STORYMIRROR

Pramod Panda

Romance

3  

Pramod Panda

Romance

" ଅଦିନ ମେଘ " ପ୍ରମୋଦ କୁମାର ପଣ୍

" ଅଦିନ ମେଘ " ପ୍ରମୋଦ କୁମାର ପଣ୍

4 mins
365



       ମୁଁ ନବମ ଶ୍ରେଣୀରେ ପଢୁଥାଏ । ବାର୍ଷିକ ପରୀକ୍ଷା ସରିଯାଇଥାଏ । ଅପେକ୍ଷା କେବଳ ଫଳ ବାହାରିବାକୁ । ସକାଳୁଆ ସ୍କୁଲ । ଏଗାରଟା ବେଳକୁ ଛୁଟୀ ହୋଇଯାଏ । ଆମ ଘରଠୁ ସ୍କୁଲଟିର ଦୂରତା ଛ ସାତ କିଲୋମିଟର ହେବ । ଆମ ଗାଆଁରୁ ଆମେ ଚାରି ପାଞ୍ଚଜଣ ପିଲା ଘରୁ ସ୍କୁଲକୁ ସାଇକେଲରେ ଯିବା ଆସିବା କରୁ ।

      ପରୀକ୍ଷା ସରିଗଲା ପରେ ପାଠପଢ଼ା ତ ନଥାଏ । ଖାଲି ଯାହା ମଉଜ ମସ୍ତି । ସ୍କୁଲ ଛୁଟିହେଲେ ସାଇକେଲ ଧରି ଗୋଡ଼ିଆଗୋଡିହୋଇ ଘରକୁ ଫେରୁ । ମେ ମାସର ପ୍ରଚଣ୍ଡ ଖରାରେ ଘରେ ପହଞ୍ଚିଲା ପରେ ସାଇକେଲଟାକୁ ରଖିଦେଇ ପ୍ୟାଣ୍ଟ ସାର୍ଟ ଦିଖଣ୍ଡ ଫୋପାଡ଼ିଦେଇ ଗାମୁଛା ଖଣ୍ଡେ ପିନ୍ଧି ପୋଖରୀକୁ ପଳାଉ । ସେଠି ଗୁଡ଼େ ସମୟ ପାଣିରେ ବୁଡ଼ ଉଠ ହୋଇ ଘରକୁ ଫେରି ଖାଇଦେଇ ଖରାଦିନିଆ ଡ୍ରାମା ରିହରସାଲ ଦେଖିବାକୁ ବାହାରିଯାଉ ଗାଁ ସ୍କୁଲ ଘରକୁ । ଏଇଟା ହିଁ ଗ୍ରୀଷ୍ମ ଅବକାଶ ପୂର୍ବର ନିତିଦିନିଆ ଘଟଣା । କେବଳ ରେଜଲ୍ଟ ପାଇଁ ଯାହା ଚିନ୍ତା ଥାଏ ମନରେ ।

       ଆମ ଗାଆଁରୁ ଆମର ଗୋଟିଏ ସହପାଠିନୀ ବସ ଯୋଗେ ପ୍ରତ୍ୟହ ଯାଏ ସେଇ ହାଇସ୍କୁଲକୁ ପଢିବାକୁ । ଆମ କ୍ଳାସରେ ହିଁ ପଢେ । ମୋଠୁ ବହୁତ ଭଲ ପଢେ । ଅଧିକ ନମ୍ବର ରଖେ । ତେଣୁ ସେ ଟିକେ ଗର୍ବୀ ଓ ତା ଠାରୁ କମ ନମ୍ବର ରଖୁଥିବା ମୋ ଭଳି ସହପାଠୀକୁ ହେୟଜ୍ଞାନ କରେ । ମୁଁ କିନ୍ତୁ ଏସବୁକୁ ନଜର ରଖେନା । ସେ ବେଳର ପରିସ୍ଥିତିକୁ ଦେଖି ମୁଁ ଭାବେ ହଁ ଝିଅପିଲାଟା କଣ କରିବ ଭଲ ପଢିଲେ । କରି କରି ସରକାରୀ ଚାକିରୀଟେ କରିବ । ହଃ କଲେ କରିବ । ଆମ ଭଳି କଣ ସବୁ ପ୍ରକାର କାମ କରିପାରିବ ? ଯାହାହେଲେ ଆମେ ସବୁ ପୁଅ ପିଲା । ଭଲ ପାଠ ପଢ଼ିଦେଲେ ସେ କଣ ଟା ବା ତାଡି ପକେଇବ ।

