shibaram dalai

Abstract

1.9  

shibaram dalai

Abstract

ଅଭୁଲା ରାତି

ଅଭୁଲା ରାତି

4 mins
374


   ମୁଁ ବି.ଏ. ପାସ କଲା ପରେ ଦୁଇ ଚାରି ଜାଗା ଟିଉସନ କରୁଥାଏ । ଟିଉସନ ରୁ ଯାହା ପାରିଶ୍ରମିକ ମିଳେ ତାହା ମୋ ଖର୍ଚ୍ଚ କୁ ନିଅଣ୍ଟ ହୁଏ । ମୋ ପରିବାର ବହୁତ ହଇରାଣ ଅନଟନ ରେ ଦିନ କାଟୁଥାଏ । ଏତେ ପାଠ ପଢି ବେକାର ପରି ବୁଲିବା କୁ ବାପା ଜମା ପସନ୍ଦ କରୁନଥିଲେ। କିଳାପୋତେଇ ଦେଇ ଚାକିରୀ କରିବା ମୋ ପକ୍ଷରେ ଅସମ୍ଭବ ଥିଲା । ତେଣୁ କୌଣସି ଗୋଟେ କମ୍ପାନୀ ରେ କାମ କରିବାକୁ ସର୍ବଦା ଉପଦେଶ ଦେଉଥିଲେ । ବେଳେ ବେଳେ ବହୁତ ବିରକ୍ତି ପୋଷଣ କରନ୍ତି ମୋ ଉପରେ । ବାପା ଯାହା ରୋଜଗାର କରନ୍ତି ତାହା ଆମ ପରିବାର ଚଳାଇବାକୁ ସଫିସିଏଣ୍ଟ ନ ଥିଲା । ତଥାପି ସେମିତି ସେମିତିରେ ପରିବାର ରଥ ଗଡି ଚାଲିଥିଲା । ହଠାତ ଦିନେ ମୋ ସାନ ଭାଇ ଦେହ ଅସୁସ୍ଥ ହେଲା । ଟଙ୍କା ଅଭାବରୁ ବଡ଼ ଡ଼ାକ୍ତରଖାନା ନେଇ ଉତ୍ତମ ଚିକିତ୍ସା ଦେବାରେ ଅସମର୍ଥ ହେଲୁ । ବାପା ମୋ ବେକାରୀପଣକୁ ଆଙ୍ଗୁଠି ଦେଖେଇ ମାଆ କୁ ବହୁତ ଗାଳି କଲେ । ସେଦିନ ମୋତେ ବହୁତ ବାଧିଲା । ଗାଁ ଛାଡି କଟକ ଚାଲିଆସିଲି । କଟକ ରେଲୱେଷ୍ଟେସନ ର ୩ନମ୍ବର ପ୍ଲାଟଫର୍ମ ରେ ବସିଥାଏ । ରାଗରେ ଘର ଛାଡି ଚାଲିଆସିଲି ସିନା ହେଲେ ପକେଟରେ ଭୋକର ଜ୍ବାଳାକୁ ରୋକିବାକୁ ପାଇସାଟେ ନଥିଲା । କିଛି ଦୂରରେ ଠିଆ ହୋଇ ମୋ ମନର ବେଦନାକୁ ପଢି ସାରିଥିଲା ଜଣେ ଠିକା ଶ୍ରମିକ । ସେ ମୋର ପେଟ ର ବେଦନାକୁ ବୁଝିବା ସହ ମୋତେ ଦିଲ୍ଲୀ ନେଇ ଆସିଲା । ପରିବାର ଉପରେ ରାଗ ଆଉ ଅଭିମାନ ରେ ମୁଁ ଦିଲ୍ଲୀରେ ଚାରି ପାଞ୍ଚ ବର୍ଷ କାଟିଦେଲି । ଘରେ ମୋତେ ଖୋଜି ଖୋଜି ନିରାଶ ହେଲେ । ସେତେବେଳେ ବର୍ତ୍ତମାନ ପରି ଟେଲିଫୋନ ର ସୁବିଧା ନଥିଲା । ଯାହା ଚିଠିପତ୍ର ହିଁ ମାଧ୍ୟମ ଥିଲା ।

