The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Pramod Panda

Tragedy

3  

Pramod Panda

Tragedy

ଭିଜା ଶ୍ରାବଣ

ଭିଜା ଶ୍ରାବଣ

9 mins
288



       ରାତି ସାରା କଚାଡୁଛି ଶ୍ରାବଣର ମେଘଟା ଅବିରାମ ଗତିରେ ଯେ ଛାଡିବାର ନାଁ ନେଉନି । ସାରା ରାତି ସେମିତି ଦାଣ୍ଡ ପିଣ୍ଡାରେ ବସିଛି ନାରଖାରୀ । ପିଣ୍ଡା ତଳେ ଶୋଇରହିଛି ଚଇତା ସେଇ ଅବିରାମ ବର୍ଷାମାଡ଼ ଖାଇ ଯେ ଜମା ଉଠୁନି । କେମିତି ବା ଉଠିବ ? ଶବ କଣ କେବେ ଜୀବନ ପାଇଲାଣି କୋଉଠି ? ନାରଖାରୀ କୋଳରେ ବସି ବସି ଶୋଇପଡିଛି ପାଞ୍ଚ ବର୍ଷର ଝିଅ ଗେଲି । ନାରଖାରୀ ଆଖିକୁ କିନ୍ତୁ ନିଦ ଆସୁନି । ସେ ପିଣ୍ଡାର ଝାଟିମାଟି କାନ୍ଥକୁ ଆଉଜି ସେମିତି ବସିରହିଛି ବର୍ଷଣ ରାତିର ଆକାଶକୁ ଚାହିଁ । ଆଖିରେ ତାର ଲୁହ ନାହିଁ କି ନିଦ ନାହିଁ ।


       ସକାଳ ହେଲା । ପୂର୍ବ ଆକାଶଟା ଟିକେ ଫର୍ଚା  ଦିଶିଲାଣି । ମେଘର ପ୍ରକୋପଟା ଟିକେ କମିଲା ଭଳି ଲାଗୁଛି । ନାରଖାରୀ ଚାହିଁଲା ଚଇତାର ମୁର୍ଦ୍ଧାରକୁ । ରାତି ସାରା ସେମିତି ବର୍ଷାମାଡ ଖାଇ ଚଇତାର ଦେହ ମୁହଁ କେମିତି କେନ୍ଦା ପଡିଯାଇଛି । ସୋଥା ଗାଲ ଦୁଇଟା ମୁହଁର ଦୁଇପଟକୁ ଓହଳି ପଡିଛି । ସରୁ ଗିନି ଗିନି ହାତ ଗୋଡ ଗୁଡା ରାତିତମାମ ବର୍ଷା ମାଡ ଖାଇ କେନ୍ଦାଳିଆ ପଡ଼ି ଯାଇଛି । ଦେହର ପଞ୍ଜରା ହାଡ ପୁରା ଗଣିହୋଇ ଯାଉଛି । ପାଦ ଦିଇଟା ଫୁଲି ଯାଇଛି ଗୋଦର ଗୋଡ ଭଳି ।


       ମେଘ ଛାଡି ଆସିଲାଣି । ଭୋରର ଆଲୋକ ବରଷା ଭିଜା ମାଟିରେ ପଡି ଧୀରେ ଧୀରେ ବ୍ୟାପିବାକୁ ଆରମ୍ଭ କଲାଣି ଚାରିଆଡକୁ । ନାରଖାରୀ ଚାହିଁଲା ଚଇତା ମୁହଁକୁ । କେମିତି ବିବର୍ଣିଆ ଦେଖାଯାଉଛି ତା ମୁହଁଟା । ମାଛିଗୁଡ଼ାକ ଭଣ ଭଣ ହୋଇ ବେଢ଼ିବାକୁ ଆରମ୍ଭ କଲେଣି ଚଇତାର ମୁହଁରେ । ଏ ପର୍ଯ୍ୟନ୍ତ ସାଇ ଭାଇ କେହି ଆସିନାହାନ୍ତି ମୁର୍ଦ୍ଧାର ଉଠେବାକୁ । ନାରଖାରୀର ଆଖି ଆଗରେ ଅତୀତଟା ଜଳ ଜଳ ହୋଇ ନାଚିବାକୁ ଲାଗିଲା ।


