ଉତ୍କଳର ବରପୁତ୍ର ପଠାଣି ସାମନ୍ତ
ଉତ୍କଳର ବରପୁତ୍ର ପଠାଣି ସାମନ୍ତ
ଉତ୍କଳ ଜନନୀ ବୀର ପ୍ରସବିନୀ
ପୁଣ୍ୟ ଏ ଧରା ମାଟି
ଯେଉଁଠି ଜନମି ପଠାଣି ସାମନ୍ତ
ରଚିଲେ ଧରାରେ କୀର୍ତ୍ତି l
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗଡ଼େ
ଜନ୍ମ ମାଟି ଯାର ହସେ
ସେହି ଯୋଗଜନ୍ମା ଜ୍ୟୋତିର୍ବିଦଙ୍କ ର
ନାମ ଅଛି ଇତିହାସେ l
ଜ୍ୟୋତିଷ ଶାସ୍ତ୍ର ରେ ଅଗାଧ ପାଣ୍ଡିତ୍ୟ
ମାପିଲେ ପାହାଡ଼ ବୃକ୍ଷ
ଗ୍ରହ ନକ୍ଷତ୍ର ଙ୍କ ଦୂରତା ମାପିସେ
ଚାହିଁଲେ ଆକାଶ ବକ୍ଷ l
ମହାଶୂନ୍ୟରେ ଦୃଷ୍ଟି ନିକ୍ଷେପି
ଘଣ୍ଟା ଘଣ୍ଟା ଥିଲେ ବସି
ନିରବ ନିଶ୍ଚଳ ନିର୍ନିମେଷ ଚକ୍ଷୁ
ତପସ୍ୟା ନିମଗ୍ନ ଋଷି l
ପାହୁଣ୍ଡ ପାହୁଣ୍ଡ ମାପିଦେଇଥିଲେ
ପୁରୀ ମନ୍ଦିରକୁ ରାସ୍ତା
ନିଜ ଘର ଠାରୁ କେତେବା ଦୂରତା
ନଥିଲାଟି ମାପ ଫିତା l
ଏକ ଲକ୍ଷ ଅଠାବନ ହଜାର ପାହୁଣ୍ଡ
ହେଲା ସେହି ବ୍ୟବଧାନ
ଜଗନ୍ନାଥ ଙ୍କର ବଡ଼ଦେଉଳ ଟି
ତାଙ୍କ ଘର ଠାରୁ ଜାଣ l
'ଖ'ଗୋଲ, ଉଲମ୍ବୀ ଚକ୍ର ଉଦ୍ଭାବନ
କଲେ ପଠାଣି ସାମନ୍ତ
କେଇଖଣ୍ଡ କାଠି ବାଉଁଶ ନଳୀରେ
ମାପିଦେଲେ ସେ ଜଗତ l
ବ୍ରିଟିଶ ବାପୁଡ଼ା ବିସ୍ମିତ ହୋଇଲେ
ଦେଖି ତାଙ୍କ ତୀକ୍ଷ୍ଣ ବୁଦ୍ଧି
(1893) ଯାଚି ଦେଲେ ତାଙ୍କୁ
ମହାମହୋପାଧ୍ୟାୟ ବିଶ୍ୱପ୍ରସିଦ୍ଧ ଉପାଧି l
ଜ୍ୟୋତିଷ ଶାସ୍ତ୍ର ରେ ମହାନ ଗ୍ରନ୍ଥ ସେ
ଲେଖିଗଲେ ସ୍ୱ ହସ୍ତରେ
'ସିଦ୍ଧାନ୍ତ ଦର୍ପଣ ' ନାମ ହେଲା ତାର
କୀର୍ତ୍ତି ରଚିଲେ ବିଶ୍ୱରେ l
ଆଜିବି ଓଡ଼ିଆ ପାଞ୍ଜି ପଢ଼ି ଥାଏ
ଜାଣିବାକୁ ତିଥି ଦିନ
ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ
ସମୟର ନିର୍ଦ୍ଧାରଣ l
ପୂରାନାମ ତାଙ୍କ ଚନ୍ଦ୍ରଶେଖର
ସିଂହସାମନ୍ତ ହରିଚନ୍ଦନ ମହାପାତ୍ର
ସ୍ୱଳ୍ପ ଅଧ୍ୟୟନେ ମହିମା ମଣ୍ଡିତ
ରଚିଲେ ଜ୍ୟୋତିଷ ଶାସ୍ତ୍ର l
ଉଣେଇଶି ଶହ ଚାରି ମସିହାରେ
ବରିନେଲେ ମହାମୃତ୍ୟୁ
ମାଟିର ଶରୀର ମାଟିରେ ମିଶିଲା
ରହିଲା ଅମର କୀର୍ତ୍ତ l
