~~~କାଣିଚାଏ ସମୟ~~~ କାନନ ବାଳା ନାୟକ
~~~କାଣିଚାଏ ସମୟ~~~ କାନନ ବାଳା ନାୟକ
ବୋଉକୁ ଯିବାର ଆଜି ୧୫ ଦିନ ହେଲା। ଶେଷକୃତ୍ୟର ସବୁ କାମ ସୁରୁଖୁରୁରେ ସରିଗଲା। ବନ୍ଧୁବାନ୍ଧବ, କୁଣିଆ-ମୈତ୍ର ଯିଏ ସବୁ ଆସିଥିଲେ, ନିଜ ନିଜ ଘରକୁ ଫେରିଗଲେଣି। ବୋଉ ଯେ ହଠାତ୍ ଏମିତି ହୃଦ୍ଘାତରେ ଚାଲିଯିବ, ଏକଥାକୁ ବିଶ୍ୱାସ କରିପାରୁନଥିଲେ ମୁକ୍ତିକାନ୍ତ ବାବୁ। ବୋଉ ପୂରା ସୁସ୍ଥ ଥିଲା। ନା କୌଣସି ରୋଗ ଥିଲା, ନା ଟଙ୍କାକର ଔଷଧ ଖାଉଥିଲା। ସେଦିନ ପିଣ୍ଡାରେ ବସି ବୋହୂ ପ୍ରମିଳା ସହ ଗପସପ ହେଉଥିବା ସମୟରେ ହଠାତ୍ କହିଲା — "ମୋ ଛାତିଟା କଣ ହୋଇ ଯାଉଛି !" ତା’ପରେ ସେଇ ଚେୟାରର ହାତରେ ମୁଣ୍ଡ ରଖିଦେଲା ଯେ ଆଉ ଉଠିଲାନି। ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।
ଶୁଦ୍ଧିକ୍ରିୟାର ଭିଡ଼ ଓ ହୋ-ହାଲ୍ଲା ଭିତରେ ମୁକ୍ତିକାନ୍ତ ବାବୁ ବୋଉର ଅନୁପସ୍ଥିତିକୁ ଏତେଟା ଅନୁଭବ କରି ପାରୁନଥିଲେ। କିନ୍ତୁ ସମସ୍ତେ ଗଲା ପରେ ଆଜି ପ୍ରଥମ ଥର ପାଇଁ ତାଙ୍କୁ ଘରଟା ଖାଁ ଖାଁ ଲାଗୁଛି। ଚାରିଆଡ଼ୁ ବୋଉର ପାଟି ଶୁଣାଯାଉଛି— " ବାବୁ, ଅଫିସରୁ କେତେବେଳେ ଆସିଲୁ?" କେତେବେଳେ ବୋହୂକୁ ଡାକ ପକାଉଛି— "ପ୍ରମିଳା! କୁଆଡ଼େ ଗଲୁ? ବାବୁ ଆସିଲାଣି, ତାକୁ ଖାଇବାକୁ ଦେ।"
ମୁକ୍ତିକାନ୍ତ ବାବୁ ବୋଉର ଭାବନାରେ ବୁଡ଼ି ରହିଥିବା ବେଳେ ସ୍ତ୍ରୀ ପ୍ରମିଳା ଆସି ତାଙ୍କ ହାତକୁ ଏକ ଡାଇରୀ ବଢ଼ାଇଦେଲେ। ପ୍ରମିଳା କହିଲେ, ବୋଉ କହିଥିଲେ ତାଙ୍କ ମୃତ୍ୟୁ ପରେ ଏଇଟା ତୁମକୁ ଦେବା ପାଇଁ। କିଛି ଦିନ ତଳେ ବୋଉ ଏଇ ଡ଼ାଇରୀଟିକୁ ମୋ ହାତକୁ ବଢ଼ାଇ ଦେଇ କହିଥିଲେ— 'ମୋର ଯଦି କେବେ କିଛି ହୋଇଯାଏ, ତେବେ ଏଇଟା ବାବୁକୁ ଦେଇଦେବୁ।
