~~~ବୋଉର ପଣତକାନି~~~
~~~ବୋଉର ପଣତକାନି~~~
ବହୁତ ବର୍ଷ ପରେ ଏବର୍ଷ ଶୀତଟା ବହୁତ ଜୋରରେ ପଡ଼ିଛି। ଆଲିସାନ ମହଲର ଦାମୀ ବିଦେଶୀ କମ୍ବଳ ଭିତରେ ବି ସୁମିତକୁ ନିଦ ଆସୁନି। ପାଖରେ ସମ୍ପୂର୍ଣ୍ଣା ନିଘୋଡ଼ ନିଦରେ ଶୋଇଛି, ହେଲେ ସୁମିତର ଆଖିରେ ନିଦ ନାହିଁ। ଏକ ଅଜଣା ଶୂନ୍ୟତା ତା’ ଭିତରେ ଶିହରଣ ଖେଳାଇ ଦେଉଛି। ବାହାରେ କୁହୁଡ଼ିର ମେଞ୍ଚା ମେଞ୍ଚା ଅନ୍ଧାର। ସେଇ କୁହୁଡ଼ି ଭରା ରାତିଟା ତାକୁ ବାରମ୍ବାର ଟାଣି ନେଇଯାଉଛି ପିଲାଦିନର ସେଇ ଝାଟିମାଟିର ଘରକୁ।
ସୁମିତ ଯେତେବେଳେ ମାତ୍ର ପାଞ୍ଚ ବର୍ଷର ହୋଇଥିଲା, ଏକ ଦୁର୍ଘଟଣାରେ ତା’ ବାପା ଆରପାରିକୁ ଚାଲିଯାଇଥିଲେ। ପଛରେ ଛାଡ଼ି ଯାଇଥିଲେ ଅଭାବ ଅସୁବିଧାର ଏକ ବିରାଟ ପାହାଡ଼। ସେଇ ଅଭାବକୁ ମେଣ୍ଟାଇବା ପାଇଁ ସୁମିତର ବୋଉ ପରଘରେ ବାସନ ମାଜିବା ସହ ଅନ୍ୟାନ୍ୟ କାମ କଲା। ହେଲେ ସେଥିରେ ଦୁଇ ପ୍ରାଣୀଙ୍କ ପେଟ ପୁରୁନଥିଲା। ସେ ସମୟର ଶୀତ ରାତିଗୁଡ଼ିକ ସୁମିତକୁ ବହୁତ କଷ୍ଟଦାୟକ ଲାଗୁଥିଲା। ଘରର ଭଙ୍ଗା କବାଟ କୋଣ ଦେଇ ପଶି ଆସୁଥିବା ଥଣ୍ଡା ପବନ ସିଧା ହାଡ଼ ଭିତରେ ମାଡ଼ ହେଉଥିଲା।
ଶୀତରୁ ରକ୍ଷା ପାଇବା ପାଇଁ ଖଣ୍ଡେ ଛିଣ୍ଡା କନ୍ଥା ଛଡ଼ା ଆଉ କିଛି ସମ୍ବଳ ନଥିଲା ସୁମିତର ବୋଉ ପାଖରେ। ଛିଣ୍ଡା କନ୍ଥାଟିକୁ ଘୋଡ଼ାଇ ଶୋଇବାର ଚେଷ୍ଟା କରୁଥିବା ବେଳେ, କନ୍ଥାର କଣା ଭିତର ଦେଇ ଯେତେବେଳେ ଥଣ୍ଡା ପବନ ପଶି ଆସୁଥିଲା, ବୋଉ ସେତେବେଳେ ସୁମିତକୁ ନିଜ ପଣତକାନି ଭିତରକୁ ଟାଣି ଆଣି ଛାତିରେ ଜାକି ଧରୁଥିଲା। ବୋଉ ଦେହର ସେଇ ଉଷ୍ଣତା ଦୁନିଆର ସବୁଠାରୁ ଦାମୀ କମ୍ବଳଠୁ ବି ବଳି ଯାଉଥିଲା। ବୋଉ କହୁଥିଲା, "ଶୋଇପଡ଼ରେ ଧନ... ମୁଁ ଅଛି ପରା, ତତେ ଆଉ ଶୀତ ଲାଗିବନି। ବଡ଼ ହେଲେ ତୁ ଭଲ ଚାକିରୀ କରିବୁ, ବଡ଼ ଘର କରିବୁ, ଆଉ ଆମକୁ ଏମିତି କଷ୍ଟ ପାଇବାକୁ ପଡ଼ିବନି।"
