ଉଡ଼ନ୍ତା ଥାଳିଆ
ଉଡ଼ନ୍ତା ଥାଳିଆ
ଶ୍ରେଣୀରେ ଶିକ୍ଷକ କହୁଥିଲେ ଆଜି
ପୃଥିବୀଟା ଏକ ଗ୍ରହ
ଅନ୍ୟ ଗ୍ରହ ପରି ସୂର୍ଯ୍ୟ ଚାରିପାଖେ
ଘୁରୁଛି କିପରି କହ ?
ସୌରଜଗତରେ ପୃଥିବୀ ବକ୍ଷରେ
ଜୀବଜଗତ ଯେ ଅଛି
ଅନ୍ୟ ଗ୍ରହେ ତାହା ଅଛି କିବା ନାହିଁ
ସେ କଥା ଖୋଜା ଚାଲିଛି ।
ବିଶ୍ୱବ୍ରହ୍ମାଣ୍ଡର ଏମିତି ଅନେକ
ଅଦ୍ଭୁତ କଥାକୁ ଜାଣି
କୁନି ବଡ଼ ହେଲେ ବୈଜ୍ଞାନିକ ହେବ
ଭାବେ ମନେ ମନେ ଶୁଣି ।
ମାମୁଁ ଆଣିଦେଲେ ‘ବିଜ୍ଞାନ ଜଗତ’
ପତ୍ରିକା କୁନି ନିମନ୍ତେ
ଅତି ଆଗ୍ରହରେ ପଢ଼ିଗଲା ସେ ତ
ଖୁସି ହେଲା ପଢ଼ା ଅନ୍ତେ ।
ନୂଆ କଥାଟିଏ ମନକୁ ଘାରିଲା
ପତ୍ରିକା ଦେଲା ବତାଇ
‘ଉଡ଼ନ୍ତା ଥାଳିଆ’ ନାମଟି ତାହାର
କ୍ଷଣକେ ଅଦୃଶ୍ୟ ହୋଇ ।
ଅନ୍ୟ ଗ୍ରହ ଜୀବ ସିନେମାରେ ସିଏ
ଦେଖିଥଲା ଯେଉଁ ପରି
ମନେପଡ଼ିଗଲା ତା’ର ସେଇ କଥା
ଅଛି କେ ଜୀବ ସେପରି !
ଭାବି ଭାବି ଶୋଇପଡ଼ିଲା ନିଦରେ
ଦେଖିଲା ଅଦ୍ଭୁତ ଜୀବ
ଉଡ଼ନ୍ତା ଥାଳିରୁ ଆଲୋକ ପକାଇ
ନେଇଯାଏ ତଳ ଦ୍ରବ୍ୟ ।
ଦେଖିବାକୁ ତାହା କବାଟ ଫିଟାଇ
ବାରିପଟେ ହେଲା ଉଭା
ସେ ଆଲୋକ ଭିତରେ ବଉଳା ବୋବାଳି
ଶୁଣି କାନ ତା’ର ଭାଁ ଭାଁ ।
ଚିତ୍କାର କରି କାନ୍ଦେ ଉଚ୍ଚ ସ୍ୱରେ
ବଉଳା ଯିବ ତା’ ଚାଲି
ମାଆ ମାଆ ବୋଲି ଡାକଦିଏ ସିଏ
ଭୟରେ ପାରୁନି ହଲି ।
ଏତିକି ବେଳକୁ ମାଆ ଡାକ ଶୁଣି
ନିଦ ଭାଙ୍ଗିଗଲା ତା’ର
ସପନ କାହାଣୀ ମାଆକୁ ବଖାଣି
. ଗୁହାଳେ ହେଲା ହାଜର ।
ବଉଳା କୋଳରେ ବାଛୁରି ଶୋଇଛି
ଦେଖି ହୋଇଗଲା ଖୁସି
ପାଖେ ଯାଇ ତା’ର ଆଉଁସି ଆଉଁସି
ଫେରିଲା ସେ ହସି ହସି ।
ସପନ କଥାରେ ମନେ ମନେ ଭାବେ
ଦିନେ ବଡ଼ ମୁହିଁ ହେଵି
ବିଜ୍ଞାନମୁଣିରୁ ଏହାର ସତ୍ୟତା
ଖୋଜି ବାହର କରିବି ।
