Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanaranjan Sahoo

Abstract Comedy

3  

Gyanaranjan Sahoo

Abstract Comedy

ଉଡୁଛି ପଇସା

ଉଡୁଛି ପଇସା

1 min
224


        

ଉଡୁଛି ପଇସା ହାଟରେ ବାଟରେ

             ଧରିପାରିଲେ ତୁ ହେଲା

ସତ୍ ଉପାୟରେ ଯେତେ କମେଇଲେ

             ନିଅଣ୍ଟ ସଂସାରେ ପାଲା ।


ଅସତ୍ ଉପାୟ ଭାରି ସୁଆଦିଆ

            ଶୀଘ୍ର ମୁହେଁ ଲାଗେ ଘିଅ

ପାଲଟଇ ସିଏ ରକ୍ତମୁଖା ବାଘ

              ଅନୀତିର ଛୁଟେ ସୁଅ ।


ଧନ ପାଲଟିଛି ସଭିଙ୍କ ପାଖରେ

              ଜୀବନର ମାନଦଣ୍ଡ

ଧର୍ମ ଅଧର୍ମକୁ ଖାତିର ନ କରି

            ବିକି ଦେଲାଣି ସେ ମୁଣ୍ଡ ।


ଅଳପ ରାତିକୁ ବହୁତ ସପନ

         ଧାଏଁ ରାତିକେ ହାତୀଏ ପାଇଁ

ଦେଖା ଦେଖି ହୋଇ ଅଭାବିଙ୍କ ମନ

             ହେଉଥାଏ ହାଇଁ ପାଇଁ ।


ଚପରାସୀଠାରୁ ତନ୍ତ୍ରୀ ମନ୍ତ୍ରୀ ଯନ୍ତ୍ରୀ

            ସଭିଏଁ ଭୋକିଲା ସାଇଁ

ଶାସନ ବଳେ ଗଣତନ୍ତ୍ରର ବ୍ୟାପାରୀ

            ଟଙ୍କା ଚାଷ କରୁଥାଇ ।


ଭୋଟ ବେଳେ ବହୁଗୁଣରେ ଫଳଇ

            ରାଜନୀତି ସାର ପାଇ

ନୋଟ ଉଡ଼ଇ ଭୋଟ ଅମଳ ପାଇଁ

              ଜନତା ବଳି ପଡ଼ଇ ।


ପେଟ ପୋଷ ନାହିଁ ଦୋଷ ଡାକରାଟି

             କିଏ ଦେଇଥିଲା ସହି ?

ବିକଳ ପେଟକୁ ଦାନା ସଦା ନାହିଁ

             ନୀତି ନିୟମରେ ରହି ।


ଲାଞ୍ଚ ମିଛ ଠକ ଚୋରି କାରସାଦି

           ପାରଙ୍ଗମ ହେଲେ ଯାଇ

କୋର୍ଟ କଚେରୀ ଭୟ ରହେ ନାହିଁ

              ଉପରୁ ଅଭୟ ପାଇ ।


କୋଠାବାଡ଼ି ଟଙ୍କାପଇସା ଘୋଡ଼ାଗାଡ଼ି

             ନ ପାରିଲା କରି ରୁଣ୍ଡ

ନୀତିର ନିକିତି ଧରିକି ଭାବଇ

            ଜୀବନଟା ହେଲା ପଣ୍ଡ ।


ଖଟୁଥା ରେ ପୁଅ ବାପ ଅଜା କାଳୁ

         ବାଃ ବାଃ ରେ ସତିଆ ଭାଇ

ମହାଲକ୍ଷ୍ମୀ ପୂଜା ଯେତେ ତୁ କରିଲେ

           ତୋଷ ନୁହେଁ ମହାମାୟୀ ।


କଷ୍ଟ କଲେ କୃଷ୍ଣ ମିଳେ କାହା ପାଇଁ ?

            ମନେ ସନ୍ଦେହ ଆସଇ

ଅଧର୍ମ ବିତ୍ତ ଯାଏ ମୂଳ ସହିତ

              ମନକୁ ଦିଏ ବୁଝାଇ ।


ଉଡ଼ନ୍ତା ଧନ ତ ଉଡ଼ି ଉଡ଼ି ଯିବ

             ଦଉଡ଼ ଲଗାନା ଭାଇ

ନୋଟବିଡ଼ା ପାଇଁ ଧାଇଁଛନ୍ତି ଯିଏ

       ପାଦ ଖସିଲେ ଉଠିବେ ନାଇଁ ।



Rate this content
Log in

Similar oriya poem from Abstract