ସୁମିତ ବଡ଼ ହେଲା, ଭଲ ଚାକିରୀଟିଏ ବି କଲା। ହେଲେ ବୋଉର ପଣତ କାନିକୁ ଭୁଲି ଦୁନିଆର ଜାକଜମକ ଭିତରେ ନିଜର ସୁଖ ଖୋଜିବାକୁ ଲାଗିଲା। ବୋଉ ସ୍ଥିର କରିଥିବା ଗାଁ ମାଷ୍ଟରଙ୍କର ଶାନ୍ତ, ସୁଶୀଲ ଓ ସଂସ୍କାରୀ ଝିଅ ମାଳତୀକୁ ବିବାହ ନକରି, ସହରର ପ୍ରସିଦ୍ଧ ସୁନା ଗହଣା ବ୍ୟବସାୟୀ ଅମରେନ୍ଦ୍ର ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ସମ୍ପୂର୍ଣ୍ଣାକୁ ବିବାହ କଲା। ଯିଏ ବିବାହ ପରେ ଗାଁକୁ ଯିବା ତ ଦୂରର କଥା, ବୋଉକୁ ପାଖକୁ ଆଣି ରଖିବାର ପ୍ରସ୍ତାବକୁ ମଧ୍ୟ ଅଗ୍ରାହ୍ୟ କରିଦେଲା। ତା' କଥାକୁ ମାନି ସୁମିତ ମଧ୍ୟ ଗାଁକୁ ଯିବା ଛାଡ଼ିଦେଲା ଏବଂ ବୋଉକୁ ମଧ୍ୟ ପାଖକୁ ଆଣିଲା ନାହିଁ।
ବୋଉକୁ ଗାଁରେ ଛାଡ଼ି ସୁମିତ ଅମରେନ୍ଦ୍ର ବାବୁଙ୍କ ଘର ଜ୍ୱାଇଁ ପାଲଟିଗଲା। ସୁମିତର ଶ୍ୱଶୁର ଘରର ଅଭିଜାତ୍ୟପୂର୍ଣ୍ଣ ଚଳଣି ଭିତରେ ନିପଟ ମଫସଲରୁ ଆସି ତା’ ବୋଉ ଚଳି ପାରିବେ ନାହିଁ ବୋଲି କହି, ସମ୍ପୂର୍ଣ୍ଣା ସୁମିତକୁ ମନା କରିଛି ତା' ବୋଉକୁ ତାଙ୍କ ଘରକୁ ଆଣିବାକୁ। ଅନେକ ସଂଘର୍ଷ କରି ବଡ଼ ହୋଇଥିବା ସୁମିତ ଧନର ମାୟାଜାଲରେ ନିଜକୁ ବନ୍ଦୀ କରିଦେଇ ସମ୍ପୂର୍ଣ୍ଣାର 'ହଁ'ରେ 'ହଁ' ମିଳାଇ ଚାଲିଛି। ତେଣୁ ବିବାହ ପରେ ସେ ଗାଁକୁ ଯିବା ତ ଦୂରର କଥା, ବୋଉ ସହ ଠିକରେ କଥା ପଦେ ବି କହିନି।ଗାଁର ଅପାଠୋଇ ବୋଉ ସହ କଥା ହେଲେ କୁଆଡ଼େ ତା’ ଅଭିଜାତ୍ୟ କ୍ଷୁର୍ଣ୍ଣ ହେବ।
