STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଉତ୍କଳ ସନ୍ତାନ

ଉତ୍କଳ ସନ୍ତାନ

2 mins
342

      

ବିଶ୍ଵକର୍ମା କୁଳେ ଜନମ ମୋହର

       ଉତ୍କଳ ସନ୍ତାନ ମୁହିଁ l

କୁଳଧର୍ମ ରଖି ନାମ ମୋ ଧରମା

   ଦେଲେ ମାଆ ଦୟାମୟୀ ll

ଜନ୍ମୁ ଜାଣି ନାହିଁ ପିତା ମୋ କିଏସେ

    କେଉଁଠାରେ ଛନ୍ତି ସେହି l

ପଚାରିଲେ ମୋର ମୁଖ ଚାହିଁ ମାତା

       କାନ୍ଦୁଥାନ୍ତି କଇଁ କଇଁ ll

ମାତା ମୋତେ ଦିନେ ପାଶେ ବସାଇଲେ

       କହିଲେ ବାପର କଥା l

ଗରଭରେ ତୁହି ସଂଚାର ହୋଇଲୁ

     ଚାଲି ଗଲେ ତୋର ପିତା ll

ନରସିଂହ ରାଜା ଦେଉଳ ଗଢ଼ନ୍ତି

       କାହିଁ ଦୂର ମୁଲକରେ l

କୋଣାରକ କଳା ବିଖ୍ୟାତ ହୋଇବ

    କାଳେ ସାରା ଜଗତରେ ll

ପିତା ତୋର ବିଶୁ ମହାରଣା ସେଠି

       ଧରି ବାରଶ ବିନ୍ଧାଣି l

ଦେଉଳ ଗଢ଼ନ୍ତି ଚାହିଁ ଚାହିଁ ବାଟ

    ନେତ୍ରୁ ଶୁଖିଲାଣି ପାଣି ll

ବାରଶ ବଢ଼େଇ ଦେଉଳ ଗଢ଼ନ୍ତି

      ମୁହିଁ ଯିବି ମାତା ଗଢ଼ି l

ଶିଳ୍ପ କଳା ମାତ୍ର କିଞ୍ଚିତେ ଜାଣିଛି

     ଘର ପୋଥି ପଢ଼ି ପଢ଼ି ll

ଦୁଃଖିଧନ ମୋର କେଣେ ଯିବୁ ବାବୁ

      ମାତା କହନ୍ତି ଆଗୋଳି l

ବାପା କି ଚିହ୍ନିବେ ସଙ୍ଗେ ଘେନି ଯାଆ

      ଆମ ବାଡ଼ି ବରକୋଳି ll

ବଳିଆ କୁକୁର ସଙ୍ଗେ ଘେନି ଯାଆ

     ତୋ ବାପାଙ୍କ ଅତି ପ୍ରିୟ l

ପୁତ୍ର ପ୍ରାୟେ ଯାକୁ ସ୍ନେହେ ପାଳିଥିଲେ

     ମନେ ପଡ଼ି ଆସେ ଲୁହ ll

ବଳିଆ ପଛରେ ଧରମା ଚାଲଇ

     ଗାମୁଛାରେ ବର କୋଳି l

ଖୁଦଭଜା ଟିକେ ବାନ୍ଧିଦେଲେ ମାଆ

    ବାଟରେ ଖାଇବ ବୋଲି ll

ଧରମା ଦେଖଇ କୋଣାରକେ ଯାଇ

         ଶିଳ୍ପୀକୁଳ ଚିନ୍ତାଗ୍ରସ୍ତ l

ବଳିଆକୁ ଦେଖି ଚିହ୍ନି ନେଲେ ବିଶୁ

      ଏହି ମୋ ଧରମା ପୁତ୍ର ll

ପିତାଙ୍କୁ ହକାରି ଧରମା ପଚାରି

    ବୁଝିଲା ଶିଳ୍ପୀଙ୍କ ବ୍ୟଥା l

ମୁଣ୍ଡି ନ ମରିଲେ ମନ୍ଦିର ପ୍ରଭାତୁ

     କାହାର ନ ଥିବ ମଥା ll

ଧରମା କହଇ, ଚିନ୍ତା କର ନାହିଁ

   ମୋ ପରେ ଭରସା ରଖ l

ରାତି ନ ପାହୁଣୁ ମୁଣ୍ଡି ମାରି ମୁହିଁ

       ରଖିବି ତୁମ୍ଭର ଟେକ ll

ଶିଳ୍ପ ଶାସ୍ତ୍ର କିଛି ମୁହିଁ ଜାଣି ଅଛି

       ଦିଅ ମୁଗୁର ନିହାଣ l

ଶିଖାଇ ଅଛନ୍ତି ମାଆ ମୋତେ ସବୁ

    ପଢ଼ାଇ ପୋଥି ପୁରାଣ ll

ବାର ବରଷର ବାଳକ ଉଠିଲା

      ମନ୍ଦିର ଉତ୍ତୁଙ୍ଗ ଚୁଳେ l

ରାତି ନ ପାହୁଣୁ ଚୁଡ଼ା ଦିଶି ଗଲା

  କୋଣାର୍କ ସୂର୍ଯ୍ୟଦେଉଳେ ll

ଶିଳ୍ପୀକୁଳ ଗୁଣି ଭାବିହେଲେ ପୁଣି

       ଆଉ କି ରହିବ ମଥା l

ବାର ବରଷର ବାଳୁତେ ସମ୍ଭବ

     ବଡ଼ ବିଚିତ୍ର ଏ କଥା ll

ବାରଶ ବଢ଼େଇ ବଡ଼େଇ ଦାୟ ନା

      ପୁଅର କି ଅବା ଦାୟ l

ଝାସିଲା ଧରମା କରାଳ ତରଙ୍ଗେ

   ଶିଳ୍ପୀ କୁଳ ମାନେ ହାୟ ll

କୋଣାରକେ ରାଜେ ବିଶ୍ୱେ ବାଜାବାଜେ

        ଅପୂର୍ବ କୀରତି କଳା l

ବାର ବରଷର ଧର୍ମପଦ ସୂଚୀ ମୁନେ

          ଆଙ୍କିଦେଇ ଗଲା ll

ଉତ୍କଳ ଜନନୀ ସନ୍ତାନ ଧରମା

     ବନ୍ଦେ ମା'ଚରଣ ଦୁଇ ll

ଉତ୍କଳ ଦିବସେ ପାସୋରି ନଦେବ

      ଧରମାକୁ ଭାଇ କେହି ll

          


Rate this content
Log in

Similar oriya poem from Inspirational