Kanan Bala Nayak

Romance

3  

Kanan Bala Nayak

Romance

~~~ଆଖି~~~

~~~ଆଖି~~~

5 mins
227



   ଆଜି ଇଣ୍ଟରଭିଉ ରୁ ଫେରିବା ପର ଠାରୁ ଅମିତ୍ ପୁରା ଅନ୍ୟ ମନସ୍କ ରହୁଛି। ଇଣ୍ଟରଭିଉରେ ସେ ପିଲା ଟିକୁ ଦେଖିବା ପରେ ତା ମୁଣ୍ଡ ଆଉ କାମ କରୁନି।ସେ ପିଲାଟିର ଆଖି ଯୋଡ଼ିକ ରେ ଏମିତି କି ଆକର୍ଷଣ ଥିଲା କେଜାଣି ଅମିତ୍ କୁ ତା ଆଡକୁ ଆକର୍ଷିତ କରି ନେଇଥିଲା। ଅମିତ୍ କୁ ଲାଗୁଥିଲା ସତେ ଯେମିତି ଏଇ ଆଖି ଯୋଡ଼ିକ ସହିତ ତା'ର କାହିଁ କେତେ କାଳରୁ ସମ୍ପର୍କ ଅଛି?କିଏ ଏଇ ପିଲା? କେଉଁଠି ତା ଘର? ଏଇ ଆଖି ଯୋଡ଼ିକ ସହିତ କଣ ତାର ସମ୍ପର୍କ? କାହିଁକି ଏଇ ଆଖି ଯୋଡ଼ିକ ବାରମ୍ବାର ତା ଆଖି ସାମ୍ନାକୁ ଚାଲି ଆସୁଛି? ଯେତେ ଚେଷ୍ଟା କଲେ ମଧ୍ୟ ସେ ଆଖି ଯୋଡ଼ିକୁ ଭୁଲି ପାରୁନି ଅମିତ୍।


  ସେ ଦିନ ରାତି‌ ସାରା ଯେତେ ଚେଷ୍ଟା କଲେ ମଧ୍ୟ ଅମିତ୍ କୁ ଆଉ ନିଦ ହେଲାନି। ରାତି ସାରା ସେ ଖାଲି ବିଛଣା ରେ ପଡ଼ି ଛଟପଟ ହେଲା। ସ୍ଥିର କଲା କେମିତି ସକାଳ ହେବ।ଆଉ ସେ ସହଳ ଅଫିସ ଯାଇ ପିଲା ଟି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ। ତାପରେ ଯାଇ ଅନ୍ୟ କିଛି କାମ ରେ ହାତରେ ଦେବ। କାରଣ ଆଜି ଇଣ୍ଟରଭିଉ ସରୁ ସରୁ ରାତି ହୋଇ ଯାଇଥିଲା। ତେଣୁ ତା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ଆଉ ସମ୍ଭବ ହୋଇ ନଥିଲା।ତା ପର ଦିନ ସକାଳ ହେଲା ମାତ୍ରେ ଅମିତ୍ ଯଥା ଶୀଘ୍ର ଅଫିସ ଯିବାକୁ ପ୍ରସ୍ତୁତ ହୋଇଗଲା।ଅଫିସ ପହଞ୍ଚି ପ୍ରଥମେ ପିଲା ଟିର ବାୟୋଡାଟା ଅଣ୍ଡାଳି ପକାଇଲା। ହେଲେ ସେଥିରୁ ସେ ସେମିତି କିଛି ତଥ୍ୟ ପାଇଲାନି ଯାହା ସିଏ ଖୋଜୁଥିଲା। ତେବେ କିଏ ଏ ପିଲା ? ତା ଆଖି ଯୋଡ଼ିକୁ ଭୁଲିବାକୁ ଯେତେ ଚେଷ୍ଟା କଲେ ମଧ୍ୟ କାହିଁକି ସେ ଆଖି ଯୋଡ଼ିକ ବାରମ୍ବାର ତା ଆଖି ଆଗରେ ଭାସି ଉଠୁଛି?ଆଉ ତା ହୃଦୟ କୁ ଆନ୍ଦୋଳିତ କରୁଛି?


