Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Pramod Panda

Abstract Thriller

4.8  

Pramod Panda

Abstract Thriller

କ୍ଷୁଦ୍ରଗଳ୍ପ - ଡାହାଣୀ

କ୍ଷୁଦ୍ରଗଳ୍ପ - ଡାହାଣୀ

6 mins
790


ସକାଳୁ ସକାଳୁ ମଧୁପୁର ଗାଁର ପରିଡା ସାହିରେ ହୁରି ପଡିଗଲା, ଗୋପିଆ ମା’ଟା ଡାହାଣୀ । ନିପଟ ମଫସଲର ଏଇ ଛୋଟିଆ ଗାଁଟାରେ ଚାହୁଁ ଚାହୁଁ କଥାଟା ନିଆଁ ଲାଗିଲା ପରି ଚାରିଆଡେ ବ୍ୟାପିଗଲା । କଥା କଣ କି ଅନ୍ଧାରୁ ଅନ୍ଧାରୁ ରାଧୁ ପରିଡା ନିତ୍ୟକର୍ମ ସାରିବାକୁ ପୋଖରୀକୁ ଯାଇଥିଲେ । ପୋଖରୀ ହୁଡା ଉପରକୁ ଯେମିତି ଉଠି ଯାଇଛନ୍ତି, ଦେଖିଲେ ହୁଡାତଳେ ବିଲ ଉପରେ ଉର୍ଦ୍ଧ୍ୱ ଲଙ୍ଗଳାହୋଇ କିଏ ଗୋଟେ ମାଇପୀଟେ ଠିଆହୋଇଛି ବାଳ ମୁକୁଳାକରି । ପରିଡାଙ୍କର ପ୍ରକୃତିର ତାଡନା ସେଇଠି ବନ୍ଦ ହୋଇଗଲା । ଭୟରେ ତାଙ୍କର ଦେହ ଥରିବାକୁ ଲାଗିଲା । ମୁଣ୍ଡରୁ ଝାଳ ଗମ ଗମ ହୋଇ ବାହାରିଲା । ସେ ଯେ ପାହାନ୍ତା ପାହାନ୍ତାରେ ଡାହାଣୀ ହାବୁଡେ ପଡିଯାଇଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ପୁଣି ଆଉ କୋଉ ସାଧାରଣ ଡାହାଣୀ ନୁହଁ ।ଇଏ ହେଉଛି ଗୁହଚରି ଡାହାଣୀ ।ସେଥିପାଇଁ ରାତିରୁ ପଳେଇ ଆସିଛି ମଇଳା ଚରିବାକୁ ପୋଖରୀ ହୁଡାକୁ । ଗୁଡାଖୁ ଲଗା ତାଙ୍କର ବିଶି ଆଙ୍ଗୁଠିରେ ପାନଖିଆ ଦାନ୍ତଗୁଡାକୁ ଡିହ ମରା ସେଇଠି ଅଟକିଗଲା । ବଡ କଷ୍ଟରେ ସେ ଓସ୍ତଗଛ ଉହାଡକୁ ଲେପେଟି ଯାଇ ସେଇଠୁ ଲକ୍ଷ୍ୟକଲେ । ଝାପସା ଅନ୍ଧାରଟାରେ ଠଉରାଇ ନପାରି କେବଳ ପ୍ରତିକୃତିକୁ ଚାହିଁଥିଲେ । ଧୀରେ ଧୀରେ ପୂର୍ବ ଆକାଶ ଫର୍ଚ୍ଚା ଦଶିବାରୁ କିଛିଟା ଆଲୁଅ ପଡିଲା ।ପରିଡାଏ ଦେଖିଲେ...." ଆରେ ଏ ତ ଗୋପିଆ ମା’ " ସେ ଯାହା ଶୁଣୁଥିଲେ ପ୍ରତ୍ୟକ୍ଷରେ ଦେଖିଲେ । କଞ୍ଚା ଡାହାଣୀଟା । ଆରେ ବାପରେ "କହି ଯେନତେନ ପ୍ରକାରେ ସେଇଠୁ ଜୀବନ ବଞ୍ଚେଇ ଏକାବେଳକେ ସାହିକୁ ମାଇଲେ ଡିଆଁ । ଏକଥା କି ଆଉ ତାଙ୍କ ପେଟରେ ରହେ ? କଥାଟାକୁ ବଢ଼େଇ ଚଢେଇ ବନେଇ ଚୁନେଇ ଏମିତି ପ୍ରଘଟ କରିଦେଲେ ଯେ ମାଇପି ଦିନ ବେଳଟାରେ ସୁଦ୍ଧା ତାଙ୍କ ପିଲାଙ୍କୁ ଦାଣ୍ଡକୁ ଛାଡିଲେନି ।

