ଅଭିସାରିକା
ଅଭିସାରିକା
ସତରେ ପୃଥିବୀଟା ଗୋଲ I ନହେଲେ ସେଇ କୁହୁକ ଭରା ଆଖି ଦୁଇଟାକୁ ସିଦ୍ଧାର୍ଥ ପୁଣିଥରେ ଭେଟି ନଥାନ୍ତା ପଣ୍ଡିଚେରୀର ଏକ ଆଶ୍ରମରେ I ଭଲ ଭାବେ ଦେଖି ନିଶ୍ଚିତ ହେଲା ସିଦ୍ଧାର୍ଥ I ହଁ ସେଇ ଆଖି, ସେଇ ମନମୋହନୀ ରୂପ I ତା’ ଜୀବନରେ ଅଚାନକ ସ୍ବପ୍ନ ଭଳି ଆସି ଝଡ଼ ସୃଷ୍ଟି କରିଥିଲା I ଏସବୁ ପ୍ରେମ ନଥିଲା, ଆଉ କିଛି ଥିଲା I କିନ୍ତୁ କ'ଣ, ସେ ଏଯାଏଁ ଜାଣିପାରିନି I ମୁଦ୍ରାର ଦୁଇଟି ପାଖପରି ମଣିଷର ଦୁଇଟି ରୂପ ଅଛି , ଭଲ ଏବଂ ଖରାପ I ହେଲେ ଜୀବନରେ ଏମିତି କେହି ଜଣକୁ ଭେଟୁ ଯିଏ ଆମକୁ ମଣିଷକୁ ଅନ୍ୟ ପ୍ରକାରେ ଦେଖିବାକୁ ବାଧ୍ୟ କରେ I ସିଦ୍ଧାର୍ଥର ଜୀବନ ଦର୍ଶନକୁ ସେଇ ଝିଅ ବଦଳେଇ
ଦେଇଥିଲା I
ଦୁଇବର୍ଷ ତଳର କଥା,ଦିଲ୍ଲୀରୁ ଫେରୁଥିଲା ସେ Iଏସି ଟୁ ଟାୟାର ବଗିରେ ତାର ସିଟ ନମ୍ବର ୧୦ ଥାଏ I ଦିନଦୟାଲ ଷ୍ଟେସନରେ ଜଣେ ଅପରୂପା ସୁନ୍ଦରୀ ଝିଅଟିଏ ଆସି ତା’ ସିଟ ପାଖରେ ବସିଲା I ସିଦ୍ଧାର୍ଥ ସେତେବେଳେକୁ ସିଟରେ ବେଡ଼ ସଜାଡି ଶୋଇବାକୁ ଯାଉଥାଏ I ଝିଅଟି କୌଣସି ଏକ ଫିଲ୍ମର ନାୟିକା ଠାରୁ କମ ସୁନ୍ଦର ନଥିଲା I ହିନ୍ଦୀରେ କହିଲା ତାର ସିଟ ୯ ନମ୍ବର I ଟିକେ ପରେ ଲାଇଟ ଲିଭାଇ ଶୋଇଲେ ହୁଅନ୍ତାନି ? ହଁ କହି ଗୋଟେ ମାଗାଜ଼ୀନ ଖୋଲି ପଢିବାକୁ ଲାଗିଲା ସିଦ୍ଧାର୍ଥ I ପୁଣି ସେ ପଚାରିଲା କଣ ବୁଲି ଯାଉଛନ୍ତି I ଆଖି ଫେରାଇ ସିଦ୍ଧାର୍ଥ କହିଲା , ନା ଏମିତି କାମରେ ଆସିଥିଲି I ଝିଅଟିର ବ୍ୟବହାର ବହୁତ ଭଲ ଲାଗୁଥିଲା ସିଦ୍ଧାର୍ଥକୁ I ପଚାରିଲା ଆପଣବି କଣ ଦିଲ୍ଲୀ ବୁଲିବା .... ଆରେ ନା ,ନା ଦିଲ୍ଲୀରେ କାମ ଥିଲା I ମୁଁ ଏବେ ଫେରୁଛି I ମୁଣ୍ଡ ଉପରୁ ବାଳ ସବୁ ସଜାଡି ନିଜ ବେଡ଼ ସଜାଡୁଥାଏ I ନିରିଖେଇ ଦେଖିଲା, ପ୍ରଥମ ଦେଖାରେ ପ୍ରେମରେ ପଡିଯିବା ଭଳି ଝିଅଟିଏ I ଯାହା ହେଉ ଟ୍ରେନର ଯାତ୍ରାଟା ଭଲରେ କଟିଯିବ I ପ୍ରଗଲଭା ଝିଅଟି, ବିନା ସଂକୋଚରେ ସିଦ୍ଧାର୍ଥ ସହ କଥାବାର୍ତା ଆରମ୍ଭ କରିଦେଲା I ଧୀରେ ଧୀରେ ସିଦ୍ଧାର୍ଥବି ସହଜ ହୋଇ ଯାଉଥିଲା ସେ ଝିଅ ସହ I ଇତି ମଧ୍ୟରେ ସମାଜ ଚାଲିଚଳନ ଠାରୁ ଆରମ୍ଭ କରି ଭାରତର ଅର୍ଥନୀତି ସବୁ ବିଷୟରେ ଜ୍ଞାନ ଥିବାର ପ୍ରମାଣ ପାଇସାରିଥିଲା I କହୁ କହୁ କହିଲା “ତୁମର ଭବିଷ୍ୟତ ବହୁତ ଉଜ୍ବଳ I ନିଶ୍ଚୟ ଭଲ ଚାକିରୀଟିଏ ପାଇବ I ତୁମ ଜୀବନର ଲକ୍ଷ୍ୟ କଣ ? “
ଟିକେ ନୀରବ ରହି କହିଲା I “କିଛି…. ନା … ନା …ବହୁତ କିଛି ଅର୍ଥ ଯୋଗାଡ଼ କରି ଗାଁଆକୁ ଚାଲିଯିବି ବାପା ମାଆଙ୍କ ପାଖକୁ I ଗୋଟେ ଭଲ ପୁଅ ଦେଖି ବାହା ହୋଇଯିବି I”
ଆଶ୍ଚର୍ଯ୍ୟ ହୋଇଗଲା ସିଦ୍ଧାର୍ଥ ତା’ ମୁହଁରୁ ଏମିତି ଶୁଣି I କହିଲା “ଜୀବନରେ କଣ ଅର୍ଥ ସବୁକିଛି ?”
ହସି କହିଲା ,” ହଁ କିଛି ଲୋକଙ୍କ ପାଇଁ ଅର୍ଥ କିଛି ନୁହେଁ, ଆଉ କାହା ପାଇଁ ସବୁକିଛି I ମୁଁ ଏଇ ଦ୍ଵିତୀୟ ଶ୍ରେଣୀରେ ଆସୁଛି I କାରଣ ଜୀବନରେ ଦIରିଦ୍ରତାକୁ ବହୁତ ପାଖରୁ ଦେଖିଛି I ଦେଖିଛି ଟାଙ୍ଗରା କ୍ଷେତରେ ପାଣି ଟିକେ ପାଇବା ପାଇଁ ମୋ ବାପା ପରି କେତେ ଚାଷୀଙ୍କୁ ବିକଳ ହେଇ ଆକାଶକୁ ଅନେଇ ରହିଥିବାର ବିକଳ ଦୃଶ୍ୟ I ବର୍ଷ ପରେ ବର୍ଷ ଋଣ ସୁଝିନପାରି କ୍ଷେତ ମଝିରେ ରଶି ଲଗାଇ ଜୀବନ ହାରିବାରେ ଅନେକ ଚାଷୀଙ୍କୁ ଦେଖିଛି I ମୁଁ ଚାହେଁନା ସେଭଳି ଗୋଟେ ଅନର୍ଥ ମୋ ପରିବାରରେ ଘଟୁ I ମୁଁ ଯଦି କିଛି ରୋଜଗାର କରିନପାରେ ତେବେ କେଉଁ ଦିନ ମୋ ବାପାବି କ୍ଷେତରେ ଜୀବନ ହାରିଦେବ I”
