STORYMIRROR

sulochana Bisoyi

Inspirational

4  

sulochana Bisoyi

Inspirational

ଯୌଥ ପରିବାର

ଯୌଥ ପରିବାର

1 min
196

କି ସୁନ୍ଦର ଆହା କି ଆନନ୍ଦମୟ

      ଏଇ ମୋର ପରିବାର 

ବାପା ମାଆ ଭାଇ ଭଉଣୀଙ୍କ ସଙ୍ଗେ

      ସୁଖେ ବିତେ ଦିନ ମୋର ।


ପ୍ରଭାତୁ ଉଠିଲେ ବନ୍ଦନା ମୁଁ ଗାଏ

      ପାଦ ଛୁଏଁ ବଡଙ୍କର

ଜେଜେ ହାତ ଧରି ହସି ଖେଳି ଯାଏ 

       ବିଦ୍ୟାଳୟକୁ ମୋହର ।


ବିଦ୍ୟାଳୟରୁ ଫେରି ବୁଲିବାକୁ ଯାଏ 

       ଦାଦା ସଙ୍ଗେ ଯେ ମୋହର

ନାନା ମେଳା ଯାତ ଦେଖି ମୁଁ ଫେରଇ

       ସାଥେ ଘେନି ଖେଳ ସମ୍ଭାର ।


କୋଳେ ଧରି ମୋତେ କରନ୍ତି ଯେ ଗେଲ

       ଆଦରେ ଖୁଡ଼ୀ ମୋହର

ମୋ ମାଆ ମୋ ଖୁଡ଼ୀ ଆମ ପାକ ଶାଳେ

      ରାନ୍ଧନ୍ତି କେତେ ବ୍ୟଞ୍ଜନ ।


ସୁଖେ ପରସନ୍ତି ଆମ ସମସ୍ତଙ୍କୁ 

       ସ୍ବାଦ ଅମୃତ ସମାନ

ସଞ୍ଜ ସକାଳରେ ତୁଳସୀ ମୂଳରେ

       ଦୀପ ଜାଳୁଥାନ୍ତି ନିତି ।


ଆମ ମାନଙ୍କର ମଙ୍ଗଳ କାମନା 

       କରୁଥାନ୍ତି ନିତିନିତି

ଜେଜେମା ମୋହର ଜଗି ବସିଥାନ୍ତି

       ଫେରିବା ବାଟକୁ ଚାହିଁ ।


ଦାଦା ବାପା ଯେବେ ଘରକୁ ଫେରନ୍ତି

       ଆନନ୍ଦେ ରହନ୍ତି ଚାହିଁ

ଶୋଇବା ବେଳରେ ଜେଜେମା କୋଳରେ 

       ଗପ ଶୁଣି ନିଦ ଆସେ ।


ବୁଢି ଅସୁରୁଣୀ , ପରୀରାଇଜର 

       କାହାଣୀ କହେ ସରସେ 

ଶୋଇ ମୁଁ ସପନେ ପରିରାଇଜରେ 

       ଆନନ୍ଦରେ ବୁଲି ଆସେ ।


ଶୋଇ ମୁଁ ଉଠିଲେ ମୋ ସପନ କଥା 

       ମାଆ ଆଗେ ନିତି ଭାଷେ

ମୋ ସୁନାଟା କହି କୋଳକୁ ଟାଣନ୍ତି 

       ଆଉଁସି ଦିଅନ୍ତି ମୋତେ ।


ଏ ପରିବାରରେ ଜନମ ଲଭି ମୁଁ 

      କେଡେ ଭାଗ୍ୟବାନ ସତେ 

ଧନ୍ୟ ମହାପ୍ରଭୁ ମହିମା ତୁମର 

      ଅଟେ ଅନନ୍ତ ଅପାର  ।


ଇଟା ମାଟି କାନ୍ଥେ ଗଢା ସିନା ଘର

      ଘର ନୁହଁ ସ୍ବର୍ଗପୁର।


Rate this content
Log in

Similar oriya poem from Inspirational