ସମସ୍ତେ କୁହାକୁହିଁ ହେଲେ " ରାଧୁ ପରିଡା ପରା ଖୋଦ ଦେଖିଛନ୍ତି ଗୋପିଆ ମା’ ତଳକୁ ମୁହଁ ଓ ଉପରକୁ ଗୋଡଟେକି ଦୁଇ ହାତରେ ଚାଲିକରି ପୋଖରୀ ହୁଡ଼ାରୁ ମଇଳା ଗୁଡାକ ଖାଉଥିଲା ।ତା ବାଳ ଗୁଡାକ ପୋଖରୀ ହୁଡାତଳ ଯାଏଁ ଲମ୍ବିଯାଇଥିଲା "।

" ସେ ରାଧୁ ପରିଡାକୁ କଣ ଦେଖିଛି ? ଦେଖିଥିଲେ ତ ସେଇଠି ଖାଇ ଯାଇଥାନ୍ତା । ଆରେ ଗୋପିଆ ମା’ ଦେହରେ ରାତି ହେଲେ ଗୁହଚରି ଡାହାଣୀ ଲାଗୁଛି ଆଉ ଦିନ ହେଲେ ଛାଡି ଚାଲିଯାଉଛି । କ’ଣ କରିବା ? ପିଲାଛୁଆ ଧରି ଚଳିବାକୁ ଡର ଲାଗିଲାଣି । ଏକୁଟିଆ ପାଇଲେ ଛୋଟପିଲାଙ୍କ ରକ୍ତ ଝୁଣି ଖାଇଯିବ ।ଆମେ ପୁଣି ଚଲିବା କେମିତି ଏ ସାହିରେ ଗାଁରେ "?

