Satyabati Swain

Abstract Tragedy

4.5  

Satyabati Swain

Abstract Tragedy

ଆୟା

ଆୟା

5 mins
435



ଦିବ୍ୟା କେଉଁଠି ରହିବ ! ସୋସାଇଟି ସାରା ଲୋକ ଜମା ହୋଇ ବିଚାର କରୁଛନ୍ତି।


ଦିବ୍ୟାର ସୁସ୍ଥ, ସୁରକ୍ଷିତ ଓ ଭବିଷ୍ୟତକୁ ନେଇ ପ୍ରଶ୍ନ ସମସ୍ତଙ୍କ ହୃଦୟକୁ ମନ୍ଥି ପକାଉଥିଲା। ଏତେ ବଡ଼ ପୃଥିବୀରେ ଏଡେ ବକଟେ ଛୁଆ ପାଇଁ ଜାଗା ନାହିଁ ! ଦିବ୍ୟା ପାଇଁ ଇଟା ସିମେଣ୍ଟ ଘର ନୁହେଁ ସ୍ନେହ ପ୍ରେମର ହୃଦୟ, ମନ ଘରଟିଏ ଲୋଡା ପଡୁଥିଲା। ବିଶାଳ ଆକାଶ ଛାତ ପୁଣି ଏତେ ବଡ଼ ପୃଥୀ ଥାଉ ଥାଉ ଦିବ୍ୟା ପାଇଁ ଘର ଅଭାବ । କିଏ ଦେବ ଦିବ୍ୟାକୁ ନିରାପଦ ମା ର ଛାତି, ସ୍ନେହପ୍ରେମର ପଣତ ଓ ବାପା ନାମକ ଭରସା ଓ ବିଶ୍ୱାସ ଛାତ !


ଘର ଅଭାବ ନଥିଲା। ଅଭାବ ଥିଲା ମାନସିକତା, ମନ।ପର ଆପଣା ଭାବ ବି କିଛି ଲୋକଙ୍କୁ ଭାବିବାକୁ ବାଧ୍ୟ କରୁଥିଲା ଦିବ୍ୟାକୁ ସେମାନେ ଆଦରି ନେବେ ନା ନାହିଁ। ପୁଣି କେହି ଭାବୁଥିଲେ ଅଯଥା ବୋଝ ମୁଣ୍ଡେଇବେ କାହିଁକି ? ପିଲା ପାଳିବା ଛୋଟ କଥା ନା କଣ ? ସୁସ୍ଥ ସୁରକ୍ଷିତ ରଖି ଉଜ୍ଜ୍ୱଳ ଭବିଷ୍ୟତ ଟିଏ ଦେବାକୁ ପଡିବ ନା। ଖାଲି କଣ ଆଦରି ନେଲେ ହେବ ! ଏମିତି ଜଣେ ମଣିଷ ଆବଶ୍ୟକ ଯିଏ ଦିବ୍ୟାକୁ ନିଜ ଛୁଆଠାରୁ ଅଧିକ କରିବ।ମଣିଷ ପରି ମଣିଷଟିଏ ଗଢି ତୋଳିବ। ସେମିତି ମଣିଷ କାହାନ୍ତି ?


ସଭ୍ୟ ଶିକ୍ଷିତ ବଡ଼ ବଡ଼ିଆ ଲୋକେ ଖାଲି ବ୍ୟସ୍ତ ହେଉଥିଲେ ସମସ୍ୟାର ସାଧନଟିଏ ନ ହୋଇ।


ଏ ଦିବ୍ୟାଟି କିଏ ଯେ ; ଏହା ପାଇଁ ଏମିତି ହଇ ଚଇ ହେଉଛି ସୋସାଇଟି ସାରା। ଦିବ୍ୟା କଣ ଅବୈଧ୍ୟ ସନ୍ତାନ ! ତାର ଆତ୍ମୀୟ ସ୍ୱଜନ କଣ କେହି ନାହାନ୍ତି ? ତେବେ ତ କୌଣସି ଅନାଥ ଆଶ୍ରମ କି ଶୁଶୁ ଆଶ୍ରମ ଦ୍ୱାର ଏହା ପାଇଁ ଖୋଲା ଥିବ ! ସେଠି କୁ ନ ଯାଇ ଏ ଲୋକ ଗୁଡା ଗଦା ହୋଇ ହୋ ହଲ୍ଲା କାଇଁ କରୁଛନ୍ତି !


