~~~ଅଶାନ୍ତ ଢେଉ~~~ କାନନ ବାଳା ନାୟକ
~~~ଅଶାନ୍ତ ଢେଉ~~~ କାନନ ବାଳା ନାୟକ
ସନ୍ଧ୍ୟା ନଇଁ ଆସୁଥିଲା। ସମୁଦ୍ରର ଗର୍ଜନ କ୍ରମଶଃ ବଢ଼ିବାରେ ଲାଗିଥିଲା। ମନେ ହେଉଥିଲା ଯେମିତି କେଉଁ ଅନାଦି କାଳର ଅକୁହା ଅଭିମାନ ଓ କ୍ରୋଧକୁ ବୁକୁରେ ସାଉଁଟି ଧରି ସେ ବାରମ୍ବାର କୂଳରେ ପିଟି ହେଉଛି। ଆକାଶରେ କଳାହାଣ୍ଡିଆ ମେଘ ଗୁଡ଼ିକ ଜମାଟ ବାନ୍ଧୁଥିଲେ। ପବନର ବେଗ ମଧ୍ୟ ଧୀରେ ଧୀରେ ବଢୁଥିଲା। ଲାଗୁଥିଲା ସତେ ଯେମିତି ଗୋଟିଏ ବଡ଼ ବାତ୍ୟା ମାଡ଼ି ଆସୁଛି।
ସେହି ସମୁଦ୍ର କୂଳ ବେଳାଭୂମିର ଏକ ନିଛାଟିଆ ଜାଗା ଦେଖି ବସି ରହିଥିଲା ଅନିମେଶ। ତା’ ଆଖି ଆଗରେ ଥିଲା ଅସୀମ, ବିଶାଳ ସମୁଦ୍ର, କିନ୍ତୁ ତା’ ମନ ଭିତରେ ଚାଲିଥିଲା ସେଇ ସମୁଦ୍ରଠାରୁ ବି ଆହୁରି ଭୟଙ୍କର ଏକ ଅଶାନ୍ତ ଝଡ଼। ସେଇ ଝଡ଼ର ଅଶାନ୍ତ ଢେଉଗୁଡ଼ିକ ତା’ର ଅନ୍ତରାତ୍ମାକୁ କ୍ଷତବିକ୍ଷତ କରିଦେଉଥିଲେ।
ଅନିମେଶ ବାଙ୍ଗାଲୋରର ଏକ ମଲ୍ଟିନ୍ୟାସନାଲ୍ କମ୍ପାନୀରେ ସିନିୟର ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରେ। ବୟସ ମାତ୍ର ବତିଶି। ଏଇ ଅଳ୍ପ ବୟସରେ ସେ ବାହ୍ୟ ସଫଳତାର ଶୀର୍ଷ ଛୁଇଁ ସାରିଥିଲା। ଆଧୁନିକ ଜୀବନର ସମସ୍ତ ସୁଖ-ସୁବିଧା, ପଇସା, ଗାଡ଼ି, ବାଙ୍ଗାଲୋରର ପଶ୍ ଇଲାକାରେ ନିଜର ଫ୍ଲାଟ୍—ସବୁ କିଛି ଥିଲା ତା’ ପାଖରେ। ସମାଜ ଆଖିରେ ସେ ଜଣେ ଅତି ସଫଳ ବ୍ୟକ୍ତି ଥିଲା। କିନ୍ତୁ ସବୁକିଛି ଥାଇ ବି ତା’ ମନରେ ଶାନ୍ତି ନଥିଲା। ସେ ଜୀବନର ସବୁଠାରୁ ପ୍ରକୃତ ବଡ଼ ସମ୍ପତ୍ତି—'ମନର ସ୍ଥିରତାକୁ ' ହରାଇ ବସିଥିଲା।
ଗତ କେତେ ବର୍ଷ ହେବ କର୍ପୋରେଟ୍ ଦୁନିଆର ଅନ୍ଧ ଦୌଡ଼, କାମର ଅସମ୍ଭାଳ ଚାପ, ଆଉ ପ୍ରତି ମୁହୂର୍ତ୍ତରେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିବାର ମାନସିକତା ତାକୁ ଭିତରୁ ଅଣନିଶ୍ୱାସୀ କରି ଦେଉଥିଲା। ସଫଳତା ପଛରେ ଦୌଡ଼ୁ ଦୌଡ଼ୁ ସେ ମାନସିକ ଶାନ୍ତି ଏବଂ ନିଜର ପ୍ରିୟଜନମାନଙ୍କୁ ହରାଇ ସାରିଥିଲା। ଏପରିକି ଯେଉଁ ଲୀନା ତାକୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲା, ଯାହା ସହ ସେ ଏକ ସୁନ୍ଦର, ସଂସାର ଗଢ଼ିବାର ସ୍ବପ୍ନ ଦେଖିଥିଲା, ସେହି ଲୀନାକୁ ମଧ୍ୟ ସେ ନିଜ ଅବହେଳା ପାଇଁ ହରାଇ ସାରିଥିଲା।
ଲୀନା ସବୁବେଳେ କହୁଥିଲା,"ଅନିମେଶ, ସଫଳତା ପଛରେ ଦୌଡ଼ିବା ଭଲ, କିନ୍ତୁ ଏତେ ବି ଦୌଡ଼ ନାହିଁ ଯେ ନିଜ ଭିତରର ଶାନ୍ତି ଆଉ ମଣିଷ ପଣିଆ ପଛରେ ପଡ଼ିଯିବ। ମୋତେ ତୁମର ଭୌତିକ ସୁଖ ନୁହେଁ, ତୁମର ଭଲ ପାଇବା ଓ ସମୟ ଆବଶ୍ୟକ। ମୁଁ ତୁମ ସହ ମନ ଖୋଲି କଥା ହେବାକୁ ଚାହେଁ, ତୁମ ସହ ଜୀବନର ଛୋଟ ବଡ଼ ମୁହୂର୍ତ୍ତ ବଞ୍ଚି ନିଜ ମନକୁ ହାଲୁକା କରିବାକୁ ଚାହେଁ।"
ଅନିମେଶ କିନ୍ତୁ ସେତେବେଳେ ମାନସିକ ସନ୍ତୁଳନ ଅପେକ୍ଷା ଟାର୍ଗେଟ୍ ଏବଂ ବ୍ୟାଙ୍କ ବାଲାନ୍ସକୁ ଅଧିକ ଗୁରୁତ୍ୱ ଦେଉଥିଲା। ସେ କହୁଥିଲା, "ଲୀନା, ଜୀବନ ବଞ୍ଚିବା ପାଇଁ ଅର୍ଥର ଆବଶ୍ୟକ। ଏବେ ପରିଶ୍ରମ କରିବିନି ତ କେବେ କରିବି।ତେଣୁ ମୁଁ ଏବେ କୌଣସି ବନ୍ଧନରେ ବାନ୍ଧି ହେବାକୁ ଚାହେଁନି। ଆଉ ଦୁଇ ବର୍ଷ ଅପେକ୍ଷା କର।"
ଅନିମେଶର ଏହି ମାନସିକତା ଏବଂ କାମ ପ୍ରତି ଅତ୍ୟଧିକ ଆସକ୍ତି ଲୀନାକୁ ଭିତରୁ ଭାଙ୍ଗି ଦେଇଥିଲା। ପରିବାରର ଚାପ ଏବଂ ଅନିମେଶଠାରୁ ମାନସିକ ସ୍ତରରେ ଦୂରେଇ ଯିବା ଯୋଗୁଁ, ଶେଷରେ ଲୀନା ଅନ୍ୟ ଜଣକୁ ବିବାହ କରିବାକୁ ବାଧ୍ୟ ହେଲା।