ସେଦିନ ତା' ଅଫିସକୁ ଗାଁର ଜଣେ କାକା ଆସିଥିଲେ କୌଣସି କାମରେ। ହେଲେ ସୁମିତ ତାଙ୍କୁ ଚିହ୍ନି ବି ନଚିହ୍ନିବାର ଅଭିନୟ କଲା। ସେ କହିଲେ, "ଆରେ ସୁମିତ, ଚିହ୍ନି ପାରୁନୁ କିରେ? ମୁଁ ପରା ଦାମ କକା। ହଁ, ତୁ ତ ବାହାଘର ପର ଠାରୁ ଆଉ ଗାଁକୁ ଯାଉନୁ। ହଁ, ବଡ଼ ଚାକିରୀ ପୁଣି ବଡ଼ ଲୋକର ଜ୍ୱାଇଁ; ତୁ ଆଉ ସେ ମାଟି-କାଦୁଅ ଭରା ଗାଁକୁ ଯିବୁ ବା କାହିଁକି? ଗାଁକୁ ନ ଗଲୁ ନାହିଁ, ତୋ ବୋଉଟାକୁ ହେଲେ ପାଖକୁ ନେଇ ଆସନ୍ତୁ। ତୁ ଏତେ ବଡ଼ ଚାକିରୀ କରିଛୁ, ଅଥଚ ଏଇ ପରିଣତ ବୟସରେ ସେ ଗାଁରେ ପର ଘରେ ବାସନ ମାଜୁଛି; ତୋତେ ଟିକେ ଲଜ୍ଜା ଲାଗୁନି?"
"ତୁ ଭଲ ପାଠ ପଢ଼ୁଥିଲୁ ବୋଲି ତୋ ବୋଉ କହୁଥିଲା, ସୁମିତ ବଡ଼ ହୋଇ ଭଲ ଚାକିରୀ କଲେ ତା’ ମୁଣ୍ଡ ଗର୍ବରେ ଉପରକୁ ହୋଇଯିବ। ହେଲେ ଚାକିରୀ ପାଇ ବିବାହ କଲା ପରେ ତୁ ଏମିତି ବଦଳି ଗଲୁ ଯେମିତି ସିନେମାରେ ହୁଏ। ତୋ ବୋଉର ମୁଣ୍ଡ ଉପରକୁ ହେବା ପରିବର୍ତ୍ତେ ତଳକୁ ହୋଇଯାଉଛି। ଏବେ ତ ଗାଁର କିଛି ଲୋକ କହିଲେଣି ତାଙ୍କ ପିଲାଙ୍କୁ ଆଉ ପାଠ ପଢ଼ାଇବେ ନାହିଁ, ଚାଷବାସ କାମରେ ଲଗାଇବେ। କହିଲେ କହୁଛନ୍ତି, ସୁମିତ ବଡ଼ ଚାକିରୀ କଲା ପରେ ବି ତା’ ବୋଉ ଆଜି ବି ଆମ ମାନଙ୍କ ଘରେ ବାସନ ମାଜୁଛି, ଜିନିଷ ମାଗି ନେଉଛି। ଆମ ପିଲାମାନେ ବି ସେମିତି କରିବେ।"
ତୋ ବୋଉ ସେଦିନ ଆମ ଘରକୁ ଆସିଥିଲା। ତୋ ଖୁଡ଼ିକୁ କହୁଥିଲା— ଶ୍ୟାମ ବୋଉ, ତୋ ପାଖରେ ଗୋଟେ ପୁରୁଣା କନ୍ଥା କି କମ୍ବଳ ଅଛି କି ଦେଲୁ? ସେ ପୁରୁଣା କନ୍ଥାଟା ପାରୁପାରୁ ହୋଇ ଛିଣ୍ଡି ଗଲାଣି। ଏସନ ଯେମିତି ଶୀତ ପଡ଼ିଛି, ଆଉ ସମ୍ଭାଳି ପାରୁନି। ତୋ ଖୁଡ଼ି ତାକୁ କହିଲା— ନାନୀ, ସୁମିତ ପରା ଭଲ ଚାକିରୀ କରିଛି, ବଡ଼ ଘରେ ବାହା ହୋଇଛି? ସେ କ'ଣ ତୁମ ପାଖକୁ ଟଙ୍କା ପଠାଉ ନାହିଁ କି? ତୁମେ ଆଜି ବି ପର ଘରେ ବାସନ ମାଜୁଛ? ଅନ୍ୟମାନଙ୍କ ଆଗରେ ହାତ ପତାଉଛ?"