ଦିବ୍ୟା ଦୁଇ କରୋନା ଯୋଦ୍ଧା ଦ୍ଵିତୀୟ ଈଶ୍ବରଙ୍କର ଝିଅ। ମିଷ୍ଟର ଦେବରାଜ ଓ ମିସେସ୍ ବନସ୍ମିତା ମହାନ୍ତିଙ୍କର ଏକମାତ୍ର ଦୁଇ ବର୍ଷର ଝିଅ ଦିବ୍ୟା।ମିଷ୍ଟର ଓ ମିସେସ୍ ମହାନ୍ତି ମଣିଷ ନୁହଁନ୍ତି ଦେବତା ଥିଲେ।କେତେ ଅବା ବୟସ ହେବ ତାଙ୍କୁ।ଖୁବ୍ କମ୍ ବୟସର ଛୁଆ ଦି ଟା । ବ୍ୟବହାର, ଚାଲି ଚଳଣି ଅତି ମାର୍ଜିତ ଓ ଭଦ୍ର।ରାତି ଅଧ କି ଦି ପହର ଯଦି କେହି ଫୋନ୍ଟିଏ କରିଦେଲା ଝଡି ବଢି ଯାହା ହୋଇ ଥାଉନା କାହିଁକି ବିନା ଦ୍ଵିଧାରେ ଯାଇ ହାଜର ହୋଇ ଯାଉଥିଲେ। ସାକ୍ଷାତ ଦେବତା ଥିଲେ ଏ ଡ଼ଃ ଦମ୍ପତି । ସୋସାଇଟିର କାହାକୁ ରୋଗ ବୈରାଗ୍ୟ ହେଲେ ଭୟ ନଥିଲା।


ସମସ୍ତେ କହୁଥିଲେ ଡ଼ଃ ମହାନ୍ତି ଦମ୍ପତି ଅଛନ୍ତି ଭୟ କଣ ?


ଏଇଠି ଆମ ସୋସାଇଟିରେ ଅନେକ ବର୍ଷ ଧରି ସ୍ଥାୟୀ ବାସିନ୍ଦା ହୋଇ ରହି ଆସୁଥିଲେ ଦେବ ବାବୁଙ୍କ ଜେଜେମା ,ଜେଜେବାପା। ତାଙ୍କ ବାପା ଦିନେଶ ବାବୁ ବି ଏଇଠି ଜନ୍ମ ,ପଢା ଓ ଚାକିରୀ ବି କରିଥିଲେ।ବୁଢ଼ା ବୁଢ଼ୀ ହୋଇ ଦେବ ବାବୁଙ୍କ ଜେଜେମା ଓ ଜେଜେ ବାପା ଜଣକ ପରେ ଜଣେ ମରି ଯାଇଥିଲେ।ଦେବ ବାବୁଙ୍କୁ ପନ୍ଦର ବର୍ଷ ହୋଇଥିବା ବେଳେ ତାଙ୍କ ମା ବ୍ରେଷ୍ଟ କ୍ୟାନ୍ସରରେ ମୃତ୍ୟୁବରଣ କରିଥିଲେ।ବାପା ପୁଅ ଦୁହେଁ ଏକା ରହୁଥିଲେ । ଦିନେଶ ବାବୁଙ୍କ ଜନ୍ମ ସ୍ଥାନ ଓଡ଼ିଶାରେ ହେଲେ ହେଁ ଓଡିଶା ସହ କିଛି ସମ୍ପର୍କ ନଥିଲା।


ବର୍ଷକ ତଳେ ଦିନେଶ ବାବୁ ହାର୍ଟ ଆଟାକ୍ ରେ ଚାଲିଗଲେ । ଦେବ ବାବୁ ଓ ବନଜା ମାମ୍ ଏ ସୋସାଇଟି ସାରା ଲୋକଙ୍କ ଅତି ଆଦରର ନିଜ ପିଲା ପରି ଥିଲେ।ସମସ୍ତେ ଖୁ ପସନ୍ଦ କରନ୍ତି ଏମାନଙ୍କୁ।