ପ୍ରମିଳାଙ୍କ ହାତରୁ ଡ଼ାଇରୀଟି ନେଇ
ମୁକ୍ତିକାନ୍ତ ବାବୁ ଧୀରେ ଧୀରେ ଡାଇରୀର ପୃଷ୍ଠା ଓଲଟାଇ ପଢ଼ିବାକୁ ଆରମ୍ଭ କଲେ:ବୋଉ ଆରମ୍ଭ କରିଥିଲା -
"ବାବୁ, ଏଇ ଜୀବନଟା ସବୁବେଳେ ଅନିଶ୍ଚିତ। କେତେବେଳେ କାହାର ପ୍ରାଣପକ୍ଷୀ ଉଡ଼ିଯିବ, ତାହା କେହି ଜାଣିନାହାନ୍ତି। ତେଣୁ ମୁଁ ମୋ ମନର କଥା ଏଇ ଡାଇରୀରେ ଲେଖୁଛି। ତୁ ଭାବୁଥିବୁ, ମୁଁ ମୋ ମନ କଥା ତୋତେ ନକହି ଏଇ ଡ଼ାଇରୀରେ କାହିଁକି ଲେଖୁଛି? ବାବୁରେ , ତୋତେ ଯେବେ ବି ମୋ ପାଖରେ ଟିକେ ବସିବାକୁ କହିଛି, ତୁ କାର୍ଯ୍ୟ ବ୍ୟସ୍ତତାର ଆଳ ଦେଖାଇ ଗୋଟେ ମୁହୂର୍ତ୍ତ ଵି ମୋ ପାଖରେ ବସିନୁ। ମୁଁ ମୋ ମନ କଥା କହନ୍ତି କେମିତି?
ଜାଣୁ ପିଲାମାନେ ବଡ଼ ହୋଇ ଯେତେବେଳେ ନିଜ ସଂସାରରେ ବ୍ୟସ୍ତ ହୋଇଯାଆନ୍ତି, ସେତେବେଳେ ବାପା-ମାଆ ପୂରା ଏକୁଟିଆ ଅନୁଭବ କରନ୍ତି। ସେମାନେ ପଦେ କଥା ହେବା ପାଇଁ ବିକଳ ହୁଅନ୍ତି। ପିଲାଙ୍କ ଠାରୁ କଟୁ କଥା ଶୁଣିଲେ ମଧ୍ୟ ସେମାନଙ୍କୁ ପାଖକୁ ଡାକନ୍ତି। ସେମାନେ କେବଳ ଚାହାଁନ୍ତି, ପିଲାମାନେ ତାଙ୍କ ସହ ଟିକେ ସୁଖ-ଦୁଃଖ ହୁଅନ୍ତୁ।ତୋ ବାପା ଗଲା ପରେ ତ ମୁଁ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଥିଲି।।ମୁଁ ମଧ୍ୟ ଚାହୁଁଥିଲି ତୁ ଟିକେ ମୋ ପାଖରେ ବସନ୍ତୁ, ମୋ ସହ କଥା ହୁଅନ୍ତୁ। ମୋ ମନ କଥା ବୁଝନ୍ତୁ।ମୋତେ କ’ଣ ଖାଇବାକୁ ଭଲ ଲାଗେ ପଚାରନ୍ତୁ, କେଉଁଆଡ଼େ ଟିକେ ବୁଲାଇ ନିଅନ୍ତୁ।
