Kanan Bala Nayak

Inspirational

5.0  

Kanan Bala Nayak

Inspirational

ଅଧୂରା ସ୍ବପ୍ନ

ଅଧୂରା ସ୍ବପ୍ନ

5 mins
414


ଅଭିଲିପ୍ସା ଯେତେବେଳେ ଛୋଟ ଥିଲା ତା ବାପା ସବୁ ବେଳେ ତାଙ୍କୁ କୋଳରେ ବସାଇ ନାନା ବୀର ଓ ବୀରଙ୍ଗନାଙ୍କ କାହାଣୀ ଶୁଣାନ୍ତି । କହନ୍ତି ମୋ ଝିଅ ବଡ଼ ହେଲେ ଜଣେ ପୋଲିସ ଅଫିସର ହେବ ଓ ଅନ୍ୟାୟ ବିରୁଦ୍ଧ ରେ ଲଢି ସମସ୍ତଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରିବ । ସ୍କୁଲରେ ହେଉଥିବା ସମସ୍ତ ଫେନ୍ସି ଡ୍ରେସ୍ ପ୍ରତିଯୋଗିତାରେ ଅଭିଲିପ୍ସା ପୋଲିସର ଅଭିନୟ କରେ । ଅଭିଲିପ୍ସାର ବାପା ହେମନ୍ତ ବାବୁ ଜଣେ ଶିକ୍ଷକ । ତାଙ୍କର ତିନି ଝିଅ । ହେମନ୍ତ ବାବୁ କେବେବି ଝିଅ ଓ ପୁଅଙ୍କ ଭିତରେ କିଛି ପ୍ରଭେଦ ଦେଖନ୍ତି ନାହିଁ । ହେମନ୍ତ ବାବୁଙ୍କ ମାଆ ଯଦି କେବେ ନାତି ଟିଏ ନାହିଁ ବୋଲି ମନ ଦୁଃଖ କରନ୍ତି, ହେମନ୍ତ ବାବୁ ତାଙ୍କୁ କହନ୍ତି, ତୋ ନାତୁଣୀ ମାନେ କେଉଁ ଗୁଣରେ କମ୍ ଯେ ତୁ ପୁଣି ତୁ ପୁଣି ନାତି ଖୋଜୁଛୁ । ଦେଖିବୁ ତୋ ନାତୁଣୀ ମାନେ ଦିନେ ଏମିତି କିଛି କରି ଦେଖାଇବେ ଯାହା ପୁଅ ପିଲାମାନେ ବି କରି ପାରିବେ ନାହିଁ । ହେମନ୍ତ ବାବୁଙ୍କ ତିନି ଝିଅଙ୍କ ମଧ୍ୟରେ ଅଭିଲିପ୍ସା ବଡ଼ । ତେଣୁ ତାକୁ ନେଇ ତାଙ୍କର ଅନେକ ସ୍ବପ୍ନ । ଅଭିଲିପ୍ସା ମଧ୍ୟ ବାପାଙ୍କ ସ୍ବପ୍ନକୁ ନିଜର ସ୍ବପ୍ନ ବୋଲି ଧରି ନେଇ ଥିଲା । ତେଣୁ ପିଲା ବେଳୁ ସେ ସେଥିପାଇଁ ପ୍ରଚେଷ୍ଟା ଆରମ୍ଭ କରି ଦେଇଥିଲା । ଶିକ୍ଷକ ଘରର ପିଲା, ତେଣୁ ସେମାନେ କେମିତି ସଂସ୍କାରୀ ଓ ଚରିତ୍ର ବାନ ହେବେ ସେଥିପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିଲେ ହେମନ୍ତ ବାବୁ । 


