Sachidananda Kar

Thriller

3.5  

Sachidananda Kar

Thriller

ଆସ ହୃଦୟ ସାଇତିବା

ଆସ ହୃଦୟ ସାଇତିବା

2 mins
326


ଏଇଠି ଗୋଟିଏ ଘାଟ ଥିଲା ।  ଘାଟରେ ଡଙ୍ଗା ବାନ୍ଧିଥିଲା ଠୁଣା । ଭରା ନଈକୁ ନଥିଲା ଡର । କାତ ପରେ କାତ ପକାଇଲା ବେଳେ କେତେ ସୁନ୍ଦର, ମନ ମତାଣିଆ ଗୀତ ଗାଉଥିଲା ସେ । ଘାଟ ଓ ଘାଟୁଆ - ସବୁବେଳେ ବେଶ୍ ଖୁସି ଛଳଛଳ ଦିଶୁଥିଲେ ।

ସବୁଠାରୁ ବେଶୀ ଖୁସି ଛଳଛଳ ଦିଶୁଥିଲା ସେ,ଯେତେବେଳେ ତା' ଡଙ୍ଗାରେ ବସି ଝିଅଟିଏ ପ୍ରଥମ କରି ଶାଶୁଘର ଯାଉଥିଲା । ଓଢଣା ଫାଙ୍କରେ ସେ ଦେଖି ପାରୁଥିଲା ଝିଅଟିର ଉଦବେଗ । କହୁଥିଲା - ' ଭୟ କରନା ଝିଅ । ଏ ଠୁଣା କାତ ଧରିଛି ମାନେ ତତେ ନିଶ୍ଚେ ସେ ସେ କୂଳରେ ପହଞ୍ଚାଇବ ।  '

ଝିଅଟିର ଉଦବେଗ ଆଉ ରହୁ ନ ଥିଲା । ବରଂ କଣେଇ କଣେଇ ସେ ଚାହିଁ ଦେଖୁଥିଲା କେମିତି କାତ ପକାଉଛି ଠୁଣା ।

କୂଳ ଆଉ କେତେ ଦୂର ରହିଲା - ସେ ପୁଣି ଦେଖୁଥିଲା ।

ବେଳେବେଳେ ଦୂର ବାଟୋଇ ଜଣେ ପାଟି କରି ଡାକୁଥିଲା - ' ଡଙ୍ଗା ରଖ,ଭାଇ । ଡଙ୍ଗା ରଖ । ମୋର ଦୂର ବାଟ ଯିବାର ଅଛି । ସଂଜ ହୋଇଯିବ ।  '

ଏଇ ଅନୁରୋଧ ଠୁଣା ପାଇଁ କୋଟିଏ ଟଙ୍କା । ଖୁସି ଲାଗୁଥିଲା ତାକୁ । ଟିକିଏ କଷ୍ଟ ପଡୁ ପଛକେ ସେ କୂଳକୁ ଫେରାଇ ଆଣୁଥିଲା ତା'ର ଡଙ୍ଗା । ହସିଦେଇ କହୁଥିଲା - ' ଏଇ ତ ମୋ ବେଉସା । ଏଇ ବି ମୋ ଖୁସି । ଆସ,ଶିଘ୍ର ଶିଘ୍ର ଡଙ୍ଗା ଉପରକୁ ଚଢିଯାଅ ।  '

ହସିଦେଇ ଡଙ୍ଗା ଉପରକୁ ଚଢି ଯାଉଥିଲା ବାଟୋଇ । ଆଶ୍ବସ୍ତ ହେଉଥିଲା । ଖୁସି ବି । ଦ୍ବିତୀୟା ଓଷା ଆସିଗଲେ ବାପଘରଙ୍କୁ ଅପେକ୍ଷା କରି ଆସି ଘାଟ କୂଳରେ ବସି ଯାଉଥିଲେ କେହି କେହି ଝିଅ । ଠୁଣାକୁ କହୁଥିଲେ - ' ବାପଘରୁ କେହି ଏଯାଏ ଆସିଲେ ନାହିଁ । ଦେଖିବ ତ କାଳେ ସେପାରିରେ ଆମର କିଏ ବସିଥିବ । ଟିକେ ନେଇ ଆସିବ ।  '

