ଆମ ଗାଁ ଭୂତ ର ଲମ୍ବା ହାତ
ଆମ ଗାଁ ଭୂତ ର ଲମ୍ବା ହାତ
ଆମ ସିମୁଳିଆ ହାଟ ସପ୍ତାହରେ ଦୁଇଥର ମଙ୍ଗଳ ଓ ଶନିବାର ବସେ, ଆଗରୁ ସବୁ ଜିନିଷ ହାଟରୁ ଆସୁଥିଲା, ଚାଉଳ, ଲୁଣ, ତେଲ, ପରିବା, ଶାଗ, ମାଛ, ଆଳୁ, ପିଆଜ, ପାନ ଇତ୍ୟାଦି ଇତ୍ୟାଦି, ମୁଁ ମେଟ୍ରିକ ପାଶ୍ କଲାପରେ ହାଟକୁ ଯିବାକୁ ପଡିଲା ବାପାଙ୍କ ଅସୁସ୍ଥତା ହେତୁ, ସେତେବେଳେ ସାଇକେଲ ନଥିଲା, ଏକ ବଡ଼ ବ୍ୟାଗରେ ସବୁ ଜିନିଷ ଭର୍ତ୍ତି କରି ଆଣିବାକୁ ପଡୁଥିଲା ପୁଣି ଚାଲି ଚାଲି, ଅନେକ ସମୟରେ ଫେରିବାକୁ ରାତି ହୋଇ ଯାଉଥିଲା, ସେତେବେଳେ ବାଟରେ ଭୂତ ମାନେ ବୀରପାତ କରୁଥାନ୍ତି, ରାସ୍ତାରେ କି ଗାଁରେ ଇଲେକ୍ଟ୍ରି ନଥାଏ, ରାସ୍ତା ବି ଶୂନଶାନ କି ରାସ୍ତା ପାଖରେ ଘର ନଥାଏ, ତେଣୁ ମୁଁ କୁଆଡେ ଡରିବି ବାପା ଅଧା ରାସ୍ତାକୁ ଯାଇ ମୋତେ ଅପେକ୍ଷା କରୁଥାନ୍ତି।
ମୁଖ୍ୟ ରାସ୍ତାରେ କିଛି ବାଟ ଆସି ବିଲ ରାସ୍ତାରେ ଆସିବାକୁ ପଡୁଥିଲା, ଖଗଡ଼େଶ୍ୱର ମନ୍ଦିର ପାଖରୁ ମଧୁପୁରା ସ୍କୁଲ ରାସ୍ତା ମାଟି ରାସ୍ତା ଥିଲା, ଏଇ ରାସ୍ତା ଦୁଇ ପାଖେ କିଆଁ ବଣ ଓ ତା ଭିତରେ ବିଲୁଆ ମାନେ ଗାତ କରି ରହୁଥିଲେ, ସନ୍ଧ୍ୟା ବେଳେ ସେମାନେ ଦଳବଦ୍ଧ ଭାବେ ହୋକେ ହୋ କରିବେ ଓ ରାତି ହେଲେ ସମସ୍ତେ ଶୋଇ ଗଲା ପରେ ପାଖ ଗାଁକୁ ଯାଇ କୁକୁଡ଼ା ଭାଡ଼ିରୁ କୁକୁଡ଼ାକୁ ଆଣି ମାରି ଖାଇବେ, ତେଣୁ ଲୋକେ ବିଲୁଆ ଉପରେ ରାଗ ଶୁଝାଇବା ପାଇଁ ହାଟରୁ ଫେରିଲା ବେଳେ କିଆଁ ବୁଦାରେ ନିଆଁ ଲଗେଇ ଦିଅନ୍ତି, ଦେଖିବ କି ମଜା, ବିଲୁଆ ମାନେ ଗାତରୁ ବାହାରି ବିଲରେ ଦୌଡ଼ିବେ, ପଛରେ ବାଡ଼ି ଧରି ଲୋକେ ସେମାନଂକୁ ଗୋଡ଼େଇବେ, କିନ୍ତୁ ତାଙ୍କୁ ଧରିବା ମୁସ୍କିଲ, କଥାରେ ଅଛି ବିଲୁଆ ବଡ଼ ଚତୁର ।
