ଯଦି କେବେ ଆଊଥରେ ଦେଖା ହୋଇଯିବ
ଯଦି କେବେ ଆଊଥରେ ଦେଖା ହୋଇଯିବ
କେବେ ଭାବିଛ,
ଯଦି କେବେ, ପୁଣିଥରେ ଦେଖା ହୋଇଯିବ
କେଉଁ ଏକ ନିଶବ୍ଦ ବେଳାଭୂମୀରେ
ଝାଉଁ ବଣର ସନ୍ ସନ୍ ପବନରେ
ଅବା ଛପ୍ ଛପ୍ ଲେଉଟାଣି ଲହଡି ପାଣିରେ ।
ଯେବେ ସୁରୁ ସୁରୁ ବୋହିଯାଉଥିବ
ପାଦତଳ ଚୋରାବାଲି
ଆଉ ଆମର ଦୁଇଯୋଡା ପାଦକୁ
କୁତୁ କୁତୁ କରି ଦେଉଥିବ,
ସେତେ ବେଳେ,
ବରଷ ପୁରୁଣା କାହାଣୀ ଯେତେକ
ତୁମର କିବା ମନେ ପଡିଯିବ !
ଆଜି ସିନା ତୁମର ଡରଡର ହାତ
ମୋ ହାତକୁ ଜାବୁଡି ଧରିନି
ଲହଡି କାଳେ ତୁମକୁ ଭସାଇ ନେବ
ସେମିତି ତୁମକୁ ଏବେ
ଆଉ କଣ ଡର ଡର ଲାଗେନି ?
ପୁଣ ଥରେ ଯଦି କେବେ ଦେଖା ହୋଇଯିବ
କେଉଁ ଏକ ମନ୍ଦିର ବେଢାରେ
ଭିଡଭାଡ୍ ଲୋକ ଗହଳିରେ ।
ବାସୁଆ ବଳଦ ପଛରେ
ଉପରେ ଝୁଲୁଥିବ ବଡ ବଡ ଘଣ୍ଟି
ତୁମ ହାତ ଠାରୁ ଅପହଞ୍ଚ ଉଚ୍ଚତାରେ ।
ଯେବେ ତୁମେ ଘଣ୍ଟି ପାଇଁ ହାତ ବଢାଇବ
ଥରେ କଣ ମୋ ଆଡକୁ ଚାହିଁବ
ବିନତି ଭରା ସରମୀ ନୟନରେ,
ପୁରୁଣା ଦିନ ଆମର ମନେ ପଡିଯିବ ?
ତୁମ ଅଣ୍ଟା ପାଖରୁ ଦିନେ
ତୁମକୁ ମୁଁ ଉଠାଇ ଧରିଥିଲି
ଆଉ ତୁମ ମନଭରି ଘଣ୍ଟି ବଜାଇଲ
ଦିଅଁଙ୍କ ସାମ୍ନାରେ ମାନସିକ ମାଗିଦେଲ,
ଆମର ଏ ଜୋଡି, ସାତ ଜନମ ଯାଏ
ପ୍ରେମ ଆମର ଏଇମିତି ରହିଥାଉ
ହେଲେ କେତେ ସହଜରେ
ସବୁକିଛି ଭୂଲି ହୋଇଯାଏ,
ଦେଖା ହୋଇଗଲା ପରେ ବି
ଚିହ୍ନା ମୁହଁ ଅଚିହ୍ନା ଅଚିହ୍ନା ଲାଗେ ।
******