ଠୁଣା ମୁର୍କି ହସୁଥିଲା । ମଜାରେ କହୁଥିଲା - ' ଦୁତିଆ ଭାରରୁ କିଛି କିଛି ମୋ ଘରକୁ ପଠାଇଦେବୁ,ଝିଅ । ଭୁଲି ଯିବୁନି ।  '

ଗହ୍ମା ପୁନେଇଁରେ ଭଉଣୀର ବାଟ ଚାହିଁ ବସୁଥିଲା ଭାଇ । ଭଉଣୀ ହାତରୁ ରାକ୍ଷୀ ବାନ୍ଧିବାର କି ଇଚ୍ଛା ଆଉ ଆଗ୍ରହ ସେ !ଠୁଣାକୁ କହୁଥିଲା - ' ଏଯାଏ କାହିଁକି ଆସିଲାନି ମୋ ଭଉଣୀ ? ତା' ଅପେକ୍ଷାରେ ମୁଁ ଅଛି ।  '

- ' ଏଥର ଭଉଣୀ ପାଇଁ କ'ଣ ରଖିଛୁ ? ଶାଢୀ ନା ଟଙ୍କା ? 'ଠୁଣା ହସିଦେଇ କହୁଥିଲା ।

ହାୟ ! ଏସବୁ ଆଜି ଅତୀତ ।

କାହିଁକି ନା ନଈର ଏ କୂଳରୁ ସେ କୂଳକୁ ଲମ୍ବି ଯାଇଛି ଗୋଟିଏ ସେତୁ । ଆଜି ଆଉ ସେଇଠି ଘାଟ ନାହିଁ । ଦୁଇ କୂଳକୁ ଯୋଡ଼ି ଠିଆ ହୋଇଛି ଗୋଟିଏ ବିରାଟ କଂକ୍ରିଟ ସେତୁ । ମଣିଷର ଯିବାଆସିବା ସବୁ ଏବେ ଗାଡି ମଟରରେ । ଏବେ ସବୁ ସହଜ ପରି ଲାଗୁଛି । ମୁହୂର୍ତ୍ତକ ଭିତରେ ଏପଟ ମଣିଷ ଯାଇ ସେପଟରେ ।

ଘାଟର ଡଙ୍ଗା, ଘାଟୁଆ ଠୁଣା, ଡଙ୍ଗାବାଲାର ଗୀତ, ଶାଶୂଘର ଯାଉଥିବା ଝିଅର ଉଦବେଗ, ଡଙ୍ଗା ରଖ ଡାକ,ଦୂର ବାଟୋଇର ଉତ୍କଣ୍ଠା, ଝିଅଟିଏର ବାପା ଭାଇକୁ ଅପେକ୍ଷା, ଭାଇର ଭଉଣୀ ବାଟକୁ ଚାହିଁ ରହିବା - ସବୁ ଏବେ ନଈର ବାଲି ଭିତରେ ପୋତି ହୋଇଗଲାଣି ।

ଯେଉଁଠି ଦିନେ ଘାଟ ଥିଲା, ସେଇଠି ଏବେ ସେତୁଟିଏ ଦର୍ପିତ ଭଙ୍ଗୀରେ ଠିଆ ହୋଇଛି ।

ବାଲି ଭିତରେ ସେସବୁ ସେହିପରି ପୋତି ହୋଇ ରହିଯିବ ନା,ସାଇତି ରଖିବା ସେସବୁକୁ ଖୋଳିତାଡି ? ଯଦି ନ ରଖିବା ସେତୁ ଉପରେ ଧାଉଁଥିବା ମଣିଷଟି କେମିତି ବୁଝିବ ଯେ ପରସ୍ପରକୁ ଯୋଡିବା ଲାଗି ସେତୁ ନୁହେଁ ଗୋଟିଏ ହୃଦୟ ଦରକାର ହୁଏ ବୋଲି ? ହଜି ଯାଉଥିବା ହୃଦୟ ସବୁକୁ କାଲି ପାଇବା କେମିତି ?

ଆସ ହୃଦୟ ସାଇତିବା !


Rate this content
Log in

Similar oriya story from Thriller