ଯୁଦ୍ଧ ଏବେ ସରିନାହିଁ
ଯୁଦ୍ଧ ଏବେ ସରିନାହିଁ
ସମୟ ଥିଲା,
ଯେବେ, ମୁଁ ଚାହୁଁଥିଲି
ତୋଳି ଆଣିବାକୁ ବାଞ୍ଝ ଆକାଶରୁ
ପେନ୍ଥା ପେନ୍ଥା କୟାଁ
ଖୁନ୍ଦି ଖୁନ୍ଦି ଭରି ଦେବାକୁ
ପୁଳା ପୁଳା ବିଶ୍ବାସ
ସବୁ ଦରଦୀ ଆଞ୍ଜୁଳାରେ ।
ସମୟ ଥିଲା,
ଯେବେ, ମୁଁ ଚାହୁଁଥିଲି
ହାତ ପାପୁଲିରେ ଅଟକେଇ ରଖିଦେବି
ଆଶାର ଗନ୍ଧମାର୍ଦ୍ଦନ
ଅନୂଢା ଏକ ଅବିନଶ୍ବର ଢଙ୍ଗରେ
ଘସିମାଜି ଚିକ୍ମିକ୍ କରିଦେବି
ଅଣପୁରୁଷା ମନର ସବୁ ମଳିନତା
ଚିରୁଡାଏ ଆଶ୍ବାସନାର
ବିନିମୟରେ ।
ଏବେ କିନ୍ତୁ ଖୁବ୍ ଅପହଞ୍ଚ ଲାଗେ
ଆକାଶର କୟାଁ,
ଅବିଶ୍ବାସର ଚକ୍ରବ୍ୟୁହରେ ଆକ୍ତାମାକ୍ତା
ସ୍ବୟଂ ଅଭିମନ୍ୟୁ,
ତଥାପି, କେହି ଜଣେ ତାଗିଦ୍ କରି
କହୁଥାଏ କାନେକାନେ ଟାଏଁ ଟାଏଁ କରି,
ରହିଯାଅ ଅଭିମନ୍ୟୁ ପଞ୍ଚଜନ୍ୟ ଯେ ବାଜିନାହିଁ
ଯୁଦ୍ଧ ଏବେ ସରିନାହିଁ ।