       କବାରି ସାହିର ଜୁଆନ ଭେଣ୍ଡା ଥିଲା ଏଇ ଚଇତା । ଦେହରେ ଗୋଟେ ହାତୀର ବଳ । ଚଇତା ଯଦି ଠେଙ୍ଗାଟା ଧରି ଠିଆହେଲା ତେବେ ସାଇ ଯାକ ଡରି ରହିଯାନ୍ତି । ତା ଆଗକୁ ଆସିବାକୁ କାହାରି ସାହାସ ନଥାଏ ।


       ଥରେ କାଶିଆ ଘର ମଝିଆଣୀ ବୋହୁ ପଥର ଖୁଣ୍ଟି ମୂଳେ ବସି ଧାନ ଶୁଖାଉଥିଲା । କୋଉ କାଳୁ ଘରଟା ଭାଙ୍ଗିଯାଇ କେବଳ ଖୁଣ୍ଟିଟା ରହିଥିଲା ମେଲା ଡ଼ିହଟାରେ । ହାତେ ମୋଟା ଆଉ ମୁଣ୍ଡେ ଉଞ୍ଚା ମାଙ୍କଡ଼ା ପଥରର ଖୁଣ୍ଟିଟା ଶୂନ୍ୟଟାରେ ଠିଆହୋଇଥିଲା । ମାଙ୍କଡଟା କୋଉଠି ଥିଲା କେଜାଣି ଖେପାମାରି ଖୁଣ୍ଟି ଉପରକୁ ଡେଇଁ ପଡି ସେଠୁ କୁଦାମାରି ପାଖ ଚାଳକୁ ଡେଇଁ ପଳେଇଲା । ବୁଢା ହନୁଟା ମଣିଷ ଭଳିଆ ଓଜନିଆ । କୋଉ କାଳୁ ପଥରକୁ ପଥର ଯୋଡିଥିବା କାଠ ଖିଲଟା ଖତରା ହୋଇକି ଥିଲା । ମାଙ୍କଡର କୁଦାମରା ଓଜନକୁ ସମ୍ଭାଳିନପାରି କିଳା ଭାଙ୍ଗି ପୁରା ଖୁଣ୍ଟିଟା କାଶିଆ ଘର ବୋହୁ ଉପରେ ମାଡିବସିଲା । ମରଣାନ୍ତଙ୍କ ଚିତ୍କାରକରି ତଳେ ଲୋଟିଗଲା ବୋହୁଟା । ସମସ୍ତେ ଦେଖି ଧାଇଁଲେ । କିନ୍ତୁ ଏଡେବଡ ପଥର ଖୁଣ୍ଟି ଉଠାଉଛି କିଏ ? ଚଇତା କାମରୁ ଫେରି ଭାତ ଖାଇ ବସିଥିଲା । ଯେମିତି ଶୁଣିଛି ସେମିତି ଅଧାଖିଆରୁ ଉଠି ଚାଲିଗଲା । ସେଠି ଥିବା ଲୋକଗୁଡାଙ୍କୁ ଘଉଡା ଘଉଡି କରି ନିଜେ ଏକା ହୁଁକାରକରି ଏଡେବଡ ପଥରଖୁଣ୍ଟିଟାକୁ ଉଠେଇ ଗଡେଇଦେଲା । ବୋହୁଟାକୁ ଡାକ୍ତରଖାନା ନେଇଗଲେ ଯେ ବଞ୍ଚିଗଲା ବିଚାରୀ । କିନ୍ତୁ ମେରୁଦଣ୍ଡରୁ ଗୋଟେ ହାଡ ଭାଙ୍ଗିଯାଇଥିବାରୁ ସେ ଏବେବି କୁଜାହୋଇ ଚାଲୁଛି । ସେଇଦିନଠୁ ଚଇତା ଆଗରେ କଥା ବାର୍ତ୍ତା କରିବାକୁ ସାଇଲୋକେ ଡରନ୍ତି । ଯାହା ବିପଦ ଆପଦ ପଡିଲେ ତାକୁ ଆଗ ଖୋଜାପଡ଼େ । କିଏ ପୋଖରୀରେ ବୁଡ଼ିଗଲେ ଚଇତାକୁ ଖୋଜାପଡ଼େ । କାହାଘରେ ନିଆଁ ଲାଗିଗଲେ ଚଇତା ହାଜର । ନାରଖାରୀ ଯେତେ ଆକଟକଲେ ବି ଚଇତା ଶୁଣେନି । ଗାଲୁରେ ତା କଥା ଉଡେଇଦିଏ ।