ଗାଁର ଭେଣ୍ଡିଆ ସବୁ ଏକାଠି ହେଲେ । କହିଲେ " ଚାଲ , ଗୋପିଆ ମା’ ଘରେ ନିଆଁ ଲାଗେଇଦେବା । ତାରି ଭିତରେ ସେ ଜାଳି ପାଉଁଶ ହୋଇଯିବ " । କିଏ ଜଣେ କହିଲା " ନା ନା , ନିଆଁ ଲଗେଇଲେ ଅଧିକ ବିପଦ ସାହି ପ୍ରତି । ବରଂ ତାକୁ ନେଇ ମଶାଣୀ ପଡ଼ିଆରେ ଗାତ ଖୋଳି ତଳେ ଉପରେ କଣ୍ଟା ଦେଇ ପୋତିଦେବା "। ଅନ୍ୟ ଜଣେ କହିଲା " ତମେ କିଛି ଜାଣିନ । ଡାହାଣୀର ଶରୀର ରହିଲେ ସେ ପୁଣି ବଞ୍ଚିବ । ତେଣୁ ଭଲ ହେବ ବରଂ ତାକୁ କୋଉ ଗୋଟେ ମଲା ଗଛରେ ବାନ୍ଧି ନିଆଁ ଲାଗେଇଦେବା "। କୌଣସି କଥା ଠିକ ହୋଇ ନପାରିବାରୁ ସମସ୍ତେ ମିଶି ଧାଇଁଲେ ଗାଁ ମୁଖିଆ ହରିବନ୍ଧୁ ଶ୍ରୀଚନ୍ଦଙ୍କ ପାଖକୁ ।" କଥା ହେଲା ସନ୍ଧ୍ୟାବେଳେ ମଣ୍ଡପରେ ସମସ୍ତେ ବସି ଏହାର ପ୍ରତିକାର ପାଇଁ ବ୍ୟବସ୍ଥା କରିବେ । ଗୁଣିଆ ନବଘନ ଓଝାକୁ ଖବର ଦିଅ ସେ ଯେମିତି ଠିକ ସମୟରେ ଉପସ୍ଥିତ ରହେ " । କିନ୍ତୁ କିଏ ଏଇ ଗୋପିଆ ମା’ ? କଣ ପାଇଁ ତା କଥା ଏଠି ପଡିଛି ? କଥା କଣ କି , ମଧୁପୁର ପରିଡା ସାହିର ଅଗାଧୁ ବାହାହେଲା ନେତକୁ । କିନ୍ତୁ ବିଧାତାର କି ଖେଳ ଯେ ନେତର ଭୁଆସୁଣୀ ବୟସରେ  ହଇଜାରେ ଅଗାଧୁ ଚାଲିଗଲା ଆରପାରିକୁ କୋଳରେ ତା'ର ସେତେବେଳେ ବରଷକର ଦୁଧଖିଆ ପିଲା ଗୋପିଆ । ନେତର ବୟସ ହେଇ ହେଇ ଷୋହଳ କି ସତର ହେବ । ଦିହରେ ଯୌବନ ଲହଡି ଭାଙ୍ଗୁଥାଏ । ଗରୀବ ମାଇପ ସଭିଙ୍କ ଶାଳୀ ପରି ନେତ ଉପରେ ଭେଣ୍ଡାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଆଖି । ବିଚାରି ବଡ ଅସୁବିଧା ରେ ଜଗି ରଖି ରହିଥାଏ । ଅଗାଧୁ ଥିଲାବେଳେ ମୂଲ ମଜୁରି ଲାଗି ଯାହା ଆଣୁଥିଲା ସେ ଗଲାପରେ ପୁରା ଠ ଠା ଠି । ନେତର ବାପଘର ବି ଟାଣୁଆ ନଥିଲେ । ତେଣୁ ବିଚାରୀ ଶାଶୁଘରେ ଭାଗ୍ୟକୁ ଆଦରି ପଡିଥାଏ ଗୋପିଆ ମୁହଁକୁ ଚାହିଁ । ଶଶୁର ବୁଢା ଯାହା ଯୁଆଡୁ ଯୋଗାଡକରି ଢୋକ ପାଣି କରି ଘର ଚଳଉଥିଲା , ସେବି ବେଡି ଉପରେ କୋରଡା ଭଳି ପୁଅ ଯିବାର ମାସ ଚାରିଟାରେ ଆରପାରିକୁ ଟିକେଟ କାଟିଲା । ତା ପରେ ପରେ ଶାଶୁ ବୁଢୀ ମଧ୍ୟ ପୁଅ ଓ ଗେରସ୍ତକୁ ଝୁରି ଝୁରି ବୁଢା ଯିବାର ଚାରି ଛ ମାସ ପରେ ଉପରକୁ ଚାଲିଲା । ରହିଲେ କେବଳ ନେତ ଆଉ ଦୁଧଖିଆ ଛୁଆ ଗୋପିଆ । ଲୋକେ କୁହାକୁହି ହେଲେ, " ଅଲକ୍ଷଣୀ ଟା ବଅଁଶ ବୁଡେଇ ଦେଲା । ପୁରା କଞ୍ଚା ଡାହାଣୀଟା, ଇଏ କେତେବେଳେ କାହାକୁ ଖାଇବ ଠିକ ନାହିଁ " ।

ସବୁ ଜ୍ୱାଳା ଠାରୁ ପେଟର ଜ୍ୱାଳା ଅଧିକ କଷ୍ଟଦାୟକ । ଅଣ୍ଟାଭିଡିଲା ନେତ । ଲୋକଙ୍କ ଟାହି ଟାପରାକୁ ଭୃକ୍ଷେପ ନକରି ଗାଁ ପାଖ ଚୁନ ଭାଟିରେ ଯାଇ କାମ କଲା । ଯାହା ମଜୁରି ପାଏ , ସେଥିରେ ମା’ ପୁଅ କୌଣସିମତେ ଚଳିଯାଆନ୍ତି ।

