ଯାଉଛି ଏଇଠି ଲେଖି
ଯାଉଛି ଏଇଠି ଲେଖି
ଦେଖା ହେବା ପାଇଁ ଡକାଇ କିପାଇଁ
ଧରି ମଧ୍ୟ ମୋର ହାତ
ଏତେ ଦିନ ପରେ ବିଶ୍ୱାସ ଉପରେ
କରୁଛ କୁଠାର ଘାତ ?
ମନେ ଅଛି କିବା ହେବ ବୋଲି ବିଭା
କଥା ଦେଇ ତୁମେ ମିତ୍ର
ନିର୍ଜନ ପଥରେ ଥିବା ଏ ପଥରେ
ଗାରେଇ ଥିଲ ଏ ଚିତ୍ର ।
ଖେଳୁଖେଳୁ ସାଥେ ଛୁଇଁ ମୋର ମାଥେ
କରିଥିଲ ଯେତେ ପଣ
ବିତେ ବର୍ଷ ମାସ ପଚାରିବ ଆସ
ସାକ୍ଷୀ ଅଛି ଗିରି ବଣ ।
ଅଶ୍ରୁ ସିନା ପାତେ ଖୋଦିଥିଲ ହାତେ
ପ୍ରେମର ପ୍ରତିମା ଯେଉଁ
ଲିଭି ନାହିଁ ତାର ଆଲମ୍ବ ସେ ଗାର
ଆଶରା ଆଶାରେ କେଉଁ ।
ସ୍ମାରକକୁ ଭେଟି ଆଜି ଯେବେ ଏଠି
କରୁଅଛି ବିହରଣ
ଉପଳର ପୃଷ୍ଠେ ଚିତ୍ର ଦେହେ ଉଠେ
ଅବିରତ ଶିହରଣ ।
କହି କିସ ଲାଭ ହୃଦୟର ଭାବ
ଅନାବିଳ ଥିଲା ମୋର
କିବା କେଉଁ ଦୋଷେ ଛାଡିଗଲ ରୋଷେ
ଛିଣ୍ଡାଇ ବନ୍ଧନ ଡୋର !
ସ୍ମୃତି ଏ ଅଜର ପକାଇ ନଜର
ଏଯାଏଁ ରହିଛି ଦେଖି
ମନେ ବହି ଆଣ୍ଟ ଜଗିଥିବି ବାଟ
ଯାଉଛି ଏଇଠି ଲେଖି ।
କଲେ ବି ରୋଦନ ମନ ମୋ ଶୋଧନ
ପାରୁନାହିଁ ଆଉ କରି
ଆସିଗଲେ ଫେରି ବାହୁରେ ମୋ ଘେରି
ଆଶ୍ଳେଷ ଦିଅନ୍ତି ଭରି ।