   ଦୀର୍ଘ କୋଡ଼ିଏ ବର୍ଷ ତଳେ ଏଇ ଭଳି ଦୁଇଟି ଆଖି ର ପ୍ରେମରେ ପଡି ଯାଇଥିଲା ଅମିତ୍। ଆନ୍ତଃ ରାଜ୍ୟ ବକୃତା ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଅମିତ୍ ତାଙ୍କ କଲେଜ ରୁ ସିଲେକ୍ଟ ହୋଇ ରାଜଧାନୀ ଭୁବନେଶ୍ଵର କୁ ଆସିଥିଲା। ସମଗ୍ର ରାଜ୍ୟର ଅନ୍ୟ କଲେଜ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ତାଙ୍କ କଲେଜ ରୁ ସିଲେକ୍ଟ ହୋଇ ଭୁବନେଶ୍ୱର ଆସି ଥାଆନ୍ତି। ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ହୋଇଥିବା ଆନ୍ତଃରାଜ୍ୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ। ପ୍ରତିଯୋଗିତା ଆରମ୍ଭ ହେଲା। ସମସ୍ତେ ଯିଏ ଯାହାର ବକ୍ତବ୍ୟ ପ୍ରଦାନ କଲେ। ହେଲେ କେଉଁଝର ଧରଣୀଧର କଲେଜରୁ ଆସିଥିବା ପ୍ରକୃତି ସାମନ୍ତରାୟ ନାମକ ଝିଅ ର ବକୃତା ସମସ୍ତ ଙ୍କୁ ଚମତ୍କୃତ କରିଦେଇଥିଲା। ବକୃତା ପ୍ରତିଯୋଗୀତାରେ ପ୍ରକୃତି ପ୍ରଥମ ଓ ଅମିତ୍ ଦ୍ଵୀତୀୟ ହୋଇଥିଲେ। ପୁରସ୍କାର ବଣ୍ଟନ ସରିବା ପରେ ଯେତେବେଳେ ଫୋଟ ଉଠାଇବା ପାଇଁ ସମସ୍ତ ପ୍ରତିଯୋଗୀ ଙ୍କୁ ଷ୍ଟେଜ ଉପରକୁ ଡକାଗଲା ସେଇ ସମୟରେ ଅମିତ୍ ର ନଜର ପଡ଼ିଥିଲା ପ୍ରକୃତି ର ଆଖି ଯୋଡ଼ିକ ଉପରେ। ପ୍ରକୃତି ର ଆଖି ଉପରୁ ଆଉ ନଜର ହଟାଇ ପାରି ନଥିଲା ଅମିତ୍। ସତରେ ଯେମିତି ସେ ଆଖି ଯୋଡ଼ିକ ରେ ଯାଦୁଥିଲା।ସେ ଆଖି ଯୋଡ଼ିକ ରେ ଯେମିତି ଗୋଟିଏ ଗଭୀର ସମୁଦ୍ର ଲୁଚି ରହିଥିଲା।ସେ ଆଖି ଯୋଡ଼ିକ ଯେମିତି ଅନେକ କଥା କହୁଥିଲା। ଷ୍ଟେଜ ରୁ ଓହ୍ଲାଇବା ପର୍ଯ୍ୟନ୍ତ ଅମିତ୍ ଖାଲି ସେ ଆଖି ଯୋଡ଼ିକୁ ଅନାଇ ରହିଥିଲା। ସେତେବେଳକୁ ସେ ଆଖି ଯୋଡ଼ିକ ଅମିତ୍ ର ହୃଦୟ ରେ ଘର କରି ସାରିଥିଲା।


  ତା ପର ଦିନ ସମସ୍ତେ ଯିଏ ଯାହାର ଘରକୁ ଫେରିବାର ଥିଲା। ଅମିତ୍ ଭାବିଲା ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ସେ ଯେମିତି ବି ହେଉ ପ୍ରକୃତି କୁ ଖୋଜିବ ଓ ତା ଠିକଣା ସଂଗ୍ରହ କରିବ।କାଳ ବିଳମ୍ବ ନକରି ଅମିତ୍ ତାର ଜଣେ ବନ୍ଧୁ ର ସହାୟତା ରେ ପ୍ରକୃତିକୁ ଖୋଜିବା ପାଇଁ ବାହାରି ପଡ଼ିଲା। ଅନ୍ୟ କଲେଜ ର ପିଲା ମାନେ ରହୁଥିବା ରୁମରେ ସେ ପ୍ରକୃତି କୁ ଅନେକ ଖୋଜିଲା। ହେଲେ କେଉଁଠି ପାଇଲା ନାହିଁ। ନିରାଶ ହୋଇ ଫେରୁଥିବା ସମୟରେ ଅଚାନକ ରାସ୍ତା ରେ ପ୍ରକୃତିକୁ ଦେଖି ମନେ ମନେ ବହୁତ ଖୁସି ହୋଇଗଲା ଓ ଈଶ୍ୱର ଙ୍କୁ ଧନ୍ୟବାଦ୍ ଜଣାଇଲା। ଅମିତ୍ ତାକୁ ପ୍ରତିଯୋଗିତା ରେ ପ୍ରଥମ ହୋଇଥିବାରୁ ହେତୁ ଅଭିନନ୍ଦନ ଜଣାଇଲା। ପ୍ରକୃତି ମଧ୍ୟ ତାକୁ ପ୍ରତିଅଭିନନ୍ଦନ ଜଣାଇଲା।ଏଇ ଭଳି କଥାବାର୍ତ୍ତା ମାଧ୍ୟମ ରେ ଉଭୟେ ଉଭୟ ଙ୍କ ର ଠିକଣା ନେଲେ।‌କାରଣ ସେତେବେଳେ ଆଜିକାଲି ଭଳି ମୋବାଇଲ ଫୋନ ର ପ୍ରଚଳନ ନଥିଲା।ଉଭୟେ ନିଜ ନିଜ ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ଚିଠି ପତ୍ର ର ଆଦାନ ପ୍ରଦାନ ଚାଲିଲା।