ତୋ ବୋଉ କିଛି କହି ନଥିଲା। କ'ଣ ବି କହିଥାଆନ୍ତା? ପୁଅ ବଡ଼ ଚାକିରୀ କଲା ପରେ ମାଆକୁ ପର କରି ଶ୍ୱଶୁର ଘରକୁ ଆପଣାର କରିଛି। ତୋ ମାଆ ଆଖିରେ ଲୁହ ଜକେଇ ଆସିଥିଲା। ପିଲାମାନେ ବଡ଼ ହୋଇ ବାପାମାଆଙ୍କୁ ହତାଦର କଲେ ବାପାମାଆଙ୍କ ଆଖିରୁ ଲୁହ ଝରେନି, ତାଙ୍କ ଆତ୍ମାରୁ ଲହୁ ଝରେ। ହେଲେ ଆମ ଅବସ୍ଥା ବି ତୁ ଜାଣୁ, ତେଣୁ ତୋ ବୋଉକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ଏତେ ଶୀତରେ କ'ଣ କରୁଛି କେଜାଣି?
ଦାମ କାକାଙ୍କ କଥା ଆଜି ସୁମିତକୁ ଭିତରୁ କୋରି ଖାଉଛି। ଦାମ କାକାଙ୍କ କଥା — "ସୁମିତ, ତୋ ବୋଉ ଏବେ ବି ପର ଘରେ ବାସନ ମାଜୁଛି। ଆଉ ଶୀତରୁ ରକ୍ଷା ପାଇବା ପାଇଁ ଗାଁ ଲୋକଙ୍କୁ ପୁରୁଣା କନ୍ଥା ବା କମ୍ବଳଟିଏ ମାଗୁଛି। ଲୋକେ ତାକୁ ଦେଖି ଉପହାସ କରୁଛନ୍ତି। କହୁଛନ୍ତି ପୁଅ ଏତେ ବଡ଼ ଚାକିରୀ କରିଛି ହେଲେ ମାଆକୁ ଶୀତରୁ ରକ୍ଷା ପାଇବା ପାଇଁ ଖଣ୍ଡେ ରେଜେଇ କି କମ୍ବଳ ଦେଇ ପାରୁନି ଯେ ମାଆ ଅନ୍ୟମାନଙ୍କ ଆଗରେ ହାତ ପାତୁଛି।"
ଏଇ କଥାଟା ସୁମିତର କାନରେ ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା। ସେ ଚମକି ପଡ଼ି ଶେଜରୁ ଉଠି ବସିଲା। ବାହାରେ ସାଏଁ ସାଏଁ ହୋଇ କାଲୁହା ପବନ ବହୁଥିଲା। ସୁମିତ ଭାବୁଥିଲା, ଏତେ ଥଣ୍ଡାରେ ତା' ବୋଉ କେମିତି ରହୁଛି? ତା’ର ସବୁ ଅଭିଜାତ୍ୟ, ଗର୍ବ ଏବଂ ଧନ ଆଜି ତାକୁ ତା ନିଜ ଆଖିରେ ବହୁତ ଛୋଟ କରିଦେଲା। ସୁମିତ ଆଉ ଡେରି କଲାନି। ଅଧରାତିରେ ଆଲମିରାରୁ ନିଜର ସବୁଠୁ ଗରମ ଶାଲ୍ ଏବଂ କିଛି ଟଙ୍କା ଧରି ଗାଡ଼ିର ଚାବି ଉଠାଇଲା।