ଏମିତିରେ ଦିନ ପରେ ଦିନ ଗଡି ଚାଲିଲା । ଧୀରେ ଧୀରେ ଗୋପିଆ ବଡହେଲା । ବାହା ସାହା ହେଲା । ସଂସାର ବଢିବାରୁ ଖର୍ଚ୍ଚ ବଢିଲା । ନିଜର ବୋଲି ବାଡ଼ି ଗୋବରେ ଗୋବେ ବୋଲି ଜମି ନାହିଁ । ଏଠି କାମ ଧନ୍ଦାର ବିଶେଷ ସୁବିଧା କିଛି ନାହିଁ କହିଲେ ଚଳେ । ବାଧ୍ୟହୋଇ ଗୋପିଆ ଦାଦନ ଖଟିବାକୁ ସୁରାଟ ଚାଲିଗଲା ତା ଭାରିଜାକୁ ଧରି । ଗୋପିଆ ମା’ ଘରେ ଏକା । ପ୍ରତି ମାସରେ ଗୋପିଆ କିଛି କିଛି ଟଙ୍କା ପଠାଏ ତା ମା’ ପାଖକୁ । ଗୋପିଆ ମା’ ବସିବା ଲୋକ ନୁହଁ । ଯଦିବା ସେ ବୁଢ଼ୀ ହୋଇଗଲାଣି ତଥାପି ସେ ଏବେବି କର୍ମକ୍ଷମ ଅଛି । ତେଣୁ ଗାଈ ଟିଏ ରଖିଛି । ଯାହା କ୍ଷୀର ହୁଏ ନିଜେ ଅଳ୍ପ ରଖି ବାକି ତକ ଗାଁ ଜଳଖିଆ ଦୋକାନରେ ଦେଇଦିଏ । ଲୋକେ ତାକୁ ଗୋପିଆ ମା’, ବୋଲି ଡାକନ୍ତି । ମଣ୍ଡପରେ ସାହିଯାକ ଲୋକ ଠୁଳ । ପିଣ୍ଡାରେ ମଧ୍ୟ ମାଇପି ସବୁ କାନ ଡେରିଥାନ୍ତି ଆଲୋଚନା ଶୁଣିବାକୁ । ମଣ୍ଡପ ତଳେ ଗୋଟିଏ କଣକୁ ହାତେ ଓଢଣା ଟାଣି ନୂଆବୋହୁ ପରି ଗୋପିଆ ମା’ ଠିଆହୋଇ ଥାଏ । ତା ଅଣ୍ଟାରେ ଗୋଟେ ଦଉଡା ବନ୍ଧାହୋଇ ପାଖରେ ଥିବା ବଉଳଗଛ ଦେହରେ ଭଲ ଭାବରେ ବନ୍ଧା ହୋଇଥାଏ । ହାତ ଦିଇଟା ବି ସେଥିରୁ ବାଦ୍ ପଡିନଥାନ୍ତି । ଆଜି ତାର ଭାଗ୍ୟ ନିରୁପଣହେବ ।   ଗଳାଖଙ୍କାର ମାରି ଦୀନବନ୍ଧୁ ସାଆନ୍ତରା କଥା ଆରମ୍ଭକଲେ ।" ଆପଣ ମାନେ ସବୁ ଶୁଣିଛନ୍ତି ଆଜି ସକାଳର ଘଟଣା । ବର୍ତ୍ତମାନ ଏପରି ପରିସ୍ଥିତି ଆସି ପହଞ୍ଚିଛି ଯେ ଆମର ପିଲା ଛୁଆ ମଧ୍ୟ ନିରାପଦ ନୁହନ୍ତି । ନିଜେ ରାଧୁ ପରିଡା ଏକଥା ନିଜ ଆଖିରେ ଦେଖିଛନ୍ତି । ଏଭଳି ଭୟଙ୍କର ଡାହାଣୀ ଆମ ସାହିରେ ଥିବା ପର୍ଯ୍ୟନ୍ତ ଆମେ କୌଣସି ମତେ ନିରାପଦ ନୋହୁଁ । ତେଣୁ କ’ଣ ପ୍ରତିକାର କରାଯିବ ଆପଣ ମାନେ ସ୍ଥିରକରନ୍ତୁ " ।