    ଶୀତ ଋତୁ ସରି ସରି ଆସୁଥାଏ । ରାଧାକୃଷ୍ଣ ଦୋଳ ବିମାନରେ ଫଗୁ ଧରି ଦଶଦୋଳକୁ ବାହାରିବେ । ମୋର କାହିଁ ଗାଁ କଥା ବେଶୀ ମନେପଡ଼ିଲା । "ଗାଁକୁ ଫେରୁଛି" ଚିଠି ଖଣ୍ଡେ ଲେଖି ପୋଷ୍ଟରେ ପଠେଇ ଦେଲି । ଦୁଇ ଦିନ ପରେ ଗାଁକୁ ବାହାରିପଡ଼ିଲି ।

    ଟ୍ରେନ ଆସି କଟକ ଷ୍ଟେସନରେ ଅଟକିଲା । ଟ୍ରେନରୁ ଓହ୍ଲେଇ ମୋ ଆସବାବପତ୍ର ସହ ଗେଟ ବାହାରକୁ ଆସିଲା ବେଳକୁ ଗେଟ ପାଖରେ ନା ଗୋଟେ ଗାଡ଼ି ଥିଲା ନା ରିକ୍ସା । ମନେ ମନେ ଭାବିଲି ଆଜି କଣ ଗାଡ଼ି ବାଲାଙ୍କ ଧର୍ମଘଟ, ଏମାନେ କେହି ଦେଖାଯାଉନାହାନ୍ତି । ଷ୍ଟେସନରୁ ଘର ୧୭କି.ମି. । ହାତ ଘଣ୍ଟାକୁ ଲକ୍ଷ୍ୟ ପକାଏ ତ ସମୟ ୧ଟା ବାଜି ୫୦ ମିନିଟ । ଏବେ ଗାଡ଼ି ରିକ୍ସା ବାଲାଙ୍କ ଅନୁପସ୍ଥିତି ବୁଝିଗଲି । ଟିକେଟ କାଉଣ୍ଟର ସାମ୍ନାରେ ଆସବାବପତ୍ର ରଖି ବସି ପଡ଼ିଲି। ଆଖିକୁ ନିଦ କଳା ହାଣ୍ଡିଆ ମେଘ ପରି ମାଡ଼ି ଆସୁଥିଲା । ହଠାତ ଗୋଟେ ଅଟୋର ଘଡ଼ ଘଡ଼ ଆବାଜ ରେ ମୋ ଆଖିରୁ ନିଦ ଉଭେଇ ଗଲା । ଆଖିକୁ ମଳିମାଳି ଚାହିଁଲା ବେଳକୁ ଅଟୋ ବାଲାଟା ମୋ ଆଡ଼କୁ ମାଡ଼ିଆସୁଥିଲା । ଅଟୋବାଲା ମୋ ପାଖକୁ ଆସିଲା ବେଳକୁ ମୁଁ ଚମକି ପଡିଲି । ଖୁସି ମଧ୍ୟ ହେଲି । ମୋତେ କୁଣ୍ଢେଇ ପକେଇଲା ସେ । ସେ ମୋ ପିଲାଦିନର ଅତି ଅନ୍ତରଙ୍ଗ ସାଙ୍ଗ ଟେରୁ(ବସନ୍ତ) ଥିଲା । ମୁଁ କିଛି ପଚାରିବା ଆଗରୁ ସେ କହିଲା ଆ ଘରକୁ ଯିବା । ତୋ ବାପା ମୋତେ ଚିଠି ପଢି କହିଲେ ତୁ ଆଜି ଆସୁଛୁ ବୋଲି ତେଣୁ ତୋତେ ନେବା ପାଇଁ ଚାଲିଆସିଲି । ଆମେ ଦୁହେଁ ଆସବାବପତ୍ର କୁ ଅଟୋରେ ଲଦି ଘର ଆଡ଼କୁ ବଢ଼ିଲୁ ।

ମୁଁ ପଚାରିଲି ତୁ ଏ ଅଟୋ.....?