ମୁଖ୍ୟ ରାସ୍ତାରୁ ତଳକୁ ଓଲ୍ହେଇବା ପରେ, ବିଲର ହିଡ଼ ରାସ୍ତା, ଠିକ ବାମ ପଟକୁ ବ୍ରାହ୍ମଣି ପୋଖରୀ, ବିରାଟ ପୋଖରୀ, ଚାରିପଟେ ଗଛ ଲତା ଭର୍ତ୍ତି, ବଡ଼ ବଡ଼ ତାଳ ଗଛ ଗୁଡିକ ଆକାଶକୁ ଛୁଇଁଲା ଭଳି ଲାଗେ, ଆମ ମହାନ୍ତି ବଂଶର ବଡ଼ବୁଢ଼ା କୁହନ୍ତି ଏଇ ତାଳ ଗଛରେ କୁଆଡେ ଲଙ୍ଗଳା ଭୂତ ଗୁଡିକ ଦୋଳି ଖେଳନ୍ତି, ବେଳେବେଳେ ନିଜ ନିଜ ଭିତରେ ମାରପିଟବି ଲାଗି ଯାଆନ୍ତି, ଥରେ ଗୋଟେ ଭୂତ ଆମ ବଡ଼ବୁଢ଼ା ସହ ଘର ପର୍ଯ୍ୟନ୍ତ ଆସିଥିଲା, ସେ ତ ସହଜେ ଡରିବା ଲୋକ ନୁହନ୍ତି, ପୁଣି ଭୂତ ମନ୍ତର ଜାଣିଥିଲେ,, ଭୂତଟା ତାଙ୍କ ପିଛା ଛାଡ଼ିଲାଣି, କେତେବେଳେ ଆଗକୁ ଆସି ବାଟ ଓଗାଳିବ ତ କେତେବେଳେ ପଛରେ ଦୁମଦୁମ କରିବ, ଥରେ ସେ ଭୂତ ମନ୍ତର ପଢି ଠେଙ୍ଗା ଧରି ଭୂତକୁ ଗୋଡେଇଲେ, ଭୂତ ପଳେଇ ଗଲା, ସେ କୁହନ୍ତି ତାର କୁଆଡେ ଗୋଡ଼ ନାହିଁ, ଶୂନ୍ୟରେ ଉଡ଼ି ଉଡ଼ି ଯାଏ, ହାତଟା ବହୁତ ଲମ୍ବା......
ବିଲ ପା
ରିହେଲା ପରେ ଆମ ମହାନ୍ତି ଘର ବାଡ଼ି ପଡେ, ଆଗେ ବଡ଼ ମହାନ୍ତି ଘର ତାପରେ ଆମ ଘର, ବାଡି଼କୁ ପଶିଲା ମାତ୍ରେ ଏକ ବିରାଟ ଜାମୁକୋଳି ଗଛ ଥିଲା, ଏବେ ସେ ଗଛ କାଟି ଦିଆ ଯାଇଛି, ସେଇ ଜାମୁକୋଳି ଗଛ ଡାଳରେ ଅନେକ ସମୟରେ ଭୂତ ମାନେ ଗୋଡ଼ ଓଲେଇ ବସିଥାନ୍ତି, ଯଦି ସେମାନଙ୍କୁ ଟର୍ଚ୍ଚ ଲାଇଟ ମାରିବ ଖିଲି ଖିଲି ହୋଇ ହସିବେ,ସେଇ ଜାମୁକୋଳି ଗଛ ମୂଳ ଦେଇ ରାସ୍ତା, ଅନେକ ସମୟରେ ଲୋକଙ୍କ ବ୍ୟାଗରୁ ଭୂତ ମାନେ ପରିବା କାଢି ନେଉ ଥିଲେ, ଥରେ ଆମ ଘର ପାଖ ମୂଷା ଭାଇ କାନ୍ଧରେ ବ୍ୟାଗ ବସାଇ ହାଟରୁ ଆସୁଥିବା ବେଳେ ଗୋଟେ ଭୂତ ତାଙ୍କ ବ୍ୟାଗରୁ ଉପରେ ଥିବା ମୂଳା ବିଡାଟା କାଢି ନେଇଥିଲା, ସେ ଆସି ଘରେ କହିବାରୁ କିଛି ଗାଁ ଲୋକ ଠେଙ୍ଗା ଓ ମଶାଲ ଧରି ସେଇ ଜାମୁକୋଳି ଗଛ ମୂଳକୁ ଗଲେ, ସତକୁ ସତ ଗଛ ମୂଳରେ ମୂଳା ଗୁଡିକ ଖଣ୍ଡିଆ ଖଣ୍ଡିଆ ହୋଇ ପଡିଥିଲା, ସେଇ ଦିନରୁ ମୂଳା ଖିଆ ଭୂତକୁ ମୋର ଭାରି ଡର ଆସି ଯାଇଥିଲା ।