       ଚଇତାକୁ ବାହାହେଇ ସେ ବହୁତ ଖୁସିରେ ଥଲା । ନିଜର କିଛି ଜମିବାଡ଼ି ନଥିଲେବି ପର ଦୁଆରେ ମଜୁରୀ ଖଟି ଯାହା ରୋଜଗାର ହୁଏ ଚଳିଯାଆନ୍ତି ଦୁଇପ୍ରାଣୀ । ଶାଶୁ ଶଶୁର ଯା ଦେଢଶୁର କେହିନଥିଲେ ନାରଖାରୀର । ଚାଷ ବାସ ବେଳେ ବିଲକୁ ଚଇତା ସାଥିରେ ସେ ବି ଯାଉଥିଲା ମୂଲ ଲାଗିବାକୁ । ଏମିତି ଦିନଗୁଡା ପାଣିପରି ବୋହିଯାଉଥିଲା ।


       କିଛିଦିନ ପରେ କୋଳକୁ ଆସିଲା ଏଇ ଗେଲି । ଗେଲବସରରେ ଚଇତା ଝିଅର ନାଁ ଦେଇଥିଲା ଗେଲି । ଯୁଆଡେ ଯାଉ ପଛେ ଘରେ ପହଁଚିଲା ମାତ୍ରେ ଆଗେ ଝିଅକୁ ଗେଲନକଲେ ଭାତ ଖାଏନା ଚଇତା । ବହୁତ ଭଲ ପାଉଥିଲା ଝିଅ ଗେଲିକୁ ସେ ।


       ଦିନେ ଆଣି ଫସ ଫସ କରି ପାଞ୍ଚଖଣ୍ଡ ଶହେ ଟଙ୍କିଆ ନୂଆ ଖଡ଼ ଖଡ଼ିଆ ନୋଟ ତା ଆଗରେ ଗଣିଦେଲା ଚଇତା । ଆଶ୍ଚର୍ଯ୍ୟ ହେଇଗଲା ନାରଖାରୀ । ଏ ଖରାଦିନ ଟାରେ ନା ବିଲବାଡ଼ି କାମ ନା ଆଉକିଛି । ଏତେଟଙ୍କା ଚଇତା ଆଣିଲା କୁଆଡୁ । ତାର ଏ ଅସମଞ୍ଜସ ଭାବ ଦେଖି ଚଇତା ଫେଁ କରି ହସିଦେଇ କହିଲା " ଆଲୋ ! ଏମିତି କଣ ଉଣ୍ଡିଛୁ ? କୋଉଠୁ ଚୋରିକରି ଆଣିନି ମ । ହକ ବାହା ପିଟି ଆଣିଛି ଝାଳ ବୁହାଇ । ଆଜି ପଥର ଟ୍ରକରେ ଯାଇଥିଲି ଖଣିକୁ । ଏଥିରେ ଭଲ ପଇସା ଅଛି । ହକ ଖଟ ଆଉ କମାଅ " । ନାରଖାରୀ ଡରିଯାଇ କହିଲା " ଆମର ଏତେ ପଇସା ଦରକାର ନାହିଁ କି ଏତେ ବିପଦପୂର୍ଣ୍ଣ କାମ କରିବା ଦରକାର ନାହିଁ । ତମେ ଯେତେ କମ ଆଣିଲେ ବି ମୁଁ ଘର ଚଳେଇଦେବି " । " ଆଉ ଗେଲି ? ସେ କଣ ବଡହେଇ ଶାଶୁ ଘରକୁ ଗଲେ ତୋରି ଭଳିଆ ମୂଲ ଲାଗିବ ? ଆମେ ସିନା ଅଶିକ୍ଷିତ ବୋଲି ମୂଲ ଲାଗୁଛେ । ମାତ୍ର ମୋ ଝିଅକୁ ମୁଁ ଆମ ଭଳି ହେବାକୁ ଦେବିନି । ସେ ପାଠ ପଢିବ । ଚାକିରୀ କରିବ । ଭଲ ଘରେ ବାହାହେବ । ଆମ ସ୍କୁଲକୁ ଯୋଉ ଦିଦି ଆସୁଛନ୍ତି ସେମିତି ସେ ବି ଦିନେ ଚାକିରୀ କରିବ " । ଏକଥା କହିଲାବେଳକୁ ଚଇତାର ଆଖି ଦିଇଟା ଲୁହ ଛଳ ଛଳ ହେଇଗଲା । ଆଖି ପୋଛି ସେ ପୁଣି କହିଲା " ମୋର ଏ ଦେହରେ କେବଳ ବଳ ଅଛି , ମୁଣ୍ଡରେ ବୁଦ୍ଧି ନାହିଁ । ଆଉ ବୟସ ଗଲେ ସେ ବଳ କଣ ରହିବ ? ତେଣୁ ଏ ବୟସରେ ବଳ ଖଟେଇ ଯାହା ରୋଜଗାର କରି ରଖିଥିବି ଭଵିଷ୍ୟତରେ କାମରେ ଲାଗିବ । ତତେ ବି ପର ବିଲରେ କାମ କରେଇବାକୁ ମତେ ଭଲ ଲାଗୁନି । ମୁଁ ବର୍ତ୍ତମାନ ପଥର ଟ୍ରକରୁ ପ୍ରତିଦିନ ଯେତିକି ରୋଜଗାର କରିବି ସେଥିରୁ ଘର ଖର୍ଚ୍ଚକରି ଯାହା ବଳିବ ତାକୁ ଡାକଘର ଜମାକରି ରଖିବା "। ସେଦିନ ଚଇତାର ଚଉଡା ଝାଳ ସର ସର ଛାତିରେ ମୁଣ୍ଡ ରଖି ଅନେକ ବେଳ ଯାଏଁ ଖୁସିରେ କାନ୍ଦିଥିଲା ନାରଖାରୀ ।