ହେମନ୍ତ ବାବୁଙ୍କ ମାର୍ଗ ଦର୍ଶନରେ ତାଙ୍କ ପିଲାମାନେ ଖୁବ୍ ସଂସ୍କାରି, ଭଦ୍ର ଓ ଚରିତ୍ର ବାନ ହୋଇ ବଢିବାକୁ ଲାଗିଲେ । ସେ ସବୁବେଳେ ତାଙ୍କୁ ଗୋଟେ କଥା କହନ୍ତି ଏମିତି କାମ କରିବ, ଯାହା ତୁମ ବାପା ଓ ଜେଜେ ବାପାଙ୍କ ନାଁ କୁ ଆଗକୁ ଆଗେଇ ନେବ । ଏମିତି କିଛି କାମ କେବେବି କରିବ ନାହିଁ, ଯାହା ଫଳରେ ତୁମ ବାପାଙ୍କ ମୁଣ୍ଡ ଅନ୍ୟ ମାନଙ୍କ ଆଗରେ ତଳକୁ ହୋଇଯିବ । ତୁମ ବାପା ଜଣେ ଶିକ୍ଷକ । ଶିକ୍ଷା ଓ ସଂସ୍କାର ପ୍ରଦାନ କରିବା ତାର କର୍ତ୍ତବ୍ୟ । ତେଣୁ ସମସ୍ତ ଙ୍କ ନଜର ତୁମ ଉପରେ ରହିବ । ଆଉ ଅଭିଲିପ୍ସାକୁ କହନ୍ତି ଦେଖ ତୁ ହେଉଛୁ ମୋର ବଡ଼ ଝିଅ । ତୋ ଠାରୁ ତୋ ସାନ ଭଉଣୀ ମାନେ ଶିଖିବେ । ତେଣୁ ତୋର ଦାୟିତ୍ବ ଅଧିକ । ତୁ ଏମିତି କିଛି କରିବୁ ନାହିଁ ଯାହା ଦ୍ବାରା ସେମାନଙ୍କ ଉପରେ ଖରାପ ପ୍ରଭାବ ପଡିବ । ତୋତେ ନେଇ ମୋର ଅନେକ ସ୍ବପ୍ନ । ଅଭିଲିପ୍ସା ମଧ୍ୟ ବାପାଙ୍କ କଥା ସବୁ ବେଳେ ମାନେ । ହେମନ୍ତ ବାବୁଙ୍କ ତିନି ଝିଅ ସାରା ଖୁବ୍ ଭଲ ପାଠ ପଢନ୍ତି । ବାପାଙ୍କ ପ୍ରେରଣା ଓ ଆଦର୍ଶକୁ ନେଇ ଅଭିଲିପ୍ସା ଆଗକୁ ଆଗେଇ ଚାଲିଥିବା ସମୟରେ ହଠାତ୍ ଏକ ଅଦିନ ଝଡ଼ କାଳବୈଶାଖୀ ପରି ମାଡି ଆସି, ତାର ତଥା ତା ବାପାଙ୍କ ସ୍ବପ୍ନକୁ ନିମିଷକେ ଧୂଳିସାତ୍ କରିଦେଇଥିଲା । ହେମନ୍ତ ବାବୁ ଦିନେ ସ୍କୁଲରୁ ଫେରି ତାଙ୍କ ସ୍ତ୍ରୀ କୁ କହିଲେ, ଦେହଟା କାହିଁକି ଭଲ ଲାଗୁନି । ଛାତି ରେ ଯନ୍ତ୍ରଣା ହେଉଛି । ଆଉ ହସ୍ପିଟାଲ ନେବା ପୂର୍ବରୁ ହିଁ ଆଖି ବୁଜିଦେଲେ । ଅଭିଲିପ୍ସାର ମାଆଙ୍କ ଉପରେ ହଠାତ୍ ଦୁନିଆ ଯାକର ଦୁଃଖ ଅଜାଡି ହୋଇ ପଡିଲା । କଣ କରିବେ ନିଜ ପିଲା ଛୁଆଙ୍କୁ କେମିତି ମଣିଷ କରିବେ, ନିଜ ସ୍ବର୍ଗତ ସ୍ବାମୀଙ୍କ ସ୍ବପ୍ନ କେମିତି ପୁରଣ କରିବେ କିଛି ବୁଦ୍ଧି ବାଟ ଦେଖାଗଲାନି ତାଙ୍କୁ । ତାଙ୍କ ସ୍ବାମୀଙ୍କ ଯାଗାରେ ଚାକିରିଟିଏ ପାଇବାର ଶିକ୍ଷାଗତ ଯୋଗ୍ୟତା ତାଙ୍କ ପାଖରେ ନ ଥିଲା । ତେଣୁ ଅଭିଲିପ୍ସାର ମାଆଙ୍କୁ ତାଙ୍କ ବନ୍ଧୁ ବାନ୍ଧବ ମାନେ ପରାମର୍ଶ ଦେଲେ, ତୁମ ବଡ଼ ଝିଅ ତ କିଛି ଦିନ ପରେ ଆଏସି ପାସ୍ କରିବ । ତାକୁ କହୁନ ସେ ତା ବାପାଙ୍କ ଚାକିରି ଟି କରିବ । ତା ମାଆ କହିଲେ ତା ବାପା ତା ପାଇଁ ଅନେକ ସ୍ବପ୍ନ ଦେଖିଥିଲେ । ସେ ସବୁ ସ୍ବପ୍ନକୁ ଛାଡି ଚାକିରି କରିବା ପାଇଁ ମୁଁ ତାକୁ କେମିତି କହିବି? ଅଭିଲିପ୍ସା ର ମାମୁଁ କହିଲେ ଘର ଚଳାଇବା ପାଇଁ ଓ ତା ସାନ ଭଉଣୀ ମାନଙ୍କୁ ମଣିଷ କରିବା ପାଇଁ ତାକୁ ନିଜ ସ୍ବପ୍ନକୁ ତ୍ଯାଗ କରିବା ପାଇଁ ପଡିବ ।