ସମ୍ପୂର୍ଣ୍ଣା ପଛରୁ ଡାକୁଥିଲେ ବି ସେ ଶୁଣିଲା ନାହିଁ। ଶୀତୁଆ କୁହୁଡ଼ିକୁ ଚିରି ତା’ ଗାଡ଼ି ଛୁଟିଲା ଗାଁ ଅଭିମୁଖେ।ଭୋର ହେବା ବେଳକୁ ସେ ଯେତେବେଳେ ନିଜର ସେଇ ପୁରୁଣା ଝାଟିମାଟି ଘର ପାଖରେ ପହଞ୍ଚିଲା, ଦେଖିଲା ବୋଉ ଦୁଆର ମୁହଁରେ ଶେଷ ହୋଇ ଆସୁଥିବା ନିଆଁ କୁହୁଳା ପାଖରେ ସେଇ ଛିଣ୍ଡା କନ୍ଥାଟିକୁ ଗୁଡ଼େଇ ହୋଇ ଶୋଇଛି। ତା' ଭିତରୁ ତା’ର ଶେଷ ହୋଇ ଆସୁଥିବା ଶରୀରଟା ଦିଶୁଛି। ସୁମିତ ଦୌଡ଼ିଯାଇ ବୋଉକୁ କୁଣ୍ଢାଇ ଧରିଲା। ତା’ ଆଖିର ବନ୍ୟାରେ ବୋଉର କାନ୍ଧ ଭିଜିଗଲା। ବୋଉ ଆଖି ଖୋଲି ଅତି କଷ୍ଟରେ ଚାହିଁଲା। ସୁମିତ କଇଁ କଇଁ ହୋଇ କାନ୍ଦି ପକାଇ କହିଲା, "ବୋଉ, ମତେ କ୍ଷମା କରିଦେ। ମୁଁ ପାଠ ପଢ଼ି ବଡ଼ ମଣିଷ ତ ହୋଇଗଲି, ହେଲେ ତୋ ପୁଅ ହୋଇ ପାରିଲିନି। ଚାଲ୍ ବୋଉ, ମୋ ସାଙ୍ଗରେ ଚାଲ୍।"
ବୋଉ ତା’ର ଶୁଖିଲା ହାତରେ ସୁମିତର ଲୁହ ପୋଛି ଦେଇ କହିଲା, "ନାଇଁରେ ଧନ, ତୁ ଆସିଛୁ ଏତିକି ମୋ ପାଇଁ ଯଥେଷ୍ଟ। ମୋର ଆଉ କିଛି ଦରକାର ନାହିଁ।" ସୁମିତ ନିଜ ସାଙ୍ଗରେ ଆଣିଥିବା ଦାମୀ ଶାଲ୍ଟିକୁ ବୋଉ ଦେହରେ ଗୁଡ଼ାଇ ଦେଲା ଓ ନିଜେ ଟିକେ ଶାନ୍ତି ପାଇବା ପାଇଁ ସେଇ ଛିଣ୍ଡା କନ୍ଥା ଭିତରେ ବୋଉର ପଣତକୁ ଧରି ତା’ ପାଖରେ ଗେଞ୍ଜି ହୋଇ ଶୋଇଗଲା।
ଆଜି ବହୁ ବର୍ଷ ପରେ ସୁମିତ ବୁଝିପାରିଲା ଯେ, ଶରୀରକୁ ଗରମ ରଖିବା ପାଇଁ ଟଙ୍କାରେ କମ୍ବଳ କିଣାଯାଇପାରେ, କିନ୍ତୁ ଆତ୍ମାକୁ ଶାନ୍ତି ଦେଉଥିବା ମାତୃତ୍ଵର ଉଷ୍ଣତା କୌଣସି ବଜାରରେ ମିଳେନାହିଁ; ତାହା ଥାଏ ବୋଉର ମମତାଭରା "ପଣତକାନି"ରେ।