ଖାଲି ରୂପ କି ଗୁଣ ସୁନ୍ଦର ନୁହଁ। ଦୁହେଁ ଅତି ନାଁ କରା ଡାକ୍ତର ଓ ଡାକ୍ତରାଣୀ। ଲୋକେ କୁହନ୍ତି ବୟସ କମ୍ ହେଲେ ବି ଡ଼ଃ ଦେବରାଜ ମହାନ୍ତି ଓ ଡ଼ଃ ବନଜା ମହାନ୍ତିଙ୍କର ହାତ ସୁନା। ରୋଗୀ ଭାରି ପସନ୍ଦ କରନ୍ତି ଏ ଦୁଇ ଜଣଙ୍କୁ।ଔଷଧ ଅପେକ୍ଷା ଏ ଦୁହିଁଙ୍କର ମିଠା କଥାରେ ଅଧେ ରୋଗ ଭଲ ହୋଇଯାଏ। ସୋସାଇଟିର କେଉଁ ଲୋକଙ୍କୁ କିଛି ବି ରୋଗ ହେଲେ ଆଗ ଖୋଜା ପଡନ୍ତି ଏଇ ଡ଼ଃ ଦମ୍ପତି।


ଅହରହ ରୋଗୀଙ୍କ ସେବାରେ ଲାଗିଥିବେ ଏଇ ଡ଼ଃ ଦମ୍ପତି ହଳକ। ସେବାକୁ ଭଗବାନ ଭାବି ପୂଜା କରିବା ମନୋବୃତ୍ତୀ ତାଙ୍କର କାଳ ହେଲା । ରାତି ଦିନ କରୋନା ରୋଗୀଙ୍କ ସେବା କଲେ। ଶେଷରେ ସେଇ କରୋନା ରାକ୍ଷସ ସେ ଦୁଇ ଜଣଙ୍କୁ ଖାଇ ଦେଲା। ଆହା ସବୁବେଳେ ହସୁଥିବେ।କି ସୁନ୍ଦର ଯୋଡି ! କରୋନା କେମିତି ଦୁହିଁଙ୍କୁ ନେଇ କୋଳ ଛୁଆଟାକୁ ଅନାଥ କରିଦେଲା । କରୋନା ଯୋଦ୍ଧାର ମୁକୁଟ ପିନ୍ଧି ସେମାନେ ଅବେଳେ ଝରି ପଡିଲେ। ଆଗ ବନଜା ମାମ୍ ଓ ତାପରେ ଦେବ ବାବୁ ଆଗ ପଛ ଡକାଡକି ହୋଇ ଚାଲିଗଲେ।


ଦିବ୍ୟା ସେଇ ଡ଼ଃ ଦେବ ତୁଲ୍ୟ ସ୍ୱର୍ଗତଃ ଦେବରାଜ ମହାନ୍ତି ଓ ଡ଼ଃ ବନଜା ମହାନ୍ତିଙ୍କର ଏକମାତ୍ର ଦୁଇ ବର୍ଷର ଝିଅ।ସେ କାହା ପାଖେ ରହିବ ସେଥିପାଇଁ ଚାଲିଛି ବିଚାର ବିମର୍ଷ।


ଦିବ୍ୟା ପ୍ରତି ସୋସାଇଟିର ଖୁବ୍ ଦରଦ।ଆହା ଚୁ ଚୁ କରୁଛନ୍ତି ସମସ୍ତେ। ଏନ୍ ଜି ଓ ସଂସ୍ଥା ଓ ସରକାରଙ୍କୁ ଦିବ୍ୟା ବିଷୟରେ ଲିଖିତ ଆକାରରେ ଜଣାଇଁ ଦିଆ ଯାଇଛି। କିଛି ଗୋଟେ ବନ୍ଦୋବସ୍ତ ତ ନିଶ୍ଚେ ସେମାନେ କରିବେ।କିନ୍ତୁ ସୋସାଇଟି ଲୋକଙ୍କର ଇଚ୍ଛା ଯାହା ହେବ ଉତ୍ତମ ଲେଖା ପଢା ବ୍ୟବସ୍ଥା ହେଉ।ଯେପରି ଭବିଷ୍ୟତରେ ଦିବ୍ୟା କୌଣସି ଅସୁବିଧାରେ ନ ପଡେ।