ବାବୁରେ ମୋ ଶରୀରର ବୟସ ସିନା ବଢ଼ୁଛି, ହେଲେ ମନ!ମନ ର କ’ଣ ବୟସ ଅଛି? ମୋ ମନଟା ସବୁବେଳେ ତୋ ସହ ପଦେ କଥା ହେବାକୁ ବ୍ୟାକୁଳ ହୁଏ। ଇଚ୍ଛା ହୁଏ ତୋ ମୁଣ୍ଡଟା ଟିକେ ଆଉଁସି ଦେବାକୁ। ମନେପଡ଼େ, ପିଲାବେଳେ ତୁ କେମିତି ମୋ କୋଳରେ ମୁଣ୍ଡ ରଖୁଥିଲୁ, ମୁଁ ନ ଆଉଁସିବା ପର୍ଯ୍ୟନ୍ତ ଶୋଉନଥିଲୁ। ପିଲାମାନେ ଯେତେ ବଡ଼ ହେଲେ ବି ମାଆ ପାଇଁ ସେଇ ଛୁଆ ହୋଇ ରହନ୍ତି। ଯେଉଁ ପିଲା ଛୋଟବେଳେ ମାଆକୁ ନଦେଖିଲେ ଦଣ୍ଡେ ରହିପାରୁନଥିଲା, ସେ ବଡ଼ ହେଲା ପରେ କେମିତି ଭୁଲିଯାଏ ଯେ ବାପା-ମାଆଙ୍କୁ ଦଣ୍ଡେ ସମୟ ନଦେଲେ ସେମାନଙ୍କୁ କେମିତି ଲାଗୁଥିବ?"
ବୋଉର ହାତଲେଖା ପଢ଼ି ମୁକ୍ତିକାନ୍ତଙ୍କ ଆଖିରୁ ଲୁହ ଧାରେ ଗଡ଼ିଆସି ଡାଇରୀର ପୃଷ୍ଠାକୁ ଭିଜାଇ ଦେଲା। ସେ ସେଇଠି ଅଟକି ଯାଇଥିଲେ। ବୋଉର ସେଇ ଶେଷ କେଇଧାଡ଼ି ତାଙ୍କ ଛାତିକୁ କଣେଇ ଦେଉଥିଲା। ସେ ପୁଣି ପଢ଼ିଲେ:
"ମୁଁ ଜାଣେ, ତୁ ଭାବୁଥିବୁ ବୋଉର କ’ଣ ଅଭାବ ଅଛି? ଭଲ ଖାଇବା, ଭଲ ପିନ୍ଧିବା ଆଉ ଏତେ ବଡ଼ କୋଠା ଘର। ହେଲେ ବାବୁ, ବାର୍ଦ୍ଧକ୍ୟରେ ମଣିଷକୁ ପେଟଭରା ଖାଦ୍ୟ ଯେତିକି ଦରକାର ନଥାଏ, ମନଭରା କଥା ପଦେ ତା’ଠାରୁ ଅଧିକ ଦରକାର ଥାଏ। ତୁ ଅଫିସରୁ ଆସିଲେ ମୁଁ ଚାହୁଁଥିଲି ତୁ ଟିକେ ମୋ ପାଖରେ ବସନ୍ତୁ। ମୁଁ ଗୋଡ଼ ଘଷିବାକୁ କହୁନଥିଲି, ବସି କେବଳ ପଚାରନ୍ତୁ— 'ବୋଉ, ଆଜି ଦିନଟା ତୋର କେମିତି କଟିଲା?'"