   ଚିଠି ପତ୍ର ରୁ ବନ୍ଧୁତା।ଆଉ ବନ୍ଧୁତା କ୍ରମେ ପ୍ରେମ ରେ ପରିଣତ ହେଲା। ଉଭୟ ଙ୍କ ଭିତରେ କେବେ ଦେଖା ସାକ୍ଷାତ ହେଉ ନଥିଲା କିନ୍ତୁ ନିଜ ନିଜର ଭାବନା ଭିତରେ ପରସ୍ପର ପରସ୍ପର ର ନିକଟ ରେ ଥିଲେ। ପ୍ରକୃତ ଭଲ ପାଇବା ରେ ଶରୀର ଯେତେ ଦୂରରେ ଥିଲେ ମଧ୍ୟ ହୃଦୟ ହୃଦୟ ର ନିକଟରେ ଥାଏ। ଅମିତ୍ ଓ ପ୍ରକୃତି ଉଭୟ ଉଭୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସେମାନେ ଆଗେ ପାଠ ପଢି ନିଜକୁ ଯୋଗ୍ୟ କରି ଗଢି ତୋଳିବେ। ତାପରେ ତାଙ୍କ ଘର ଲୋକଙ୍କ ପାଖରେ ତାଙ୍କ ପ୍ରେମ ର ପରି ପ୍ରକାଶ କରିବେ। ଅମିତ୍ ଯେତେବେଳେ ବି ପ୍ରକୃତି କଥା ଭାବୁଥିଲା ତା ଆଖି ଦୁଇଟି ସବୁବେଳେ ସାମ୍ନା କୁ ଚାଲି ଆସୁଥିଲା।ଅମିତ୍ ର ପ୍ରତ୍ୟେକ ଚିଠି ର ଆରମ୍ଭ ପ୍ରକୃତି ର ଆଖି ର ପ୍ରଶଂସା ରୁ ଆରମ୍ଭ ହୋଇ ଥାଏ।ଆଉ ଶେଷ ବି ତା ଆଖି ର ପ୍ରଶଂସା ରେ ହୋଇଥାଏ।


   ଅମିତ୍ ସବୁବେଳେ କହେ ଜାଣିଛ ପ୍ରକୃତି ତୁମ ର ଏଇ ଆଖି ଦୁଇଟି ରେ ମୋ ପ୍ରାଣ ବସେ। ତୁମେ ଯେତେବେଳେ ଆଇନା ରେ ତୁମ ଆଖି ଦୁଇଟି କୁ ଦେଖିବ, ମୁଁ ତୁମ ପାଖରେ ଅଛି ବୋଲି ଭାବିବ।ଏମିତି ଚିଠି ପତ୍ର ମାଧ୍ୟମରେ ଉଭୟ ଙ୍କ ର ପ୍ରେମ ଆଗକୁ ଆଗକୁ ବଢୁଥିବା ସମୟରେ ହଠାତ୍ ପ୍ରକୃତି ର ଚିଠି ଆସିବା ବନ୍ଦ ହୋଇଗଲା। ଅମିତ୍ ଅନେକ ଅପେକ୍ଷା କଲା ହେଲେ ନିରାଶ ହେଲା।ପ୍ରତ୍ୟେକ ଦିନ ଡାକ ବାଲା ଆସିବା ସମୟକୁ ଅନାଇ ରହେ ଅମିତ୍।ଆଉ ଡାକ ବାଲା ଆସିବା ମାତ୍ରେ ତା ପାଖକୁ ଦୌଉଡି ଯାଇ କହେ ମୋ ନାଁ ରେ କିଛି ଚିଠି ଆସିଛି କି? ହେଲେ ଡାକ ବାଲା ସବୁବେଳେ ତାକୁ ନିରାଶ କରେ।ଦୁଇ ତିନି ମାସ ପ୍ରକୃତି ର ଚିଠି କୁ ଅପେକ୍ଷା କରିବା ପରେ ଅମିତ୍ ର ଧୈର୍ଯ୍ୟ ର ସୀମା ଅତିକ୍ରମ କରିଗଲା।ସେ ଆଉ ପ୍ରକୃତି ର ଚିଠି କୁ ଅପେକ୍ଷା କରି ପାରିଲା ନାହିଁ। ସ୍ଥିରକଲା ପ୍ରକୃତି ଦେଇ ଥିବା ଠିକଣା ରେ ଯାଇ ତାକୁ ଖୋଜିବ ଓ ତା ନିରବତା ର କାରଣ ପଚାରିବ। 


