ଯେବେ ବର୍ଷା ଆସେ
ଯେବେ ବର୍ଷା ଆସେ
ଯେବେ ବର୍ଷା ଆସେ ଖୁସିର ଆସର ଜମେ
ବର୍ଷା ପରି ଭାବନାରେ ଆଦ୍ରତା ସମ୍ଭ୍ରମେ
ଚାତକ ର ତୃଷା ନିବାରଣ ଆଶା କ୍ରମେ
ମୟୂର ର ନୃତ୍ୟ ବର୍ଷା ଦୃଶ୍ୟ ଅନୁକ୍ରମେ ।
ଖରା ଥାଇ ଯେବେ ବର୍ଷା ଆସେ ଏ ଧରାରେ
ସପ୍ତରଙ୍ଗ ଇନ୍ଦ୍ରଧନୁ ଦୃଶ୍ୟ ଆକାଶରେ
ଇନ୍ଦ୍ରଧନୁ ରଙ୍ଗ ଲାଗେ ପ୍ରେମୀ ହୃଦୟରେ
ନିଜକୁ ହଜାଇ ଭିଜାଇ ସେଇ ବର୍ଷାରେ ।
ଦାରୁଣ ନିଦାଘ ଶେଷେ ବର୍ଷା ଯେବେ ଆସେ
ବସୁନ୍ଧରା ପୁଲକିତ ନବୀନ ଉଲ୍ଲାସେ
ସବୁଜ ସୁନ୍ଦର ଧରା ଭରା ନବ ରସେ
ଚଷା ଭାଇ ହସ ମାଟିର ମହକ ବାସେ ।
ବର୍ଷା ଯେବେ ଆସେ ,ଆଶା ଜାଗରିତ
ବର୍ଷା ବୁନ୍ଦା ରେ ପ୍ରାଣ ଶକ୍ତି ନିଶ୍ଚେ ନିହିତ
ମାଟି ମାଆର ତୃଷା ନିବାରଣ ସହିତ
ଶୁଷ୍କ ନଦୀ ବକ୍ଷେ ଜଳ ହେବ ପ୍ରବାହିତ ।
ଚତୁର୍ଦ୍ଦିଗ ସବୁଜିମାରେ ସୁନ୍ଦର ଦିଶିବ
ସବୁ ପ୍ରାଣୀଙ୍କ ମୁଖରେ ହସ ବି ଫୁଟିବ
ଜଳ ଧାରା ଶସ୍ୟ କ୍ଷେତ୍ରେ ଦୃଶ୍ୟମାନ ହେବ
କୀଟ ପତଙ୍ଗ ଏକତ୍ର ହେବ ଅନୁଭବ ।
ମୁଷଳ ଧାରାରେ ବର୍ଷା ପରେ କେତେ ବିଘ୍ନ
ରାସ୍ତା ଘାଟ ଶସ୍ୟ କ୍ଷେତ୍ର ହେବ ଜଳ ମଗ୍ନ
ପ୍ରବଳ ବର୍ଷାରେ ଜନ ଜୀବନ ବିପନ୍ନ
ପାଣି ଘେର ଭିତରେ ବିତେ କେତେ ଦିନ ।
ପର୍ବ ପର୍ବାଣୀ ସମ୍ଭାର ବର୍ଷା ଋତୁ ଧାରେ
ଉତ୍ସାହ ସହିତ ସର୍ବେ ପର୍ବ ପାଳନରେ
ପ୍ରେମୀ ଯୁଗଳଙ୍କ ଭାବ ବର୍ଷା ବୁନ୍ଦା ଧାରେ
ତନ ମନ ଭିଜି ଉଠେ ପ୍ରେମର ସ୍ରୋତରେ ।
କବି କୁଟୀର ପାଖକୁ ଆସେ ଯେବେ ବର୍ଷା
ଲେଖନୀରୁ କବିତା ସ୍ଵତଃ ବହେ ସହସା
ଭାବନା ରାଜ୍ୟରେ ହଜି ଶବ୍ଦରେ ଭରଷା
ବର୍ଷା ତୁଲ୍ୟ ଶବ୍ଦ ମାଳା କବି କୂଳ ଆଶା ।
ଯେବେ ବର୍ଷା ଆସେ କିଛି ଶିକ୍ଷା ଦେଇ ଯାଏ
ବର୍ଷା ବିନା ଜୀବ ତିଷ୍ଠି ହେବ ନାହିଁ କହେ
ବର୍ଷା ବହୁଳେ ବନ୍ୟାର ଭୟ ରହି ଥାଏ
ବର୍ଷା ବିନା ଫସଲ ହାନି ଆଶଙ୍କା ରହେ ।
ବର୍ଷା ଆସିବା ଆଗରୁ କେତେ ଯେ କଳ୍ପନା
ବର୍ଷା ହେଲା ପରେ ସତେ କେତେ ଉନ୍ମାଦନା
ବର୍ଷା ବୁନ୍ଦା ରେ ଅମୃତର ପରିକଳ୍ପନା
ବର୍ଷା ଧାରେ ବିରହୀ ପ୍ରେମିକା ଆନମନା ।
ଶୁଭ କର୍ଯ୍ୟେ ହୁଳହୁଳି ଶଙ୍ଖ ଘଣ୍ଟି ପରି
ଅଭ୍ୟାସ ସହ ପ୍ରସ୍ତୁତ ବେଙ୍ଗ ସର୍ବୋପରି
କୀଟ ପତଙ୍ଗ ଭିଡ଼ ନିଆଁ ଧାରେ ଯେପରି
ଝିଣ୍ଟିକା ର ବେସୁରା ଗୀତ ବି ସେହିପରି ।
ବର୍ଷା ଆଗମନ ଦେଖି ବିରହୀ ର ତୃଷା
ପ୍ରୀତି ପୂର୍ଣ୍ଣ କଥା ଅବା ଭାବ ପାଇଁ ଆଶା
ଧନ୍ୟ ବର୍ଷା,ଧନ୍ୟ ତୁମ ନାମରେ ଭରଷା
ଏ ଧରାକୁ ଆସି ପୂର୍ଣ୍ଣ ହେଉ ସବୁ ତୃଷା ।