       ପ୍ରକୃତରେ ଚଇତା ଯାହା କହିଥିଲା କାମରେ କରି ଦେଖେଇଦେଲା । ପ୍ରତିଦିନ କାଳି ଅନ୍ଧାରରୁ ଟ୍ରକ ଡ୍ରାଇଭର ହମିଦ୍ ମିଆଁ ଟ୍ରକ ରଖି ହର୍ଣ୍ଣ ବଜାଏ ଦାଣ୍ଡ ଦୁଆରେ । ଚଇତା ଆଖି ମଳି ମଳି ଉଠେ । ଖାଲି ମୁହଁ ଟାକୁ ଧୋଇଦେଇ ଗଞ୍ଜି ଟା ଦେହରେ ଗଳେଇ ଗାମୁଛାଟା ମୁଣ୍ଡରେ ଭିଡି ବିଡିଟେ ଟାଣି ଟାଣି ଘରୁ ବାହାରି ଯାଏ ଯେ ଫେରେ ଯାଇ ରାତି ଘଡିକରେ । ଗାଧୁଆ ପାଧୁଆ ଖିଆ ପିଆ ସବୁ ବାହାରେ । ରାତିରେ ଘରକୁ ଫେରିଲା ପରେ ପୁଳେ ନୋଟ ଧରେଇଦିଏ ନାରଖାରୀକୁ । ରାତିକୁ ଚଇତାକୁ ସେ ଗରମ ଗରମ ପରଶି ଦିଏ କୋଉଦିନ ବଡ ଶୁଖୁଆ ଭଜା ତ କୋଉଦିନ ଚିଙ୍ଗୁଡି ଡାଲମା । ଝିଅ ଗେଲି ଗାଁ ସ୍କୁଲରେ ନାଁ ଲେଖେଇଲା ।ଗାଁ ଡାକଘର ଖାତା ଖୋଲି ସେଥରେ ବଳକା ଟଙ୍କା ଜମା କରିବାକୁ ଲାଗିଲା ନାରଖାରୀ । ଏମିତି ବହୁତ ଭଲରେ ଦିନ ଗୁଡା ବିତି ଯାଉଥିଲା ସେମାନଙ୍କର ।


       ଧୀରେ ଧୀରେ ନାରଖାରୀ ଲକ୍ଷ୍ୟକଲା ଏଣିକି ଚଇତା ପ୍ରତିଦିନ ଡେରିରେ ଘରକୁ ଫେରିବା ଆରମ୍ଭକଲା । ମୁହଁରୁ ତାର ମଦ ଗନ୍ଧ ବାହାରୁଥିଲା । ପ୍ରଥମେ ପ୍ରଥମେ ତ ସେ ଗାଲୁ କରି କହୁଥିଲା ଯେ ପଥର ବୋହି ବୋହି ଦେହ ହାତ ଘୋଳା ବିନ୍ଧା ହେଉଛି । ତେଣୁ ସେ ଦରଜ ଛଡେଇବାକୁ ଟିକେ ଟିକେ ପିଇଦେଉଛି । ନହେଲେ ତାପରଦିନ ସେ କାମକୁ ଯାଇପାରିବନି । ନାରଖାରୀ ଶୁଣେ , ଆଉ କିଛି କହିପାରେନା । ରାତିରେ ସେ ତେଲ ମାରି ଗୋଡ ହାତ ଘସା ଘସି କରିଦିଏ ।