       ସେଦିନ ସ୍କୁଲ ସରିବା ପରେ ସ୍କୁଲ ପଛପଟେ ଥିବା ଆମ୍ବଗଛରୁ ଆମ୍ବ ତୋଳୁ ତୋଳୁ ଡେରିହୋଇ ଗଲା । ଖରାର ତେଜ ବଢିଯାଇଥିଲା । ମୁଁ ଦେଖିଲା ବେଳକୁ ଆମ ଗାଁ ପିଲା ଗୁଡିକ ଗଲେଣିଭାରି । ମନେ ମନେ ତାଙ୍କ ପ୍ରତି ବିରକ୍ତହୋଇ ସାଇକେଲ ଧରି ରାସ୍ତା ଉପରକୁ ଉଠିଲା ବେଳକୁ ଗୁଡ଼େ ସମୟ ହୋଇଗଲାଣି । ବସଷ୍ଟାଣ୍ଡ ଦେଇ ଘର ମୁହାଁ ହେଲାବେଳକୁ ଦେଖିଲି ସେତେବେଳ ପର୍ଯ୍ୟନ୍ତ ମୋ ଗାଁର ମୋ ପୂର୍ବୋକ୍ତ ସହପାଠିନୀଟି ବସକୁ ଅପେକ୍ଷାକରି ଠିଆ ହୋଇଛି । ବୋଧେ ବସ ଆସିନି । ସେତେବେଳେ ଖୁବ କମ ସଂଖ୍ୟକ ବସ ଚାଲୁଥିଲା ।

       ମୋତେ ଦେଖି ସେ ସହପାଠିନୀ ଜଣକ ହାତହଲେଇ ମୋ ନାଁ ଧରି ମୋତେ ଡ଼ାକ ପକେଇଲା । ମୁଁ ଅଗତ୍ୟା ତା ପାଖକୁ ଗଲି । ବଡ ଆଶାପୂର୍ଣ ନୟନରେ ମୋ ମୁହଁକୁ ଚାହିଁ ତାକୁ ମୋ ସାଇକେଲରେ ବସାଇ ଗାଁକୁ ନେଇଯିବା ପାଇଁ ଅନୁରୋଧ କଲା । ମୋର ତା ପ୍ରତି କୌଣସି ସମବେଦନା ନଥିଲା କାରଣ ସେ ଭଲ ପଢୁଥିବାରୁ ଆମକୁ ସବୁ ହେୟଜ୍ଞାନ। ଭାବିଲି ଏଇ ହେଉଛି ଭଲ ମଉକା । ଯଦି ବସ ନଆସେ ତେବେ ଏ ଖରାରେ ସେ ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ ହେବ । ମଜା ବାହାରିଯିବ । ଯାଉ ଝିଅ ଚାଲିକି ବାଟ ଯାକ ସଂସ୍କୃତର ଶବ୍ଦରୂପ ଧାତୁରୂପ ଘୋଷି ଘୋଷି ।

ମନ କଥା ମନରେ ରଖି କହିଲି " ତତେ ନେବାକୁ ମୋର ଆପତ୍ତି ନାହିଁ ହେଲେ ଦେଖୁନୁ ମୋର କ୍ୟାରିଅର ନାହିଁ । ତୁ ବସିବୁ କେଉଁଠି "? ସେତେବେଳକୁ ସେ ପୁରା ବିକଳ ହୋଇଯାଇଥିଲା । କହିଲା " ମୁଁ ସାଇକେଲର ଆଗ ରଡ଼ରେ ବସି ଯାଇପାରିବି । ମୋତେ ପ୍ରବଳ ଭୋକ ଲାଗିଲାଣି । ବସ ଆସିବକି ନାହିଁ ଜଣାନାହିଁ । ମୁଁ କଣ ଆଉ ଏତେବାଟ ଭୋକପେଟରେ ଚାଲି ଚାଲି ଘରକୁ ଯାଇପାରିବି "?

       ତା ଜିଦି ଦେଖି ମୁଁ କହିଲି " ତତେ ମୁଁ ଆଗରେ ବସେଇ ନେଇପାରିବିନି । ଲୋକେ ଦେଖିଲେ ଖରାପ ଭାବିବେ । ମୋତେ ମୋ ସାଙ୍ଗପିଲା ଚିଡ଼େଇବେ " । ଏତିକି କହି ତା ଉତ୍ତରକୁ ଅପେକ୍ଷା ନକରି ଏକମୁହାଁ ହୋଇ ଗାଁ ଅଭିମୂଖେ ସାଇକେଲ ଛୁଟାଇଦେଲି ।

       ଗାଁକୁ ଫେରି ପୋଖରୀରେ ଗାଧୋଇସାରି ଘରେ ଖାଇବାକୁ ବସିଛି କୁଆଡେ ଥିଲା କଳାହାଣ୍ଡିଆ ଅଦିନିଆ ମେଘଟା ଘୋଟିଆସିଲା ଯେ ଦୁଲ

