ଯାଯାବର ଜୀବନ
ଯାଯାବର ଜୀବନ
ଘୂରି ବୁଲୁ ଅଛି ଯାଯାବର ହେଇ
ନାହିଁ ତ ଠିକଣା ମୋର
ଯୁଆଡେ ତ ଯାଏ ସେଇଠି ତ ରହେ
ସେଇ ତ ମୋହର ଘର ।
ଦୁଃଖ ତ କରେନି ଖୁସି ବି ହୁଏନି
ହସ ବି ଝରେନି ମୋର
ହଜି ତ ଯାଇଛି ପଥର ଠିକଣା
ବାଟ ଅପନ୍ତରା ଦୂର ।
ବଣ ପାହାଡର ଘେରେ ବୁଲୁ ଥାଏ
ପିଏ ଝରଣାର ନୀର
ବଣର ଫଳରେ ଉଦର ପୋଷଇ
କରେ ମୁଁ ତାକୁ ଆହାର ।
ଅତୀତର ଯାଯାବର ଜୀବନଟା
ମନେ ପଡେ ଆଜି ମୋର
ଜୀବଜନ୍ତୁ ସଙ୍ଗେ ନେଇ ରହୁଥିଲୁ
କେତେ ବନ ନଦୀ ତୀର ।
ସେ ସ୍ଥାନର ଖାଦ୍ୟ ଶସ୍ଯ ସରି ଗଲେ
ଯାଉ ସେଠୁ ବହୁ ଦୂର
କେତେବେଳେ ମରୁଦ୍ୟାନ କୂଳେ ରହି
କରୁ ବି ସେଠି ବିହାର ।
ଆକାଶର ଛାତ ତଳେ ରହି ଥାଉ
ସେଇତ ସରଗପୁର
ଜହ୍ନ ଆଲୁଅର ଖରା ଛାଇ ଖେଳେ
ହସେ ତ ଆମ ସଂସାର ।
ଧନ ସମ୍ପତ୍ତିର ମୋହ ମାୟା ନାହିଁ
ନ ଥିଲେ କେ ସ୍ବାର୍ଥପର
ସ୍ନେହ ମମତାର ଏକତାର ଡୋରେ
ହସେ ଆମ ପରିବାର ।
ବଣ ଜଙ୍ଗଲ ତ ଆମର ଜୀବନ
ସିଏ ତ ମା ଆମର
ମନୋବଳ ଦିଏ କର୍ମ ତ ଯୋଗାଏ
ଏଇ ସ୍ରୋତସ୍ବନୀ ଧାର ।
କେତେ ଶାନ୍ତି ଥିଲା ଖୁସି ମିଳୁ ଥିଲା
ଝରୁଥିଲା ସ୍ନେହ ଝର
ଏକାଠି ହେଇଣ ରହୁଥିଲୁ ଆମେ
ହେଇ ଗୋଟେ ପରିବାର ।
ଦଳ ଦଳ ଯାଇ ସାଥି ହେଇ ରହୁ
ଝୁସି ଝରେ ନିରନ୍ତର
ନା ଋଣ କରୁ ନା ଋଣ ଆଣୁ ନା
ସଂସାରଠୁ ହେଉ ଦୂର ।
ଆଖିର ଆଗରେ ରହି ଥାଏ ଆମ
ଏଇତ ଟିକି ସଂସାର
ସେମାନେ ଆମର ଆମେ ବି ତାଙ୍କର
ସାହା ହେଉ ପରସ୍ପର ।
ସମୟ ସ୍ରୋତରେ ସବୁ ହଜିଗଲା
ରହିଲେନି କେ ନିଜର
ଯାଯାବର ଏଇ ମଧୁର ଜୀବନ
ଆଜି ସେ ସ୍ବପ୍ନ ସହର ।