ଯା ଦେବୀ ସର୍ଵଭୂତେଷୁ
ଯା ଦେବୀ ସର୍ଵଭୂତେଷୁ
ବୋଉ!
ତୁ ମନେ ପଡୁ
ମୋ ଝିଅକୁ
ସାତ ଥର
ଖଇ, କଦଳୀ,ନଡିଆ
ଜହ୍ନି,କାକୁଡି,ଖଣ୍ଡୁକୁଳା କୋଳି
ଏମିତି ସୁନା ଆଞ୍ଜୁଳି ଟେକେ
ଶିଖାଇଲା ବେଳେ
ତୁ ଯେମିତି ମୋତେ କହୁଥିଲୁ
"ପାହାନ୍ତି ପହରୁ ଉଠି ପଡ଼ ଧନ"
ସୂର୍ଯ୍ୟ ଉଇଁବା ପୂର୍ବରୁ
ଆଞ୍ଜୁଳି ଟେକା ସାରି ଦେ ମା"
ତୋତେ ଖୋଜେ
କୁଆଁର ପୁନେଇଁ ଜହ୍ନ ଗୋ
ଫୁଲ ବଉଳ ବେଣୀ ଗୀତରେ
ଯାହା ଆଜି ଲୁପ୍ତ ପ୍ରାୟ।
ଶରତ ଆକାଶର ସନ୍ଧ୍ୟା
ତୋଫା ଜହ୍ନର ସୋଋଷ ଫୁଲିଆ ମୁହଁ
ଖଇ ଦହି ନଡିଆ, ଛେନା ପକା
ଚାନ୍ଦ ଚକଟା
ବୃନ୍ଦାବତୀ ମୂଳେ
ପୂଜା କରିବାକୁ ନନା
ଆସିବା ଉଛୁର ଜାଣି
ତୋ ବ୍ୟସ୍ତତା
ଭୋଗ ସରୁ ସରୁ ଜହ୍ନି କାକୁଡିରେ
ଦାନ୍ତ ଘଷା ପାଇଁ
ତୋ ତତ୍ପରତା
ମୁଁ ଏବେ ବି ଅଣ୍ଡାଳେ
ମୋ ଭିତରେ ତୋତେ ଲୋ ବୋଉ।
ବୋଉ ଲୋ
ତୋ ଝିଅ ଆଜି ପାଇଛି
ମାତୃତ୍ୱ ସନ୍ଧାନ
ଭୁକ୍ତ ଭୋଗୀ ମୁଁ
ମା ହେଲା ପରେ
ତୋ ଅଧାଜଳା ସିଗାରେଟ ର
ଧୁଆଁଳିଆ ଜୀବନ ଓ ଜ୍ୱଳନ
ତୋ ବସୁନ୍ଧରା ପରି
ସର୍ବଂସହା ଜୀଇଁବା ଓ ପୀଡା
ଜୀବନ୍ତ ଆଗ୍ନେୟଗିରିର ଲାଭାରେ
ତୁ କେମିତି ଭିଜୁଥାଉ ତୋ ମନ ଦେହ
ପ୍ରତିଦିନ କେମିତି
ଆଷାଢ଼ ଶ୍ରାବଣ
ତୋ କାନି ତିନ୍ତାନ୍ତି।
ତୁ ତୋର ତୁଳନା ବୋଉ
ସ୍ୱପ୍ନରୁ ସମ୍ଭାବନା ଯାଏ
ମାଟିରୁ ଆକାଶ
ସମସ୍ତ ଶେଷରୁ
ତୁ ଆରମ୍ଭ
ତୋଠୁ ହସ,ଖୁସି,ଆନନ୍ଦ
ଜିଜ୍ଞାସା
ସ୍ନେହ,ପ୍ରେମ,ମମତାର ମନ୍ଦାକିନୀ ସୃଷ୍ଟି
ସମ୍ପର୍କର ବସୁଧାଟିଏ ତୁ
ପାପୋଛ ,ଝାଡୁ
ତୁଠ ପଥର ବି
ତୁ ଯା ଦେବୀ ସର୍ବ ଭୂତେଷୁ
ଶକ୍ତି,ସୃଷ୍ଟି,ସ୍ଥିତି ଓ ପ୍ରଳୟ।