ସେ କହିଲା ହଁ ତୁ ଗଲା ପରେ ମୋ ସାଥିରେ କିଏ ବା ସାଙ୍ଗ ହେଇଥାନ୍ତା। ତୁ ଗଲା ପରେ ତୁମ ବୋଉ ମୋତେ ଦେଖି ବହୁତ କାନ୍ଦେ । ତେଣୁ ମୁଁ ବି ଗାଁ ଛାଡି କଟକରେ ଅଟୋ ଶିଖିଲି ,ନଅ ମାସେ ହବ କିସ୍ତିରେ ଏଇ ଅଟୋ ଆଣିଛି । ଭଲ ରୋଜଗାର ବି ହଉଛି । ସବୁ ଦିନେ ଗାଁକୁ ଯିବା ଆସିବା ଭାରି କଷ୍ଟ ହେଲା ତେଣୁ ଛଅ ମାସ ହେବ ମୁଁ ଏଇଠି ଘରଭଡା ନେଇ ରହୁଛି । ମଝିରେ ମଝିରେ ଗାଁ ଆଡ଼େ ଯାଇ ବୁଲି ଆସୁଛି । କାଲି ଗାଁକୁ ଯାଇଥିଲି ତୁମ ବାପା ତୋ ଆସିବା ବିଷୟରେ କହିଲେ । ମୁଁ ଆସି ଟ୍ରେନ ବିଷୟରେ ବୁଝିଲି ଯେ ଟ୍ରେନ ଟାଇମ ୧:୧୫ ମିନିଟ ଜାଣିଲି ତେଣୁ ଭାବିଲି ତୋତେ ଆସି ନେଇଯିବି । ଗାଁ ରେ ପ୍ରବଳ ରାଜନୀତି । ଗାଁ ରେ ରହିବା ଆଉ ସମ୍ଭବ ନୁହେଁ । ସମସ୍ତେ ସମସ୍ତଙ୍କ ଗୋଡ଼ ଓଟାରିବାରେ ଵ୍ୟସ୍ତ । ଆଉ ତୁ ଗଲା ପରେ ଏ ଅଟୋ ମୋ ସାଥି ପାଲଟି ଯାଇଛି । ତୁ ତ ଆସିଲୁ ଏଥର ପୁଣି ଚିକେନ୍ ଭୋଜି ଚାଲିବ । ବହୁତ ଦିନ ହେବ ତୋ ହାତ ରନ୍ଧା ଖିଆଯାଇନାହିଁ । ଏମିତି ଅନେକ କଥା ଗପସପ ହୋଇ ଯାଉ ଯାଉ ମୋ ଘର ଠାରୁ ଚାରିଟି ଘର ପଛରେ ଅଟୋଟା ଖରାପ ହେଇଗଲା । ଟେରୁ ମୋତେ କହିଲା ତୁ ଘରକୁ ଯାଇ ଦୁଇ କପ ଚାହା ବସା, ମୁଁ ଅଟୋ ଟାକୁ ଠିକ କରି ଯାଉଛି । ଡେରି ହେଲେ ମନ ଦୁଃଖ କରିବୁନି,କାଲି ସକାଳୁ ମୋର ଭଡା ଅ ଛି । ଅଟୋଟା ଠିକ କରିବା ନିହାତି ଦରକାର । ହଁ ତୋ ଆସବାବପତ୍ର ନେଇ ଚାଲ ,ମୋତେ ଲାଗୁଛି ମୋର ବୋଧେ ବିଳମ୍ବ ହେବ । ମୁଁ ସେଠାରୁ ଚାଲି ଆସି ଘରେ ବାପା ବୋଉକୁ ଡାକିଲି । ବୋଉ ଉଠି କବାଟ ଖୋଲିଲା । ପଛକୁ ସାନଭାଇ, ବାପା ମଧ୍ୟ ଉଠିଲେ । ତାଙ୍କ ସହିତ ଗପୁଗପୁ ଟେରୁ କଥା ସମ୍ପୂର୍ଣ୍ଣ ଭୁଲିଗଲି ।