ମୁକ୍ତିକାନ୍ତବାବୁଙ୍କର ମନେପଡ଼ିଗଲା, ପ୍ରତିଦିନ ସେ ଅଫିସରୁ ଫେରିବା ବେଳେ ବୋଉ ବାରଣ୍ଡାରେ ବସି ତାଙ୍କୁ ଅପେକ୍ଷା କରିଥାଏ। ସେ କିନ୍ତୁ "ବହୁତ କ୍ଲାନ୍ତ ଅଛି" କହି ନିଜ ରୁମ୍କୁ ଚାଲିଯାଆନ୍ତି। କେବେ କେବେ ବୋଉ କିଛି କହିବାକୁ ଚେଷ୍ଟା କଲେ ସେ ବିରକ୍ତିରେ କୁହନ୍ତି— "ବୋଉ! ସେ ପୁରୁଣା କଥା କହି ମୋ ମୁଣ୍ଡ ଖରାପ କରନି ତ।"
ଡାଇରୀର ଶେଷ ପୃଷ୍ଠାରେ ଲେଖାଥିଲା:
ବାବୁରେ, ଜୀବନରେ ତୁ ଅନେକ ଅର୍ଥ ଓ ସମ୍ପତ୍ତି ଅର୍ଜନ କରିପାରିବୁ, କିନ୍ତୁ ବିତିଯାଇଥିବା ସମୟ ଆଉ ଚାଲିଯାଇଥିବା ବାପା-ମାଆଙ୍କୁ କେବେ ଫେରାଇ ଆଣି ପାରିବୁନି। ମୁଁ ଗଲା ପରେ ତୁ ମୋ କଥାର ସତ୍ୟତା ଉପଲବ୍ଧି କରିବୁ। ତୋ ପାଖରେ ସବୁ ଥିବ, କିନ୍ତୁ ମୋ ଆଶୀର୍ବାଦର ହାତ କି ପରାମର୍ଶ ଦେବାକୁ ମୁଁ ନଥିବି। ଆଉ ଅଧିକ ଲେଖି ତୋର ଅଧିକ ସମୟ ନେବିନି।
ରହୁଛି,
ତୋ "ବୋଉ।"
ମୁକ୍ତିକାନ୍ତ ଡାଇରୀଟିକୁ ଛାତିରେ ଚାପି ଧରିଲେ।ତାଙ୍କ ହୃଦୟ କୋହରେ ଫାଟି ପଡୁଥିଲା। ଆଜି ତାଙ୍କ ପାଖରେ ପ୍ରଚୁର ସମୟ ଅଛି, କିନ୍ତୁ ସେଇ ସମୟ ନେବା ପାଇଁ ବୋଉ ନାହିଁ। ଘରର ପ୍ରତିଟି କୋଣ ଆଜି ତାଙ୍କୁ ପରିହାସ କରୁଛି । ସେ ବୁଝିପାରିଲେ ଯେ,ମଣିଷ ସଫଳତା ପଛରେ ଦଉଡ଼ି ଦଉଡ଼ି ଆପଣାର ମଣିଷମାନଙ୍କ ପାଇଁ "କାଣିଚାଏ ସମୟ ବାହାର" କରିପାରୁନାହୁଁ, ଯାହାର ମୂଲ୍ୟ ପରବର୍ତ୍ତୀ ସମୟରେ କେବଳ ଅନୁଶୋଚନା ଛଡ଼ା ଆଉ କିଛି ହୋଇ ନଥାଏ।
ରାତି ବଢୁ ଥିଲା ବାହାରେ ଅନ୍ଧାର ଘୋଟି ଆସୁଥିଲା, ଆଉ ମୁକ୍ତିକାନ୍ତ ବାବୁ ସେଇ ଅନ୍ଧାର ଭିତରେ ବୋଉର ଶୂନ୍ୟ ଚେୟାରକୁ ଚାହିଁ ରହିଥିଲେ— ଯେଉଁଠି ବୋଉ ଶେଷ ନିଶ୍ୱାସ ତ୍ୟାଗ କରିଥିଲା, କେବଳ କାଣିଚାଏ ସମୟ ଆଉ ଟିକିଏ ସ୍ନେହ ଓ ଭଲପାଇବାର ପ୍ରତୀକ୍ଷାରେ।
ଅତିରିକ୍ତ କମିଶନର (ଅପିଲ)
ଦ୍ରବ୍ୟ ଓ ସେବାକର, ପୁରୀ ଚକଲା
ପୁରୀ.
