ଯୌଥ ପରିବାର
ଯୌଥ ପରିବାର
ସ୍ୱାର୍ଥର ସାରଥୀ ହୋଇଛି ସଂସାର
ନିଜେ ଭାବେ ନିଜ କଥା,
ବହୁନାହିଁ ଆଉ ମମତାର ଧାରା
ଦିଏ ଅନ୍ୟ ମନେ ବ୍ୟଥା ।
ଅତୀତରେ ଦିନେ ଥିଲା ସମାଜରେ
ବଡ଼ ବଡ଼ ପରିବାର,
ଯୌଥ ପରିବାର କୁହାଯାଏ ତାକୁ
ସତେ ସ୍ନେହ ପାରାବାର ।
ବୟୋଜ୍ୟେଷ୍ଠ ଯିଏ ଘରର ମୂରବୀ
ବୁଝନ୍ତି ସେ ସବୁକଥା,
ତାଙ୍କ ନିକଟରେ ସଭିଏଁ ସମାନ
କେହି ନୁହେଁ ସାନ, ଜ୍ୟେଷ୍ଠା ।
ଏକ ରୋଷେଇରେ ରନ୍ଧାହୁଏ ଖାଦ୍ୟ
ଏକତ୍ର ଭୋଜନ ହୁଏ,
ସତେ କି ସ୍ବର୍ଗୀୟ ବନ୍ଧନର ମାୟା
ଆନନ୍ଦରେ ଦିନ ଯାଏ ।
ସାନଠାରୁ ବଡ଼ ସଭିଙ୍କର ଥାଏ
ଦାଇତ୍ୱ କିଛି ନା କିଛି,
ସଭିଏଁ ପାଳନ୍ତି ନିଜର କର୍ତ୍ତବ୍ୟ
ନଥାଏ ମନେ ଅଶାନ୍ତି ।
ଯାହାର ବିଶ୍ରାମ ଲୋଡ଼ା ହୁଏ ଯେବେ
କାମୁ ନିଏ ଅବ୍ୟାହତି,
କେହି ବି କରେନା ପ୍ରତିବାଦ କେବେ
ମାନି ପରିବାର ନୀତି ।
ଯୌଥ ପରିବାରେ ଥାଏ ବୁଝାମଣା
ହୁଏନା କେବେ ଅଶାନ୍ତି,
ପ୍ରୀତି ମନ୍ଦାକିନୀ ଅବାରିତ ଭାବେ
ବହୁଥାଏ ପରା ନିତି ।