାଆ ଖୁସିହୋଇ କହିଲା, ତମ ଦାୟିତ୍ବରେ ଛାଡିଛୁ ତାକୁ, ନହେଲେ ସମସ୍ତେ ଉପବାସ ରହୁଥାଆନ୍ତୁ। ଆଜିକାଲି କେହି କାହାକୁ ସାହାଯ୍ଯ କରେ ? ମାଲିକ ଚାଲିଯିବା ପରେ ମାଆ ମୋତେ ଆଉଁସୁ ଥିଲା। ମାଆ ହସୁଥିଲା, ବାପ ଘୁଙ୍ଗୁଡି ମାରୁଥିଲା। 


ତା ପରଠୁଁ ମାଲିକ ମୋତେ ତା ଦୋକାନରେ ରଖିଲା ଓ ସବୁକାମ କରିବାକୁ କହିଲା। ମୁଁ ହେଲି ମାଲିକ ଇଚ୍ଛାର ଦାସୀ। ସବୁଦିନ ଶହେଦୁଇଶହ ଟଙ୍କାର ଲୋଭ ମୋ ଶରୀରରେ ବିଷକୀଟ ବଢିବାରେ ପ୍ରଶ୍ରୟ ଦେଲା। 


ମୁଁ ଘରେ ବସି କାନ୍ଦିଲେ ମାଆ କହେ ଝିଅଲୋ, ଏସବୁ ଅଜାଗା ଘା। 

ମୁଁ ତୋଠାରୁ ଅଧିକ ଭୋଗିଛି। ତୁ ଦୁଇପଇସା ରୋଜଗାର କରୁଛୁ ଅଥଚ ମୁଁ ତୁଚ୍ଛାଟାରେ ବାଧ୍ଯହୋଇ ଶରୀର ଦାନ କରିଛି। ଆମକୁ ବଞ୍ଚିବାକୁ ହେବରେ ମାଆ। 


ମାଆର ଅସହାୟତା, ବାପାର ଅପାରଗତା ମୋତେ ବଞ୍ଚିବାକୁ ବାଧ୍ୟ କଲା। ଏମିତି ବଞ୍ଚି ଲାଭ କ'ଣ ? ତେଣୁ ବେଶ୍ୟା ସଂଘର ମେମ୍ବର ହୋଇଗଲି। ମୁଁ ଜାଣେ ଏହା ବଞ୍ଚିବାର ଉପାୟ ନୁହେଁ କିନ୍ତୁ ଚାରା କ'ଣ ?


ବାବୁ ! ତମେ ଭାବୁଛ ନା, ମୋତେ ଝିଅ କି ଭଉଣୀ କରି ରଖିପାରିଥାଆନ୍ତ ?


ତମେ ପାରିନଥାନ୍ତ ବାବୁ । ତମକୁ ଦୁନିଆଁ ଅଙ୍ଗୁଳି ଦେଖାଇ ବଦନାମର ଡେଙ୍ଗୁରା ପିଟି ତଳିତଳାନ୍ତ କରିଦେଇଥାଆନ୍ତା। ମୁଁ ସିନା ଝିଅଟା, ରାସ୍ତା ବାଛିନେଲି। ତମେ କ'ଣ କରିଥାଆନ୍ତ ?


ତାଛଡା....


ଏମିତି କେତେଟା ମାଳବିକାକୁ କେତେଟା ସିଦ୍ଧାର୍ଥ ସୁରକ୍ଷା ଦେବ ?


ରହୁଛି ବାବୁ ! 


ମାଳବିକାର କଣ୍ଠସ୍ବର ଆର୍ଦ୍ର ଥିଲା। 

ମୁଁ ମନକୁମନ କହୁଥିଲି 


" ଅଜାଗା ଘା । "



         




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract