STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ତୁମେ ଯଶୋଦାର ନା ଦେବକୀର

ତୁମେ ଯଶୋଦାର ନା ଦେବକୀର

1 min
298

ହେ କୃଷ୍ଣ ! ତୁମେ ଅର୍ଜୁନଙ୍କ ସଖା ସାରଥୀ

ତୁମେ କେଶବ ମାଧବ ବଂଶୀଧର ଯଦୁପତି,

କଂସ ବଧଠାରୁ ମହାଭାରତ ଯୁଦ୍ଧ ଯାଏଁ

ଅସାଧ୍ୟ ସାଧନେ ରଖିଛ ଅକ୍ଷୟ କୀର୍ତ୍ତି।


ଜନମିଲ ତୁମେ ଏକ ମାଆର ଗରଭରୁ

ବଢ଼ିଲ ଆଉ ଏକ ମାଆର ପୁଣ୍ୟ କୋଳେ,

ତୁମେ କଳା କାହ୍ନୁ ସୁଦାମାର ବାଲ୍ୟବନ୍ଧୁ

ଗୋପୀଙ୍କର ଗୋପୀନାଥ ଗୋପୀ ମେଳେ।


ଜଗତେ ରଚ଼ିଲ ଅନନ୍ୟ ଦିବ୍ୟ ଲୀଳା

ତୁମ ପ୍ରେମରେ ବାଇ ରାଧିକା ମୀରା,

ସବୁ ହୃଦୟର ସ୍ପନ୍ଦନ ଜୀବର ଜୀବଧନ

ଭକତ ବତ୍ସଳ ଦୀନଜନର ତୁମେ ସାହାରା।


ତୁମେ ମଥୁରାର କୃଷ୍ଣ ଗୋପପୁରର କାହ୍ନା

କେଳି କଦମ୍ବ ମୂଳର ରସିକ ନାଗର,

ତୁମେ ସଂସାର ସାଗରର ଉଦ୍ଧାର କର୍ତ୍ତା

ଯଦୁକୁଳ ମଉଡ଼ମଣି ଦ୍ବାରିକାର ଅଧୀଶ୍ବର।


ଦୁଷ୍ଟ ସଂହାରି ପାଳିବାକୁ ସନ୍ଥ ଆସ ସଂସାର 

ପାପର ଅଧର୍ମ ନାଶି ତୁମେ ଧର୍ମ ରକ୍ଷାକର,

ତଥାପି ଭକତ ମନେ ଆସେ ପ୍ରଶ୍ନ ବାରମ୍ବାର

ତୁମେ ଯଶୋଦାର ନା ଦେବକୀର ।


ରକତ ଦେଇ ଦଶମାସ ଦଶଦିନ ଜଣେ

ସହିଲା କେତେ ଦାଉ ଗର୍ଭର ବେଦନା,

ଆଉ ଜଣେ ଛାତିରୁ କ୍ଷୀର ଦେଇ କଲା ବଡ଼

ସହି ଅଳି ଅର୍ଦ୍ଦଳି ଅଝଟପଣର ଯାତନା।


ମାଆର ମାତୃତ୍ବ ମାଆର ସେନେହ ମମତା

ସନ୍ତାନର ଲାଗି ଯୁଗେ ଯୁଗେ ଅମୃତର ଧାରା,

ମାଆ ସର୍ବଂସହା ଧରିତ୍ରୀ ମହୀୟସୀ

ମାଆ ଲାଗି ଜୀବନେ ଦେଖୁ ଦୁନିଆଁ ସାରା।


ଦୁଇ ମାଆର ତୁମେ ଅତି ଅଲିଅଳ ପରା

କାହା ସପନ କରିଛ ପୁରା ନା ରଖିଛ ଅଧୁରା

ମନ ଜାଣି ତୁମେ ଆଶା କରିଦିଅ ପୁରା

ତୁମ ପ୍ରଶଂସା ମୁକ୍ତ କଣ୍ଠେ କରେ ବସୁନ୍ଧରା।


ମନ ବୁଝି ଯାଏ ତୁମେ ସାରା ସଂସାରର ସାହା

ସେ ହୋଇ ପାରେନା କେବେ କାହାରି ଏକା,

ଜନମ ଦେଉ କି ପାଳୁ ମାଆ ତ ମାଆ

ଦୁହିଁଙ୍କର ତୁମେ ଅତି ଗେହ୍ଲା ଦେଇ ନ ଧୋକା।


ତୁମେ ତ ମହାପ୍ରଭୁ ଦୀନବନ୍ଧୁ ଦୟାସାଗର

ଆଦି ଅନ୍ତ ନାହିଁ ତୁମର ତୁମେ ସଚରାଚର,

ଦେଇ ନାହିଁ ଦୋଷ ଦେବ ନାହିଁ ସାର ସଂସାର

ତୁମେ ଯଶୋଦାର ନା ଦେବକୀର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract