ତୁମନାମ ତୁଣ୍ଡେ ଥାଉ
ତୁମନାମ ତୁଣ୍ଡେ ଥାଉ
ଚିହ୍ନି ପାରିଲେନି ସହଜରେ କେହି
ପୂର୍ଣ୍ଣବ୍ରହ୍ମ ତୁମେ ଶ୍ରୀ ନାରାୟଣ
ସମସ୍ତେ କହିଲେ କୃଷ୍ଣ ବଳରାମ
ଯଶୋଦା ମା'ଙ୍କ ଦୁଇ ନୟନ I
ଅତି ସାଧାରଣ ପିଲାପରି ତୁମେ
ଖେଳିଲ ବୁଲିଲ ଦୁଷ୍ଟାମୀ କଲ
ଅନ୍ୟଘରେ ପଶି ଲବଣୀ ଖାଇଲ
ନାମ ଅରଜିଲ ଲବଣୀ ଚୋର I
ତୁମର ଦୁଷ୍ଟାମୀ ଆହେ ଅନ୍ତର୍ଯାମୀ
ଯାମଳ ଅର୍ଜୁନ ପାଇଲେ ମୁକ୍ତି
ମା' ଦେଖିଥିଲେ ତୁମ ବିଶ୍ୱରୂପ
ଦୁଷ୍ଟପଣେ ଯେବେ ଖାଇଲ ମାଟି I
ତୁମ ଦୁଷ୍ଟପଣ କି ଅବା ବର୍ଣ୍ଣିବି
ଗୋପୀ କରୁଥିଲେ ଯମୁନା ସ୍ନାନ
ଲୁଚି ଲୁଚି ତୁମେ ଗୋପନେ ଆସିଲ
ଚୋରି କରିନେଲ ପିନ୍ଧା ବସନ I
କେବେ ସାଧାରଣ ଗଉଡ ପିଲାଟେ
କେବେ ଗିରି ଗୋବର୍ଦ୍ଧନ ଧାରଣ
ରାଜା ହୋଇ ପୁଣି ବନ୍ଧୁ ସୁଦାମାର
ଧୋଇ ଦେଇଥିଲ ଦୁଇ ଚରଣ I
ତୁମେ ଲୀଳାମୟ ସବୁ ତୁମ ଲୀଳା
ଅନନ୍ତ ଅସୀମ କୃପା ସାଗର
ଏ ଭବ ସାଗରୁ ପାରିକର ମୋତେ
ସଦା ତୁଣ୍ଡେ ଥାଉ ନାମ ତୁମର I