    ବୋଉ ,ସାନଭାଇ ସହିତ ଗପୁଗପୁ ସକାଳ ପାହି ସାରିଥାଏ । ସେତେବେଳେ ଟେରୁ କଥା ମନେ ପଡ଼ିଗଲା । ବୋଉ ,ମୁଁ ଆସୁଛି କହି ଘରୁ ଦୌଡ଼ିଲି ଟେରୁ ଘରକୁ । ଅଟୋ ଖରାପ ହେବା ସ୍ଥାନରେ ନା ଅଟୋ ଥିଲା ନାଁ ଟେରୁ । ତା ଘରକୁ ଯାଇ ଘର ସମ୍ମୁଖରେ ଅଟୋ ନ ପାଇବାରୁ ତା ଘର କବାଟ ଖଟଖଟ କଲି । ମାଉସୀ ଉଠି କବାଟ ଖୋଲିଲେ। ମାଉସୀ ର ପାଦଧୂଳି ନେବାକୁ ନଇଁପଡ଼େ ତ ମାଉସୀ ଭେଁ କରି କାନ୍ଦି ଉଠିଲେ । ଚମକି ପଡି ଉଠିବାକୁ ଚେଷ୍ଟା କରେ ତ କାନ୍ଥରେ ଲଟକା ଯାଇଥିବା ଫୁଲମାଳ ପିନ୍ଧା ଟେରୁ ର ଫୋଟୋ ଉପରେ ମୋ ନଜର ପଡ଼ିଲା । ମାଉସୀ ଭେଁ ଭେଁ କାନ୍ଦି କହୁଥାଏ ପୁଅରେ ତୋ ସାଙ୍ଗ ଆମକୁ ଛାଡି ଛଅ ମାସ ହେବ ବହୁତ ଦୂରକୁ ଚାଲି ଯାଇଛି । ମୋ ଦେହର ଲୋମ ସବୁ ଟାଂକୁରି ଉଠିଲା । ମନେ ପଡ଼ିଲା ଟେରୁର ସେ ପଦିଏ କଥା " ସବୁଦିନେ ଗାଁକୁ ଯିବା ଆସିବା ଭାରି କଷ୍ଟ ହେଲା ତେଣୁ ଛଅ ମାସ ହେଲା ଏଇଠି ଭଡାଘର ନେଇ ରହୁଛି " । ମାଉସୀ କହୁଥାଏ ସେ କଟକରେ ଅଟୋ ଚଳଉଥିଲା । ଗୋଟେ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ ରେଳ ଷ୍ଟେସନ ପାଖରେ ତୋ ସାଙ୍ଗର ଗାଡ଼ି ସହ ତୋ ସାଙ୍ଗକୁ ଦଳି ଚକଟି ଚାଲିଗଲା । ମୋ ଦେହରେ ଭୟର ଶିହରଣ ଖେଳିଗଲା। ମାଉସୀ ଆହୁରି ଅନେକ କିଛି ଗପୁଥିଲା ମୁଁ କିନ୍ତୁ ଭାବୁଥାଏ ଯଦି ଟେରୁ ଛଅ ମାସ ହେଲା ମରିସାରିଛି ତେବେ କାଲି କଣ ତା ପ୍ରେତାତ୍ମା ଥିଲା। 

    

ଆଖିକୁ ନିଦ ଆସୁନଥାଏ ,ମନରେ ଭୟର ପାହାଡ, ଆଖି ଆଗରେ ଗତକାଲି ରାତିର ଘଟଣା ଜୁଳୁଜୁଳୁ ଦିଶୁଥିଲା। ସେଦିନ ମଧ୍ୟାହ୍ନ ସମୟ ରେ ଡ଼ାକବାଲା ଆସି ମୋ ଚିଠିକୁ ମୋ ଘରେ ଦେଇଗଲା ।


   


Rate this content
Log in

Similar oriya story from Abstract