ବ୍ୟସ୍ତ ସିଦ୍ଧାର୍ଥ ପଚାରି ଦେଲା” ତୁମେତ ଏବେ ପାଠ ପଢୁଛ , ଚାକିରୀ କରି ରୋଜଗାର କରିବା ପାଇଁତ ବହୁତ ସମୟ ଲାଗିବ ?” ତଳକୁ ମୁଣ୍ଡ ନୁଆଇ କହିଲା “ କିଏ କହୁଛି ମୁଁ ଚାକିରୀ କରି ଅର୍ଥ ରୋଜଗାର କରିବି ? ମୋ ପାଖରେ ଏତେ ସମୟ ନାହିଁ I “
“ତେବେ ତୁମ ଅର୍ଥ ରୋଜଗାରର ପନ୍ଥା କଣ ?”
"ପନ୍ଥା? ରୋଜଗାର କରିବାର ଅନେକ ପନ୍ଥା ଅଛି ? ଆମ ଭଳି ସୁନ୍ଦରୀ ଝିଅ ମାନଂକ ପାଇଁ ପନ୍ଥାତ ବହୁତ ସହଜରେ ମିଳିଯାଏ I ଛାଡ଼ନ୍ତୁ ଏସବୁ ,ଶୁଭରାତ୍ରି " ଏତିକ କହି ଚାଦରରେ ମୁହଁ ଢାଙ୍କି ଶୋଇପଡ଼ିଲା I ହେଲେ ସିଦ୍ଧାର୍ଥର ଆଖିରୁ ନିଦଟା ଛଡେଇ ନେଇସାରିଥିଲା I ଏଭଳି ସୁନ୍ଦରୀ ଝିଅଙ୍କ ପାଇଁ ସହଜ ପନ୍ଥାଟା କଣ ? ଏ ପ୍ରଶ୍ନର ଉତ୍ତର ନପାଇଲା ଯାଏଁ ସିଦ୍ଧାର୍ଥ ଆଖିରେ ନିଦ ଆସୁ ନଥିଲା I
କିଛି ସମୟ ପରେ ହଟାତ ଚାଦରରୁ ମୁହଁ କାଢି କହିଲା “ଆପଣ ଶୋଇବେ ନାହିଁ ? “
“ଯେତେ ପର୍ଯ୍ୟନ୍ତ ତୁମର ସେଇ ସହଜ ପନ୍ଥାଟି ନଜାଣିଛି,ସେତେ ପର୍ଯ୍ୟନ୍ତ ମୋତେ ନିଦ ଆସିବ ନାହିଁ” Iସିଦ୍ଧାର୍ଥ ଅସହାୟ ହେଇ କହିଲା I
ସିଦ୍ଧାର୍ଥର ଆଖିରେ ଆଖି ମିଶାଇ କହିଲା “ ଜାଣିଲେ ମୋତେ ଘୃଣା କରିବେ ନାହିଁତ ? ଘୃଣା କଲେବି ମୋର ଯାଏ ଆସେନା , କାରଣ ଏଇ ଗୋଟେ ରାତି ପରେ ଆମର କେବେ ଦେଖା ହେବନାହିଁ I”
“ତଥାପି ମୁଁ ଜାଣିବାକୁ ଚାହେଁ ତୁମର ସେ ସହଜ ପନ୍ଥାଟି କଣ” ? ଏଥର ସିଦ୍ଧାର୍ଥ ଜୋର ଦେଇ କହିଲା I
