ଆଶୀର୍ବାଦ ହାତ
ଆଶୀର୍ବାଦ ହାତ
ଚନ୍ଦ୍ରକାନ୍ତି ଚନ୍ଦ୍ରମା ପରି ନୂଆ ଅତିଥିରୂପେ ଶାଶୁଘରେ ପାଦ ରଖିଥିଲା । ତାକୁ ସ୍ୱାଗତ ସମ୍ବର୍ଦ୍ଧନା ବଦଳରେ ମିଳିଥିଲା ଅପମାନ, ନା ସମ୍ଭାଷଣ ନା ବନ୍ଦାପନା ଚାହିଁଲା ଚାରିଆଡକୁ କେହି କୁଆଡେ ଦିଶୁ ନଥିଲେ ତ ବେକରୁ ଛିଣ୍ଡେଇଲା ଫୁଲ ହାର, ନିଜେ ନିଜ ଉପରେ ଓ ସ୍ୱାମୀଙ୍କ ଉପରେ ଫୁଲ ପକାଇ ପକାଇ ଭିତରକୁ ପ୍ରବେଶ କଲା । ଗୋଡ଼ ଆଡେଇ ନେଇଥିଲେ ମଧ୍ୟ, ଶାଶୁ, ଶଶୁରଙ୍କ ସହିତ ଗୁରୁଜନ ମାନଙ୍କୁ ପ୍ରଣାମ କରିଥିଲା । ଟାହି ଟାପରା ଭିତରେ ଲଘୁଜନମାନଙ୍କୁ ସାଙ୍ଗରେ ଆଣିଥିବା ଛୋଟ ମୋଟ ଉପହାର ବାଣ୍ଟିଥିଲା । ଶାଶୁ ବହୁନା ପକେଇ କାନ୍ଦୁଥିଲେ, କହୁଥିଲେ ପୁଅ ଜନ୍ମ ହେଇଥିଲୁ ମୁହଁରେ ଚୂନ କାଳି ବୋଳିବାକୁ !ଶଶୁର କହୁଥିଲେ କୁଳାଙ୍ଗାର ଭଉଣୀ ଭାଇ ଆଡେଇ ଯାଇଥିଲେ । ସ୍ୱାମୀ ନିରୁତ୍ତର ଥିଲେ ଚନ୍ଦ୍ରକାନ୍ତି ଓଢଣା ଟାଣି ଠାକୁର ଘରେ ପ୍ରବେଶ କରିବାକୁ ଯାଉଥିଲା ତ ରାମ ରାମ କହି କବାଟ କିଳିଲେ ଜେଜେମା,ଆଉ ଜେଜେ କେହି ନଜାଣିବା ଭଳି ଚନ୍ଦ୍ରକାନ୍ତି ମୁଣ୍ଡରେ ଆଶୀର୍ବାଦର ହାତ ରଖିଲେ । ଧାରେ ହସ ଖେଳିଗଲା ଚନ୍ଦ୍ରକାନ୍ତି ମୁଁହରେ ନିଶବ୍ଦରେ ଗୃହ ପ୍ରବେଶ ହୋଇଗଲା ତାର ।
ଚନ୍ଦ୍ରକାନ୍ତି ଜାଣିଥିଲା, ସେ ଏ ଘରକୁ ଆପେ ଆସିଛି ବିନା ସହମତିରେ ତ ସମୟ ହିଁ ବଡ଼ ବଳବାନ । ଧର୍ଯ୍ୟ ସାହସ ଓ ଶକ୍ତି ପାଇଁ ସ୍ୱାମୀ ଓ ଜେଜେ ଶଶୁରଙ୍କ ନିଶବ୍ଦ ଭରସା ଯଥେଷ୍ଟ ଥିଲା ତା ପାଇଁ । ସକାଳୁ ପୂଜା ସାରି, ସମସ୍ତେ ଉଠିଲା ବେଳକୁ ଜଳଖିଆ ଓ ଚା ପ୍ରସ୍ତୁତ ହୋଇସାରିଥାଏ । ଦିନା କେତେ ଅସହଯୋଗ,ଆସ୍ତେ ଆସ୍ତେ ସହଯୋଗରେ,ଜଳଯୋଗ ଓ ଜଳପାନ ପ୍ରଥମ ଆସ୍ତି ସୂଚକ କୋଳାଗ୍ରତ ଥିଲା ଚନ୍ଦ୍ରକାନ୍ତି ପାଇଁ ତାପରେ ପରେ ରୋଷଇ ସହ ସାନ ନଣନ୍ଦ ଓ ଦେବର ମନକଥା ବୁଝିବା, ଜେଜେମାଆଙ୍କ ପାଇଁ ଫୁଲତୋଳି ଠାକୁର ବାସନ ସଫା କରି ରଖିବା ଥିଲା କୋଳାଗ୍ରତ ହେବାର ଦ୍ୱିତୀୟ ଉପଚାର ଅସ୍ତ୍ର ତା ପରେ ପରେ ରୋଷେଇ ଖଞ୍ଜା ପଶିବାକୁ ଚେଷ୍ଟା କରି ପାରୁନଥିବା ବେଳେ ସେଦିନ ହଠାତ ଗୋଡ଼ ଖସି ଶାଶୁ ପଡିଯିବା ପରେ ଚନ୍ଦ୍ରକାନ୍ତିର ରକ୍ତଦାନ ସାଙ୍ଗକୁ ସେବା ଶୁଶ୍ରୁଷା, ତାକୁ ଆସ୍ତେ ଆସ୍ତେ ନୂଆ ଅତିଥିର ସ୍ୱୀକୃତି ଆଣିଦେଇଥିଲା ।
ନଣନ୍ଦ ବାହାଘରରେ ନିଜର ସମସ୍ତ ସୁନା ଗହଣା ଦେବା, ଦେବରଙ୍କ ପାଠପଢାରେ ପାଠ୍ୟ ପରିସର ଭୁକ୍ତ ସାହାଯ୍ୟ ସହିତ ନାମ ଲେଖା ପଇସା ଯୋଗାଡ଼ କରିବା ଇତ୍ୟାଦି କର୍ତ୍ତବ୍ୟ ପରେ ପରେ ଚନ୍ଦ୍ରକାନ୍ତି ଯେବେ ଚନ୍ଦ୍ର ଉଦିଆ ପରି ପୁଅଟିଏ ସଂସାରକୁ ନୂଆ ଅତିଥି ରୂପେ ଭେଟି ଦେଇଥିଲା, ସେଦିନ ନିଜେ ଶାଶୁ ତାକୁ ଓ ନାତିକୁ ବନ୍ଦାପନା କରି ଗୃହ ପ୍ରବେଶ କରାଇଥିଲେ । ଚନ୍ଦ୍ରକାନ୍ତି ତା ବାପା ମାଆଙ୍କ କଥା ମନେପକାଇ କାନ୍ଦୁଥିଲା ତ ସେମାନେ ମଧ୍ୟ ପାଲା ପୂଜାକୁ ଡାକରା ହୋଇ ଆସିଥିଲେ । ମଣିଷ ଭିତରେ ଥିବା ମଣିଷପଣିଆ ଓ ପଥର ପଡିଲେ ସହୁ ନ୍ୟାୟରେ ଚନ୍ଦ୍ରକାନ୍ତି ଦୁହିତା, ଦୁଇକୁଳର ହିତା ଖଣ୍ଡବାକ୍ୟ ଟିକୁ ନିଜର ଧର୍ଯ୍ୟ, ସାହସ, କର୍ତ୍ତବ୍ୟ, ସହିଷ୍ଣୁତା ଗୁଣରେ ପ୍ରମାଣ କରି ସାରିଥିଲା ।ତ୍ୟାଗ ଓ ଉତ୍ସର୍ଗୀକୃତ ଜୀବନ ଶୈଳୀ, ଧୀର ପାଣି ପଥର କାଟେ ପରି, ଜୀବନର ଦୋଦୁଲ୍ୟମାନ ପରିସ୍ଥିତିରେ ସ୍ଥିରତା ଆଣିପାରେ ବୋଲି ସମସ୍ତେ ବୁଝିବାକୁ ଆଉ ବାକି ନଥିଲା। ନୂଆ ଅତିଥି ଦୋଳିରେ ଝୁଲୁଥିଲା ବେଳେ,ନନା ସର୍ବେ ଭବନ୍ତୁ ସୁଖିନଃ ମନ୍ତ୍ର ଉଚ୍ଚାରଣ କରୁଥିଲ ।