ଦିବ୍ୟା ବାପା ମା କରୋନା ରୋଗରେ ମୃତ। ଏଣୁ ଲୋକମାନେ ଦିବ୍ୟାକୁ ଛୁଇଁବାକୁ ବି ଡରୁଛନ୍ତି।

ବିଚରା ଆୟାଟି ପିଲାଟିକୁ ଧରି ଭୟରେ ଦେବ ବାବୁଙ୍କ ଘରେ ପଡି ରହିଛି । ଦିବ୍ୟା ଓ ଆୟା କୋଭିଡ ଟେଷ୍ଟ ହୋଇ ନେଗେଟିଭ୍ ଆସିଲେ ବି ଲୋକଙ୍କ ମନରୁ ଭୟର ଭୂତଟି ଓହ୍ଲାଉ ନାହିଁ।


ଏବେ ପ୍ରଶ୍ନ କିଏ ଆଜୀବନ ଦିବ୍ୟାକୁ ଆପଣେଇବ ?


ଯିଏ ଯାହାର କାରଣ ଦର୍ଶାଇ ଖସି ଯାଉଥାନ୍ତି। କିଏ କାହିଁକି ଝିଅ ପରି ଭୟ ଓ ବୋଝ ଅଯଥାରେ ସମ୍ଭାଳିବେ ? ବ୍ୟକ୍ତିଗତ କେହି ଆଗଭର ହୋଇ ନ ବାହାରିବାରୁ ଦିବ୍ୟା ସରକାରୀ ସ୍ୱୀକୃତି ପ୍ରାପ୍ତ ଅର୍ଫାନେଜ୍ ହୋମ୍ ରେ ରହିବ ବୋଲି ସ୍ଥିର ହେଲା।


ବିଚରା ଦିବ୍ୟା ଆୟା କୋଳରେ ଥାଇ ହସୁଛି। ସବୁ ନିଷ୍ପତ୍ତି ସରି କାଗଜ ପତ୍ର ଲେଖା ପଢା ହେବାକୁ ଗଲା ବେଳକୁ ଆୟା ପି ପୁନମ୍ ହାତ ଯୋଡି କହିଲା, ଆଜ୍ଞା ମାନେ ! ଆପଣ ମାନଙ୍କ ଅନୁମତି ମିଳିଲେ ଗୋଟେ କଥା କୁହନ୍ତି।ଆପଣ ମାନଙ୍କ ଆଖିରେ ମୋର ମୂଲ୍ୟ କିଛି ନାହିଁ। ସାଧାରଣ ଆୟା ଟିଏ ମୁଁ। ନା ଭଲ ଘର ନା ଭଲ ଖାଇବା, ପିନ୍ଧିବା ଅଛି ମୋର। କିଛି ଯଦି ମନେ ନ କରନ୍ତି ମୋ ମନ କଥା କୁହନ୍ତି। ଭାବିଲି ମୋ ଡ଼ଃ ସାର୍ ମାମ୍ ଆପଣ ମାନଙ୍କୁ ବଞ୍ଚେଇବାକୁ ଯାଇ ନିଜ ଜୀବନ ଦେଇଛନ୍ତି ଯେତେବେଳେ ଆପଣ ମାନଙ୍କ ଭିତରୁ କେହି ବାବୁ ଭାୟା ପିଲାଟିକୁ ନିଜରକରିବେ। କିନ୍ତୁ ଏତକ ତ ହେଲାନାହିଁ। ସେଇଥିପାଇଁ ସାହସ କରି କହୁଛି।