       ଦେଖାଗଲା ଚଇତା ନାରଖାରୀକୁ ଦେଉଥିବା ପଇସା ଆସ୍ତେ ଆସ୍ତେ କମିବାକୁ ଲାଗିଲା , କିନ୍ତୁ ମଦର ମାତ୍ରା ବଢିବାକୁ ଲାଗିଲା । ସମୟ ଏମିତି ଆସିଲା ଯେ ଚଇତା ଆଉ ଘରକୁ ଏକୁଟିଆ ଫେରିପାରିଲାନି । ଜଣେ ଦି ଜଣ ତାକୁ ଧରି ଧରି ଆଣିଲେ । ସେଥିରେ ପୁଣି ପାଟିରୁ ଅଭାଷା ଭାଷା ଗାଳି । ଯିଏ ତାକୁ ରାସ୍ତାରୁ ଉଠେଇକି ଆଣିଲା ସେ ଶୋଧା ଶୁଣିଲା । ପର ବି କାହିଁକି ଏମିତି ଶୁଣିବେ । ତେଣୁ ମଦ ପିଇ ବାଟରେ ଘାଟରେ ପଡିଲେ ମଧ୍ୟ କେହି ଆଉ ଏଣିକି ଉଠେଇଲେ ନାହିଁ । ସେ ମାଇପି ଲୋକଟା ଏଡ଼େ ବଡ଼ ମରଦଟାକୁ କେମିତି ଏକୁଟିଆ ଅନ୍ଧାର ରାତିରେ ଉଠେଇକି ଆଣିବ ? 


       ଏଣିକି ସବୁଦିନ ମଦ ପିଇ ରାସ୍ତାରେ ପଡିବା କିମ୍ବା ଘରକୁ ଯଦି ଆସିଲା ନାରଖାରୀକୁ ଶୋଧା ବକା କରିବା ଚଇତାର ରୋଜ ରୋଜ ଅଭ୍ୟାସ ହୋଇଗଲା । ତାପରେ ଅତ୍ୟଧିକ ମଦ ପିଇ ଆଉ ସକାଳୁ କାମକୁ ମଧ୍ୟ ଗଲାନାହିଁ ଚଇତା । ଯଦି ମାଲିକ ଡାକିଲା ତାକୁ ମଧ୍ୟ ତେରୀ ମେରୀ ଦେଖାଇଲା । ସେ ଆଉ କାମକୁ ଡାକିଲା ନାହିଁ । ବଜାରରେ ହଜାରେ ଭଳି ଢେର ମୂଳିଆ ମିଳିଲେ ତାକୁ


       ଘରକୁ ଆଉ ଟଙ୍କାଟିଏ ମଧ୍ୟ ଆସିଲା ନାହିଁ । ଏଣିକି ଚଇତା ଦିନବେଳେ ମଧ୍ୟ ପିଇବାକୁ ଲାଗିଲା । ପଇସା ପାଇଁ ମନାକଲେ ନିର୍ଧୁମ ମାଡ ଖାଇଲା ସେ । ଘରେ ଯାହା କଂସା ତାଟିଆ ଥିଲା ତାକୁ ଶାଗ ମାଛ ଦରରେ ବିକି ମଦ ପିଇଲା ସେ । କଥା କଥାକେ ନାରଖାରୀକୁ ପ୍ରବଳ ମାଡ ଦେଲା ଚଇତା । ଯେତେବେଳେ ତାକୁ ଚାଇତା ମାଡ ଦେଉଥିଲା ଝିଅ ଗେଲି ଡରିକରି ଘର କୋଣରେ ଠିଆହୋଇ ଥରୁଥିଲା । ଏଣିକି ଶୋଧା , ମାଡ ରୋଜ ରୋଜ ଘଟଣା ହେଲା । କୌଣସି ଦିନ ବି ବନ୍ଦ ନାହିଁ ।