ଦୁଲ କଚାଡ଼ିଲା ପ୍ରବଳ ବେଗରେ । ବିଜୁଳି ଘଡଘଡି ତାକୁ ବଳି । ସତେକି ପ୍ରଳୟ କରିପକେଇବ ଏଇ ମୂହୁର୍ତ୍ତରେ । ଗ୍ରୀଷ୍ମ ଜର୍ଜରିତ ଦ୍ୱିପ୍ରହରଟା ନିମିଷକ ମଧ୍ୟରେ ବର୍ଷଣମୁଖୀ ଶ୍ରାବଣର ସନ୍ଧ୍ୟା ଭଳି ପ୍ରତୀୟମାନ ହେଲା ଏ ଅଦିନିଆ କାଳବୈଶାଖୀର ପ୍ରଭାବରେ ।

       ହଠାତ ସେ ସହପାଠିନୀଟିର କଥା ମୋର ମନେପଡ଼ିଗଲା । ତା ଅନୁନୟ ବିନୟ ଭରା ମୁହଁଟା ମୋ ଆଖିଆଗରେ ନାଚିଉଠିଲା । ଭାବିଲି ଯଦି ଗାଡି ଆସିନଥିବ ଏବଂ ସେ ଚାଲିକରି ଆସୁଥିବ ତେବେ ତ ସ୍କୁଲ ଏବଂ ଆମ ଗାଁ ମଝିରେ ଥିବା ଛୋଟିଆ ଜଙ୍ଗଲ ନିକଟରେ ହିଁ ପହଞ୍ଚିଥିବ । ଏକୁଟିଆ, ଝିଅପିଲାଟା ଏ ପ୍ରଚଣ୍ଡ ବର୍ଷା ବିଜୁଳିରେ କେଉଁଠି କେମିତି ଥିବ "? ମନଟା ମୋର ବିଚଳିତ ହୋଇଉଠିଲା । ଆଉ ଭାତ ଖାଇବି କଣ ? । ଭାତ ଥାଳି ନିକଟରୁ ଉଠିଆସି ତରତର ହୋଇ କୁଳୁକୁଞ୍ଚାଟେ କରି ପେଣ୍ଟ ସାର୍ଟ ଦିଖଣ୍ଡ ଗଳେଇଦେଇ ସାଇକେଲଟା ବାହାରକଲି । ବୋଉ ଆକଟକଲା ଏଇ ପ୍ରଚଣ୍ଡ ବର୍ଷା ବିଜୁଳିରେ ବାହାରକୁ ବାହାରିବାକୁ, ହେଲେ ତା କଥା ଶୁଣୁଛି କିଏ ?

       ଘରୁ ବାହାରି ରାସ୍ତା ଉପରକୁ ଉଠିଗଲା ବେଳକୁ ଆଗୁଆ ପବନଟା ସାଇକେଲକୁ ଆଗକୁ ଗଡ଼ିବାକୁ ଦେଉନଥିଲା । ବର୍ଷାର ଛିଟା ମୁହଁରେ ଛୁଞ୍ଚି ଭଳି ଗଳିଯାଉଥିଲା । ବିଜୁଳିଟା ମାରିଲାବେଳେ ରାସ୍ତାଘାଟ ଆଲୁଅ ହୋଇଯାଉଥିଲା । ଘଡଘଡି ଶବ୍ଦରେ କାନ ତାଵଦା ହୋଇଯାଇ ଛାତି ଭିତରଟା ଧଡ଼ ଧଡ଼ ହେଉଥିଲା । ତଥାପି ଗୋଟେ ଲକ୍ଷ୍ୟରେ ମୁଁ ଆଗକୁ ପେଡାଲ ମାରୁଥିଲି ଏ ବର୍ଷା ବିଜୁଳିକୁ ଖାତିରି ନକରି । ଅତିଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ମୁଁ ବିକଳ ହେଉଥାଏ । ଏ ଭୀଷଣ ବର୍ଷା, ପବନ ଓ ବିଜୁଳି ଘଡଘଡିରେ ରାସ୍ତା ପୁରା ନିର୍ଜ୍ଜନ ଓ ମୁଁ ହିଁ କେବଳ ଏକମାତ୍ର ପଥିକ ଥିଲି ।