ନିଜର ପ୍ରାଣପ୍ରିୟ ବାପାଙ୍କୁ ହରାଇ ବାକ୍ ଶୂନ୍ଯ ହୋଇ ଯାଇଥିବା ଅଭିଲିପ୍ସା କଣ ଜବାବ ଦେବ କିଛି ଚିନ୍ତା କରି ପାରୁନଥିଲା । ନିଜ ଜୀବନର ଛୋଟ ଛୋଟ କଥାକୁ ଅଭିଲିପ୍ସା ନିଜ ମାଆଙ୍କୁ ନକହି ନିଜ ବାପାଙ୍କ ସହ ବାଣ୍ଟୁଥିଲା । ଆଉ ତାଙ୍କୁ ଛାଡ଼ି କେମିତି ବଞ୍ଚିବ ସେ କଥା ଚିନ୍ତା କରିବା ପାଇଁ ମଧ୍ୟ ଅଭିଲିପ୍ସାକୁ ସୁଯୋଗ ମିଳିନଥିଲା । ବନ୍ଧୁ ବାନ୍ଧବ ସମସ୍ତେ ମିଶି ତାର ସବୁ ସ୍ବପ୍ନକୁ ବଳି ଦେଇ, ତା ଭାଗ୍ଯକୁ ଲେଖି ଦେଇଥିଲେ । ଆଉ ଅଭିଲିପ୍ସା ବାପାଙ୍କ ସ୍କୁଲରେ କିରାଣୀ ଚାକିରିଟିଏ କଲା । ସେ ଭାବିଲା ସେ ନ ହେଲା ନାହିଁ, ତା ସାନ ଭଉଣୀ ମାନେ ଯଦି ବାପାଙ୍କ ଇପ୍ସିତ ଯାଗାରେ ପହଞ୍ଚି ପାରିବେ, ତେବେ ବାପାଙ୍କ ଆତ୍ମା ଶାନ୍ତି ପାଇବ । ଆଉ ସେ ତାର କର୍ତ୍ତବ୍ୟ ଠିକ୍ ଭାବରେ ସମ୍ପାଦନ କରିପାରିବ ।


