ଉତ୍କଳ ସନ୍ତାନ
ଉତ୍କଳ ସନ୍ତାନ
ବିଶ୍ଵକର୍ମା କୁଳେ ଜନମ ମୋହର
ଉତ୍କଳ ସନ୍ତାନ ମୁହିଁ l
କୁଳଧର୍ମ ରଖି ନାମ ମୋ ଧରମା
ଦେଲେ ମାଆ ଦୟାମୟୀ ll
ଜନ୍ମୁ ଜାଣି ନାହିଁ ପିତା ମୋ କିଏସେ
କେଉଁଠାରେ ଛନ୍ତି ସେହି l
ପଚାରିଲେ ମୋର ମୁଖ ଚାହିଁ ମାତା
କାନ୍ଦୁଥାନ୍ତି କଇଁ କଇଁ ll
ମାତା ମୋତେ ଦିନେ ପାଶେ ବସାଇଲେ
କହିଲେ ବାପର କଥା l
ଗରଭରେ ତୁହି ସଂଚାର ହୋଇଲୁ
ଚାଲି ଗଲେ ତୋର ପିତା ll
ନରସିଂହ ରାଜା ଦେଉଳ ଗଢ଼ନ୍ତି
କାହିଁ ଦୂର ମୁଲକରେ l
କୋଣାରକ କଳା ବିଖ୍ୟାତ ହୋଇବ
କାଳେ ସାରା ଜଗତରେ ll
ପିତା ତୋର ବିଶୁ ମହାରଣା ସେଠି
ଧରି ବାରଶ ବିନ୍ଧାଣି l
ଦେଉଳ ଗଢ଼ନ୍ତି ଚାହିଁ ଚାହିଁ ବାଟ
ନେତ୍ରୁ ଶୁଖିଲାଣି ପାଣି ll
ବାରଶ ବଢ଼େଇ ଦେଉଳ ଗଢ଼ନ୍ତି
ମୁହିଁ ଯିବି ମାତା ଗଢ଼ି l
ଶିଳ୍ପ କଳା ମାତ୍ର କିଞ୍ଚିତେ ଜାଣିଛି
ଘର ପୋଥି ପଢ଼ି ପଢ଼ି ll
ଦୁଃଖିଧନ ମୋର କେଣେ ଯିବୁ ବାବୁ
ମାତା କହନ୍ତି ଆଗୋଳି l
ବାପା କି ଚିହ୍ନିବେ ସଙ୍ଗେ ଘେନି ଯାଆ
ଆମ ବାଡ଼ି ବରକୋଳି ll
ବଳିଆ କୁକୁର ସଙ୍ଗେ ଘେନି ଯାଆ
ତୋ ବାପାଙ୍କ ଅତି ପ୍ରିୟ l
ପୁତ୍ର ପ୍ରାୟେ ଯାକୁ ସ୍ନେହେ ପାଳିଥିଲେ
ମନେ ପଡ଼ି ଆସେ ଲୁହ ll
ବଳିଆ ପଛରେ ଧରମା ଚାଲଇ
ଗାମୁଛାରେ ବର କୋଳି l
ଖୁଦଭଜା ଟିକେ ବାନ୍ଧିଦେଲେ ମାଆ
ବାଟରେ ଖାଇବ ବୋଲି ll
ଧରମା ଦେଖଇ କୋଣାରକେ ଯାଇ
ଶିଳ୍ପୀକୁଳ ଚିନ୍ତାଗ୍ରସ୍ତ l
ବଳିଆକୁ ଦେଖି ଚିହ୍ନି ନେଲେ ବିଶୁ
ଏହି ମୋ ଧରମା ପୁତ୍ର ll
ପିତାଙ୍କୁ ହକାରି ଧରମା ପଚାରି
ବୁଝିଲା ଶିଳ୍ପୀଙ୍କ ବ୍ୟଥା l
ମୁଣ୍ଡି ନ ମରିଲେ ମନ୍ଦିର ପ୍ରଭାତୁ
କାହାର ନ ଥିବ ମଥା ll
ଧରମା କହଇ, ଚିନ୍ତା କର ନାହିଁ
ମୋ ପରେ ଭରସା ରଖ l
ରାତି ନ ପାହୁଣୁ ମୁଣ୍ଡି ମାରି ମୁହିଁ
ରଖିବି ତୁମ୍ଭର ଟେକ ll
ଶିଳ୍ପ ଶାସ୍ତ୍ର କିଛି ମୁହିଁ ଜାଣି ଅଛି
ଦିଅ ମୁଗୁର ନିହାଣ l
ଶିଖାଇ ଅଛନ୍ତି ମାଆ ମୋତେ ସବୁ
ପଢ଼ାଇ ପୋଥି ପୁରାଣ ll
ବାର ବରଷର ବାଳକ ଉଠିଲା
ମନ୍ଦିର ଉତ୍ତୁଙ୍ଗ ଚୁଳେ l
ରାତି ନ ପାହୁଣୁ ଚୁଡ଼ା ଦିଶି ଗଲା
କୋଣାର୍କ ସୂର୍ଯ୍ୟଦେଉଳେ ll
ଶିଳ୍ପୀକୁଳ ଗୁଣି ଭାବିହେଲେ ପୁଣି
ଆଉ କି ରହିବ ମଥା l
ବାର ବରଷର ବାଳୁତେ ସମ୍ଭବ
ବଡ଼ ବିଚିତ୍ର ଏ କଥା ll
ବାରଶ ବଢ଼େଇ ବଡ଼େଇ ଦାୟ ନା
ପୁଅର କି ଅବା ଦାୟ l
ଝାସିଲା ଧରମା କରାଳ ତରଙ୍ଗେ
ଶିଳ୍ପୀ କୁଳ ମାନେ ହାୟ ll
କୋଣାରକେ ରାଜେ ବିଶ୍ୱେ ବାଜାବାଜେ
ଅପୂର୍ବ କୀରତି କଳା l
ବାର ବରଷର ଧର୍ମପଦ ସୂଚୀ ମୁନେ
ଆଙ୍କିଦେଇ ଗଲା ll
ଉତ୍କଳ ଜନନୀ ସନ୍ତାନ ଧରମା
ବନ୍ଦେ ମା'ଚରଣ ଦୁଇ ll
ଉତ୍କଳ ଦିବସେ ପାସୋରି ନଦେବ
ଧରମାକୁ ଭାଇ କେହି ll
