ତୁମେ
ତୁମେ
,,,,,,,,,ତୁମେ ,,,,,,,,,
,,,,ଶଶାଙ୍କ ଶେଖର ରାୟ
ତୁମେ ଚାଲିଗଲେ ରାସ୍ତାରେ
ବୁଢାଠାରୁ ଯୁବାନର ଆଖି
ଟାଣି ହୋଇଯାଏ କିଛିକ୍ଷଣ ଯାଏଁ
କି ଯାଦୁ ଥାଏ କେଜାଣି ତୁମ ଭିତରେ ।
ତୁମ ଆଖିରେ ଆଖି ମିଶିବା ଆଗରୁ
କେତେଥର ଯେ ମୋ ଆଖି
ବିନା ହାତେ ଉଣ୍ଡାଳି ସାରିଥାଏ ପୁରା ଶରୀରଟାକୁ
ତୁମ ଅଜଣାତେ, ଅଲକ୍ଷ୍ୟରେ ।
ଏମିତି କାହିଁକି ବା ହୁଏ
ସୁନ୍ଦରକୁ ମନ ଭରି କରିହୁଏନି ଉପଭୋଗ
ଯେତେ ଦେଖିଲେ ବି ତାକୁ ପାଖରୁ
ଯେମିତି ଆହୁରି ବାକି ରହିଯାଏ ମନରେ ।
ମନର ଭୋକ ମରେନି କେବେ
କୁଆଁକେନା ମେଲୁଥାଏ ବାରବାର
ଜୀବନ ମରୁରେ ଢାଳି ଶୃଙ୍ଗାର ଜଳ
ମହକୁଥାଏ ପହିଲି ଆଷାଢର ମାଟି ବାସ୍ନାରେ ।
ତୁମ ପାଇଁ ମିଠା ଲାଗେ ଜୀବନଟା
ଖରା ବର୍ଷା ଶୀତ କାକର ଝଡଝଞ୍ଜା
ସବୁ ଲାଗେ ଫଗୁଣର ସାତରଙ୍ଗ ଛିଟା
ଶୀତଳ ଜହ୍ନ ଉଇଁଆସେ ସବୁରାତିରେ ।
ଫଗୁଣର ରଙ୍ଗ ଲାଗିଗଲେ ଦେହେ
ପୁନେଇଁ ଚାନ୍ଦ ଇର୍ଷା କରେ ତୁମକୁ
ଚଗଲା ପବନ ଟାଣିନିଏ ପଣତକାନି
ଦେଖିବାକୁ ତୁମ ଅଫୁରନ୍ତ ଯୌବନ ।
କିଏ ସେ ବିନ୍ଧାଣୀ ଗଢିଲା ଦେହର କୋଣାର୍କ
ଅତି ଯତନେ ଦେଇ ରୂପ ରସ ରଙ୍ଗ ଗନ୍ଧ
ପାଗଳ ମହୁମାଛି ଭଅଁର ପ୍ରଜାପତି ସଭିଏଁ
ଚୁମିବାକୁ ଓଠ ଛାଡନ୍ତି କନ୍ଦର୍ପ ବାଣ ।
କାମନାର ପକ୍ଷୀ ନାହିଁ ତୁମ ସୀମା ସରହଦ
ତୋଳିପାର ମଧୁର ମିଳନ ଛନ୍ଦେ ପାରିଜାତ ଫୁଲ
ତୁମେ ମୋ ଈଶ୍ଵର ମୁଁ ତୁମ ମନ୍ଦିର
ଉଷ୍ଣତାର ବାହୁଯୁଗଳେ ଏକାକାର ମନ ।
ପାହାଡ ଝରଣା ଘଞ୍ଚ ସବୁଜ ବନାନୀ
ସବୁ ତ ସୁଶୋଭିତ ତୁମ ଅଙ୍ଗେଅଙ୍ଗେ
ତୁମେ ପ୍ରକୃତି ମୁଁ ପୁରୁଷ ଯୁଗେଯୁଗେ
ସଦା ମନ ବ୍ୟାକୁଳିତ କରିବାକୁ ଟିକେ ଆଲିଙ୍ଗନ ।
ମୋ- ୭୩୭୭୧୯୭୯୯୯