ନିଜ ଭଉଣୀ ମାନଙ୍କୁ ସୁନ୍ଦର ଭବିଷ୍ୟତ ଦେବା ପାଇଁ ଅଭିଲିପ୍ସା ନିଜ ଭବିଷ୍ୟତକୁ ବାଜି ଲଗାଇ, ପୋଲିସ ଅଫିସର ହେବାର ସ୍ବପ୍ନକୁ ନିଜ ହୃଦୟ ଭିତରେ ଚାପି ଦେଇଥିଲା । ସେ ତା ସାନ ଭଉଣୀ ମାନଙ୍କର ସମସ୍ତ ଦାୟିତ୍ବ ନିଜ ମୁଣ୍ଡ ଉପରକୁ ନେଇ, ତାଙ୍କୁ ମଣିଷ କରିବା ପାଇଁ ଦିନ ରାତି ଏକ କରି ଦେଲା । ଆଉ ସାନ ଭଉଣୀ ଦୁଇ ଜଣଙ୍କୁ ବାପାଙ୍କ ଇପ୍ସିତ ଯାଗାରେ ପହଞ୍ଚାଇ ଦେଲା । କିନ୍ତୁ ତା ମନରେ ସବୁବେଳେ ଗୋଟିଏ ଅବଶୋଷ ରହିଲା ଯେ ସେ ବାପାଙ୍କ ସ୍ବପ୍ନ କୁ ପୂରଣ କରି ପାରିଲା ନାହିଁ । ତେଣୁ ସେ ବେଳେ ବେଳେ ଉଦାସ ହୋଇ ବାପାଙ୍କ ଫୋଟ ସାମ୍ନାରେ ଛିଡା ହୁଏ, ଆଉ କହେ ବାପା ମୁଁ ସିନା ତୁମ ସ୍ବପ୍ନକୁ ସାକାର କରି ପାରିଲି ନାହିଁ କିନ୍ତୁ ତୁମ ର ଅନ୍ୟ ଦୁଇ ଝିଅଙ୍କୁ ତୁମ ଇଚ୍ଛା ମୁତାବକ ଗଢି ତୋଳିଛି । ସାନ ଦୁଇ ଭଉଣୀ ଚାକିରି କଲେ । ନିଜର ଘର ସଂସାର ମଧ୍ୟ କଲେ । 

ଅଭିଲିପ୍ସାକୁ ଦିନେ ତା ମାଆ କହିଲେ, ତୁ ତୋ କର୍ତ୍ତବ୍ୟ ସଠିକ ଭାବରେ ସମ୍ପାଦନା କରି ସାରିଲୁଣି । ଏବେ ତୋ ନିଜ କଥା ଟିକେ ଚିନ୍ତା କର । ମୋ ଅନ୍ତେ ତୁ ପୁରା ଏକୁଟିଆ ପଡି ଯିବୁ । ତୋ ଭଉଣୀ ମାନେ ତ ନିଜ ନିଜ ସଂସାରରେ ବ୍ଯସ୍ତ । ତୋର ଭଲ ମନ୍ଦ ବୁଝିବା ପାଇଁ କେହି ଜଣେ ତ ଦରକାର । ତୋ ମାମୁଁ ତୋ ପାଇଁ ଗୋଟେ ପ୍ରସ୍ତାବ ଆଣିଛି । ପିଲାଟି ତାଙ୍କ ଗାଁ ସ୍କୁଲରେ ଚାକିରି କରିଛି । ବାପା ମା କେହି ନାହାଁନ୍ତି । ସେ ଆମ ବିଷୟରେ ସବୁ ଜାଣିଛି । ତୋତେ ମଧ୍ୟ ତୋ ସ୍କୁଲରେ ଦେଖିଛି । ତୁ ମନା କରନା । ମୋର ତ ଆସ୍ତେ ଆସ୍ତେ ବୟସ ହେଉଛି, ତେଣୁ ତୋତେ କୂଳରେ ଲଗାଇ ଦେଲେ ମୁଁ ଟିକେ ଶାନ୍ତିରେ ନିଶ୍ବାସ ମାରିବି । ଅଭିଲିପ୍ସା କହିଲା ମୁଁ ତ ସବୁବେଳେ ତୋର ଓ ମାମୁଁଙ୍କ କଥାକୁ ସମ୍ମାନ ଦେଇଛି । ତେଣୁ ତୁମେ ଯାହା ଠିକ୍ ଭାବିବ ।