“ମୁଁ ଗୋଟେ କଲ ଗାର୍ଲ Iଏଇ ସୁନ୍ଦର ଦେହଟି ବିକି ମୁଁ ସହଜରେ ଅର୍ଥ ଯୋଗାଡ଼ କରୁଛି I ମୋ ଵାପାମାଆଙ୍କର ସବୁ ଋଣ ମୁଁ ଶୁଝି ସାରିଲିଣି I ବାସ ଆଉ କିଛି ଦିନ ଭିତରେ ମୋ ପାଖରେ ଅନେକ ଟଙ୍କା ହେଇ ଯିବIମୁଁ ମୋ ଗାଁ କୁ ଚାଲିଯିବି I ଗୋଟେ ଭଲ ପୁଅ ଦେଖି ବାହା ହେଇଯିବି I ଆପଣଂକ ପ୍ରଶ୍ନର ଉତ୍ତର ପାଇଗଲେ ଏବେ ଶୋଇପଡ଼ନ୍ତୁ I”
“ଜୀବନ ଯୁଦ୍ଧରେ ଜିତିବା ପାଇଁ ତୁମେ ଯେଉଁ ରାସ୍ତା ଆପଣେଇଛ ସେଇଟା ଯେ ଭୁଲ ରାସ୍ତା ” ସିଦ୍ଧାର୍ଥର ପାଟିରୁ ବାହାରିଗଲା I
“ଜାଣେ, ଭଲଭାବେ ଜାଣେ ...ତଥାପି ସେ ରାସ୍ତାକୁ ଆପଣେଇଛି ,ନିଜ ଇଛାରେ I ଯଦି ମହାଦେବ ବିଷ ପାନ କରି ସଂସାରକୁ ରକ୍ଷା କରି ପାରିଥିଲେ , ତେବେ ମୁଁ କାହିଁକି ପରିବାରକୁ ରକ୍ଷା କରିବି ନାହିଁ ? ଚାଦର ଭିତରୁ ସେ ଉତ୍ତର ଦେଲା I
କେତେ ସହଜରେ କଥାଟି କହି ସେ ଶାନ୍ତିରେ ଶୋଇଗଲା,ସିଦ୍ଧାର୍ଥର ମନକୁ ଅଶାନ୍ତିକରି Iବିଶ୍ୱାସ କରି ପାରୁନଥିଲା ଝିଅଟି ଗୋଟେ କଲଗାର୍ଲ Iଦୁଃଖ ଲାଗୁଥିଲା, ଘୃଣା ମଧ୍ୟ ଆସୁଥିଲା ଝିଅଟି ଉପରେ I ଭାବୁଥିଲା କେଡେ ସହଜରେ ବିନା ସଂକୋଚରେ ନିଜକୁ ଅନ୍ୟମାନକଂ ଆଗରେ କଲଗାର୍ଲ କହିପାରୁଛି I ସତରେ କଣ ନିଜ ପରିବାରକୁ ସାହାଯ୍ୟ କରିବା ପାଇଁ ଅନ୍ୟ କିଛି ରାସ୍ତା ନାହିଁ ? ସୁନ୍ଦରୀ ଝିଅମାନଙ୍କୁ ସତରେ ଏଡ଼େ ସହଜରେ ବିଶ୍ୱାସ କରିବାକଥା ନୁହେଁ I ଏଇ ଅଳ୍ପସମୟ ଆଗରୁ ଏତେ ଭଲ ଲାଗୁଥିବା ଝିଅଟି ଉପରେ ତାକୁ ହଠାତ ଘୃଣା ଆସୁଥିଲା I ମନ କହୁଥିଲା ଥରେ ସେ ଉଠି କହି ଦିଅନ୍ତାକି ଯାହା କହିଛି ମଜାରେ କହିଛି I ଏମିତି ଭାବୁ ଭାବୁ ତାର ଆଖି ଲାଗିଯାଇଥିଲା I ହଟାତ ଚା’ ଵାଲାର କର୍କଶ ଡାକରେ ତାର ନିଦ ଭାଙ୍ଗି ଗଲା Iସକାଳୁ ସକାଳୁ କୌଣସି ଏକ ଷ୍ଟେସନରେ ଗାଡି ଛିଡା ହେଇଥିଲା I ସାମ୍ନା ସିଟରେ ଝିଅଟି ନଥିଲା I ସିଦ୍ଧାର୍ଥର ହାଣ୍ଡ ବ୍ୟାଗରେ ଲାଗିଥିଲା ଏକ କାଗଜ I ଉତ୍ସୁକତାର ସହ କାଗଜଟିକୁ ପଢ଼ିଲା ସିଦ୍ଧାର୍ଥ I
ଲେଖିଥିଲା “ଗୋଟେ କଲ ଗାର୍ଲ ସହ ଆପଣଂକର ରାତିଟି କେମିତି କଟିଛି ମୁଁ ଜାଣେ ନା , କିନ୍ତୁ ଆପଣଂକୁ ମୁଁ କେମିତି ସତ କହିଦେଲି , ତାର କାରଣ ମୁଁ ନିଜେ ଜାଣିନି I ମୁଁ ଜାଣେ ଆପଣ ମୋତେ ଭେଟିଲା ପରେ ଯେ କୌଣସି ସୁନ୍ଦରୀ ଝିଅଙ୍କୁ ଦେଖିଲେ ସନ୍ଦେହ କରିବେ I ସମସ୍ତେ ମୋ ପରି କେବେ ହେଇନଥିବେ I ମୁଁ ଯାହା କରୁଛି ସମାଜ ଆଖିରେ ଖରାପ , କିନ୍ତୁ ମୁଁ ଆଜି ଯେଉଁ କାମ ନିଜ ଇଛାରେ କରୁଛି ହୁଏତ କିଛି ଦିନ ପରେ ମୋତେ ପରିସ୍ଥିତି ବାଧ୍ୟ କରିଥାନ୍ତା I ସବୁ କିଛି ହରେଇ ବାଧ୍ୟରେ ଏସବୁ କରିବା ଠାରୁ ନିଜ ଇଚ୍ଛାରେ ଏ ରାସ୍ତାରେ ପାଦ ଦେଲି I କାହିଁକି କେଜାଣି ଆପଣଂକୁ ଦେଖି ମୋ ମନରେ ଦୁର୍ବଳତା ଆସିଗଲା I ମୁଁ ଏବେ ଆପଣଂକ ଆଖିରେ ଘୃଣାର ପାତ୍ରୀ I ନିଦ ଭାଙ୍ଗିଲେ ବୋଧହୁଏ ମୋତେ ଆପଣ ଅନେଇବେ ନାହିଁ I ତେଣୁ ମୁଁ ତା’ ପୂର୍ବରୁ ଚାଲି ଯାଉଛି I ପ୍ରଥମ ଦେଖାରେ ଆପଣଂକ ପ୍ରେମରେ ପଡିଥିବା ଝିଅ ”ସାରିକା”
କାଗଜଟିକୁ ପଢି ଝିଅଟି ପ୍ରତି ସିଦ୍ଧାର୍ଥର ମନରେ ଥିବା ସବୁ ଅସୂୟା ଭାବ ଲିଭିଯାଇଥିଲା I ମନରେ ଘୃଣା ପରିବର୍ତେ ସମ୍ମାନ ଆଉ ଶ୍ରଦ୍ଧା ଜନ୍ମ ନେଇସାରିଥିଲା I ତା’ ସାମ୍ନାର ଫାଙ୍କାସିଟ ସିଦ୍ଧାର୍ଥକୁ ଅନ୍ୟମନସ୍କ କରିଦେଉଥିଲା I ଅନୁଭବ କରିପାରୁଥିଲା, ସେ ମଧ୍ୟ ପ୍ରଥମ ଦେଖାରେ ପ୍ରେମରେ ପଡିଯାଇଛି I କିନ୍ତୁ ସେ ଯେମିତି ଗୋଟିଏ ରାତିର ସ୍ବପ୍ନ ପରି ତା’ ଜୀବନରେ ଆସି ପୁଣି ଦୂରେଇଯାଇଥିଲା I
