ଉତ୍ପତ୍ତି ଓ ବିଲୟ ତ ନିଶ୍ଚିତ
ଉତ୍ପତ୍ତି ଓ ବିଲୟ ତ ନିଶ୍ଚିତ
ଶକ୍ତି, ଶୂନ୍ୟ, ବାୟୁ, ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର,
ସାଗର, ନଦୀ ଓ ଝରଣା
ବୃକ୍ଷ, ଲତା, ପକ୍ଷୀ, ପଶୁ, ନର ନାରୀ
ଯାହା ଅଛି ଆମର ଧାରଣା |୧|
ନାନାବିଧ ଜାତି ପ୍ରଜାତି ପ୍ରକୃତି ଆଲୋକ
ଓ ଅନ୍ଧକାରର ସ୍ୱରୂପ
ଅଜନ୍ମା ଅଯୋନି ସମ୍ଭୂତ ଅନାଦି ଅନନ୍ତ
ମୁରାରୀ ବା ବିଶ୍ଵରୂପ |୨|
କ୍ରୋଧ, ଲୋଭ, ମୋହ, କାମନା ଓ ବାସନା
ସୃଷ୍ଟି କରେ ଅହଙ୍କାର
ସତ ଲାଗେ ମିଛ, ମିଛ ଲାଗେ ସତ, ରହସ୍ୟ
ବହୁଳ ଅଟେ ତ ସଂସାର |୩|
ଚିର କାଳ ଶାଶ୍ୱତ ଭାସ୍ୱର ନୁହେଁ, ସବୁର
ଅଛି ଉତ୍ପତ୍ତି ଓ ବିଲୟ
କାହିଁକି ଛାଡିବା ସତ୍ୟ ଶାନ୍ତି ଦୟା କ୍ଷମା
ଶ୍ରଦ୍ଧା, କାହାକୁ କରି ଭୟ |୪|
ଆପଣା କର୍ମ ସୁଚାରୁ ହେଲେ ନରହିବ
ମନରେ କିଛି ବ୍ୟଥା
ଜଗତର ପ୍ରତ୍ୟେକ ଜନ ସୁଖରେ ବଞ୍ଚନ୍ତୁ
ଚାଲି ଧର୍ମର ରାସ୍ତା |୫|
ଧନ ସମ୍ପତ୍ତି ନିମିତ୍ତ ମାତ୍ର, କର୍ମ କର୍ତ୍ତବ୍ୟ
ରେ ସମସ୍ତେ ହେଲେ ନିଯୁକ୍ତ
ଗର୍ବରେ ଧନବଳରେ ମତ୍ତ ପାଗଳ ନହୋଇ
କର୍ମକୁ କର ଜୀବନର ବ୍ରତ |୬|
ନହୋଇ ଅଙ୍କା ବଙ୍କା, ପ୍ରୀତିର ଭାବ ମଣିଷ
ହୃଦୟରେ ବାଢ଼ିଦେଲେ
ଅମୃତର ବେଳା ଦେଖିବା, ଆନନ୍ଦ ଉଲ୍ଲାସରେ
ସମସ୍ତଂକ ସମୟ ବିତିଲେ |୭|
କହିପାର ଏହି କଥାଶିଳ୍ପୀର ନିର୍ମାଣ କୌଶଳ,
ପରିକଳ୍ପନା, ନାହିଁ ବାସ୍ତବିକତା
ଧ୍ୱଂସର ପୂଜାରୀ ମନେରଖ ପାଉଁଶ ତଳର ନିଆଁ
ଦହନ କରିବ ଦିନେ ତୁମ ବିବେକ ଓ ମଥା |୮|
