ଯତୋ ଧର୍ମଃ ତତୋ ଜୟଃ
ଯତୋ ଧର୍ମଃ ତତୋ ଜୟଃ
ସଂସାର ବାରିଧି ପାର ହେବା ପାଇଁ ମୁଖ୍ୟ ଅଟେ ଧର୍ମ ପୋତ
ବିଧି ଆଜ୍ଞାମତେ ଏହି ଧର୍ମତରୀ ଭବେ ହୁଏ ଆତଯାତ ।
ଅନିତ୍ୟ ସଂସାରେ ଧନ-ଯଉବନ ନୁହଁଇ କଦାପି ସ୍ଥିର
ଧର୍ମରେ ଜଗତ ହୁଏ ଗତାଗତ ତା'ବିନା ସବୁ ଅସ୍ଥିର ।
ଧରି ରଖିବାର କ୍ଷମତା ଥିବାରୁ ନାମ ତା' ଅଟେ ଧରମ
ଜଗତେ କେବଳ ମହତ ଅଟଇ ନାହିଁ କେହି ତା'ର ସମ ।
ସଜୀବ-ନିର୍ଜୀବ ସ୍ବଧର୍ମରେ ଜାତ କରୁଥାନ୍ତି ନିଜ କାର୍ଯ୍ୟ
ସହଜାତ ଗୁଣେ ହ୍ବନ୍ତି ପ୍ରକଟିତ ତାଙ୍କ ପାଇଁ ଯାହା ଧାର୍ଯ୍ୟ ।
ଜଳ ନିମ୍ନଗାମୀ ଅଗ୍ନି ଉର୍ଦ୍ଧ୍ବମୁଖୀ ବାତ ଯେ ସର୍ବବ୍ଯାପକ
ଶୀତଳତା ଗୁଣ ଜଳ ଓ ବାୟୁର ଅଗ୍ନିର ଧର୍ମ ଦାହକ ।
ଦୁଇପତ୍ରୁ ବାସେ ତୁଳସୀର ଗୁଣ କଣ୍ଡୁ ତ ବିଛ୍ବାତି ପତ୍ର
ନିମ୍ବର ଧର୍ମଟି ନିଶ୍ଚିତ ଯେ ତିକ୍ତ ତେନ୍ତୁଳି ତ ଅମ୍ଳ ମାତ୍ର ।
ଧର୍ମର ସୁରକ୍ଷା ହେଲେ ଏ ସଂସାରେ ଜୀବ ହୁଏ ସୁରକ୍ଷିତ
ଧର୍ମବିନା ଭବ ସ୍ଯନ୍ଦନର ଗତି ଶିଥିଳ ହୁଏ ନିଶ୍ଚିତ ।
ଈଶ୍ବରୀୟ ଚିନ୍ତା ନୁହଁଇ କେବଳ ଧର୍ମ ଯେ ଏହି ମର୍ତ୍ତ୍ୟରେ
ସମ୍ପ୍ରଦାୟ ପୁଣି ଧର୍ମୀୟ ଭାବନା ରହିଛି ନିର୍ବିଶେଷରେ ।
ଧୂମାନଳ-ନୀର-ସିନ୍ଧୁ ଓ ସମୀର ଗଗନ-ନଭ ନିକର
ଜୀବ ଓ ନିର୍ଜୀବ ସ୍ବଧର୍ମ ପାଳନ୍ତି ହୋଇ ବଦ୍ଧପରିକର ।
ହିନ୍ଦୁ-ବୌଦ୍ଧ-ଜୈନ-ଶିଖ-ଖ୍ରୀଷ୍ଟ ଆଉ ଈଶାଇ ଓ ମହମ୍ମଦ
ବିଶ୍ବରେ ବିବିଧ ଧର୍ମ ପ୍ରଚଳନ ହୋଇଅଛି ଯେ ପ୍ରଭେଦ ।
ସତ୍ଯରେ ଧର୍ମର ହୋଇଛି ପ୍ରତିଷ୍ଠା ଏହାଯେ ନିଛକ ସତ୍ୟ
ଧର୍ମ ଆଉ ସତ୍ୟ ଏକ ଓ ଅଭିନ୍ନ ଜଗତେ ଧର୍ମ ହିଁ ନିତ୍ଯ ।
ସତ୍ୟ ଓ ଆଦର୍ଶ ନ୍ୟାୟ-ସଦାଚାର ଏହା ହିଁ ମାନବ ଧର୍ମ
ଅନ୍ୟାୟ-ଅନୀତି-ମିଥ୍ୟା-ଭ୍ରଷ୍ଟାଚାର ଅଟେ ତ ବଡ ଅଧର୍ମ ।
ସମାର୍ଥବୋଧକ ଅଟଇ ତ୍ରିଶବ୍ଦ ସ୍ବଭାବ-ପ୍ରକୃତି-ଧର୍ମ
ଜଡ ଓ ଚେତନ ସ୍ବଧର୍ମାନୁସାରେ କରୁଥାନ୍ତି ନିଜ କର୍ମ ।
ଧୈର୍ଯ୍ୟ-କ୍ଷମା ପୁଣି ସଞ୍ଜମ-ଆସ୍ତେୟ ଓ ଇନ୍ଦ୍ରିୟନିୟନ୍ତ୍ରଣ
ପବିତ୍ରତା-ସତ୍ୟ-ବୁଦ୍ଧି ଆଉ ଜ୍ଞାନ ଧର୍ମର ଦଶ ଲକ୍ଷଣ ।
ଆହାର ଓ ନିଦ୍ରା,ଭୟ ଓ ମୈଥୁନ ନର-ପଶୁଙ୍କ ସମାନ
ଧର୍ମ ବଳେ ନର ହୋଇଥାଏ ଶ୍ରେଷ୍ଠ ନୋଚେତ୍ ପଶୁ ସମାନ ।
ଅଧୁନା ମାନବ ଇଚ୍ଛେ ଧର୍ମଫଳ ନ କରେ ଧର୍ମ କଦାପି
ଅଧର୍ମକୁ ପାପ ଜାଣିସୁଦ୍ଧା ନର କରେ ଅଧର୍ମ ତଥାପି ।
ଅଜର-ଅମର ବୋଲି ଭାବି ବୁଧେ ବିଦ୍ଯା-ଅର୍ଥ ଉପାର୍ଜନ୍ତି
ମୃତ୍ୟୁ ସନ୍ନିକଟ ହେଲା ବୋଲି ଚିନ୍ତି ଧର୍ମାଚରଣ କରନ୍ତି ।
ଅକାର୍ଯ୍ଯ କଦାପି ନୁହେଁ କରଣୀୟ ପ୍ରାଣ ଯଦି ଚାଲି ଯାଏ
କରଣୀୟ ଯାହା ନୁହେଁ ବର୍ଜନୀୟ ଧର୍ମ ସନାତନ କୁହେ ।
ଧର୍ମର ସର୍ବଦା ହୁଅଇ ବିଜୟ ଅଧର୍ମର ପରାଜୟ
ଯାବତଚନ୍ଦ୍ରାର୍କ ଧରାପୃଷ୍ଠେ ଧର୍ମ ରହିଥିବ ଏହା ସତ୍ୟ ।
ଧର୍ମରେ ଈଶ୍ୱର ରହିଥାନ୍ତି ଦୃଢ଼ ଅଧର୍ମକୁ କରି ଧ୍ୱଂସ
ଧର୍ମାତ୍ମା ମାନଙ୍କୁ କରିଣ ସୁରକ୍ଷା ପାପୀଙ୍କୁ କରି ବିନାଶ ।
ଯେତେବେଳେ ଧର୍ମ ହୋଇଥାଏ ଗ୍ଳାନି ଅଧର୍ମର ଅଭ୍ଯୁତ୍ଥାନ
ସେତେବେଳେ ପ୍ରଭୁ ଏମର୍ତ୍ତ୍ଯମଣ୍ଡଳେ ହୋଇଥାନ୍ତି ଅବତ୍ତୀର୍ଣ୍ଣ ।
ସାଧୁ-ସଜ୍ଜନଙ୍କର କରି ପରିତ୍ରାଣ ଦୁଷ୍ଟଙ୍କୁ କରନ୍ତି ନାଶ
ଧର୍ମ ସଂସ୍ଥାପନ କରିବା ନିମନ୍ତେ ସମ୍ଭବନ୍ତି ପ୍ରଭୁ ଈଶ ।