       ଧୀରେ ଧୀରେ ଚଇତାର ଦୀର୍ଘକାୟ ମଜଭୁତ ଦେହଟା ଶୁଖି ଶୁଖି କଙ୍କାଳସାର ହେବାକୁ ଲାଗିଲା । ଦେହ ମୁହଁ ରକ୍ତହୀନ ହୋଇ ହଳଦିଆ ପଡ଼ିବାକୁ ଲାଗିଲା । ସେ ଆଉ ଠିକରେ ଚାଲି ବି ପାରିଲାନି । ମୁହଁ ପାଦ ଫୁଲିଗଲା । ଯୋଉ ଚଇତା ଠିଆ ହେଇଗଲେ ବାଘ ବି ପଛକୁ ଘୁଞ୍ଚି ଯାଉଥିଲା ସେ ଆଜି ଗୋଟେ ଠେଙ୍ଗା ଧଇଲେ ଚାଲୁଥିଲା । ସେ ଯେମିତି ଚଇତା ନହୋଇ ତାର ଭୂତ ଥିଲା । ଘରେ ବି ଦୁଇଓଳି ଖାଇବାକୁ ନଥିଲା । ବାଧ୍ୟହୋଇ ନାରଖାରୀ ମୂଲ ଲାଗିବାକୁ ଗଲା ଯାହାକୁ ସେ ଛାଡ଼ିଦେଇଥିଲା କେବେଠୁ । ମାତ୍ର ସେ ପର ବିଲରେ ଖଟି ଖଟି ଯାହା ଆଣୁଥିଲା ସେଥିରୁ ପ୍ରାୟ ସବୁ ପଇସା ଚଇତାର ମଦ ଖିଆରେ ଯାଉଥିଲା । ଯୋଉ ଝିଅକୁ ସେ ଜୀବନଠୁ ଅଧିକ ଭଲ ପାଉଥିଲା ତାକୁ ଏବେ ଭଲରେ ଚାହୁଁ ବି ନଥିଲା ଚଇତା । ନାରଖାରୀ ଆଖିରୁ ଲୁହ ଆଉ ଶୁଖିବାର ନାଁ ନେଉନଥିଲା । ବାପା ଆସିଲେ ଗେଲି ଭୂତ ଦେଖିଲା ପରି ମା ଦେହରେ ଚାପିହୋଇ ରହୁଥିଲା ଯେ ତାକୁ ଦାଣ୍ଡେ ବି ଛାଡୁ ନଥିଲା । ଯେତେବେଳେ ଚଇତା ତାକୁ ପିଟେ , ତାଠି ବି ପାହାରେ ଦିପାହାରେ ବାଜେ । ସେ ତେଣୁ ଚାଇତାକୁ ଦେଖିଲେ ଡରି କଳାକାଠ ହୋଇଯାଏ । ଆଉ ନାରଖାରୀ , ସେ କେତେଥର ଯେ ଚଇତାଠୁ ମାଡଖାଇ ଲହୁଲୁହାଣ ହୋଇଛି ତାର ହିସାବ ନାହିଁ । ତାର ସୁନା ସଂସାରରେ ଯେପରି କାହାର ନଜର ଲାଗିଯାଇଥିଲା ।


