ଯଉବନ ଥରେ ଗଲେ ଆଉ ଆସେନା
ଯଉବନ ଥରେ ଗଲେ ଆଉ ଆସେନା
ବସୁଧାରେ ଋତୁ ଆସେ ଋତୁ ଯାଏ
ବର୍ଷକର ବ୍ୟବଧାନ ପରେ ଫେରି ଆସେ
ପୁନଶ୍ଚ ପୂର୍ବର ସେଇ ଅନୁକ୍ରମରେ
ଚକ୍ରାକାରରେ ବୁଲୁଥାଏ ଏକ ପରେ ଏକ
ପ୍ରକୃତିର ସେ ଧରାବନ୍ଧା ନିୟମରେ।
ଜୀବନରେ ବି ଏ ଶରୀରର ହୁଏ
କ୍ରମାନ୍ଵୟରେ କେତେ କେତେ ପରିବର୍ତ୍ତନ
ଛଅ ଋତୁ ପରି ଶରୀରର ଛଅ ଅବସ୍ଥା
ଶିଶୁ ବାଲ୍ୟ କୈଶୋର ଯୁବା ପ୍ରୌଢ଼
ବାର୍ଦ୍ଧକ୍ୟ ଆଦି ଗୁଣ ସ୍ବଭାବ ଲକ୍ଷଣେ
ନେଇ ଭିନ୍ନ ଭିନ୍ନ ଶାରୀରିକ ଆସ୍ଥା।
ଋତୁ ଫେରେ କିନ୍ତୁ ଫେରେନା ଯଉବନ
ଶରୀରର ପୂର୍ବ ରୂପ ସୌନ୍ଦର୍ଯ୍ୟର କ୍ରମ
ଫେରାଇ ଆଣିବାର ଇଚ୍ଛା ଏକ ଭ୍ରମ
ପାର୍ଥିବ ଜଗତେ ଜନ୍ମ ମୃତ୍ୟୁର ଚକ୍ରରେ
ଶରୀରର ସ୍ବାଭାବିକ ପରିବର୍ତ୍ତନରେ
କେବେ ହୁଏ ନାହିଁ ସୃଷ୍ଟିରେ ବ୍ୟତିକ୍ରମ।
ସବୁ ଅବସ୍ଥାରୁ ଯଉବନ ବସନ୍ତ ପରି
ପରିପୂର୍ଣ୍ଣତାର ଏକ ପ୍ରକୃଷ୍ଟ ସମୟ
ଆଶାର ଡାଳରେ ତାର ସମ୍ଭାବନାର
ପେନ୍ଥା ପେନ୍ଥା ସପନର ସବୁ ଫୁଟା ଫୁଲ
ଜୀବନକୁ କରେ ରସସିକ୍ତ ମଧୁମୟ।
ପ୍ରାଣରେ ଭରି ଦିଏ ପ୍ରେମର ପୁଲକ
ପରଶରେ ତାର ଉତ୍ଫୁଲ୍ଲିତ ହୁଏ ହୃଦୟ
ଐଶ୍ବର୍ଯ୍ୟ ପ୍ରାଚୁର୍ଯ୍ୟର ସମ୍ଭାରରେ ମନ
ରୋମାଞ୍ଚିତ ହୁଏ ପାଇବାକୁ ଅମୀୟ।
ମତୁଆଲା ଯଉବନ ହେଲେ ଅନିୟନ୍ତ୍ରିତ
ରାତିର ସପନ ପରି ଭାଙ୍ଗିଯାଏ ଅଧୁରା
ସ୍ମୃତି ତାର ମନ ଝୁରୁଥାଏ ରାତିଦିନ
ଦୁଃଖରେ ବି ରହିଥାଏ ସେ ଅପାଶୋରା।
କଲେ ଯେତେ ତାର ଅନୁଶୋଚନା
ଯଉବନ ଥରେ ଗଲେ ଆଉ ଆସେନା
ମନେ ଯା'ର ବସା ବାନ୍ଧେ ତୁଚ୍ଛ କାମନା
ବିପଥେ ନେଇ ଦିଏ ଖାଲି ଦୁଃଖ ଯନ୍ତ୍ରଣା।
ଯଉବନର ଗୁରୁତ୍ଵ ବୁଝି ରଖିଥିଲେ ଧ୍ୟାନ
ଉଚିତ ଦାୟିତ୍ଵ କର୍ତ୍ତବ୍ୟ କରି ସମ୍ପାଦନ
ଆଶା ସ୍ବପ୍ନ ହୁଏ ଜଣକର ଚରିତାର୍ଥ
ସଫଳତାର ଶୀର୍ଷ ଛୁଇଁ ହସେ ତା' ଜୀବନ।