 ତା ପରେ ଅଭିଲିପ୍ସାର ବିବାହ ହାଇସ୍କୁଲ ଶିକ୍ଷକ ସୁବ୍ରତଙ୍କ ସହ ହୋଇ ଯାଇଥିଲା । ସେ ଗୋଟେ କନ୍ଯା ସନ୍ତାନର ଜନନୀ ମଧ୍ୟ ହେଲା । ଆଉ ତା ବାପାଙ୍କ ସ୍ବପ୍ନ ସବୁକୁ ଅନେକ ପଛରେ ଛାଡିଦେଇ ଆସିଲା । କିନ୍ତୁ ହଠାତ୍ ପୁଣି ଥରେ ଅଭିଲିପ୍ସା ମନରେ ବାପାଙ୍କର ସେଇ ଅଧୂରା ସ୍ବପ୍ନକୁ ପୂରଣ କରିବାର ଆକାଂକ୍ଷା ଉଜ୍ଜୀବିତ ହେଇ ଉଠିଲା, ଯେଉଁ ଦିନ ତା ଝିଅ ସ୍କୁଲର ଫେନ୍ସି ଡ୍ରେସ୍ ପ୍ରତିଯୋଗିତାରେ ପୋଲିସ ଅଫିସର ରୂପରେ ଅଭିନୟ କରିବା ପାଇଁ ଜିଦି ଧରିଲା । ଅଭିଲିପ୍ସାକୁ ଲାଗିଲା ତା ବାପାଙ୍କର ଯେଉଁ ସ୍ବପ୍ନକୁ ସେ ଅଧୂରା ଛାଡି ଦେଇ ଆସିଛି, ସେ ସ୍ବପ୍ନ ଆଉ ଅଧୂରା ହୋଇ ରହିବ ନାହିଁ, ତାକୁ ତା ଝିଅ ପୁରଣ କରିବ । ଆଉ ସେଥିପାଇଁ ସେ ପୁଣି ଥରେ ଦିନ ରାତି ପରିଶ୍ରମ କରିବା ଆରମ୍ଭ କରିଦେଲା । ବାପାଙ୍କ ଠାରୁ ଶୁଣିଥିବା ସବୁ ବୀର ଓ ବୀରଙ୍ଗନାଙ୍କ କାହାଣୀ ତା ଝିଅକୁ ଶୁଣାଇଲା । ଆଉ ସତକୁ ସତ ତା ଝିଅ ବଡ ହୋଇ ଭାରତୀୟ ପ୍ରଶାସନିକ ସେବାରେ ସଫଳତାର ସହିତ କୃତକାର୍ଯ୍ୟ ହୋଇ ଆଇ. ପି.ସ୍. ଭାବରେ କାର୍ଯ୍ୟ କରିବା ପାଇଁ ଯୋଗ୍ୟ ବିବେଚିତ ହେଲା । ସେ ଦିନ ଅଭିଲିପ୍ସାର ଛାତି କୁଣ୍ଢେ ମୋଟ ହୋଇଗଲା, ଆଉ ତା ଆଖିରୁ ଆନନ୍ଦର ଅଶ୍ରୁ ବହିବାକୁ ଲାଗିଲା । ବାପାଙ୍କ ଫୋଟ ସାମ୍ନାରେ ଛିଡା ହୋଇ ସେ କହିଲା, ତୁମର ଯେଉଁ ସ୍ବପ୍ନକୁ ମୁଁ ଅଧୂରା ଛାଡି ଦେଇ ଆସିଥିଲି, ଦେଖ ତୁମ ନାତୁଣୀ ଆଜି କେମିତି ତାକୁ ସାକାର କରିଛି । ତୁମ ଆଶୀର୍ବାଦ ବେକାର ଯାଇ ନାହିଁ । ଆଉ ଅଭିଲିପ୍ସାକୁ ଲାଗୁଥିଲା ଫୋଟ ଭିତରେ ଥାଇ ବାପାଙ୍କ ଛାତିଟା ଯେମିତି କୁଣ୍ଢେ ମୋଟ ହୋଇ ଯାଉଛି । ଆଉ ତାଙ୍କ ମୁହଁରେ ଆନନ୍ଦର ହସଟେ ଫୁଟି ଉଠୁଛି । 


Rate this content
Log in

Similar oriya story from Inspirational