ଯାଅ ନାହିଁ ଦେବାଳୟ
ଯାଅ ନାହିଁ ଦେବାଳୟ
କାହିଁ ପାଇଁ ପୁଜିବାକୁ ଯାଅ ଦେବାଳୟ
ଅର୍ପିବାକୁ ବିଭୁ ପଦେ ସୁମନ ନିଶ୍ଚୟ l
ମନ୍ଦିର ତୁମ ପାରୁଶେ ତୁମ ନିଜ ଘର
କରୁଣା ପ୍ରେମରେ ପୂର୍ଣ୍ଣକର ସେ ମନ୍ଦିର l
ଜାଳିବାକୁ ଯାଅ ନାହିଁ ପ୍ରଦୀପ ମନ୍ଦିରେ
ଦେବତା ଅଛନ୍ତି ତୁମ୍ଭ ହୃଦୟ କନ୍ଦରେ l
ହୃଦୟ କନ୍ଦର କର ଆଗେ ପାପ ଶୂନ୍ୟ
ଗର୍ବ ଅହଙ୍କାର ଯେତେ ତିମିର ଅଜ୍ଞାନ l
ମନ୍ଦିରେ ନ ଯାଅ କରି ଈଶ୍ୱରଙ୍କୁ ଅଳି
କରିବାକୁ ନିଉଛାଳି ଅର୍ପି ପୁଷ୍ପାଞ୍ଜଳି l
ଶିକ୍ଷା କର ସର୍ବାଗ୍ରେ ବିନୟ ବିନମ୍ରତା
କ୍ଷମାପ୍ରାର୍ଥୀ ହୁଅ ମଣି ସମସ୍ତେ ଦେବତା l<
/p>
ନ ଯାଅ ମନ୍ଦିରେ ଦେବେ କରି ପ୍ରଣିପାତ
ପ୍ରଣିପାତ କର ଆଗେ ଦୁଃଖୀ ଅରକ୍ଷୀତ l
ଦୁଃଖୀ ଦୁଃଖ ବିମୋଚନେ ପୁଣ୍ୟ ଅରଜନ
ସଶସ୍ତ୍ର କର ଯୁବକେ ବାଣ୍ଟି ଦିବ୍ୟ ଜ୍ଞାନ l
ମନ୍ଦିରେ ନକର ଯାଇ ଭିକ୍ଷା ପ୍ରାୟଶ୍ଚିତ
ଅନ୍ତର କର ପ୍ରଥମେ କଳୁଷରୁ ମୁକ୍ତ l
କ୍ଷମାଗୁଣେ କ୍ଷମ ସଦା ହୁଅ କ୍ଷମାଶୀଳ
ଅନ୍ତରରୁ ଦୂର କର ପ୍ରତିଶୋଧାନଳ l
ଦେବାଳୟ ଯାଅ ନାହିଁ ପୁଜି ଭଗବାନ
ଜ୍ଞାନ କରିଥାଅ ସଦା ନର,ନାରାୟଣ l