       ମୁଁ ବଡ କଷ୍ଟରେ ସେ ଛୋଟିଆ ଜଙ୍ଗଲର ମଝାମଝି ହୋଇସାରିଥାଏ ଓ ବ୍ୟସ୍ତ ବିବ୍ରତହୋଇ ଏଣେ ତେଣେ ଆଖିବୁଲେଇ ତାକୁ ଖୋଜୁଥାଏ । ଦେଖିଲି ରାସ୍ତା କଡରେ ଗୋଏ ଆମ୍ବଗଛ ମୂଳରେ ମୋ ପୂର୍ବୋକ୍ତ ସହପାଠିନୀଟି ଠିଆହୋଇଥିଲା । ମୋ ମନଟା ଖୁସି ହୋଇଗଲା । ଯାହାହେଉ ପରିଶ୍ରମ ସାର୍ଥକ ହେଲା । ପ୍ରଚଣ୍ଡ ବର୍ଷା ବିଜୁଳିରେ ଏକାକୀ ଅସହାୟ ଭାବରେ ଠିଆହୋଇ ସର୍ବାଙ୍ଗ ଓଦା ସର ସର ହୋଇ ସେ ଥରୁଥିଲା ଗୋଟାପଣେ । ମୁଁ ସାଇକେଲରୁ ଓହ୍ଲେଇପଡି ତା ପାଖକୁ ଏକପ୍ରକାର ଦୌଡିଗଲି । ମୁଁ ବି ଗୋଟାପଣେ ଭିଜିଯାଇଥିଲି ମାତ୍ର ଥରୁନଥିଲି । ସେ ଏ ଅଦିନ ବର୍ଷାରେ ଭିଜିଯାଇଥିବାରୁ କି ଭୟରେ କୋଉଥିପାଇଁ ଥରୁଥିଲା ତାହା ତାକୁ ହିଁ ଜଣାଥିଲା ।

       ମୁଁ ତା ନିକଟରେ ପହଞ୍ଚିଲାରୁ ସେ ବୋଧେ ସାହାସ ପାଇଗଲା ନା କଣ । ମୋତେ ଜଡ଼ାଇଧରି ଭେଁ ଭେଁ ହୋଇ କାନ୍ଦିପକେଇଲା । ତା ତତଲା ଲୁହଗୁଡ଼ାକ ମୋ ଭିଜି ଯାଇଥିବା ସାର୍ଟକୁ ଭେଦି ଥଣ୍ଡା ପଡିଯାଇଥିବା ମୋ ଛାତିକୁ ଛୁଉଁଥିଲା । ମୁଁ ତାର ଏ ଅପ୍ରତ୍ୟାଶିତ ବ୍ୟବହାରରେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ବି ତାହା ଯେ ସେ ସମୟର ଏକ ସମ୍ବେଦନଶୀଳ ଘଟଣା ବୋଲି ମୁଁ ଭାବପାରିଲିନି । ତାହା ଥିଲା ଏକ ଆବେଗମୟ ପରିସ୍ଥିତି । ମୁଁ ସେତେବେଳକୁ ପୁରା ଭାବପ୍ରବଣ ହୋଇଯାଇଥିଲି । ତାକୁ ସନ୍ତ୍ୱନାଦେଇ କହୁଥିଲି " ମୋର ବହୁତ ବଡ଼ ଭୁଲ ହୋଇଯାଇଛି । ତୁ ମୋତେ କ୍ଷମା କରିଦେ "। ସେ କିନ୍ତୁ କାନ୍ଦି ଚାଲିଥିଲା କୋହଧରି । ତାର ବାହୁବନ୍ଧନ ଭିତରେ ମୁଁ ରହିଯାଇଥିଲି ଜଡ଼ବତ । ତଥାପି ବର୍ଷାର ପ୍ରକୋପ କମିନଥିଲା । ଏ ଅଦିନ ମେଘଟା ଆମ ଦୁଇଜଣଙ୍କ ଭିତରେ ଥିବା ଅବୁଝାମଣାକୁ ଓ ମତାନ୍ତରକୁ ଧୋଇଦେବାକୁ ଚେଷ୍ଟା କରୁଥିଲା ।

       ସେ ବର୍ଷା ବିତିଗଲା । ସ୍କୁଲ କଲେଜର ଜୀବନ ବିତିଗଲାଣି କେଉଁକାଳୁ । ସମୟର ସ୍ରୋତରେ ଭାସିଯାଇ କିଏ କେଉଁଠି ପହଞ୍ଚିଲେଣି ତାର ହିସାବ ନାହିଁ । ମାତ୍ର ଏବେ ଯେବେବି ଅଦିନିଆ ମେଘ ଅଜାଡି ହୋଇଯାଏ ମୋତେ ସେ ଦିନର ଘଟଣା ଓ ସେ ସ୍ପର୍ଶ ମନେପକାଇ ରୋମାଞ୍ଚିତ କରେ ।

            


Rate this content
Log in

Similar oriya story from Romance