       କାଲି ରାତିରେ ପ୍ରବଳ ବର୍ଷା ଆରମ୍ଭ ହେଇଗଲା । ଘର କୋଣରେ କିରାସିନି ଡିବିରି ଟିଏ ଲଗେଇ ଗେଲିକୁ ଧରି ବସିଥିଲା ସେ । ଘରେ କିଛିନାହିଁ ଖାଇବାକୁ । ସକାଳେ ଦିଟା ପଖାଳ ସେ ଓ ଗେଲି ଖାଇଥିଲେ । ଚଇତା ସେ ସକାଳୁ ସରକାରୀ ଦେଶୀ ମଦ ଦୋକାନକୁ ଯାଇଛି ଯେ ଏ ପର୍ଯ୍ୟନ୍ତ ତାର ଦେଖାନାହିଁ । ଗେଲି ସ୍କୁଲରୁ ଦିପହରେ ଖାଇଆସିଛି ମଧ୍ୟାହ୍ନ ଭୋଜନ । ଟିଣରେ ହାତ ମାଇଲା ସେ । ମୁଢି ଦିଟା ପଡିଛି । ପାଣିରେ ପକେଇ ଗେଲି ଖାଇଦେବ । କାଲି ବିଲ ବଛା ପାଇଁ ଆଗୁଆ ମୂଲ ଆଣିବାକୁ ଯିବ ସେ ସାଉ ଦୁଆରକୁ । ପରେ କାମକରି ଶୁଝିବ । ଡିବିରି ଆଲୁଅରେ ଗେଲି ତା ପାଠ ବହି ପଢୁଛି । ସେ ଖାଲି ଚିତ୍ର ଦେଖୁଚି ସିନା ଆଉ କିଛି ଜାଣିପାରୁନି । ଜାଣିବ ବା କେମିତି ? ପିଲାଦିନୁ ସ୍କୁଲ ଦୁଆର ମାଡିନି । ଟିକେ ବଡହେଲେ ପରର ଛେଳି ଜଗା । ତାପରେ ବିଲକାମ କର । କିଛି ପଇସା ସଞ୍ଚିକରି ବାହାହୁଅ ଓ ଶାଶୁଘରେ ବି ସେଇ କାମ । ଦିନରେ ସାଉ ବିଲରେ କାମ । ଘରେ ପିଲା ଛୁଆ ସମ୍ଭାଲିବା ସହ ରୋଷେଇବାସ କରିବା ।


       ସେ ଟିକେ ଘୁମେଇ ପଡିଛି କି ଦାଣ୍ଡ ଦୁଆରେ ପଡିଶା ଘରର ଦିଅର ଲେଖା ହେବେ ' ପବନା ' ଡାକିଲେ " ନୂଆବୋଉ ! ବଜାର କଡ଼ ନାଳୀ ପାଖରେ ଚଇତା ଭାଇ ପଡିଛି ଯେ ଯେତେ ହଲେଇଲେ ବି ଉଠୁନି । ତମେ ଟିକେ ଚାଲିଲ " । ସେ ଧଡ଼ ପଡ ହୋଇ ଉଠିପଡ଼ିଲା । ସାଇରୁ ଆଉ ଦି ଚାରିଜଣକୁ ଡାକି ସେମାନଙ୍କ ସହ ଯାଇ ଦେଖିଲାବେଳକୁ ନାଳୀ ଭିତରକୁ ଗୋଡ ଦିଇଟା ଝୁଲାଇ ରାସ୍ତା କଡରେ ଶୋଇଯାଇଛି ଚାଇତା ଚୀର ନିଦ୍ରାରେ । ପାଖରେ ପଡିଛି ଆସ୍କା ଫଟି ବୋତଲ । 


       ଦାଣ୍ଡ ଦୁଆରେ ଚଇତାର ମୁର୍ଦ୍ଧାର ଟାକୁ ଶୁଆଇଦେଇ ଚାଲିଗଲେ ସାଇଭାଇ ଏଇ କଥା କହି ଯେ ଏ ଭୀଷଣ ବରଷାରେ ନଈ ଏଇନେ ଦୁଇକୂଳ ଖାଇ ବୋହୁଛି । ହିଡ ବାଡ଼ ସବୁ ଜଳାର୍ଣବ । ମୁର୍ଦ୍ଧାର ପୋତିବାକୁ ଜାଗା ଖୋଜିବାକୁ ପଡିବ । ଏ ଅନ୍ଧାର ରାତିକୁ ବରଷାରେ କିଏ ମାଟି କାଦୁଅରେ ସାଲୁ ବାଲୁ ହେବ ? ସକାଳ ହେଉ , ବରଷା ଛାଡୁ ଦେଖିବା । ସମସ୍ତେ ଯେଝା ଘରକୁ ଚାଲିଗଲେ । ନାରଖାରୀ ସେମିତି ସେ ପିଣ୍ଡା ଉପରେ ବସିଛି ରାତିଯାକ । ଆଖିରେ ଥରେ ହେଲେବି ପଲକ ପଡିନି । କାନ୍ଦି କାନ୍ଦି ଗେଲି ହାଲିଆହୋଇ ତାରି କୋଳରେ ଶୋଇପଡିଛି । କିନ୍ତୁ ତା ଆଖିରେ ଠୋପେ ବି ଲୁହ ନାହିଁ । ସବୁ ଗୁଡାକ ବୋହି ବୋହି ବହୁ ଆଗରୁ ଶୁଖିଯାଇଛି ।