ଆଜି ପୁଣି ଏତେ ବର୍ଷ ପରେ ଏମିତି ତା’ ସହ ଦେଖା ହେଇଯିବ ଭାବି ପାରିନଥିଲା I ସେ ଦିନର ଏତେ ପ୍ରଗଲଭା ଝିଅଟି ଆଜି କେମିତି ପୁରା ଚୁପଚାପ ହେଇ ଯାଇଛି I” କେମିତି ଅଛ ସାରିକା ? କଣ ଭଲ ପୁଅ ଦେଖି ବାହା ହେଇଯାଇଛ ?” ନୀରବତା ଭଙ୍ଗ କରି ପଚାରିଦେଲା I ତଳକୁ ମୁଣ୍ଡ ପାତି କହିଲା , “ଆପଣ ସେଦିନ ଠିକ କହିଥିଲେ I ଜୀବନ ଯୁଦ୍ଧରେ ବଂଚିବା ପାଇଁ ମୁଁ ବାଛିଥିବା ରାସ୍ତାଟି ଭୁଲ ଥିଲା I ମହାଦେବ ହେଉଛନ୍ତି ଦେବତା I ସେଦିନ ସଂସାରକୁ ରକ୍ଷା କରିବାକୁ ଯାଇ ହଳାହଳ ପାନକରି ଥିଲେ , ସଂସାର ତାଙ୍କୁ ନୀଳକଣ୍ଠ କହି ପୂଜା କଲା I ମୁଁ ଭୁଲି ଯାଇଥିଲି ମୁଁ ଦେବତା ନୁହଁ ,ଏକ ଛାର ମଣିଷ Iମୁଁ ଯେଉଁ ହଳାହଳକୁ ପାନ କରି ମୋ ପରିବାରକୁ ରକ୍ଷା କଲି, ସମାଜ ମୋତେ ବାରଙ୍ଗନା ବେଶ୍ୟା କହି ତିରସ୍କାର କଲା I ମୋ ଆଖିର ସ୍ବପ୍ନ ସବୁ ଆସ୍ତେ ଆସ୍ତେ ହଜିଗଲାବେଳେ ନିଜ ଲୋକମାନେ ସବୁ ଦୂରେଇଗଲେ I ଅନ୍ୟ ମାନଂକୁ ସମ୍ମାନର ସହ ବଂଚେଇ ମୁଁ ଗୋଟେ ଜିଅନ୍ତା ଶବ ପାଲଟି ଯାଇଛି l ସଂସାର କରିବା ପାଇଁ ଇଛା ନାହିଁ I ଏଇ ଆଶ୍ରମହିଁ ମୋର ସବୁକିଛି I ଅନାଥ ଅସହାୟ ରୋଗୀ ମାନଂକ ସେବା କରି ବାକି ଜୀବନତକ କାଟିଦେବି I ଆଜିର ଏଇ ସାରିକା, ତାର କଳୁଷିତ ଦେହମନକୁ ନେଇ ଆଉ କାହାରି ଜୀବନରେ ଅଭିସାରିକା ସାଜିବନି I