କେତେଲୋକ କେତେ କଥା କହିଲେ । କିଏ କହିଲା ଗାତ ଖୋଳି ପୋତିଦେବା । କିଏ କହିଲା ଗଛରେ ବାନ୍ଧି ନିଆଁ ଲଗେଇଦେବା । ଆଉ କିଏ କହିଲା ଗୁଣିଆ ନବଘନ ଓଝା ଆସିଛନ୍ତି ତାଙ୍କୁ ଏହାର ପ୍ରତିକାର ପଚରାଯାଉ । ଗୋଟାଏ ଗୋଳ ଉଠିଲା ହୋ ହଲ୍ଲାର । ଗାଁ ମୁଖିଆ ହରିବନ୍ଧୁ ଶ୍ରୀଚନ୍ଦନ ଗମ୍ଭିର କଣ୍ଠରେ କହିଲେ, " ପ୍ରଥମେ ଅଭିଯୁକ୍ତାକୁ ତା ସପକ୍ଷରେ କିଛି କହିବାକୁ ନଦେଲେ ଆମର ଅନ୍ୟାୟ ହେବ । ତାପରେ ଗୋପିଆ ମା’କୁ ସମ୍ବୋଧନକରି ପଚାରିବାରୁ ସେ ଧୀରେ ଧୀରେ କହିବାକୁ ଆରମ୍ଭକଲା --

" କାଲି ସନ୍ଧ୍ୟାରେ ମୋ ଗାଈ ଗହୀରୁ ଫେରିଲାନି । ମୋ ଦାଣ୍ଡଦୁଆରେ ଖୁଦୁରୁକୁଣୀ ପିଲା ଦାସକାଠିଆ କରିବେ ବୋଲି ପେଣ୍ଡାଲ ବାନ୍ଧି ମାଇକି ଲଗାଇ ଯେଉଁ ଗହଳିକଲେ ଗାଈ ହୁରୁଡିଯାଇ ଘରକୁ ନଆସି ପୁଣି ଗହୀରକୁ ପଳେଇଲା । ମୁଁ ଗାଈଟାକୁ ଖୋଜି ଖୋଜି ଗହୀରୁ ଅଡେଇ ଆଣି ଯେତେ ଘରକୁ ଆଣିବାକୁ ଚେଷ୍ଟା କଲି ସେ ଜମା ମଙ୍ଗିକରି ଆସିଲାନି । ସେଇ କନ୍ଧି ମୁଣ୍ଡରେ ହିଁ ରହିଲା । ସେଇଠୁ ମୁଁ କ’ଣ କଲି ନା ମୋ ପିନ୍ଧା ଲୁଗା କାନିଟାକୁ ତା ବେକରେ ବାନ୍ଧି ତାକୁ ଟାଣିକରି ଦାଣ୍ଡ ମୁହାଁ କଲାରୁ ସେ ଅନକସ୍ତେଇ ଗାଈଟା ଏ ଲୋକ ଗହଳି, ମାଇକି ସାଉଣ୍ଡ୍ ଓ ଆଲୁଅ ଦେଖି ହୁରୁଡିଯାଇ ପୁଣି ଗହୀରକୁ ପଳେଇଲା "।