   ପ୍ରକୃତି ଦେଇଥିବା ଠିକଣା ରେ ପହଞ୍ଚି ‌ଜାଣିବାକୁ ପାଇଲା, ପ୍ରାୟ ପାଞ୍ଚ ମାସ ହେବ ପ୍ରକୃତି ର ବାପା ଙ୍କ ର ସେଠାରୁ ବଦଳି ହୋଇ ଯାଇଛି।ଆଉ ତାଙ୍କ ଠିକଣା ତାକୁ କେହି ଦେଇ ପାରିଲେ ନାହିଁ।ତା ପର ଠାରୁ ପ୍ରତ୍ୟେକ ବକୃତା ପ୍ରତିଯୋଗୀତାରେ ଅମିତ୍ ପ୍ରକୃତି କୁ ପାଗଳ‌ ପରି ଖୋଜିଛି। କିନ୍ତୁ ସବୁଠି କେବଳ ନିରାଶା ତା ହାତ ରେ ଲାଗିଛି।ପାଠ ପଢା ସାରି ଭଲ ଚାକିରୀ ଟିଏ ପାଇଛି। ଚାକିରୀ କାମ ରେ ଯେତେବେଳେ ଯେଉଁଠି କୁ ଯାଇଛି ସେଇଠି ପ୍ରକୃତି କୁ ଖୋଜିଛି ଆଉ ଆଜି ବି ଖୋଜି ଚାଲିଛି।ଆଉ ଆଜି ଦୀର୍ଘ କୋଡ଼ିଏ ବର୍ଷ ପରେ ଏଇ ପିଲାଟି ର ଆଖି ଦୁଇଟିକୁ ଦେଖିବା ପରଠାରୁ ତାକୁ କାହିଁକି ଲାଗୁଛି ସତେ ଯେମିତି ଏଇ ଆଖି ଦୁଇଟି ରେ ସେ ପ୍ରକୃତି କୁ ଖୋଜି ପାଇଛି। ପ୍ରକୃତି ସହିତ ଏଇ ପିଲା ର କି ସମ୍ପର୍କ? କାହିଁକି ଏଇ ଆଖି ଯୋଡ଼ିକ ତାକୁ ଅନେକ କିଛି କହିବା ଭଳି ଲାଗୁଛି।ଇଏ ଆଉ ପ୍ରକୃତି ର ପୁଅ ନୁହେଁ ତ? 


  କିନ୍ତୁ ୟା ବାୟୋଡାଟା ରେ ତ ସମ୍ପୁର୍ଣ୍ଣ ଭିନ୍ନ ତଥ୍ୟ ଅଛି.ତଥାପି ଅମିତ୍ କୁ କାହିଁକି ଲାଗୁଛି ପ୍ରକୃତି ସହିତ ଏଇ ପିଲାର କିଛି ନାଁ କିଛି ସାମଞ୍ଜସ୍ୟ ଅଛି। ନହେଲେ ଏଇ ପିଲାଟିର ଆଖି ଯୋଡ଼ିକ ବାରମ୍ବାର ତାକୁ ତା ଆଡକୁ କାହିଁକି ଆକର୍ଷିତ କରୁଛି.ଅମିତ୍ କାଳ ବିଳମ୍ବ ନ କରି ସେ ପିଲାଟିର ବାୟୋଡାଟା ରୁ ତା ଠିକଣା ଟି ବାହାର କଲା ଓ ତା ଘର ଅଭିମୁଖେ ବାହାରିଲା। ଅମିତ୍ କୁ ସେଠାରେ ଦେଖି ପିଲାଟି ଆଶ୍ଚର୍ଯ୍ୟ ହେଲା ଓ ତା ଆସିବାର କାରଣ ପଚାରନ୍ତେ ଅମିତ୍ ତାକୁ ତା ବାପାଙ୍କ ସହ କାମ ଅଛି ବୋଲି କହି ତା ବାପା ଙ୍କୁ ଡାକିବାକୁ କହିଲା। ପିଲା ଟିର ବାପାଙ୍କ ସହ କଥୋପକଥନ ବେଳେ ଅମିତ୍ ଜାଣିବାକୁ ପାଇଲା ଦୀର୍ଘ କୋଡ଼ିଏ ବର୍ଷ ତଳେ ଗୋଟେ ଦୁର୍ଘଟଣା ର ସମ୍ମୁଖୀନ ହୋଇ ପିଲାଟି ନିଜର ଆଖି ଦୁଇଟି ହରାଇ ବସିଥିଲା।ସେ ଯେଉଁ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲା ସେଇ ହସ୍ପିଟାଲ ରେ ଜଣେ ମହିଳା ଯିଏକି ବ୍ଲଡ୍ କ୍ୟାନ୍ସରରେ ପୀଡ଼ିତ ଥିଲେ ସେ ମଧ୍ୟ ଚିକିତ୍ସିତ ହେଉଥିଲେ।ଆଉ ତାଙ୍କର ବଞ୍ଚିବା ର ଆଶା ନଥିଲା। ତେଣୁ ସେ ମୃତ୍ୟୁ ପରେ ତାଙ୍କ ଆଖି ଯୋଡ଼ିକ ମୋ ପୁଅର ଆଖି ରେ ଲାଗିବ ବୋଲି କହି ଯାଇଥିଲେ।ତାଙ୍କ ମୃତ୍ୟୁ ପରେ ତାଙ୍କ ଆଖି ଯୋଡ଼ିକ ମୋ ପୁଅ ଆଖି ରେ ଲାଗିଛି। ସେ ମହିଳା ଜଣଙ୍କ ସିନା ନିଜେ ଦୁନିଆ ଛାଡି ଚାଲିଯାଇଛନ୍ତି କିନ୍ତୁ ମୋ ପୁଅ କୁ ଦୁନିଆ ଦେଖିବାର ସୁଯୋଗ ଦେଇ ଯାଇଛନ୍ତି।ଚୀର କାଳ ପାଇଁ ସେ ଆମକୁ ତାଙ୍କର ଋଣୀ କରି ଯାଇଛନ୍ତି। ପିଲା ଟିର ବାପାଙ୍କ କଥା ଶୁଣି ଅମିତ୍ କୁ କିଛି ବୁଝିବା କୁ ବାକି ରହିଲାନି। ତଥାପି ସେ ତାଙ୍କୁ ପଚାରିଲା ଦୟାକରି ମୋତେ ସେ ମହିୟସୀ ମହିଳା ଙ୍କ ନାଁ କଣ କହି ପାରିବେ?


  ପିଲା ଟିର ବାପା କହିଲେ ଯାହା ଆଖି ରେ ମୋ ପୁଅ ଆଜି ଦୁନିଆ ଦେଖୁଛି ତାଙ୍କୁ କେମିତି ଭୁଲିବୁ ତାଙ୍କ ନାଁ ପ୍ରକୃତି ସାମନ୍ତରାୟ। ତାଙ୍କ କଥା ଶୁଣି ଅମିତ ଆଖି ରୁ ଦୁଇ ଟୋପା ଅଶ୍ରୁ ଗଡ଼ି ପଡ଼ିଲା।ସେ ପିଲାଟିକୁ ଡାକି କହିଲା ତୁମେ କାଲି ପାଖରୁ ଅଫିସ ଆସ।ଆଉ ମନେ ମନେ ଭାବିଲା ଏ ଜନ୍ମରେ ସିନା ପ୍ରକୃତି କୁ ନିଜର କରିପାରିଲା ନାହିଁ। ହେଲେ ଚାକିରୀ ଥିବା ପର୍ଯ୍ୟନ୍ତ ତ ଏଇ ପିଲା ମାଧ୍ୟମ ରେ ଅତ୍ୟନ୍ତ ତା ଆଖି ଦୁଇଟି କୁ ଦେଖିବା ର ସୁଯୋଗ ପାଇବ।


Rate this content
Log in

Similar oriya story from Romance