ଦିନେ କୌଣସି ଅସୁବିଧା ବଶତଃ ବାପା ଅଧା ରାସ୍ତାକୁ ଯାଇ ପାରିଲେନି, ମୋତେ ଏକା ଆସିବାକୁ ପଡିଲା, ବାପା କିନ୍ତୁ ମୋତେ ଆଗରୁ କହିଥିଲେ କେବେବି ପଛ କିମ୍ବା ଡାହାଣ ବାମକୁ ଚାହିଁବୁନି, ସବୁବେଳେ ଆଗକୁ ଚାହିଁ ନାକ ସିଧାରେ ଚାଲିବୁ, ଭୂତ କିଛି କରି ପାରିବ ନାହିଁ, ବାପା ପାଖରୁ ମଧ୍ୟ ମୁଁ ଭୂତ ମନ୍ତର ଶିଖି ନେଇଥିଲି, ସେଇ ମନ୍ତ୍ର ପଢି ପଢି ଚାଲିଲେ ଭୂତ ଆଦୌ ପାଖ ମାଡ଼ିବ ନାହିଁ,ପରିବା ବ୍ୟାଗ କୁ କାନ୍ଧରେ ବସାଇ ମୁଁ ଚାଲି ଥାଏ ସାହସର ସହିତ, ହେଲେ ଜାମୁକୋଳି ଗଛ ପାଖରେ ପହଂଚିବା କ୍ଷଣିକ ମୋତେ ଟିକେ ଡର ଲାଗିଲା, ସେଦିନ ଜହ୍ନ ରାତି ଥିଲା, ହଠାତ ମୋ ନଜରରେ ଆସିଲା ଗଛ ଡାଳରେ କିଏ ଗୋଟେ ଓହଳି ରହିଛି, ସେଇଟା ବହୁତ ଲମ୍ବା ଥିଲା, ମୋତେ ଆଉ ବୁଝିବାକୁ ବାକି ରହିଲା ନାହିଁ, ମୁଁ ଆଖି ବୁଜି ସଂଗେ ସଂଗେ ଭୂତ ମନ୍ତ୍ର ପଢିବା ଆରମ୍ଭ କରିଦେଲି, ଗଛରେ ଆହୁରି ଚାରି ପାଞ୍ଚଟା ଭୂତ ଥିଲେ, ସେମାନେ ଡାଳକୁ ଡାଳ ଡେଇଁବା ଆରମ୍ଭ କରିଦେଲେ, ଜୋରେ ପବନ ବୋହିଲେ ଯେମିତି ଆବାଜ ହୁଏ ଭୂତ ମାନେ ଠିକ ସେଇଭଳି ଆବାଜ କରନ୍ତି, ମୁଁ କାନ୍ଧରୁ ବ୍ୟାଗ ତଳକୁ ଆଣି ହାତରେ ମୁଠେଇ ଧରିଲି, ମୁଁ ଜାଣିଥିଲି କାନ୍ଧରେ ବ୍ୟାଗ ଥିଲେ ଏମାନେ ନିଶ୍ଚୟ ପରିବା କାଢି ନେବେ, ସାହସର ସହିତ ମନ୍ତ୍ର ପଢି ପଢି ଘର ଧରିଗଲି, ଘରେ ମାଆକୁ ସବୁକଥା କହିଲି, ମାଆ ମୋ ଉପରେ ପାଣି ଛିଞ୍ଚି ଆଇନାରେ ମୁହଁ ଦେଖିବା ପାଇଁ କହିଲା, ରାତିରେ ମୁଁ ଉପବାସରେ ଶୋଇଲି, ତାପରେ ଆଗକୁ ସବୁଦିନ ବାପା ଯାଇ ଅଧା ରାସ୍ତାରେ ମୋତେ ଅପେକ୍ଷା କରୁଥଲା ।