ପଣ୍ଡିଚେରୀର ସେ ଆଶ୍ରମରୁ ଫେରିଲା ବେଳେ ସିଦ୍ଧାର୍ଥର ଆଖିରେ ସାରିକାର ଦୁଇଟି ରୂପ ନାଚି ଉଠୁଥିଲା I ସମାଜ ଆଖିରେ କଳୁଷିତ କଳଙ୍କିତ ବେଶ୍ୟା, ଆଉ ଗୋଟେ ନିଜ ପରିବାରର ସୁଖ ସ୍ବାଛନ୍ଦ୍ୟ ପାଇଁ ଜୀବନ ଜୁଆଖେଳରେ ସବୁକିଛି ହରେଇଥିବା ନିରୀହ ଝିଅ I ମନରେ ଉଙ୍କି ଉଠୁଥିଲା ପ୍ରଶ୍ନଟିଏ, ସତରେ କଣ ସାରିକା ଜୀବନରେ ଅଭିସାରିକା ସାଜିବାର ସମସ୍ତ ରାସ୍ତା ବନ୍ଦ ହେଇଯାଇଛି? ଏମିତି କେହି ଜଣେ ନାହାନ୍ତି ସାରିକା ଭଳି ଝିଅ ମାନଂକୁ ସମ୍ମାନର ସହ ସଂସାର କରିବାକୁ ସୁଯୋଗ ଦେବା ପାଇଁ ଆଗେଇଆସିବେ I ଏ କଥା ଭାବିଲାବେଳେ ନିଜର ହିପୋକ୍ରାଟିକ ଚରିତ୍ରଟି ତାର ସାମ୍ନାରେ ଛିଡା ହେଲା I ସେ ବିଶ୍ୱାସ କରିପାରୁନଥିଲା ଯେ, ତାର ଏମିତିବି ଏକ ରୂପ ଅଛି I ନିଜର ଦୁଇଟି ରୂପ ଆବିଷ୍କାର କଲା ପରେ , ସରଳ, ଖୋଲା , ସିଧା କଥା କହୁଥିବା ସାରିକାର ଚରିତ୍ର ଠାରୁ ନିଜକୁ ନିମ୍ନ ମନେ କରୁଥିଲା I ସାରିକା ବଳିଷ୍ଠ ଚରିତ୍ର ତାକୁ ଉପହାସ କରୁଥିଲା ଯେମିତି I
ଅଚାନକ ପକେଟରେ ଥିବା ସିଦ୍ଧାର୍ଥର ଫୋନଟି ବାଜି ଉଠିଲା I ମାଆ ସେପଟୁ କହୁଥିଲା ସିଦ୍ଧୁରେ ଆଉ କେତେଦିନ ଏମିତି ଅଭିଆଡ଼ା ହେଇ ବୁଲୁଥିବୁ I ତୋତେ ହାତକୁ ଦିହାତ କରି ବୋହୁଟିଏ ଘରକୁ ଆଣିଲେ ମୁଁ ଶାନ୍ତିରେ ଆଖି ବୁଝିବି I ଏତେ ବଡ଼ ଦୁନିଆରେ କଣ ତୋପାଇଁ ମନଲାଖି ଝିଅଟିଏ ମିଳୁନି ? ଶିହରଣଟିଏ ଖେଳିଗଲା ସିଦ୍ଧାର୍ଥର ଶରୀରରେ I ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ତାକୁ ମିଳିଯାଇଥିଲା I ମାଆକୁ କହିଲା ତୋ ପାଇଁ ମନଲାଖି ବୋହୂଟିଏ ମିଳିଯାଇଛି I ମାଆ ସେପଟୁ କଣ କହୁଥିଲା ସିଦ୍ଧାର୍ଥ ଆଉ ଶୁଣିପାରୁନଥିଲା I ଏବେ ସାରିକାକୁ ତାର ଜୀବନରେ ଅଭିସାରିକା ରୂପରେ ସଜାଇବା ପାଇଁ ପୁଣି ସେ ଆଶ୍ରମ ଆଡ଼କୁ ମୁଁହାଇଲା I