ସମସ୍ତେ ତା କଥାକୁ ମନ ଧ୍ୟାନ ଦେଇ ଶୁଣୁଥାନ୍ତି । ସବୁଆଡ ଚୁପ୍ ଚାପ୍ । ଖଣ୍ଡି କାଶ ମାରି ଦୀନବନ୍ଧୁ ସାଆନ୍ତରା ପଚାରିଲେ, ହେଲେ ଗାଈ ତ ଗହୀରକୁ ପଳାଇଲା ....ତା ସହିତ ଏ ଘଟଣାର କଣ ସମ୍ପର୍କ "? " ସେଇ କଥା ତ କହୁଚି " । ତାପରେ ଟିକେ ଥଙ୍ଗେଇ ଥଙ୍ଗେଇ ଗୋପିଆ ମା କହିଲା, " ଗାଈଟା ....ଯେବେ ଝିଙ୍କି ନେଇଗଲା.....ତା ବେକରେ...ବନ୍ଧା ହେଇଥିବା ମୋ ପିନ୍ଧା ଲୁଗାଟା ବି ଗାଈ ସାଥିରେ ଗଲାନା.." । ସମସ୍ତେ ଚୁପ୍ । କଣ ଗୋଟେ ଚାପା ହସର ଗୁଞ୍ଜରଣ ଖେଳିଗଲା ଚାରିଆଡେ ।

ନିଜକୁ ଟିକେ ସଞ୍ଜତକରି ଗୋପିଆ ମା’ ପୁଣି ଆରମ୍ଭ କଲା, " ଏତେ ଗହଳିରେ ମୁଁ ମାଇପିଟା ଏ ଦାଣ୍ଡ ମଝିଟାରେ ଘରକୁ କେମିତି ଆସିଥାଆନ୍ତି ଯେ...ସେ ଅବସ୍ଥାରେ ? ତେଣୁ ପୋଖରୀ ଆଡେ ପଳେଇଲି । ଭାବିଲି, ଭୋରରୁ ଭୋରରୁ କୋଉ ମାଇପି ଯଦି ପୋଖରୀକୁ ଆସେ ତେବେ ତାଠୁ ବଦଳା ଲୁଗାଟା ମାଗି ପିନ୍ଧି ପକେଇବି । ମୋର ଏଇ ବିପଦ ବେଳର ଅବସ୍ଥାରେ କିଏ କଣ ଭାବି ମୋ ନାଆଁରେ ଆଜି ୟା’ଡୁ ସ୍ୟାଡୁ କହିଛି ମୁଁ ବୁଝିପାରୁନି । ମୁଁ ଏ ସାହିର ମାଇପିଟା । ଆଜି ମୋର ପୁଅ ଗେରସ୍ତ କେହି ନାହାନ୍ତି ବୋଲି ମୋତେ ଏତେ ଲୋକଙ୍କ ଭିତରେ ଗୋରୁ ଗାଈ ଭଳି ବାନ୍ଧିଛ । ଏ ସଂସାରରୁ କ’ଣ ଧର୍ମ ଉଠିଗଲା । ଏତେ ଦିନ ଏ ଗାଁରେ ଚଳିଲିଣି ମୋ ବିରୁଦ୍ଧରେ କିଛି ଶୁଣିଛନ୍ତି "। ଏକଥା କହି ବାହୁନା ପକେଇ ନିଜ ପୁଅ ଆଉ ସ୍ୱାମୀଙ୍କୁ ମନେପକେଇ କାନ୍ଦିବାକୁ ଲାଗିଲା ।

ସମସ୍ତେ ଟୁପୁରୁ ଟାପର ହେଲେ । ଗୋଟେ ଭେଣ୍ଡିଆ ଯାଇ ଗୋପିଆ ମା’ର ଦଉଡି ଖୋଲିଦେଲା । କିଏ କିଏ କହୁଥିବାର ଶୁଣାଗଲା, " ଆରେ ସେଇଥିପାଇଁ ଗୋପିଆ ମା’ର କବାଟ କାଲି ରାତିରେ ଖୋଲି ନଥିଲା ତେବେ, ଆମେ ଅଯଥାରେ ଦୋଷ ଦେଉଥିଲେ । ବିଚାରୀ ବଡ ହୀନିମାନ ହେଲା । କୁଆଡେ ଗଲେ ସେ ରାଧୁ ପରିଡା "? ଖୋଜିଲା ବେଳକୁ ରାଧୁ ପରିଡା ସେଠି ନଥିଲେ ।


Rate this content
Log in

More oriya story from Pramod Panda

Similar oriya story from Abstract