ଆଜ୍ଞା ମାନେ! ମଦୁଆ ସ୍ୱାମୀ ଆକ୍ସିଟେଣ୍ଟରେ ମରିବା ପରେ ପେଟ ପାଇଁ ମୁଁ ବେବି କେୟାର ଟେକର୍ କାମ କରି ଆୟାଟିଏ ହୋଇଛି।। ମୋର ଦୁଇଟି ପୁଅ ଅଛନ୍ତି। ଈଶ୍ବର ମୋତେ ଝିଅ ସୁଖରୁ ବଞ୍ଚିତ କରିଛନ୍ତି । ଛାତିରୁ ସିନା ମୁଁ ଦିବ୍ୟା ମା କୁ କ୍ଷୀର ଖୁଆଇ ନାହିଁ କିନ୍ତୁ ଏକ ବର୍ଷରୁ ଉର୍ଦ୍ଧ ହେଲା ମୋ ଛାତିକୁ ଲଗେଇ ପାଳୁଛି। ଡାକ୍ତର ବାବୁ ଓ ବାବୁଆଣୀ ମୋରି ଜିମା ଦେଇ ରାତି ଦିନ ଡିୟୁଟି କରନ୍ତି। ଦିବ୍ୟା ମା ଙ୍କୁ ଛାଡି ମୁଁ ବଞ୍ଚି ପାରିବି ନାହିଁ।ଏଣୁ ମୋତେ ଏତିକି ଦୟା କରନ୍ତୁ ଦିବ୍ୟା ମାଙ୍କୁ ମୋଠାରୁ ଛଡେଇ ନିଅନ୍ତୁ ନାହିଁ।


ଦିବ୍ୟା ମା କୁଆଡେ କାଇଁ ଯିବେ ! ଏଇଠି ଏଇ ଘରେ ରହି ସେ ବଡ଼ ହେବେ । ମୁଁ ଯେମିତି ଦିବ୍ୟା ମାଙ୍କ ଦାୟିତ୍ୱ ନେଉଥିଲି ତା ଠାରୁ ଅଧିକ ନେବି। ମୋ ଦୁଇ ପୁଅଙ୍କୁ ଗେହ୍ଲା ଭଉଣୀଟିଏ ମିଳିଯିବ। ହଁ ଆପଣ ମାନେ ଭାବୁଥିବେ ଧନ କି ଘର ଲୋଭରେ ହୁଏତ ମୁଁ ଏସବୁ କରିବାକୁ କହୁଛି । ନାଇଁ ଆଜ୍ଞା ମୋତେ ମାସକୁ ମାସ ମୋ ଡାକ୍ତର ବାବୁ ଓ ମାମ୍ ଯେତିକି ଦରମା ଦେଉଥିଲେ ମୁଁ ସେତିକି ହିଁ ନେବି । ଏତେ ବଡ଼ ଘରରୁ ଗୋଟିଏ ବଖୁରା ମୋ ପିଲାଙ୍କ ପାଇଁ ଛାଡ଼ିଦେବେ। ଅନ୍ୟ ସମସ୍ତ ସମ୍ପତ୍ତି ଦିବ୍ୟା ମା ନାଁ ରେ ଲେଖା ପଢା କରନ୍ତୁ।


ଏଇଟା ବି ଲେଖନ୍ତୁ ମୁଁ ଭବିଷ୍ୟତରେ ଦିବ୍ୟା ମାଙ୍କୁ ମୋ ଝିଅ ବୋଲି କୌଣସି ଦିନ ଦାବି କରିବି ନାହିଁ । ମୋର ପରିଚୟ କେବଳ ମାତ୍ର ଜଣେ ଆୟା ହୋଇ ରହିବ। ଆଜ୍ଞା ମାନେ ଦିବ୍ୟା ମା ଙ୍କ ସେବା ମୁଁ କରି ପାରିବି ତ ? ଆପଣ ମାନେ ସମସ୍ତେ ରାଜି ତ ଦିବ୍ୟା ମା' ଙ୍କୁ ବଡ଼ ହେବା ଯାଏ ମୁଁ ପାଳିବି ।


ନିର୍ବାକ ସୋସାଇଟିର ଲୋକେ। ପୁନମ୍ ଠାରୁ ଭଲ ହୃଦୟର ମଣିଷ ଦିବ୍ୟାକୁ ଆଉ କେଉଁଠାରେ ମିଳିବ ଯେ ।




Rate this content
Log in

Similar oriya story from Abstract