       ସାଇରୁ ଆସି ଠିଆହେଲେଣି ଛରି ଛଜଣ । ମୁର୍ଦ୍ଧାର ଉଠିଲେ ଘରେ ଯାଇ ଚୁଲି ଲାଗିବ । ଚାଳ ବାନ୍ଧି ରହିଛନ୍ତି ନା । ଚଇତା ପାଇଁ ଯେତେ ବ୍ୟସ୍ତ ନୁହନ୍ତି ନିଜ ପାଇଁ ଅଧିକ ବ୍ୟସ୍ତ । କେହି କେହି କହିଲେଣି ଏ ପାଗରେ ମାଲ ଟିକେ ନମାଇଲେ ନଈକୂଳକୁ ଯିବା କେମିତି ? ପୁଣି ମୁର୍ଦ୍ଧାର ଢାଙ୍କିବାକୁ ନୂଆ ଲୁଗା ଦରକାର । ମାଲ ଭାଇ ଆସିଲେ ବଜାରରୁ ଜଳଖିଆ ଆଣି ରଖିଥିବା ଦରକାର । ସବୁ ଶୁଣିଲା ନାରଖାରୀ । ଘରେ ଗୋଟେ ବି ପଇସା ନାହିଁ । ଦେହରେ ମୁଣ୍ଡରେ ଚିନେ ସୁନା ବି ନାହିଁ । ସବୁ ଯାଇଛି ସରକାରୀ ସୁଲଭ ମଦଦୋକାନରେ । ଝିଅ ଗେଲି ଯାତ୍ରାରୁ କିଣି ରଖିଥିବା ମାଟି ଘଡାରେ ବେଳେ ବେଳେ ସେ କିଛି ରେଜା ପଇସା ଲୁଚେଇ ସଞ୍ଚି ରଖୁଥିଲା । ସେଇଟି ଆଣି ମାଲଭାଇଙ୍କୁ ବଢ଼େଇଦେଲା ନାରଖାରୀ । ଏଥର ହରିବୋଲ ପକେଇ କୋକେଇ ଉଠେଇଲେ ମାଲଭାଇ ।


       ଦାଣ୍ଡ ଦୁଆରେ ଗୋବରପାଣି ଛିଞ୍ଚି ଆଖି ଉହାଡ଼ରୁ ଅଦୃଶ୍ୟ ହୋଇଯାଉଥିବା ଚଇତାର ଧଳା ଲୁଗାରେ ଆବୃତ ମୁର୍ଦ୍ଧାରକୁ ଚାହିଁ ତଳେ ମୁଣ୍ଡ ପିଟିଦେଲା ନାରଖାରୀ । ହାତର କାଚକୁ ତଳେ ଛେଚି ଛେଚି ଗୁଣ୍ଡ କରିଦେଲା ସେ । ଦୁଇ ହାତରୁ ରକ୍ତ ବାହାରିଲାଣି । ମୁଣ୍ଡ ଫୁଲି ଯାଇଛି ଆବୁ ଭଳି । ମାତ୍ର ସେଥିକି ତାର ନିଘା ନାହିଁ । ନିଜ ଛାତିରେ ହାତ ପିଟି ବୋବାଳି ଛାଡି କାନ୍ଦୁଛି ନାରଖାରୀ । ଅନେକ ବେଳୁ ରୁଦ୍ଧ ଥିବା କୋହର ଉଛ୍ୱାସ ଯେମିତି ବନ୍ଧ ଭାଙ୍ଗି ବାହାରକୁ ବାହାରି ଆସିଲା । ତା ଆଗରେ ତା ସୁଖର ସଂସାର ଭାଙ୍ଗି ରୁଜି ଛାରଖାର ହୋଇଗଲା । ଅନେକ ସମୟରୁ ବନ୍ଦ ହୋଇଯାଇଥିବା ଶ୍ରାବଣର ବର୍ଷାଟା ପୁଣି ଝର ଝର ହୋଇ ଝରିବାକୁ ଲାଗିଲା ଓ ନାରଖାରୀର ଦୁଇ ଆଖିରୁ ଧାର ଧାର ହୋଇ ବୋହିପଡୁଥିବା ଲୁହ ସାଥିରେ ଏକାକାର ହୋଇ ବହିବାକୁ ଲାଗିଲା ।

             


Rate this content
Log in

More oriya story from Pramod Panda

Similar oriya story from Tragedy