ଲୀନା ଚାଲିଯିବା ପରେ ଅନିମେଶ ତା’ କାମରେ ଆହୁରି ଅଧିକ ସମୟ ଦେଲା। ଅଧିକ ସଫଳତା ଅର୍ଜନ କଲା।କିନ୍ତୁ ସେ ଯେତେ ଅଧିକ ସଫଳତାର ସିଡ଼ି ଚଢ଼ୁଥିଲା, ତାର ବ୍ୟାଙ୍କ ବାଲାନ୍ସ ଯେତିକି ବଢୁଥିଲା, ଆଶ୍ଚର୍ଯ୍ୟର କଥା ତା’ର ମୁହଁରେ ହସ ସେତିକି କମି କମି ଯାଉଥିଲା। ତା’ ପାଖରେ ଦୁନିଆର ସବୁ ସୁଖ ଥିଲା, କିନ୍ତୁ କାମ ସରିଲା ପରେ ତା’ କଥା ଶୁଣିବାକୁ କେହି ନଥିଲେ। ନିଶବ୍ଦ ରାତିରେ ସେ ନିଜର ହିଁ ପାଦଶବ୍ଦ ଶୁଣି ଚମକି ପଡ଼ୁଥିଲା।
ଧୀରେ ଧୀରେ ଅନିମେଶ ବୁଝିପାରିଲା ଯେ, ସଫଳତାର ଶୀର୍ଷରେ ପହଞ୍ଚି ସେ ସମ୍ପୂର୍ଣ୍ଣ ଏକା ହୋଇଯାଇଛି। ସେଇ ଅନ୍ଧାର ଘରେ ବସି ଯେତେବେଳେ ସେ ଅତୀତକୁ ଚାହୁଁଥିଲା, ଲୀନାର ସେଇ ପ୍ରତିଟି ଲୁହଭରା କଥା ତା’ କାନରେ ପ୍ରତିଧ୍ୱନିତ ହେଉଥିଲା—"ମୋତେ ତୁମର ଭୌତିକ ସୁଖ ନୁହେଁ, ତୁମର ସମୟ ଆବଶ୍ୟକ..."। ଅନିମେଶ ମନେ ମନେ ଚିତ୍କାର କରି କହୁଥିଲା, 'କାଶ୍! ମୁଁ ସେଦିନ ଲୀନାର କଥା ବୁଝିପାରିଥାନ୍ତି!'
ଏଇ କଥା ଭାବି ଭାବି ତାର ମାନସିକ ସ୍ଥିତି ବିଗିଡ଼ିବାକୁ ଲାଗିଲା। ସେ ବୁଝିପାରିଲା ଯେ କୋଟି କୋଟି ଟଙ୍କାରବ୍ୟାଙ୍କ ବାଲାନ୍ସ ଏବଂ ସୁଉଚ୍ଚ ଅଟ୍ଟାଳିକା ମଣିଷକୁ ଗୋଟିଏ ମୁହୂର୍ତ୍ତର ମାନସିକ ଶାନ୍ତି କିମ୍ବା ଗୋଟେ ଘଣ୍ଟାର ଗଭୀର ନିଦ ଦେଇପାରେନା। ତା’ର ଏକୁଟିଆପଣ କ୍ରମଶଃ ତାକୁ ଅଣନିଶ୍ୱାସୀ କରିଦେଲା।
ସେଥିରୁ ମୁକ୍ତି ପାଇବା ପାଇଁ ସେ ପୁରୀ ଚାଲି ଆସିଲା—ଯେଉଁଠି ଜଗତର ନାଥ ଜଗନ୍ନାଥ ଅଛନ୍ତି ତା’ ମନର ଭାବନା ବୁଝିବା ପାଇଁ, ଏବଂ ବିଶାଳ ମହୋଦଧି କୂଳ ରହିଛି ନୀରବରେ ବସି ନିଜକୁ ଅନୁଶୀଳନ କରିବା ପାଇଁ।
ସମୁଦ୍ର କୂଳରେ ବସି ସେ ଦେଖୁଥିଲା ବଡ଼ ବଡ଼ ଢେଉ ସବୁ ଆସି କୂଳରେ ପିଟି ହେଉଛନ୍ତି। ସେଇ ଢେଉଗୁଡ଼ିକୁ ଚାହିଁ ଅନିମେଶ ଭାବୁଥିଲା, "ମୋ ମନର ଅବସ୍ଥା ତ ଏଇ ଢେଉ ଭଳି। କୌଣସି ସ୍ଥିରତା ନାହିଁ, ଖାଲି ଆଶା-ଆକାଂକ୍ଷାର ବେଳାଭୂମିରେ ପିଟି ହୋଇ ଭାଙ୍ଗି ଯାଉଛି।" ନାନା ନକାରାତ୍ମକ ଚିନ୍ତା ତା’ ମନ ଭିତରକୁ ପଶି ଆସୁଥିଲା। କଣ କରିବ ସେ ସ୍ଥିର କରି ପାରୁ ନଥିଲା।
ସେତିକିବେଳେ ତା’ର ଦୃଷ୍ଟି ପଡ଼ିଲା କିଛି ଦୂରରେ ବସିଥିବା ଜଣେ ବୃଦ୍ଧ ମାଛଧରାଳିଙ୍କ ଉପରେ। ସେ ତାଙ୍କ ଆଡ଼କୁ ଅଗ୍ରସର ହେଲା। ଦେଖିଲା, ବୃଦ୍ଧ ଜଣକ ନିଜର ଚିରା ଜାଲକୁ ବହୁତ ଯତ୍ନର ସହ ସଜାଡୁଛନ୍ତି। ତାଙ୍କ ମୁହଁରେ କୌଣସି ଚିନ୍ତା ବା ବିରକ୍ତିର ଭାବ ନଥିଲା। ବରଂ ଏକ ପ୍ରକାରର ଆତ୍ମତୃପ୍ତି, ପ୍ରଶାନ୍ତତା ଓ ସନ୍ତୋଷ ଖେଳି ବୁଲୁଥିଲା।
ଅନିମେଶ ଆଶ୍ଚର୍ଯ୍ୟ ହେଲା। ଏତେ ବଡ଼ ଝଡ଼ ଆସୁଛି, ସମୁଦ୍ର ଏତେ ଅଶାନ୍ତ, କିନ୍ତୁ ଏଇ ବୃଦ୍ଧ ଜଣକ ଏତେ ସ୍ଥିର ମନରେ କେମିତି ବସିଛନ୍ତି? ଅନିମେଶ ତାଙ୍କ ପାଖକୁ ଯାଇ ପଚାରିଲା, "ମଉସା! ଝଡ଼ ଆସୁଛି, ସମୁଦ୍ରର ଢେଉ ସବୁ ଏତେ ଅଶାନ୍ତ। ଆପଣଙ୍କୁ ଭୟ ଲାଗୁନାହିଁ? ଆପଣଙ୍କ ମନ ଆନ୍ଦୋଳିତ ହେଉନି? ଆପଣ କେମିତି ଏତେ ଶାନ୍ତିରେ ବସିଛନ୍ତି?"
ବୃଦ୍ଧ ଜଣକ ଅତି ମଧୁର ହସଟିଏ ହସି କହିଲେ:
"ବାବୁରେ, ଏଇ ଢେଉ ଗୁଡ଼ିକୁ ବାହାରୁ ଦେଖିଲେ ଅଶାନ୍ତ ମନେହୁଏ, କିନ୍ତୁ ତୁମେ ଯଦି ସମୁଦ୍ରର ଅତି ଗଭୀରକୁ ଯିବ, ଦେଖିବ ସେଠି କେବଳ ପ୍ରସନ୍ନତା ଆଉ ନୀରବତା ଅଛି। ସମୁଦ୍ରର ସ୍ୱଭାବ ହିଁ ହେଉଛି ବାହାରେ ଢେଉ ସୃଷ୍ଟି କରି ନିଜ ଭିତରର ସବୁ ଆବର୍ଜନାକୁ କୂଳରେ ଫିଙ୍ଗିଦେବା ଏବଂ ନିଜ ଗଭୀରତାରେ ସ୍ଥିର ରହିବା। ମଣିଷ ଜୀବନ ବି ସେମିତି। ବାହାରେ ପରିସ୍ଥିତିର ଝଡ଼ ଯେତେ ଆସିଲେ ବି, ଯଦି ତୁମେ ଭିତରୁ ସ୍ଥିର ଓ ସନ୍ତୁଷ୍ଟ ରହିବାର କଳା ଶିଖିଯିବ, ତେବେ କୌଣସି ଅଶାନ୍ତି ତୁମକୁ ଛୁଇଁ ପାରିବ ନାହିଁ।"
ସେ ଅନିମେଶର କାନ୍ଧରେ ହାତ ରଖି ଆହୁରି କହିଲେ:
"ବାବୁ, ତୁମେ ବାହାରର ଦୁନିଆକୁ ଜିତିବା ପାଇଁ ଦୌଡୁଛ, କିନ୍ତୁ ନିଜ ମନକୁ ଜିତିବାକୁ ଭୁଲିଯାଇଛ। ମନେରଖିବ, ଯେତେ ପର୍ଯ୍ୟନ୍ତ ମନ ଭିତରେ ଶାନ୍ତି ନାହିଁ, ସେତେ ପର୍ଯ୍ୟନ୍ତ ପୃଥିବୀର ସବୁ ସୁଖ ମଧ୍ୟ ଅସାର ମନେହେବ। ବାହାରର ଝଡ଼କୁ ଆମେ ଅଟକାଇ ପାରିବାନି, କିନ୍ତୁ ନିଜ ଭିତରର ପ୍ରଶାନ୍ତତାକୁ ଆମେ ନିଶ୍ଚୟ ସମ୍ଭାଳି ପାରିବା। ସେଥିପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ। ଖୁସିରେ ରହିବା ପାଇଁ ଧନ ସମ୍ପତ୍ତି ଠାରୁ ସ୍ନେହ-ପ୍ରେମର ଆବଶ୍ୟକତା ଅଧିକ। ମନ ଖୁସିରେ ଥିଲେ ତୁମେ ଅଧିକ ଅର୍ଥ, ଧନ, ସମ୍ପତ୍ତି ଉପାର୍ଜନ କରିପାରିବ, କିନ୍ତୁ କେବଳ ଅର୍ଥ ବା ଧନ ସମ୍ପତ୍ତି କେବେ ହେଲେ ପ୍ରକୃତ ଖୁସି ଦେଇପାରିବ ନାହିଁ।"
ବୃଦ୍ଧଙ୍କର ଏହି ସହଜ, ସରଳ ଜୀବନ ଦର୍ଶନ ଅନିମେଶକୁ ନୂଆ ଦିଗଦର୍ଶନ ଦେଲା। ସେ ଅନୁଭବ କଲା, ସେ ଯେଉଁ ସଫଳତା ପଛରେ ଗୋଡ଼ାଉଥିଲା, ତାହା କେବଳ ଏକ ମରୀଚିକା ଥିଲା। ମନର ଶାନ୍ତି ହିଁ ପ୍ରକୃତ ସଫଳତା। ସମୁଦ୍ର ଯେପରି ଢେଉ ମାଧ୍ୟମରେ ନିଜ ଭିତରର ମଇଳା ବାହାରକୁ ଫିଙ୍ଗିଦିଏ, ବୃଦ୍ଧଙ୍କ କଥା ତା’ ଭିତରେ ଥିବା ଅହଂକାର ଓ ଅନାବଶ୍ୟକ ଆଶାକୁ ତା’ ମନରୁ ବାହାର କରି ଦେଇଥିଲା। ବୃଦ୍ଧଙ୍କଠାରୁ ବିଦାୟ ନେଇ ଅନିମେଶ ହୋଟେଲକୁ ଫେରି ଆସିଥିଲା। ସେଦିନ ରାତିରେ ସେ ଦୀର୍ଘ ଦିନ ପରେ ଗଭୀର ନିଦରେ ଶୋଇ ପଡ଼ିଥିଲା।
ପରଦିନ ସକାଳେ ଯେତେବେଳେ ସେ ଆଖି ଖୋଲିଲା, ଝଡ଼ ସମ୍ପୂର୍ଣ୍ଣ ଥମି ଯାଇଥିଲା। ସମୁଦ୍ର ଅତ୍ୟନ୍ତ ଶାନ୍ତ, ସ୍ନିଗ୍ଧ ଓ ନୀଳ ଦେଖାଯାଉଥିଲା। ଠିକ୍ ସେମିତି, ଅନିମେଶର ମନ ମଧ୍ୟ ଆଜି ସମ୍ପୂର୍ଣ୍ଣ ଶାନ୍ତ ଓ ହାଲୁକା ଥିଲା। ସେ ଦୀର୍ଘ ଦିନ ପରେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରି ପାରୁଥିଲା ଏବଂ ନିଜ ଭିତରେ ଗଭୀର ଶାନ୍ତି ଅନୁଭବ କରୁଥିଲା।
ଅତିରିକ୍ତ କମିଶନର (ଅପିଲ)
ଦ୍ରବ୍ୟ ଓ ସେବାକର ପୁରୀ ଚକଲା, ପୁରୀ
